
ଟିଟିଲାଗଡ଼, ୮।୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ଉପଖଣ୍ଡକୁ ଜିଲା ଗଠନ ଦାବିରେ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜାରି ରହିଥିବା ଗଣଧାରଣା ଗୁରୁବାର ଅଷ୍ଟମ ଦିବସରେ ପହଞ୍ଚତ୍ଛି। ଏହି ଦିବସରେ ଆନ୍ଦେଳନରେ ସାମିଲ ହୋଇଛି ଟିଟିଲାଗଡ ବ୍ରାହ୍ମଣ ସମାଜ। ସମାଜ ସଭାପତି ବିଶ୍ୱରାମ ଠାକୁର, ବରିଷ୍ଠ ସଦସ୍ୟ ଜଗନ୍ନାଥ ପଣ୍ଡା, ରାଜୀବ ଲୋଚନ ପାଢୀ, କିଶୋର ଚନ୍ଦ୍ର ପଣ୍ଡା, ରାଜୁ ମିଶ୍ର, ଶୁକଦେବ ଯୋଷୀ, ଯୁଗକ ମିଶ୍ର, ବନମାଳୀ ଦାସ, ମିନିକେତନ ମିଶ୍ର, ନରେଶ ଚନ୍ଦ୍ର ପାଢୀ, ହିମାଂଶୁ ଶେଖର ମିଶ୍ର, ଆର୍ତତ୍ରାଣ ମିଶ୍ର, ଭଗବାନ ନାୟକ, ରଘୁନାଥ ରଥ, ଦେବେନ୍ଦ୍ର ମିଶ୍ର, ଅଶୋକ ତ୍ରିପାଠୀ, ଅଶୋକ ଯୋଷୀ, ସଞ୍ଜିବ ପାଢୀ ପ୍ରମୁଖ ସାମିଲ ହୋଇଛନ୍ତି। ଅପରପକ୍ଷରେ ଜିଲା ଗଠନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଅସୀମିତ ଦିନ ପାଇଁ ଜାରି ରଖିବାକୁ ଜିଲା କ୍ରିୟାନୁଷ୍ଠାନ କମିଟି ପ୍ରସ୍ତୁତି ଜୋରଦାର କରିଛି। ଏ ନେଇ କ୍ରିୟାନୁଷ୍ଠାନ କମିଟି ବ୍ଲକ ତଥା ପଞ୍ଚାୟତସ୍ତରରେ ସକ୍ରିୟତା ସହ କାର୍ଯ୍ୟ ଆରମ୍ଭ ହୋଇ ବ୍ୟାପକ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବାକୁ କୋର କମିଟି ନିୟମିତ ବୈଠକ ଜରିଆରେ ପ୍ରସ୍ତୁତି ଜୋରଦାର କରିଛି। ଆନ୍ଦୋଳନକୁ ଦୁଇଟି ବିଧାସନଭା ନିର୍ବାଚନ ମଣ୍ଡଳୀ ଟିଟିଲାଗଡ ଏବଂ କଣ୍ଟାବାଞ୍ଜି ଅଞ୍ଚଳବାସୀଙ୍କ ସମେତ ଦୁଇ ନିର୍ବାଚନ ମଣ୍ଡଳୀର ବିଧାୟକ ଟୁକୁନୀ ସାହୁ ଏବଂ ଆୟୁବ ଖାନ ନିଜ ସମର୍ଥନ ଘୋଷଣା କରିଛନ୍ତି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂଭୋଇ ଏବଂ ସନ୍ତୋଷ ସିଂ ସାଲୁଜା ଜିଲା ଦାବି ପଛରେ ଦୃଢ ଭାବରେ ଛିଡା ହୋଇଥିବା ଘୋଷଣା କରିଛନ୍ତି। ଦୁଇ ନିର୍ବାଚନ ମଣ୍ଡଳୀର ଭାଜପା ନେତା ଲକ୍ଷ୍ମଣ ବାଗ, ଶିବାଜୀ ମହାନ୍ତି, ମହେନ୍ଦ୍ର ଠାକୁର, ମୁକେଶ ଜୈନ ନିଜ ସମର୍ଥନ ଘୋଷଣା କରିଛନ୍ତି। ଆନ୍ଦୋଳନ ନେଇ ଟିଟିଲାଗଡ କୋର୍ଟ ସମେତ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ, ରେଜିଷ୍ଟ୍ରୀ ଅଫିସ, ଟ୍ରେଜେରି, ଉପଖଣ୍ଡ ଯୋଗାଣ କାର୍ଯ୍ୟାଳୟ ୧ତାରିଖଠାରୁ ବନ୍ଦ ରହିଛି। ଏ ନେଇ ସରକାରଙ୍କ ପ୍ରଶାସନିକ କାର୍ଯ୍ୟ ବ୍ୟାହତ ହୋଇଛି। ତେଣୁ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ସହ ଟିଟିଲାଗଡ ଜିଲା ଘୋଷଣା କରିବାକୁ ଦାବି ପ୍ରବଳ ହେବାରେ ଲାଗିଛି।