
ତାଳଚେର,୧୮।୮(ଡି.ଏନ.ଏ.)- ଅନୁଗୋଳ ଜିଲା ତାଳଚେର ଜଗନ୍ନାଥ ମନ୍ଦିର ନିକଟ ବ୍ରାହ୍ମଣୀ ଘାଟରେ ଶୁକ୍ରବାର ୯ଟା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଘାଟରେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ଜଣେ ଛାତ୍ର ପ୍ରଖର ସୁଅରେ ଭାସି ଯାଇଛନ୍ତି। ଏହି ଛାତ୍ର ଜଣକ ହେଲେ ତାଳଚେର ସରସ୍ବତୀ ଶିଶୁ ମନ୍ଦିରର ସିଦ୍ଧାର୍ଥ ବେହେରା। ସେ ୪ର୍ଥ ଶ୍ରେଣୀରେ ପଢୁଥିଲେ। ପୋଲିସ ଓ ଦମକଳ ବାହିନୀ ଲୋକଙ୍କ ସହାୟତାରେ ସିଦ୍ଧାର୍ଥଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରିଛି। ତାଳଚେର ଥାନା ପୋଲିସ ମୃତଦେହକୁ ଜବତ କରି ନିକଟସ୍ଥ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ଏ ନେଇ ତାଳଚେର ଥାନାରେ ପୋଲିସ ଏକ ଅପମୃତୁୃ ମାମଲା (୩୨/୧୭) ରୁଜୁ କରିଛି।
ପୋଲିସର କହିବା ଅନୁସାରେ ସ୍କୁଲ ଯିବା ଆଗରୁ ସିଦ୍ଧାର୍ଥ ନିଜର ଅନ୍ୟ ୩ ସାଙ୍ଗଙ୍କ ସହ ମିଶି ଘରୁ ନଦୀକୁ ଗାଧୋଇବାକୁ ବାହାରିଥିଲେ। ସେଠାରେ ସମସ୍ତେ ଗାଧୋଇବା ବେଳେ ଘାଟରେ ଶିଉଳି ଓ ପ୍ରଖର ସୁଅ ଯୋଗୁ ଭାସି ଯାଇଥିଲେ। ଏହା ଦେଖି ନିକଟରେ ଗାଧୋଉଥିବା କିଛି ଲୋକେ ପାଣିରେ ପଶି ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ସିଦ୍ଧାର୍ଥଙ୍କୁ ଛାଡି ଅନ୍ୟ ୩ ଜଣ ସାଙ୍ଗକୁ ଲୋକେ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରି କୂଳକୁ ଆଣିଥିଲେ। ସିଦ୍ଧାର୍ଥ ନ ମିଳିବାରୁ ଦମକଳ କେନ୍ଦ୍ରକୁ ଖବର ଦିଆ ଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଦୀର୍ଘ ସମୟ ନଦୀରେ ଖୋଜିବା ପରେ ସିଦ୍ଧାର୍ଥଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ପରେ ସମଗ୍ର ତାଳଚେର ଓ ସରସ୍ବତୀ ଶିଶୁ ମନ୍ଦିରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନରାଯୋଗ୍ୟ, ସିଦ୍ଧାର୍ଥଙ୍କ ବାପା ଧରଣୀଧର ବେହେରା ପରିବାର ନେଇ ସ୍ଥାନୀୟ ରାଜବାଟିରେ ଭଡାରେ ରହୁଛନ୍ତି।