ସମ୍ପାଦକୀୟ |

ସମୟ ବରବାଦ ସପକ୍ଷରେ

ସମୟ ବରବାଦ ସପକ୍ଷରେ
ରଞ୍ଜନ କୁମାର ଦାସ


ସମୟ ବଡ଼ ମୂଲ୍ୟବାନ। ଆଜିର ଦୁନିଆରେ ଜୀବନ ଦିନକୁ ଦିନ ଜଞ୍ଜାଳଗ୍ରସ୍ତ ହୋଇପଡୁଛି। ଏତେ କାମ, ଏତେ ବରାଦି ସାମ୍ନାରେ ପଡିରହୁଛି ଯେ ଦିନର ଚବିଶ ଘଣ୍ଟା ଯଥେଷ୍ଟ ନ ହେବା ଭଳି ଲାଗୁଛି। ଅଫିସ ବା ବ୍ୟବସାୟରେ ଏତେ କାମ ପଡିରହୁଛି ଯେ ରାତିରେ ଘରକୁ ଫେରିବାକୁ ବି ମନ କହୁନି, କାରଣ ସକାଳ ହେଲେ ପୁଣି ଏ କାମ କାହିଁକି ସରିନି ବୋଲି କୈଫିୟତ ଦେବାକୁ ପଡିବ। ତା’ ସାଙ୍ଗକୁ ଆସନ୍ତାକାଲିର ଅନେକ ନୂଆ ଦାବି, ନୂଆ ବରାଦ ପୁଣି ସଜିଲ୍‌ ହୋଇ ରହିଥିବ। ବେଳେବେଳେ ମନକୁ ବି ଏ କଥା ଆସେ ଦିନଟା ଯଦି ଚବିଶ ଘଣ୍ଟା ନ ହୋଇ ଅଠଚାଳିଶ ଘଣ୍ଟା ହୋଇଥାନ୍ତା କି! 
ଏଇ କାମର ଚକ୍କରରେ ଜୀବନ ଏବେ ଦୁର୍ବିଷହ ହୋଇପଡିଲାଣି। ଲୋକେ ଦିନସାରା ଅଫିସ୍‌ରେ କାମ କଲା ପରେ ଘରକୁ ଫେରି ପୁଣି ନିଜ ହ୍ବାଟ୍‌ସଆପ, ଟୁଇଟର, ଇ-ମେଲ, ଲାପଟପ୍‌କୁ ନେଇ ରାତିଅନିଦ୍ରା ହେଉଛନ୍ତି। ପରିବାର, ସ୍ତ୍ରୀ ପିଲା, ନିଜ ପାଇଁ ବ୍ୟକ୍ତିଗତ ସମୟ ନାହିଁ। ଫଳରେ ପରିବାର ଭାଙ୍ଗିଯିବାର କାହାଣୀ ବି ଶୁଣିବାକୁ ମିଳୁଛି। ଲୋକ ଯେତେ ସଫଳ ତାଙ୍କ ବ୍ୟକ୍ତିଗତ ଜୀବନ ସେତେ ବିପର୍ଯ୍ୟସ୍ତ। କ୍ୱଚିତ୍‌ ଲୋକ ଏହାର ବ୍ୟତିକ୍ରମ। ନିଜର ସଫଳତା ପାଇଁ ଲୋକେ ନିଜର ପ୍ରତିଟି ମୁହୂର୍ତ୍ତକୁ ବିନିଯୋଗ କରି ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି। ପ୍ରତିଟି ମୁହୂର୍ତ୍ତର ଉପତ୍ାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ସତେଯେମିତି ଜୀବନ କେବଳ କାମ ହିଁ କାମ। କାମ ଛଡା ଆଉ ଯେମିତି କିଛି ନାହିଁ। ମୁହୂର୍ତ୍ତଟେ ବସିଗଲେ ଲାଗୁଛି ଯେମିତି ମୁଁ ପଛରେ ପଡିଯିବି, ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ଆଗକୁ ମାଡିଯିବେ। ତେଣୁ ବ୍ୟକ୍ତିଗତ ସ୍ବାଚ୍ଛନ୍ଦ୍ୟ, ସୁଖଦୁଃଖ, ହସକାନ୍ଦ ସବୁ ପଛରେ ପଡିଯାଉଛି। ମଣିଷ ଯନ୍ତ୍ରବତ୍‌ କାମ କରିଚାଲୁଛି। ପାଖରେ ଛୁଟି ଥିଲେ ବି ଛୁଟିରେ ଯିବାକୁ ସମୟ କି ସୁଯୋଗ ନାହିଁ। ଏପରି କି ପଛରେ ପଡିଯିବାର ଭୟରେ ଲୋକେ ଛୁଟି ବି ନେଉନାହାନ୍ତି। କାଳେ ଛୁଟିରେ ଗଲେ ଆସିଲାବେଳକୁ ଆଉ କିଏ ଚଉକି ଦଖଲ କରିନେଇଥିବ। ଅବସର ବିନୋଦନର ସୁଯୋଗ ନାହିଁ। ସମସ୍ତେ ଭାବୁଛନ୍ତି ଅବସର ବିନୋଦନର ସମୟଟି ଅଯଥା ବରବାଦ ହେବ। ଯାହା ସଫଳତା ଆଣିପାରିବ ନାହିଁ, ଯାହା ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବନାହିଁ ତାହା ବରବାଦ ନୁହେଁ ତ ଆଉ କ’ଣ?
ନିକଟରେ ହୃଦ୍‌ଘାତରେ ପୀଡିତ ହୋଇ ଏ ଲେଖକଙ୍କୁ ଏକ ଘରୋଇ ହାସ୍‌ପାତାଳରେ ଚିକିତ୍ସିତ ହେବାକୁ ପଡିଲା। କିଛିଦିନ ପାଇଁ ମୋଠାରୁ ମୋବାଇଲ ସବୁ କାଢ଼ି ନିଆଗଲା। ଏପରିକି ଭେଟିବାକୁ ଆସୁଥିବା ବନ୍ଧୁବର୍ଗ, ଶୁଭେଚ୍ଛୁମାନଙ୍କ ଉପରେ ମଧ୍ୟ କଟକଣା ଲଗାଗଲା। ହାସ୍‌ପାତାଳରୁ ଘରକୁ ଫେରିଲାବେଳେ ଡାକ୍ତରଙ୍କ ପରାମର୍ଶ ଥିଲା ଅନ୍ତତଃ ମାସକ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ। ଏ ସମୟରେ କୌଣସି କାମ ନାହିଁ, ଅଯଥା ଗପସପ, ଯାତ୍ରା, ଶାରୀରିକ ଓ ମାନସିକ ଚାପରୁ ନିଜକୁ ମୁକ୍ତ ରଖିବାକୁ ହେବ। ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର କରିବେ ନାହିଁ। ମୁଁ ପଚାରିଲି ଏତେ ଦିନ ବସିବସି କରିବି କ’ଣ, ଏତେଗୁଡାଏ ସମୟ କ’ଣ ଏମିତି ବରବାଦ କରିହେବ? ଡାକ୍ତର ହସିଲେ ଏବଂ ତାଗିଦ୍‌ କଲେ ଏସବୁ ପରାମର୍ଶକୁ କଠୋର ଭାବେ ପାଳନ କରିବାକୁ। 
ସନ୍ଧ୍ୟାରେ ଜଣେ ବନ୍ଧୁ ଗୋଟିଏ ଇଂଲିଶ ବହି ଆଣି ଉପହାର ଦେଲେ। ବହିଟିର ନାଁ ଥିଲା ‘In praise of wasting time’ ଅର୍ଥାତ୍‌ ସମୟ ବରବାଦ କରିବା ସପକ୍ଷରେ ଯୁକ୍ତି। ବହିଟିର ଲେଖକ ହେଲେ ଆଲାନ୍‌ ଲାଇଟ୍‌ମ୍ୟାନ୍‌। ଲେଖକ ସମ୍ମାନଜନକ ମାସାଚ୍ୟୁସେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ପ୍ରଫେସର ତଥା ଆମେରିକାନ୍‌ ଏକାଡେମୀ ଅଫ୍‌ ସାଇନ୍ସର ଅନ୍ୟତମ ସଦସ୍ୟ। ତାଙ୍କର କହିବା କଥା ମଧ୍ୟ ସେଇଆ। କାମର ସମୟ ଛଡ଼ା ଅନ୍ୟ ସବୁ ସମୟ ବରବାଦ ହେଇଗଲା, ବେକାର ହେଇଗଲା ବୋଲି ଆମେ ଭାବୁ। ମାତ୍ର ଏ କଥା ବୁଝିବାକୁ ଏବଂ ଗ୍ରହଣ କରିବାକୁ ହେବ ଯେ, ବେଳେବେଳେ କିଛି କାମ ନ କରିବା ହିଁ ସବୁଠୁ ଭଲ କାମ। ଏଇ ସମୟରେ ମୋବାଇଲ, କମ୍ପ୍ୟୁଟର ସବୁ ବନ୍ଦ କରି, ବାହାର ଜଗତରୁ ନିଜକୁ ବିଚ୍ଛିନ୍ନ କରି ନିଘୋଡ଼ ନିଦରେ ଶୁଆଯାଇପାରେ। ନିଜ ପସନ୍ଦର ଗୀତ ଶୁଣାଯାଇପାରେ, ସିନେମା ଦେଖାଯାଇପାରେ, ପ୍ରକୃତିକୁ ଉପଭୋଗ କରାଯାଇପାରେ, ଶୂନ୍ୟ ଆକାଶରେ ଜହ୍ନ ଆଉ ତାରାଙ୍କୁ ନିରିଖେଇ ଦେଖାଯାଇପାରେ, ଧ୍ୟାନ କରାଯାଇପାରେ, କବିତା ଲେଖାଯାଇପାରେ, ବହି ପଢ଼ାଯାଇପାରେ। ମନପସନ୍ଦର ଗୀତ ଗୁଣୁଗୁଣୁ ଗାଇ, ପ୍ରଜାପତିଙ୍କ ପଛରେ ପିଲାଟିଏ ପରି ଦୌଡ଼ାଯାଇପାରେ, ଯାହାର ଯାହା ରୁଚି ଥିବ ସେଥିରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇପାରେ। ନିଜ ପ୍ରିୟ ଲୋକଙ୍କ ବାବଦରେ ଚିନ୍ତା କରାଯାଇପାରେ, ସେମାନଙ୍କ ମେଳରେ ସମୟ କଟାଯାଇପାରେ। ପୁଅଝିଅ, ସ୍ତ୍ରୀ ବା ନାତିନାତୁଣୀଙ୍କ ସହ ମଧ୍ୟ ଅନ୍ତରଙ୍ଗ ସମୟ ବିତାଯାଇପାରେ। ଏପରିକି ସାଙ୍ଗସାଥୀ, ବନ୍ଧୁଙ୍କ ସହ ଫୂର୍ତ୍ତି କରିବା, ମସ୍ତି ମାରିବା, ଖଟିରେ ବସିବା ମଧ୍ୟ ଅନେକ ସମୟରେ ମନରୁ ଚାପ ଦୂର କରେ। ନିଜ ସହିତ ଓ ନିଜ ଲୋକଙ୍କ ସହିତ ଏ ଅଭିସାର ଆମକୁ ହାଲୁକା କରିବା ସହ ନୂତନ ଶକ୍ତି ଓ ସାମର୍ଥ୍ୟ ଯୋଗାଏ।
ମାତ୍ର ଏସବୁକୁ ହିଁ ତ ଆମେ ଭାବୁ ବେକାର କାମ ବୋଲି। ପ୍ରକୃତରେ ଏବେ ଏ କାମ ସବୁକୁ ବେକାର କାମ ବୋଲି ଆଉ କହିହେବ ନାହିଁ। ଏଇ ତଥାକଥିତ ବରବାଦ ହୋଇଯାଇଥିବା ସମୟ ହିଁ ଆମ ନିଜ ପାଇଁ ଆମେ ଦେଉଥିବା ସମୟ। ଯାହାକୁ ଆମେ ମୂଲ୍ୟବାନ୍‌ ସମୟ ବୋଲି ଭାବୁଛୁ ତାହା ତ ଅନ୍ୟମାନଙ୍କ କାମରେ ଲାଗୁଥିବା ସମୟ, ଦିନରେ ଯଦି ଆମେ ପନ୍ଦର ଷୋଳ ଘଣ୍ଟା ଅନ୍ୟ ପାଇଁ ଦେଇପାରୁଛେ, ନିଜ ପାଇଁ ଘଣ୍ଟେ ଦି’ଘଣ୍ଟା ଦେବା ପାଇଁ ଏତେ କୁଣ୍ଠିତ ହେବା କାହିଁକି? ଏଇ ତ ସେଇ ସମୟ ଯାହା ଆମ ଭିତରର ଅସଲ ମଣିଷକୁ ଅଣ୍ଟା ସଳଖି ଠିଆହେବା ପାଇଁ ସାହାଯ୍ୟ କରେ। ଆମ ଖଣ୍ଡବିଖଣ୍ଡିତ ବ୍ୟକ୍ତିତ୍ୱକୁ ଏକାଠି କରେ, ନିଃସ୍ବ ହେଇଯାଉଥିବା ଜୀବନକୁ ପୂର୍ଣ୍ଣ କରେ। ନୂତନ ଚିନ୍ତାଧାରା ଓ ସୃଜନଶୀଳତାର ଉନ୍ମେଷ କରେ। ଏଇ ସମୟ ଆମକୁ ଫୁରସତ ଦିଏ ନିଜ ଜୀବନକୁ ପୁନର୍ବିଲୋକନ କରିବାକୁ, କେଉଁଠି ଭୁଲ ରହିଗଲା ତା’ର ସମୀକ୍ଷା କରିବାକୁ ଏବଂ ଭବିଷ୍ୟତରେ କିଭଳି ନିଜ ଜୀବନକୁ ପୂର୍ଣ୍ଣାଙ୍ଗ କରିହେବ ତା’ର ନକ୍‌ସା ପ୍ରସ୍ତୁତ କରିବାକୁ। ଚିରାଚରିତ ଖଡ଼ାବଡ଼ିଥୋଡ଼ର ଗତାନୁଗତିକ ଜୀବନରୁ ନିଜକୁ ମୁକ୍ତ କରି ଏଇ ସମୟ ଜୀବନରେ ନୂଆ ଇନ୍ଦ୍ରଧନୁ ଆଙ୍କେ। ନିଜକୁ ନୂଆକରି ଗଢିବା ପାଇଁ ଦମ୍‌ ସଂଗ୍ରହ କରିବାର ସମୟ ଇଏ। ମଞ୍ଜି ଯେମିତି କିଶଳୟ ମଣ୍ଡିତ ହେବା ଆଗରୁ କିଛି ସମୟ ନିଜକୁ ମାଟି ଭିତରେ ଲୁଚାଇ ରଖେ, ଶଁବାଳୁଆ ଯେମିତି ପ୍ରଜାପତିରେ ପରିଣତ ହେବା ଆଗରୁ ନିଜକୁ କୋଷା ଭିତରେ ଲୁଚେଇ ରଖେ, ସେଇଭଳି ଏଇ କିଛି ସମୟର ଆମତ୍ଗୋପନ ଆମକୁ ଅଧିକ ସମର୍ଥ ଓ ସକ୍ଷମ କରାଏ। ଏକ ନବଜୀବନର ସଂରଚନା କରେ ଏ ଶୀତନିଦ୍ରା। ତେଣୁ ଏହାକୁ ବରବାଦ ହେଲା ବୋଲି କହିବା ସତ୍ୟର ଅପଳାପ।
ଆମେରୀକୀୟ ଲେଖକ ନିକ୍‌ ବ୍ରନ୍‌ ଏବେ ‘Make Time’ ବୋଲି ଗୋଟିଏ ବହି ଲେଖିଛନ୍ତି। ତାଙ୍କର ମତ ବି ସେୟା। ସଫଳ ହେବାର ମୂଷିକ ଦୌଡ଼ରେ ସାମିଲ ହୋଇ ଆମେ ଏବେ ହୁଏତ ସଫଳ ହୋଇଛେ ବୋଲି ଦାବି କରୁଛେ, ମାତ୍ର ସୁଖୀ ହୋଇପାରିନେ। ଏ କଥା ହୃଦୟଙ୍ଗମ କରିବାକୁ ହେବ ଯେ ସଫଳ ହେବା ଅପେକ୍ଷା ସୁଖୀ ହେବା ଜୀବନର ବୃହତ୍ତର ଲକ୍ଷ୍ୟ। ଆମେ ସଫଳ ହେଲେ ସୁଖ କିଣିପାରିବା ବୋଲି ଭାବି ଜୀବନସାରା ଦୌଡି ଚାଲିଲେ ରାଜା ମିଡାସ୍‌ଙ୍କ ଭଳି। ଯାହାକୁ ଛୁଇଁବା ତାହା ସୁନା ହୋଇଯାଉ ବୋଲି ବର ଆମେ ହୁଏତ ପାଇଛେ କଠୋର ତପସ୍ୟା ପରେ। ମାତ୍ର ଆମ ଭାତଥାଳିର ଭାତ, ଗିଲାସର ପାଣି ବି ସୁନା ହୋଇଗଲେ କି ସୁଖ ମିଳିବ ଆମକୁ? ରାଜାର ମୁକୁଟ ପିନ୍ଧିଥିବା ଅନ୍ତଃସାରଶୂନ୍ୟ ମଣିଷ ଶେଷରେ ନିଜ ରକ୍ତମାଂସର ଝିଅକୁ ମଧ୍ୟ ରାଜା ମିଡାସ୍‌ଙ୍କ ପରି ଛଉଁଛୁଉଁ ସୁନାର ମୂର୍ତ୍ତିଟିଏ କରିଦେଇପାରେ। ତେଣୁ ନିଜକୁ ସାଫଲ୍ୟମଣ୍ଡିତ ହେବାର ଦୁର୍ବାର ଅଭିଳାଷରୁ ମୁକ୍ତ କରିବାର ସମୟ ଉପନୀତ। ଜୀବନକୁ ଠିକ୍‌ ଢଙ୍ଗରେ ଜିଇବାର ଅଭିଳାଷକୁ ପୁନର୍ଜୀବିତ କରିବାକୁ ହେବ। ନିଜ ଆମତ୍ାର ଡାକ ଶୁଣିବାକୁ ପଡ଼ିବ। 
ଜିଲାପାଳ, ଯାଜପୁର, ମୋ- ୯୪୩୭୨୮୬୫୧୨
All Right Reserved By

ସମ୍ପାଦକୀୟ |

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...

ସମ୍ପାଦକୀୟ/ ରୋଗୀ ବନ୍ଧକ

ସମ୍ପାଦକୀୟ/ ରୋଗୀ ବନ୍ଧକ

କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍‌ଗେଜ୍‌ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ...

ଘରୋଇ ହିଂସାର କରାଳ ରୂପ

ଘରୋଇ ହିଂସାର କରାଳ ରୂପ

ବୈକୁଣ୍ଠନାଥ ମିଶ୍ର

ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ଓ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ। ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ। ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ ନ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣା...

 ଆଦର୍ଶ, ଦେଶ ଓ ଦେଶାତ୍ମବୋଧ

ଆଦର୍ଶ, ଦେଶ ଓ ଦେଶାତ୍ମବୋଧ


ନୃସିଂହ ପ୍ରସାଦ ତ୍ରିପାଠୀ

ଗୋଟିଏ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ ତା’ର ନାଗରିକଙ୍କର ଦେଶ ପ୍ରତି ପ୍ରତିବଦ୍ଧତା ଜରୁରୀ। ଏହାର ଲୋକପ୍ରିୟ ନାମ ହେଉଛି ଦେଶାତ୍ମବୋଧ। ଗଣତନ୍ତ୍ର ଶାସନ ପଦ୍ଧତିରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସନ୍ତି, ସେମାନେ ସବୁବେଳେ ଜାହିର କରିବାକୁ ଚାହାନ୍ତି ଯେ, ସେମାନଙ୍କର ଦେଶଭକ୍ତି ଅତି ଉଚ୍ଚ ଧରଣର ଏବଂ ସେମାନେ ହିଁ ଦେଶକୁ ପ୍ରଗତି ପଥରେ ଚଳାଇନେବେ। ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷରୁ ବେଶି ହେଲାଣି। କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ଓ କୃଷିରେ କିଛି ପ୍ରଗତି ହୋଇଛି ନିଶ୍ଚୟ, କିନ୍ତୁ...

ଏଇ ଭାରତରେ

ଏଇ ଭାରତରେ

ପେଟ୍ରୋଲକୁ ତରଳ ସୁନା କହିବାର ଯଥାର୍ଥତା ବର୍ତ୍ତମାନ ଉପଲବ୍‌ଧି କରିହେଉଛି। କାରଣ ଏହାର ଲିଟର ପ୍ରତି ଦର ୧୦୦ଟଙ୍କା ଛୁଇଁବାକୁ ଆଉ ବେଶି ଦିନ ବାକି ନାହିଁ। ଭାରତର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ଛୁଇଁଛି। ଏହା ବାସ୍ତବରେ ମୋଟରଗାଡି ଚାଳକଙ୍କୁ ଖୁବ୍‌ ବାଧୁଛି। ଏହାର ମହାର୍ଘ ମୂଲ୍ୟ ଦୃଷ୍ଟିରୁ କେତେକେ ଏହାକୁ ନବଦମ୍ପତିଙ୍କୁ ଉପହାର ଦେବାକୁ ଉଚିତ ମଣୁଛନ୍ତି। ତାମିଲନାଡୁ...