Dharitri News
ସମ୍ପାଦକୀୟ |

ଆତଙ୍କବାଦର ସଂଜ୍ଞା

ଆତଙ୍କବାଦର ସଂଜ୍ଞା ଆକାର ପଟେଲ କିଛିଦିନ ତଳେ ଆମେରିକାର ଲସ୍‌ ଭେଗସ୍‌ ସହରରେ ଜଣେ ଲୋକର ଅତର୍କିତ ଗୁଳିମାଡ଼ରେ ଏକ ସଂଗୀତ କାର୍ଯ୍ୟକ୍ରମ ଉପଭୋଗ କରୁଥିବା ବେଳେ ୫୮ ଜଣ ଲୋକଙ୍କର ମୃତ୍ୟୁ ଘଟିଲା। ଲୋକଟି ଲୋକଗହଳି ଉପରୁ ତା’ ମେଶିନ୍‌ଗନ୍‌ରୁ ପ୍ରାୟ ଏକ ଘଣ୍ଟାକାଳ ଗୁଳି ଚଳାଇଲା। ଏଥିରେ ୫୦୦ରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ପୋଲିସର କହିବା ଅନୁସାରେ ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ, କାରଣ ଆତତାୟୀ ଜଣକ ଏକୁଟିଆ ଥିଲା ଏବଂ ସେ ଜଣେ ଖ୍ରୀଷ୍ଟିଆନ୍‌ ଥିଲା। ପୋଲିସର କହିବାର ଅର୍ଥ ହେଉଛି, ସେ ଯଦି ମୁସଲମାନ ହୋଇଥାନ୍ତା, ତେବେ ତାକୁ ଏହି ଦୃଷ୍ଟିରେ ବିଚାର କରାଯାଇ ନ ଥାନ୍ତା। ଲୋକଟି ବିଷୟରେ ଏବଂ ତା’ର ଉଦ୍ଦେଶ୍ୟ ବିଷୟରେ ବେଶି କିଛି ଜଣାଯାଇ ନାହିଁ, ଯେଉଁଥିପାଇଁ ଏହା ଆତଙ୍କବାଦ ନୁହେଁ ବୋଲି ପୋଲିସ ସିଦ୍ଧାନ୍ତରେ ପହଞ୍ଚିଗଲା। ତେଣୁ ଏ ଘଟଣାର ଅଧିକ ପରୀକ୍ଷାନିରୀକ୍ଷା ଆବଶ୍ୟକ। ତା’ ସହ ଆତଙ୍କବାଦକୁ ଆମେ କିପରି ବୁଝୁଛୁ, ତାହାର ବି ତର୍ଜମା ଆବଶ୍ୟକ। ମୋ ଦୃଷ୍ଟିରେ ଆତଙ୍କବାଦ ହେଉଛି କୌଣସି ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ସାଧାରଣ ନାଗରିକଙ୍କ ବିରୋଧରେ ବେଆଇନ ହିଂସାକାଣ୍ଡ ସୃଷ୍ଟିକରିବା ଏବଂ ଲୋକଙ୍କୁ ଆତଙ୍କିତ କରି ରଖିବା। ଯଦି ଆମେ ଏହି ସଂଜ୍ଞାକୁ ଗ୍ରହଣ କରିବା, ତେବେ ଅନେକ ହିଂସାକାଣ୍ଡକୁ ଆତଙ୍କବାଦ କୁହାଯାଇପାରିବ। ସମସ୍ତ ପ୍ରକାର ସାମ୍ପ୍ରଦାୟିକ ହିଂସା ଏହି ବର୍ଗରେ ଆସିବ, କାରଣ ଏହା ବେଆଇନ, ଲୋକଙ୍କୁ ଆତଙ୍କିତ କରିବା ଓ ସାଧାରଣ ନାଗରିକଙ୍କ ବିରୋଧରେ ଉଦ୍ଦିଷ୍ଟ ଏବଂ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥାଏ। ତେବେ ଅଧିକାଂଶ ଲୋକ ସାମ୍ପ୍ରଦାୟିକ ହିଂସାକୁ ଆତଙ୍କବାଦ ବୋଲି ଭାବନ୍ତି ନାହିଁ। ମୁଜାଫରନଗରରେ ମୁସଲମାନଙ୍କ ବିରୋଧରେ ସଂଗଠିତ ହିଂସାକାଣ୍ଡକୁ ଏକ ଦଙ୍ଗା ବୋଲି କୁହାଯାଇଥିଲା। ବାବ୍ରି ମସ୍‌ଜିଦ ଭଙ୍ଗା ପରେ ବମ୍ବେରେ ମୁସଲମାନଙ୍କ ବିରୋଧରେ ସଂଘଟିତ ହିଂସାକାଣ୍ଡରେ ଶହ ଶହ ଲୋକ ମୃତ୍ୟୁବରଣ କରିଥିଲେ, ଯାହାକୁ ଦଙ୍ଗା କୁହାଯାଇଥିଲା। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଯେଉଁ ବୋମା ଆକ୍ରମଣ ଘଟିଲା ତାହାକୁ ଆତଙ୍କବାଦ ବୋଲି କୁହାଗଲା। ୨୦୦୨ ମସିହାରେ ଅହମଦାବାଦର ନାରୋଦା ପଟିଆଠାରେ ଯେଉଁ ଗଣହତ୍ୟାରେ ୯୭ ଜଣ ମୁସଲମାନଙ୍କ ମୃତ୍ୟୁ ଘଟିଲା, ତାହାକୁ ଦଙ୍ଗା ବୋଲି କୁହାଯାଇଥିଲା। ସେହି ବର୍ଷ ଅହମଦାବାଦର ଅକ୍ଷରଧାମଠାରେ ୩୦ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲା, ଯାହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଗଲା। ଦ୍ୱିତୀୟ ସମସ୍ୟା ରହିଛି ‘ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରିବା’ ବାକ୍ୟାଂଶକୁ ନେଇ। ଜମ୍ମୁ-କଶ୍ମୀରରେ ଯେତେସବୁ ଆକ୍ରମଣ ହୋଇଛି, ସେଥିମଧ୍ୟରୁ ଅଧିକାଂଶ ସଶସ୍ତ୍ର ବଳ ଉପରେ, ସାଧାରଣ ନାଗରିକଙ୍କ ଉପରେ ନୁହେଁ। ମାତ୍ର ଆମେ ତାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହୁ। ଆମେରିକୀୟ ଆଇନରେ ଆତଙ୍କବାଦର ସଂଜ୍ଞା ନିର୍ଦ୍ଧାରଣ କରାଯାଇଛି: ସାମାଜିକ ବା ରାଜନୈତିକ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବା ପାଇଁ ବ୍ୟକ୍ତି ବା ସମ୍ପତ୍ତି ଉପରେ ହିଂସାତ୍ମକ ଆକ୍ରମଣ କରିବା। ମୁଁ ପୂର୍ବରୁ କହିଛି ଯେ ଭେଗସ ଆକ୍ରମଣକାରୀ ବିଷୟରେ ବା ତା’ର ଉଦ୍ଦେଶ୍ୟ ବିଷୟରେ ବେଶି କିଛି ଜଣାନାହିଁ। ତେଣୁ ପୋଲିସ କିପରି ଜାଣିଲା ଯେ ଏହା ଏକ ଆତଙ୍କବାଦୀ ଆକ୍ରମଣ ନୁହେଁ? ଆତଙ୍କବାଦ ବିରୋଧରେ ଭାରତରେ ପୋଟା ଆଇନ ଅଛି ଯାହା ୨୦୦୨ ମସିହାରେ ବାଜପେୟୀଙ୍କ ଅମଳରେ ଗୃହୀତ ହୋଇଥିଲା। ଏଥିରେ ଆତଙ୍କବାଦର ସଂଜ୍ଞା ନିରୂପଣ କରାଯାଇଛି: ଯେ କେହି ଦେଶର ଅଖଣ୍ଡତା, ସୁରକ୍ଷା ବା ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିବ ବା ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିବ, ଏଥିପାଇଁ ବୋମା ଆଦି ବିସ୍ଫୋରକ, ଗୁଳିଗୋଳା, ବିଷ, ଗ୍ୟାସ୍‌ ବା ଜୈବ ଓ ରାସାୟନିକ ଅସ୍ତ୍ର ବ୍ୟବହାର କରିବ ବା କାହାକୁ ମୁଣ୍ଡ ଜାମିନ ରଖିବ ତାକୁ ଆତଙ୍କବାଦୀ ବୋଲି କୁହାଯିବ। ପୁଣି ଯେଉଁ ବ୍ୟକ୍ତି (ଲଶ୍କର ପ୍ରଭୃତି) କୌଣସି ବେଆଇନ ସଂଗଠନର ସଦସ୍ୟ ହୋଇଥିବ, ଯିଏ ଲାଇସେନ୍ସବିହୀନ ଗଣବିଧ୍ୱଂସୀ ମାରଣାସ୍ତ୍ର ରଖିଥିବ ସେ ଆତଙ୍କବାଦୀ। ସେମାନେ ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦେଶର ବା ଲୋକଙ୍କର ଧନଜୀବନ ନଷ୍ଟ କଲେ ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ କୁହାଯିବ। ଏଥିରେ ଥିବା ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକ ହେଉଛି: ଏକତା, ଅଖଣ୍ଡତା, ସୁରକ୍ଷା ଓ ସାର୍ବଭୌମତ୍ୱ। କିନ୍ତୁ ଭାରତ ଖଣ୍ଡବିଖଣ୍ଡିତ ହେବାର ଆଶଙ୍କା ଅମୂଳକ। ତେବେ ଖଣିରେ ବ୍ୟବହାର କରାଯାଉଥିବା ବିସ୍ଫୋରକ ଡିନାମାଇଟ୍‌ କଥା ଏଠି କାହିଁକି ଉଲ୍ଲେଖ କରାଯାଇଛି, ଯାହାକୁ ଆତଙ୍କବାଦୀମାନେ ବ୍ୟବହାର କରନ୍ତି ନାହିଁ ଏବଂ ଆର୍‌ଡିଏକ୍ସ ଓ ସି୧୪ ପରି ଆଧୁନିକ ବିସ୍ଫୋରକର ନାମ ଲେଖାଯାଇ ନାହିଁ, ତାହା ଆମକୁ ଅଜଣା। ଅନେକ ଆଇନ ପରି ଏହି ଆଇନରେ ଅନେକ ତ୍ରୁଟି ରହିଛି। ଅନେକ ରାଜ୍ୟରେ ବି ଏପରି ତ୍ରୁଟିପୂର୍ଣ୍ଣ ଆଇନ ଅଛି। ଆପଣ କିଛି ଅପରାଧ କରି ନ ଥିଲେ ବି ତାମିଲନାଡ଼ୁରେ ଆପଣଙ୍କୁ ବିପଜ୍ଜନକ କାର୍ଯ୍ୟକଳାପ ନିରୋଧୀ ଆଇନରେ ବିନା ବିଚାରରେ ବର୍ଷାଧିକ କାଳ ଜେଲ୍‌ରେ ଠୁଙ୍କିଦିଆଯାଇପାରିବ। ଆପଣ କିଛି ଅପରାଧ କରିବାର ସମ୍ଭାବନା ଅଛି, ଏପରି ଆଶଙ୍କାରେ ପୋଲିସ ଆପଣଙ୍କୁ ଜେଲରେ ପୂରାଇଦେଇ ପାରିବ। ପୁଣି ଆତଙ୍କବାଦର ସଂଜ୍ଞାକୁ ଆସିବା- ଯେତେବେଳେ ଆମେ ଏପରି କାର୍ଯ୍ୟ କରୁ ତାହା ଆତଙ୍କବାଦ-ନିରୋଧୀ ଏବଂ ଯେତେବେଳେ ସେମାନେ କରନ୍ତି ତାହା ଆତଙ୍କବାଦୀ କାର୍ଯ୍ୟକଳାପ। ସେହିପରି ଯେତେବେଳେ ଆମେ ଏପରି ହିଂସାକାଣ୍ଡ କରୁ ତାହା ଦଙ୍ଗା ଏବଂ ଯେତେବେଳେ ମୁସଲମାନମାନେ ଏହା କରନ୍ତି, ତାହା ଆତଙ୍କବାଦ। Email: aakar.patel@gmail.com

ସମ୍ପାଦକୀୟ |

ଗୁପ୍ତ ବଦଳି

ଗୁପ୍ତ ବଦଳି

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ଗତ ପୌର ନିର୍ବାଚନରେ ମଧ୍ୟପ୍ରଦେଶର ଶାସକ ଭାଜପା ଆଶାଜନକ ଆସନ ନ ପାଇ ମାନସିକ କଷ୍ଟ ଭୋଗୁଥିବା ବେଳେ ରାଜ୍ୟ ପ୍ରଶାସନିକ ସେବା ବୋର୍ଡ ବୈଠକର ବିବରଣୀ ପ୍ରଦାନ କରିବାକୁ ଜଣେ ଦୁର୍ନୀତି-ବିରୋଧୀ କର୍ମୀଙ୍କ ଆବେଦନକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହା ଗୁପ୍ତ ଏବଂ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହେଁ ବୋଲି ସରକାର କହିଛନ୍ତି। ଅଜୟ ଦୁବେ ନାମକ ଉକ୍ତ କର୍ମୀ ଜଣକ ଗତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ବୋର୍ଡ ମିଟିଂର ବିବରଣୀ ପ୍ରଦାନ ପାଇଁ ଏକ ଆର୍‌ଟିଆଇ ଆବେଦନ କରିଥିଲେ। ଉକ୍ତ ପ୍ରଶାସନିକ ସେବା ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥାନ୍ତି ଏବଂ ବରିଷ୍ଠତମ ଅତିରିକ୍ତ ଶାସନ ସଚିବ ବା ରାଜସ୍ବ ବୋର୍ଡ ଅଧ୍ୟକ୍ଷ ତଥା ଆର୍ଥିକ କମିଶନର ବା ତତ୍ତୁଲ୍ୟ ପାହ୍ୟାର ଜଣେ ଅଧିକାରୀ ସଦସ୍ୟ ରହିଥାନ୍ତି। ଏଥି ସହ ରାଜ୍ୟ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ପ୍ରମୁଖ ସଚିବ ବା ସଚିବ ସଦସ୍ୟ ସଚିବ ରହିଥାନ୍ତି। ୨୦୧୩ ମସିହାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ତଥା ରାଜ୍ୟଗୁଡ଼ିକୁ ବାବୁମାନଙ୍କ ବଦଳି ଓ ନିଯୁକ୍ତି ଆଦି ବିଷୟରେ ବିଚାର କରିବା ପାଇଁ ଏକ ପ୍ରଶାସନିକ ସେବା ବୋର୍ଡ ପ୍ରତିଷ୍ଠା କରିବାକୁ ଆଦେଶ ଦେଇଥିଲେ। ଉଦ୍ଦେଶ୍ୟ ଥିଲା, ରାଜନୈତିକ ହସ୍ତକ୍ଷେପରୁ ଅମଲାତନ୍ତ୍ରକୁ ରକ୍ଷାକରିବା ଏବଂ ରାଜନୈତିକ ମୁନିବମାନଙ୍କ ଦ୍ୱାରା ବାବୁମାନଙ୍କର ଘନ ଘନ ବଦଳିକୁ ରୋକିବା। କିନ୍ତୁ କେତେକ ରାଜ୍ୟ ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶ ପାଳନ କରୁ ନ ଥିବା ଦେଖାଯାଉଛି। ...

ପଥ-ସଂସ୍କୃତି

ପଥ-ସଂସ୍କୃତି

ରଞ୍ଜନ କୁମାର ଦାସ/ ଭାରତ ଏକ ସଭ୍ୟ ସଂସ୍କୃତିସମ୍ପନ୍ନ ଏବଂ ପ୍ରଗତିଶୀଳ ଦେଶ ହେବାର ଦାବି କରିଆସୁଛି। ଏହାର ଭିତ୍ତିଭୂମିର ବିକାଶ ଏବେ ସାରା ବିଶ୍ୱର ଦୃଷ୍ଟିଆକର୍ଷଣ କରୁଛି। ଏହାର ରାସ୍ତାଘାଟ ଓ ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିଛି। ଭାରତୀୟ ରାସ୍ତାରେ ଆଗଭଳି ଆଉ କେବଳ ଲେଲାଣ୍ଡ ଟ୍ରକ୍‌, ଆମ୍ବାସାଡର କାର, ରାଜଦୂତ କି ୟେଜ୍‌ଦି ମୋଟର ସାଇକେଲ ବା ବଜାଜ୍‌ ସ୍କୁଟର ଚଳାଚଳ କରୁନାହିଁ। ଦେଶବିଦେଶର ବିଭିନ୍ନ ଆକର୍ଷଣୀୟ ମଡେଲର ଗାଡିମୋଟର ଏବେ ଆମ ରାସ୍ତାଗୁଡିକର ଶୋଭା ଦ୍ୱିଗୁଣିତ କରୁଛନ୍ତି। ପ୍ରମାଣିତ କରୁଛନ୍ତି ଯେ ପ୍ରଗତିର ଗତି କ୍ରମେ ଦ୍ରୁତତର ହେଉଛି। ...

ମନର ମୂଳେ ଏ ଜଗତ

ମନର ମୂଳେ ଏ ଜଗତ

ମନ ମାନଚିତ୍ର-ଡ. ନରହରି ବେହେରା/ ମନ ହେଉଛି ଅନ୍ତଃକରଣର ପ୍ରବୃତ୍ତି ଓ ବାହ୍ୟ ଆଚରଣର ସଞ୍ଚାଳକ। ସଂସାରରେ ଯେତେ ହଟଚମଟ ସବୁ ଏଇ ମନକୁ ନେଇ। ମନ ମିଶିଲେ ସଂସାର ହସେ, କୁରୂପ ସୁରୂପ ହୋଇଯାଏ। ସମ୍ପର୍କ କ୍ଷୀରନୀର ପରି ହୋଇଯାଏ । କିନ୍ତୁ ମନ ଫାଟିଗଲେ ସବୁ ଅସାର ଲାଗେ। ଅତି ଆପଣାର ମଣିଷ ନିମିଷକ ମଧ୍ୟରେ ଅଦରକାରୀ ଏବଂ ଶତ୍ରୁପରି ବୋଧହୁଏ। ଓଡ଼ିଆରେ ଗୋଟିଏ କଥା ଅଛି- ‘ମନ ଯଦି ଚେଙ୍ଗା, ଗୋବର ଗାଡ଼ିଆ ଗଙ୍ଗା’। ଅର୍ଥାତ୍‌ ମନ ପ୍ରଫୁଲ୍ଲ ରହିଲେ ଅତି ତୁଚ୍ଛ ଜିନିଷ ବି ସୁନ୍ଦର ଏବଂ ପବିତ୍ର ଦେଖାଯାଏ। ମନ ନୀରସ ଏବଂ ବିଷାଦଗ୍ରସ୍ତ ହେଲେ ସକଳ ଐଶ୍ୱର୍ଯ୍ୟ ତୁଚ୍ଛ ହୋଇଯାଏ। କବୀର କହିଛନ୍ତି- ‘ମନ କେ ହାରେ ହାର ହୈ ମନ କେ ଜୀତେ ଜୀତ। କହ କବୀର ପିଉ ପାଇଏ ମନହୀଂ କୀ ପରତୀତ’। ଅର୍ଥାତ୍‌ ମନର ପରାଜୟରେ ପରାଜୟ ଏବଂ ବିଜୟରେ ହିଁ ବିଜୟ ହୋଇଥାଏ। ମନରେ ଯଦି ବିଶ୍ୱାସ ସୃଷ୍ଟିହୁଏ, ପ୍ରିୟତମ ମଣିଷ ମିଳିଥାନ୍ତି। ଆର୍ଯ୍ୟ ଋଷିଗଣ ମନକୁ ସର୍ବଦା ନିୟନ୍ତ୍ରଣ ଏବଂ ଶାସନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେଥିପାଇଁ ଯଜୁର୍ବେଦରେ କୁହାଯାଇଛି- ‘ତନ୍ମେ ମନଃ ଶିବସଂକଳ୍ପମସ୍ତୁ।’ ଅର୍ଥାତ୍‌ ମୋର ଏହି ମନ ଶୁଭକର୍ମ ପାଇଁ ସଂକଳ୍ପିତ ହେଉ। ଆର୍ଯ୍ୟ ଋଷିମାନଙ୍କ ଏପରି ପ୍ରାର୍ଥନା କରିବାର ଉଦ୍ଦେଶ୍ୟ ହେଉଛି ମନ ଭୋଗ ଓ ଆପଣା ସୁଖ ପାଇଁ ସର୍ବଦା ଚଞ୍ଚଳ ହୋଇଥାଏ। ଯିଏ ଭୋଗ ପାଇଁ ବ୍ୟାକୁଳ, ସେ ସର୍ବଦା ଅସ୍ଥିର ହିଁ ହେବ। ଏଥିପାଇଁ ଦିନେ ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- ‘ପବନଠାରୁ କିଏ ଅଧିକ ବେଗରେ ଗତିକରେ?’ ଯୁଧିଷ୍ଠିରଙ୍କ ଉତ୍ତର ଥିଲା- ‘ମନ’। ...

ଏଇ ଭାରତରେ

କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ମଧ୍ୟ ବାସ୍ତବରେ ପରିଣତ କରି ଦେଖାଇଛନ୍ତି ଜଣେ ୨୪ ବର୍ଷୀୟ ଯୁବକ । ହରିୟାଣା ଅମ୍ବାଲାରେ ରହୁଥିବା ଦୀପକ ସାଇନି ୨୦୧୪ ମସିହାରେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ନିଜ ବାମ ଗୋଡ଼ ହରାଇଥିଲେ। ଏହାପରେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ମାତ୍ର ଦୁର୍ଘଟଣାର ୩ମାସ ପରେ ସେ କଲେଜ ଯିବାକୁ ମନସ୍ଥ କଲେ। ସହପାଠୀମାନେ କ’ଣ କହିବେ ତାକୁ ଖାତିର ନ କରି ନିଜ ମଧ୍ୟରେ ସାହସ ଜୁଟାଇଥିଲେ। ପ୍ରଥମେ ସେ ନିଜର ବୁଲେଟ ଚଳାଇବାକୁ ଚେଷ୍ଟା କଲେ। ଗାଡ଼ି ଚଳାଇବାରେ ବହୁ ଅସୁବିଧା ସତ୍ତ୍ୱେ ହାର୍‌ ମାନି ନ ଥିଲେ। ପରେ ସେ କିଛି ସାଙ୍ଗଙ୍କ ସହ ଆଶାବାଡ଼ି ମାଧ୍ୟମରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ଧୀରେ ଧୀରେ ସେ ମାରାଥନ ଦୌଡ଼ରେ ଭାଗ ନେଇ ପଦକ ହାସଲ କରିଥିଲେ। ଅନ୍ୟମାନଙ୍କ ସମ୍ମୁଖରେ ନିଜକୁ କମ୍‌ ନ ଭାବିବାର ଚିନ୍ତାଧାରା ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇଛି। ଦୀପକ ଏବେ ଜଣେ ପ୍ରମୁଖ ମୋଟର ସାଇକେଲ ଷ୍ଟଣ୍ଟ ମ୍ୟାନ ସହ ମାରାଥନ ଦୌଡ଼ାଳି ଭାବେ ଅମ୍ବାଲା ଏବଂ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଉଦାହରଣ ପାଲଟିଛନ୍ତି।

ଆଜିର ଅର୍ଥନୀତି/ ବ୍ୟାଙ୍କ ଗଳାବାଟ

ଆଜିର ଅର୍ଥନୀତି/ ବ୍ୟାଙ୍କ ଗଳାବାଟ

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଏପରି ଘୋଟାଲା ଆଗରୁ କେବେ ଦେଖାଯାଇ ନ ଥିଲା, ଯାହା ଏବେ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ (ପିଏନ୍‌ବି) କ୍ଷେତ୍ରରେ ଘଟିଥିବା ଲୋକଲୋଚନକୁ ଆସିଛି। ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଘଟିଥିବା ୧୧,୪୦୦ କୋଟି ଟଙ୍କା ଦୁର୍ନୀତିର ପ୍ରାରମ୍ଭିକ ପ୍ରକ୍ରିୟା ୭ ବର୍ଷ ତଳୁ ଆରମ୍ଭ ହୋଇଥିଲା ଅଥଚ କେହି ବି ତା’ର ଟେର ପାଇଲେ ନାହିଁ। ନୀରବ ମୋଦିଙ୍କ କାରସାଦି ଧରା ପଡ଼ିବାର କେଇଟା ଦିନ ନ ଯାଉଣୁ ଆଉ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିବିଆଇ ଜାଲରେ ଛନ୍ଦି ହୋଇଯାଇଛି। ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ରୁ ୩,୭୦୦ କୋଟି ଟଙ୍କା ହଡ଼ପ କରିଛନ୍ତି କାନପୁରସ୍ଥିତ ରୋଟୋମାକ୍‌ ପେନ୍‌ସର ମାଲିକ ବିକ୍ରମ କୋଠାରି। ବିଓବି ଦୁଇବର୍ଷ ଧରି କୋଠାରିଙ୍କ କାରସାଦିକୁ ଘଣ୍ଟ ଘୋଡ଼େଇ ରଖିଥିଲା। ପିଏନ୍‌ବି ଦୁର୍ନୀତି ଧରାପଡ଼ିବା ପରେ ସେ ଏହାକୁ ପଦାକୁ ଆଣିବାକୁ ଜରୁରୀ ମନେ କଲା। ଯଦି ପିଏନ୍‌ବି ଦୁର୍ନୀତି ଆଉ ବର୍ଷକ ତଳୁ ଧରାପଡ଼ିଥାନ୍ତା, ତେବେ ନୀରବ ମୋଦି ଓ ତାଙ୍କ କମ୍ପାନୀ ଯେତିକି ଟଙ୍କା ଧରି ଛୁ ମାରିଲେ, ତାହା ୫୦୦୦ କୋଟି ଟଙ୍କା କମ୍‌ ହୋଇପାରିଥାନ୍ତା। ଏହି ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ହୋଇଥିବା ଦୁର୍ନୀତିର ମୋଟ ପରିମାଣ ୧୫,୦୦୦ କୋଟି ଟଙ୍କାରୁ ଅଧିକ। ଉକ୍ତ ଅନିୟମିତତାଗୁଡ଼ିକ ପଦାକୁ ଆସିବା ପରେ ଅନ୍ୟକୁ ଦୋଷାରୋପ ବା ନିନ୍ଦାବାଦର ଖେଳ ଆରମ୍ଭ ହୋଇଯାଇଛି। ପିଏନ୍‌ବି ତା’ର ପୂର୍ବତନ ଅଧିକାରୀ ଗୋକୁଳନାଥ ସେଟ୍ଟୀଙ୍କୁ ଦୋଷ ଦେଉଛି, ଯିଏ ନୀରବ ମୋଦି ଓ ତାଙ୍କ ସହଯୋଗୀମାନଙ୍କୁ ବିଦେଶରୁ ଋଣ ଆଣିବା ପାଇଁ ବ୍ୟାଙ୍କ ତରଫରୁ ଗ୍ୟାରେଣ୍ଟି ପଡ଼ିଥିଲେ। ୨୦୧୧ରୁ ୨୦୧୭ର ଆଦ୍ୟଭାଗ ପର୍ଯ୍ୟନ୍ତ ୬,୫୦୦ କୋଟି ଟଙ୍କାର ଋଣ ଆଣିବା ପାଇଁ ବିନା ସୁରକ୍ଷା ବନ୍ଧକରେ ବ୍ୟାଙ୍କ ଗ୍ୟାରେଣ୍ଟି ପଡ଼ିଥିଲା। ଏହାପରେ ଗତବର୍ଷ ମାର୍ଚ୍ଚରୁ ମେ ମାସ ଭିତରେ ସେଟ୍ଟୀ ଅବସର ନେବା ପୂର୍ବରୁ ୪,୯୦୦ କୋଟି ଟଙ୍କାର ଋଣ ଆଣିବା ପାଇଁ ବିନା ବନ୍ଧକରେ ବ୍ୟାଙ୍କ ଗ୍ୟାରେଣ୍ଟି ପଡ଼ିଥିଲା। ବ୍ୟାଙ୍କ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍‌ ସଫ୍ଟଓ୍ବେର ସ୍ବିଫ୍ଟ (ସୋସାଇଟି ଫର୍‌ ଓ୍ବାର୍ଲଡ୍‌ଓ୍ବାଇଡ୍‌ ଇଣ୍ଟର୍‌ବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ୍ସ)ର ନିର୍ଦ୍ଦେଶାବଳୀକୁ ଅନୁପାଳନ କରୁ ନ ଥିବାରୁ ଏପରି ହେଲା ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। ସ୍ବିଫ୍ଟ ହେଉଛି ଏକ ଗ୍ଲୋବାଲ୍‌ ବ୍ୟବସ୍ଥା ଯାହାକୁ ବ୍ୟାଙ୍କଗୁଡ଼ିକ ଏକ ସୁରକ୍ଷିତ ଚ୍ୟାନେଲ୍‌ ଜରିଆରେ ଏକ ଏନ୍‌କ୍ରି୍ଯଯେଡ୍‌ ଫର୍ମାଟରେ ପେମେଣ୍ଟ ନିର୍ଦ୍ଦେଶାବଳୀ ଟ୍ରାନ୍ସମିଟ୍‌ କରିବା ପାଇଁ ବ୍ୟବହାର କରନ୍ତି। ୧୧ ଲକ୍ଷ କୋଟି ଟଙ୍କାର ସମ୍ବଳବିଶିଷ୍ଟ ଦେଶର ଦ୍ୱିତୀୟ ବୃହତ୍ତମ ଋଣ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସମ୍ଭାବ୍ୟ ଜାଲିଆତିକୁ ରୋକିବା ପାଇଁ ଏକ ଉପଯୁକ୍ତ ନିୟାମକ ବ୍ୟବସ୍ଥା ନ ରହିବା ଆଶ୍ଚର୍ଯ୍ୟଜନକ। ବ୍ୟାଙ୍କର ଅଡିଟ୍‌ କମିଟି ଓ ବୋର୍ଡ ଏବଂ ରିଜର୍ଭ ବ୍ୟାଙ୍କ, ଯେଉଁମାନେ ନିୟମିତ ଭାବେ ବ୍ୟାଙ୍କର ଆର୍ଥିକ କାରବାରର ତଦାରଖ କରନ୍ତି, ସେମାନେ କିଛି ଜାଣି ନ ପାରିବା ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବ୍ୟାଙ୍କ ଦାବି କରିଛି ଯେ, ଏହା କେତେଜଣ କନିଷ୍ଠ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏହାର କିଛି ଅର୍ଥ ନାହିଁ। କେତେଜଣ କନିଷ୍ଠ ଅଫିସର ମିଶି ଏତେବଡ଼ ଦୁର୍ନୀତି ଭିଆଇବା ଆଦୌ ସମ୍ଭବ ନୁହେଁ। ...

ଆନ୍ଧ୍ର ଆଁରେ କୋଟିଆ

ଆନ୍ଧ୍ର ଆଁରେ କୋଟିଆ

ସବ୍ୟସାଚୀ ଅମିତାଭ/ ବର୍ତ୍ତମାନ ସମୟରେ କୋରାପୁଟ ଜିଲାରେ ଥିବା କୋଟିଆ ଗ୍ରାମପୁଞ୍ଜ ଏପରି ଏକ ପ୍ରସଙ୍ଗ ଭାବେ ଉଭାହୋଇଛି, ଯାହା ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇଦେଇଛି। ଆନ୍ଧ୍ର ଅଧିକାରୀମାନେ ଏହି ସୀମାନ୍ତ ଗ୍ରାମପୁଞ୍ଜର ତଳଗରେଇପଦର ଗାଁରେ ଭତ୍ତା, କମ୍ବଳ ସୋଲାର ଲାଇଟ୍‌ ବାଣ୍ଟିବା ପରେ ଏବେ ଆଧାର କାର୍ଡ ପଞ୍ଜୀକରଣ ପାଇଁ ଉଦ୍ୟମ ଚଳାଇଛନ୍ତି, ଯାହା ଓଡିଶା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। କୋଟିଆ ଗ୍ରାମପୁଞ୍ଜର ଇତିହାସକୁ ଦେଖିଲେ ଜଣାପଡେ, ୧୯୩୬ ପୂର୍ବରୁ ଏହା ଜୟପୁର ଇଷ୍ଟେଟ୍‌ ଅଧୀନରେ ରହିଥିଲା। ୧୯୪୨ ଓଡିଶା, ବିହାର ଓ ମଧ୍ୟପ୍ରଦେଶ ମିଳିତ ସର୍ଭେ ସମୟରେ କୋଟିଆ ଗ୍ରାମପଞ୍ଚାୟତର ୭ଟି ଗାଁ ତୁରିଆ, ବାରବନ୍ଧ, ତଳକଣ୍ଟି, ଗୁମେଲପଦର, ମାଥାଲାମ୍ବା, ସୁଲିଆମାରି ଓ କାଟ୍ରାଗୁଡା ପଟ୍ଟାଙ୍ଗୀ ବ୍ଲକର ରାଜସ୍ବ ଗାଁ ଭାବେ ରେକର୍ଡ ଭୁକ୍ତ ହୋଇଥିଲା। କୋଟିଆ ଗ୍ରାମପଞ୍ଚାୟତରେ ୨୮ଟି ଗାଁ ରହିଥିଲେ ବି ସେତେବେଳେ ଭୁଲବଶତଃ ୨୧ ଗାଁ ସର୍ଭେରୁ ବାଦ୍‌ ପଡିଥିଲା। ସେହିପରି ୧୯୫୯ରେ ଆନ୍ଧ୍ରପ୍ରଦେଶ ଗଠନ ବେଳେ ମଧ୍ୟ ଏହି ୨୧ଟି ଗାଁକୁ ସେଠାକାର ସରକାର ସର୍ଭେରେ ସାମିଲ କରି ନ ଥିଲେ। ଫଳରେ ଏହି ୨୧ଟି ଗାଁ ଉପରେ ଅଧିକାରକୁ ନେଇ ସେ ସମୟରୁ ବିବାଦ ଚାଲିଆସିଛି। ତେବେ ଭାରତ ସରକାରଙ୍କ ବିଜ୍ଞପ୍ତିରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ଏହିସବୁ ଗାଁ ଓଡିଶା ସରକାରଙ୍କ କର୍ତ୍ତୃତ୍ୱାଧୀନ।...

ଚିତ୍ରଗୁପ୍ତଙ୍କ ବଂଶଧର

ଚିତ୍ରଗୁପ୍ତଙ୍କ ବଂଶଧର

ଦେବଦତ୍ତ ପଟ୍ଟନାୟକ/ ଜଣେ ଓଡ଼ିଆ ପିଲା ହୋଇ ବମ୍ବେରେ ବଢ଼ିଥିବାରୁ ମୋତେ ଅନେକ ଶବ୍ଦର ମୂଳ ଅର୍ଥ ପଚରାଯାଏ। ମୋ ମାଆବାପା କହନ୍ତି, ଆମେ ହେଉଛୁ ଜାତିରେ କରଣ। ବମ୍ବେର କୌଣସି ଲୋକ ଏଭଳି ଜାତି ଅଛି ବୋଲି ଜାଣନ୍ତି ନାହିଁ। ପରେ ମୁଁ ଜାଣିଲି ଆମେ ଯାହାଙ୍କୁ କରଣ କହୁଛୁ, ଆନ୍ଧ୍ରପ୍ରଦେଶରେ ତାଙ୍କୁ କରଣମ୍‌ କୁହାଯାଏ, ପଶ୍ଚିମବଙ୍ଗ ଓ ଗାଙ୍ଗେୟ ସମତଳ ଅଞ୍ଚଳରେ ତାଙ୍କୁ କାୟସ୍ଥ କୁହାଯାଏ ଏବଂ ମହାରାଷ୍ଟ୍ରରେ ତାଙ୍କୁ ପ୍ରଭୁ କୁହାଯାଏ। ଏହା ହେଉଛି ଏପରି ଏକ ଜାତି ଯେଉଁମାନେ ରାଜଦରବାରରେ ଦଲିଲ ଲେଖକ, ହିସାବରକ୍ଷକ, ଅମଲା ଭାବେ କାର୍ଯ୍ୟ କରୁଥିଲେ। ଅନେକେ ପ୍ରଭାବଶାଳୀ ସଭାସଦ୍‌ ଓ ଜମି ମାଲିକ ମଧ୍ୟ ହୋଇଥିଲେ। ଓଡ଼ିଶାରେ ପଟ୍ଟନାୟକ ଓ ମହାନ୍ତି ଜଣାଶୁଣା କରଣ ଉପାଧି ହୋଇଥିବା ବେଳେ ଗାଙ୍ଗେୟ ସମତଳ ଅଞ୍ଚଳରେ ସେମାନେ ଶ୍ରୀବାସ୍ତବ ଏବଂ ବଙ୍ଗଳାରେ ସେମାନେ ବୋଷ ଓ ଘୋଷ ଆଦି ସଂଜ୍ଞା ଅନୁସାରେ ପରିଚିତ। ଏହି କରଣମାନେ ୫ମ ଶତାବ୍ଦୀରେ ଗାଙ୍ଗେୟ ସମତଳ ଅଞ୍ଚଳରେ ଗୁପ୍ତ ରାଜାମାନଙ୍କୁ, ୧୨ଶ ଶତାବ୍ଦୀରେ ବଙ୍ଗଳାରେ ସେଣ ରାଜାମାନଙ୍କୁ ଏବଂ ୧୫ଶ ଶତାବ୍ଦୀରେ ଓଡ଼ିଶାରେ ଗଜପତି ମହାରାଜାମାନଙ୍କୁ ଦଲିଲ ଲେଖକ, ହିସାବ ରକ୍ଷକ ଆଦି ଭାବେ ସେବା କରୁଥିଲେ। ସେମାନେ ମଧ୍ୟ ବଙ୍ଗଳାର ସୁଲତାନ, ଦିଲ୍ଲୀର ମୋଗଲ ଏବଂ ଅଓ୍ବଧର ନବାବମାନଙ୍କ ଦରବାରରେ ସେବାରତ ଥିଲେ। ସେମାନେ ଖାଦ୍ୟପେୟ ଓ ପୋଷାକପରିଚ୍ଛଦରେ ମୋଗଲମାନଙ୍କ ଅଭ୍ୟାସକୁ ଆପଣେଇ ନେଇଥିଲେ। ଅନେକେ ମାଂସ ଖାଉଥିଲେ, କେବଳ ଗୋମାଂସକୁ ଛାଡ଼ି। ଅନେକ କରଣ ମଧ୍ୟ ଇସଲାମ ଧର୍ମ ଗ୍ରହଣ କରି ମୁସଲମାନ ହୋଇଯାଇଥିଲେ। କିନ୍ତୁ ସେମାନଙ୍କୁ ଏବେ ବି ଚିହ୍ନି ହେବ, ସେମାନଙ୍କର କଲମ ଓ କାଳିଦୁଆତ ପ୍ରତି ଥିବା ସମ୍ମାନକୁ ଦେଖି। ମୁସଲମାନ ରାଜାମାନଙ୍କ ସହ ଘନିଷ୍ଠତା ଥିବାରୁ ବ୍ରିଟିଶ ସରକାର ପ୍ରଥମେ ସେମାନଙ୍କୁ ତ୍ୟାଗ କରିଥିଲେ। କିନ୍ତୁ ସେମାନେ ଖୁବ୍‌ଶୀଘ୍ର ପାଶ୍ଚାତ୍ୟ (ଇଂଲିଶ) ଶିକ୍ଷାରେ ନିଜକୁ ଶିକ୍ଷିତ କରାଇନେଇ ଦେଶର ନୂଆ ଶାସକଙ୍କ ସହ ଶକ୍ତିଶାଳୀ ସମ୍ପର୍କ ଯୋଡ଼ିପାରିଥିଲେ। ଏକଦା ବଙ୍ଗଳାରେ ପ୍ରାୟ ଏକତୃତୀୟାଂଶ ମିଲ-ମାଲିକ ଥିଲେ ଏହି ସମ୍ପ୍ରଦାୟର। କରଣ ଜାତି କିପରି ସୃଷ୍ଟି ହେଲା, ତାହାକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ଗାଙ୍ଗେୟ ସମତଳରେ ଲୋକପ୍ରିୟ ଥିବା ଏକ କାହାଣୀ ଅନୁସାରେ, ମୃତ୍ୟୁଦେବତା ଯମଙ୍କର ଏକ କିରାଣି ଦରକାର ପଡ଼ିଲା, ଯିଏ ଲୋକମାନଙ୍କର ସମସ୍ତ କୃତକର୍ମର ରେକର୍ଡ ରଖିବେ। ସେଥିପାଇଁ ବ୍ରହ୍ମା ଚିତ୍ରଗୁପ୍ତଙ୍କୁ ସୃଷ୍ଟି କଲେ (ଯାହାଙ୍କୁ ସମସ୍ତ ପ୍ରାଣୀଙ୍କର ସବୁ ଗୁପ୍ତ ଚିତ୍ର ଜଣା ଥାଏ)। ସେ ହାତରେ ଗୋଟିଏ କଲମ ଓ କାଳିଦୁଆତ ଧରିଥାନ୍ତି। ଏହି ଚିତ୍ରଗୁପ୍ତଙ୍କଠାରୁ କାୟସ୍ଥ ବା କରଣ ଜାତି ସୃଷ୍ଟି ହୋଇଛି। ମହାଭାରତର ବର୍ଣ୍ଣନା ଅନୁସାରେ ପରଶୁରାମ ୨୧ ବାର ପୃଥିବୀକୁ ନିକ୍ଷତ୍ରୀ କରିଥିଲେ। ଯେଉଁ ପିଲାମାନେ ମାଆ ପେଟରେ ଥିଲେ ପରେ ସେମାନେ କାୟସ୍ଥ (କାୟା+ସ୍ଥ) ବୋଲାଇଲେ। ସେମାନଙ୍କ ମାଆମାନେ ନିଜ ପୁଅକୁ ପରଶୁରାମଙ୍କ କୋପରୁ ରକ୍ଷା କରିବା ପାଇଁ ଉପନୟନ ସଂସ୍କାର କରାଇଲେ ନାହିଁ, ଯାହା ଫଳରେ ସେମାନେ କ୍ଷତ୍ରିୟ ବୋଲି ଜାଣିହେବ ନାହିଁ। କାରଣ ଉପନୟନ ପରେ କପାସୂତାର ଧଳା ପଇତାରୁ ବ୍ରାହ୍ମଣ, ଛଣପଟର ନାଲି ପଇତାରୁ କ୍ଷତ୍ରିୟ ଏବଂ ରେଶମ ସୂତାର ହଳଦିଆ ପଇତାରୁ ବୈଶ୍ୟମାନଙ୍କୁ ଚିହ୍ନିହୁଏ। ଆଉ ଯେଉଁମାନଙ୍କର ଉପନୟନ ସଂସ୍କାର ନାହିଁ ସେମାନେ ଶୂଦ୍ରଭାବେ ପରିଗଣିତ ହୁଅନ୍ତି। ପୁଣି ସେହି ମାଆମାନେ ନିଜ ପୁଅକୁ ଖଣ୍ଡା ବଦଳରେ ଲେଖନୀ ବା କଲମ ଧରାଇବାକୁ ସଂକଳ୍ପ ନେଲେ। ...

ଏଇ ଭାରତରେ

ରେଲଓ୍ବେ ଫାଟକ ପଡିଥିବ, କିନ୍ତୁ ବାଇକ୍‌ ଓ ସାଇକେଲବାଲା ସମ୍ଭାଳ ପଡିବେ ନାହିଁ। ଗେଟ୍‌ ତଳେ ଗଳି, ନିଜ ବାହନକୁ ଅଣେଇକରି ଗଳାଇ ଗୋଟିଏପଟୁ ଅନ୍ୟପଟକୁ ଯିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ସାମାନ୍ୟ ସମୟ ଅପେକ୍ଷା ନ କରି ଆଗକୁ ମାଡିଯିବାର ପ୍ରବଣତା ପାଇଁ ଅନେକଙ୍କ ଜୀବନ ଯାଉଛି। ଜଗୁଆଳିବିହୀନ ରେଳଫାଟକ ନିକଟରେ ତ ଏଭଳି ଦୁର୍ଘଟଣା ଘଟୁଛି, ମାତ୍ର ଜଗୁଆଳି ଥାଇ ମଧ୍ୟ ଫାଟକ ପଡିଥିବା ବେଳେ ଅନୁପ୍ରବେଶକୁ ରୋକି ହେଉନାହିଁ। ମୂଳକଥା ହେଉଛି ଯେଉଁମାନେ ବେପରୁଆ, ଜୀବନକୁ ପାଣି ଛଡାଇ ଦେଇଛନ୍ତି ସେମାନଙ୍କୁ ରୋକିବ କିଏ? ଠିକ୍‌ ସେମିତି ଏକ ଘଟଣା ବୁଧବାର ଘଟିଛି ମଥୁରା ଏବଂ ଆଗ୍ରା ରେଳଷ୍ଟେଶନ ମଧ୍ୟରେ ଥିବା ଫାରା ନିକଟରେ। ଫାଟକ ପଡିଥିବା ବେଳେ ଜଣେ ଯୁବକ ତାଙ୍କ ମୋଟରସାଇକେଲକୁ ଗେଟ୍‌ ତଳେ ଗଳାଇ ବୀରଦର୍ପରେ ମାଡିଯାଉଥିଲେ। ଏହି ସମୟରେ ହଠାତ୍‌ ତାଙ୍କର ଆଖିପଡିଲା ଦ୍ରୁତଗତିରେ ଏକ ଟ୍ରେନ୍‌ ଆସୁଛି। ତାଙ୍କୁ ଆଉ କିଛି ବୁଦ୍ଧିବାଟ ଦିଶିଲାନି। ରେଳଟ୍ରାକ୍‌ ଉପରେ ବାଇକ୍‌କୁ ଛାଡିଦେଇ ଜୀବନ ବଞ୍ଚାଇବା ପାଇଁ ଦୌଡିଲେ। ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ଟି ବାଇକ୍‌ ଉପରେ ଚଢ଼ି ଚାଲିଗଲା। ଫଳରେ ବାଇକ୍‌ଟି ଚୂନା ହୋଇଗଲା। ସୌଭାଗ୍ୟବଶତଃ ଟ୍ରେନ୍‌ ଲାଇନଚ୍ୟୁତ ହୋଇନାହିଁ। ନ ହେଲେ କେତେଲୋକଙ୍କ ଜୀବନ ଯାଇଥାଆନ୍ତା କିଏ ଜାଣେ। ନିୟମ ଭାଙ୍ଗୁଥିବା ଏଭଳି ଲୋକମାନେ କେବଳ ନିଜ ପାଇଁ ବିପଦ ଡାକୁନାହାନ୍ତି, ଅନ୍ୟମାନଙ୍କୁ ମଧ୍ୟ ସଙ୍କଟରେ ପକାଇ ଆସୁଛନ୍ତି।

ମାଂସାହାର ଓ ଜଳସଂକଟ

ମାଂସାହାର ଓ ଜଳସଂକଟ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ଡଗ୍‌ଲାସ ଆଡାମ୍ସଙ୍କ ଦ୍ୱାରା ଲିଖିତ ହିଚିକର୍ସ ଗାଇଡ୍‌ ଟୁ ଦ ଗ୍ୟାଲାକ୍ସି ପୁସ୍ତକରେ ବ୍ରହ୍ମାଣ୍ଡ ନିଷ୍ପତ୍ତି ନେଇଛି ଗୋଲାକାର ପୃଥିବୀକୁ ତା’ ସ୍ଥାନରୁ ହଟେଇ ଭାଙ୍ଗି ଚଟକା କରି ରାଜପଥ ନିର୍ମାଣ କରିବା ପାଇଁ। ତେବେ ବ୍ରହ୍ମାଣ୍ଡ କେବେ ଏମିତି କରିବ ଓ ଆମକୁ ମାରିବ, ଆମେ ତାକୁ ଅପେକ୍ଷା କରୁନାହୁଁ। ଆମେ ପ୍ରତିଦିନ ପୃଥିବୀକୁ ଧ୍ୱଂସ କରି ନିଜକୁ ମାରିବା କାର୍ଯ୍ୟରେ ଲାଗିପଡ଼ିଛୁ। ମାଂସଶିଳ୍ପ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏ ପୃଥିବୀର ଏକତୃତୀୟାଂଶ ସ୍ବଚ୍ଛ ମଧୁର ଜଳ ବ୍ୟବହାର କରୁଛି। ବିଶ୍ୱରେ ମାଂସ ଉତ୍ପାଦନ ୨୦୦୦ ମସିହାରେ ୨୨୯ ନିୟୁତ ମେଟ୍ରିକ୍‌ ଟନ୍‌ ହୋଇଥିବାବେଳେ ଏବେ ତାହା ଦୁଇଗୁଣ ବୃଦ୍ଧି ପାଇଛି ଏବଂ ୨୦୫୦ ସୁଦ୍ଧା ତାହା ୪୬୫ ନିୟୁତ ମେଟ୍ରିକ୍‌ ଟନ୍‌କୁ ଟପିବ ବୋଲି ଆକଳନ କରାଯାଇଛି। ଏ ପୃଥିବୀର ଜଳ ଉତ୍ସ ଏବେ ବି ବିପନ୍ନ ଅବସ୍ଥାରେ ରହିଛି। ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଦେଉଛି- ଯଦି ଆମେରିକା ପରି ପୃଥିବୀର ସବୁ ଦେଶ ଅଧିକ ମାଂସାହାର କରିବାକୁ ପସନ୍ଦ କରିଥାନ୍ତେ, ତେବେ ୨୦୦୦ ମସିହାରୁ ଏ ପୃଥିବୀରେ ସ୍ବଚ୍ଛ ଜଳ ଦୁର୍ଲ୍ଲଭ ହୋଇପଡ଼ିଥାନ୍ତା। ତେବେ ଭାରତ ଓ ଚାଇନାରେ ଯେଭଳି ଭାବେ ମାଂସାହାର ବଢ଼ି ବଢ଼ି ଚାଲିଛି, ଆଉ ମାତ୍ର ୨୫ ବର୍ଷ ପରେ ଆମକୁ ପିଇବା ଓ ଗାଧୋଇବା ପାଇଁ ପାଣି ମିଳିବ ନାହିଁ। ଆପଣମାନଙ୍କ ମଧ୍ୟରୁ ଅନେକେ ବଞ୍ଚିଥିବେ ଏ ସତ୍ୟତାକୁ ଅନୁଭବ କରିବା ଲାଗି। ...

ଚାଷୀଙ୍କି ବଜେଟ ଭେଳିକି

ଚାଷୀଙ୍କି ବଜେଟ ଭେଳିକି

ବିଚିତ୍ର ବିଶ୍ୱାଳ/ ଗଣମାଧ୍ୟମଗୁଡ଼ିକ ନିର୍ବାଚନ ସମୟରେ ବାରମ୍ବାର ଯେପରି ମୋଦି ମ୍ୟାଜିକ୍‌ ବିଷୟରେ ଆଲୋଚନା କରନ୍ତି, ଏଥର ବଜେଟରେ ଠିକ୍‌ ସେହିପରି ସାଧାରଣ ଲୋକଙ୍କୁ ଯାଦୁ କରିବାକୁ ଚେଷ୍ଟା କରାଯାଇଛି। ପ୍ରକାରାନ୍ତରେ ଏହାଦ୍ୱାରା ସାଧାରଣ ଜନତା ଓ ଚାଷୀଙ୍କୁ ଭୁଆଁ ବୁଲେଇବାକୁ ଚେଷ୍ଟା କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବଜେଟ ଭାଷଣର ପ୍ରାରମ୍ଭିକ ଭାଗକୁ ଚାଷୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ବା ବଜେଟକୁ ଚାଷୀଙ୍କ ବଜେଟ କହିବା ବ୍ୟତୀତ ବାସ୍ତବରେ ଚାଷୀଙ୍କୁ ଉପକୃତ କଲା ଭଳି କିଛି ନାହଁି ଏଥିରେ। ଅଛି କେବଳ ପ୍ରତିଶ୍ରୁତି। ତିନି ବର୍ଷ ତଳେ ମୋଦି ସରକାର ଯେପରି ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଏଥର ବଜେଟରେ ବି ସେହିପରି କେବଳ ପ୍ରତିଶ୍ରୁତି ଦିଆଯାଇଛି। ପୂରା ବଜେଟକୁ ଦେଖିଲେ ଏହା ୨୦୧୯ ନିର୍ବାଚନକୁ ଆଖିରେ ରଖି ଲୋକଙ୍କ ଭୋଟ୍‌କୁ ନିଜଆଡ଼କୁ ଟାଣିବା ପାଇଁ ହିଁି ପ୍ରସ୍ତୁତ କରାଯାଇଛି ବୋଲି ସ୍ପଷ୍ଟ ବୁଝିହେଉଛି। ଚାଷୀଙ୍କ ଆୟକୁ ଦୁଇଗୁଣ କରିବାର ପ୍ରତିଶ୍ରୁତି ଯେପରି ଏବେ ବି ପାଣିର ଗାର ହୋଇ ରହିଛି, ସେହିପରି ଏଥର ବଜେଟ ଚାଷୀଙ୍କ ପାଇଁ ଆକାଶ କୁସୁମ ସଦୃଶ ହୋଇଛି। ଭିନ୍ନ ଭିନ୍ନ ଚାଷୀ ସଙ୍ଗଠନ ଦୀର୍ଘଦିନ ହେବ ଉପତ୍ାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଉପତ୍ାଦନ ଖର୍ଚ୍ଚର ୫୦% ଅଧିକ ଦେବାକୁ ଦାବି କରିଆସୁଥିଲେ ମଧ୍ୟ ମୋଦି ସରକାର ଏହାକୁ ବାରମ୍ବାର ଏଡ଼ାଇ ଆସୁଛନ୍ତି। ହେଲେ ଏଥର ବଜେଟରେ ଘୋଷଣା କରାଯାଇଛି ଯେ, ଚାଷୀମାନଙ୍କୁ ଉପତ୍ାଦନ ଖର୍ଚ୍ଚ ଉପରେ ୫୦% ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ। କିନ୍ତୁ ଏଥିରେ ଯେଉଁ ମସ୍ତବଡ଼ ଚାଲାକି କରାଯାଇଛି, ତାହା ହେଉଛି ଉପତ୍ାଦନ ଖର୍ଚ୍ଚକୁ ସରକାର ନିଜ ହିସାବରେ ଘୋଷଣା କରିବେ। ଯେଉଁ ଯେଉଁ କ୍ଷେତ୍ରକୁ ବିଚାରକୁ ନେଇ ଉପତ୍ାଦନ ମୂଲ୍ୟ ଘୋଷଣା କରିବା କଥା, ସେଥିରୁ ଗୋଟିଏ ଦୁଇଟି କ୍ଷେତ୍ରକୁ ବାଦ୍‌ ଦେଇଦେଲେ ଉପତ୍ାଦନ ଖର୍ଚ୍ଚ କମ୍‌ ଦେଖାଯିବ। ସେହି ଉପତ୍ାଦନ ଖର୍ଚ୍ଚ ଉପରେ ସରକାର ୫୦% ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଦେବେ। ପରିଣାମ ସ୍ବରୂପ, ଚାଷୀ ଯେପରି ଉପତ୍ାଦନର କମ୍‌ ମୂଲ୍ୟ ପାଉଥିଲା, ସେହିପରି କମ୍‌ ହଁି ପାଇବ। ଏହା ଯାଦୁ ନୁହେଁ ତ ଆଉ କ’ଣ! ଗୋଟିଏ ଶବ୍ଦରେ କହିଲେ ସରକାର ଯେକୌଣସି ପ୍ରକାରେ ଗୋଲ୍‌ କରିବା ପାଇଁ ଗୋଲ୍‌ପୋଷ୍ଟ ପର୍ଯ୍ୟନ୍ତ ବଲ୍‌ ନ ପଠାଇ ଗୋଲ୍‌ପୋଷ୍ଟକୁ ଘୁଞ୍ଚାଇ ପାଖକୁ ନେଇଆସୁଛନ୍ତି। ଚାଷୀମାନଙ୍କୁ ଅଧିକ ମୂଲ୍ୟ ନ ଦେଇ ଉପତ୍ାଦନ ଖର୍ଚ୍ଚକୁ କମ୍‌ ଦେଖାଇ ତା’ ଉପରେ ଅଧିକ ମୂଲ୍ୟ ଦେବାର ଏକ ସୁନ୍ଦର ନାଟକ ରଚନା କରାଯାଇଛି। ଏହା ଚାଷୀମାନଙ୍କୁ ଭୁଆଁ ବୁଲାଇବାର ଏକ ସୁଚିନ୍ତିତ ଯୋଜନା। ...

କୃଷକ ଓ କୃଷିଜ୍ଞାନ

କୃଷକ ଓ କୃଷିଜ୍ଞାନ

ପ୍ର. ପ୍ରଭାତ କୁମାର ରାଉଳ/ ଗବେଷଣାଲବ୍ଧ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜିକାଲି କୃଷି, ଉଦ୍ୟାନ କୃଷି, ଗୋପାଳନ, କୁକୁଡ଼ାପାଳନ, ମାଛଚାଷ, ଛତୁଚାଷ, ମହୁମାଛି ପାଳନ, ଜିଆଖତ ପ୍ରସ୍ତୁତି ଆଦି ଦିଗରେ ଅନେକ ନୂତନ ଜ୍ଞାନକୌଶଳର ବିକାଶ ହୋଇଛି। ଏସବୁ ଜ୍ଞାନକୁ ଚାଷୀମାନେ ଉପଯୁକ୍ତ ଭାବେ ବ୍ୟବହାର କରିପାରିଲେ କୃଷିକ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇପାରିବ। କୃଷି ତଥା ଆନୁଷଙ୍ଗିକ ଜ୍ଞାନର ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଜିଲାରେ କୃଷି ସମ୍ପ୍ରସାରଣ କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ଦୂରଶିକ୍ଷା କାର୍ଯ୍ୟକ୍ରମ, ବ୍ଲକ୍‌ ସମ୍ପ୍ରସାରଣ ଯୋଜନା, ପତ୍ରପତ୍ରିକା ପ୍ରକାଶନ, କୃଷି ବୈଷୟିକ ସୂଚନା କେନ୍ଦ୍ର, ଭିଡିଓ ପ୍ରକଳ୍ପ ଓ ସୂଚନା ବିଭାଗ ଦ୍ୱାରା ବିଭିନ୍ନ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଯାଉଛି। ସମୟର ଆବଶ୍ୟକତାକୁ ନଜରରେ ରଖି କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡାଲି ଓ ତୈଳବୀଜ ଫସଲର ଅମଳ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ପ୍ରଦର୍ଶନୀ କ୍ଷେତ୍ରମାନ ଆୟୋଜିତ ହେଉଛି। କୃଷକମାନଙ୍କ ଜମିରେ କରାଯାଇଥିବା ଏହି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଉନ୍ନତ ବିହନର ବ୍ୟବହାର, ଜୀବାଣୁ ସାର ପ୍ରୟୋଗ, ସମନ୍ବିତ ପଦ୍ଧତିରେ ଖାଦ୍ୟସାର ପରିଚାଳନା, ରୋଗପୋକ ନ ହେବା ପାଇଁ ପ୍ରତିକାର ବ୍ୟବସ୍ଥା ତଥା ଅମଳ ଓ ଅମଳ ପରବର୍ତ୍ତୀ ଯନତ୍ ବିଷୟରେ ଜ୍ଞାନକୌଶଳ ଚାଷୀମାନଙ୍କ କ୍ଷେତ୍ରରେ ପ୍ରଦର୍ଶନ କରାଯାଉଛି।...

ଏଇ ଭାରତରେ

ଭାରତୀୟ ଚରିତ୍ରକୁ ଦେଖନ୍ତୁ। ରାସ୍ତାରେ ବେପରୁଆ ବାଇକ୍‌ ଚଳାଇ କେତେକ ଯୁବକ ପଥଚାରୀ ଓ ଟ୍ରାଫିକ୍‌କୁ କେବଳ ହଇରାଣରେ ପକାଉ ନାହାନ୍ତି, ବିଦେଶାଗତ ଭିଭିଆଇପିମାନଙ୍କ ସମ୍ମୁଖରେ ମଧ୍ୟ ନିଜର କୁତ୍ସିତ ଚେହେରାକୁ ପଦାରେ ପକାଉଛନ୍ତି। ଭାରତ ଗସ୍ତରେ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ କାରକେଡ୍‌ ସମ୍ମୁଖରେ ବେପରୁଆ ବାଇକ୍‌ ଚଳାଇ ଏବଂ ଷ୍ଟଣ୍ଟ୍‌ କରି ଧରାପଡ଼ିଛନ୍ତି ଦୁଇ ଯୁବକ। ସୋମବାର ଏହି ଘଟଣା ଘଟିଛି ବମ୍ବେର ବାନ୍ଦ୍ରା-ଓ୍ବର୍ଲି ସି-ଲିଙ୍କ୍‌ ରାସ୍ତାରେ। ଟ୍ରୁଡେୟୁଙ୍କ କାରକେଡ୍‌ ବିମାନ ବନ୍ଦରରୁ ତାଜ୍‌ ହୋଟେଲ ଆଡ଼କୁ ଯାଉଥିବା ବେଳେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ କାଣ୍ଡ। ଭିଭିଆଇପିଙ୍କ କାର ଅତିକ୍ରମ କରୁଥିବା ବେଳେ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ଦୁଇ ଯୁବକଙ୍କୁ ପୋଲିସ ଧରିଛି। ସେମାନେ ହେଲେ ଫକରୁଦ୍ଦିନ୍‌ ମହମ୍ମଦ୍‌ ହନିଫ ଅନସାରୀ ଏବଂ ମହମ୍ମଦ୍‌ ଅନ୍‌ସାରୀ। ଟ୍ରୁଡେୟୁଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥାଏ ନିରାପତ୍ତା ବ୍ୟବସ୍ଥା। ରାସ୍ତାର ଉଭୟ ଦିଗରୁ ଗାଡ଼ି ମୋଟର ଅଟକାଇ ଦିଆଯାଇଥାଏ। ସେତିକିବେଳେ ଏହି ଦୁଇ ଯୁବକ ଫାଙ୍କା ରାସ୍ତା ଦେଖି ବାଇକ୍‌ ଧରି ପଶି ଆସିଥିଲେ। ଆରମ୍ଭ କରି ଦେଇଥିଲେ ବାଇକ୍‌ ଷଣ୍ଟ୍‌। ଏହା ଦେଖି ରାସ୍ତା ଜଗିଥିବା ପୋଲିସ ଅବାକ୍‌। ସେମାନଙ୍କୁ ସି-ଲିଙ୍କ୍‌ଠାରେ ଅଟକାଇବାରେ ପୋଲିସ ସମର୍ଥ ହେଲା। ଏହାପରେ ଏହି ଦୁଇ ଯୁବକଙ୍କୁ ବାନ୍ଦ୍ରା ଥାନାକୁ ନିଆଯାଇ ଏଭଳି ବଦମାସି କରିବାର କାରଣ କ’ଣ ବୋଲି ପଚରା ଯାଇଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ନ ପାଇ ସେମାନଙ୍କୁ ଗିରଫ କରାଯାଇଛି। ଜଣେ ଭିଭିଆଇପିଙ୍କ ଗସ୍ତ ବେଳେ ଏଭଳି କାଣ୍ଡ ଘଟାଇ ଏହି ଯୁବକଦ୍ୱୟ ନିଜେ ତ ଦଣ୍ଡ ପାଇଲେ ଦେଶକୁ ନିନ୍ଦିତ କରିଛନ୍ତି।