
ଓ୍ବାଶିଂଟନ, ୧୩।୮: କେତେକ ଭବିଷ୍ୟବକ୍ତା ମତ ଦିଅନ୍ତି ଯେ, ଆମ ସୌରମଣ୍ଡଳ ବାହ୍ୟଭାଗରେ ପ୍ଲାନେଟ୍ ଏକ୍ସ ପୃଥିବୀକୁ ଧ୍ୱଂସ କରିପାରେ। ଆସନ୍ତା ୨୧ରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଏହା ପ୍ଲାନେଟ୍ ଏକ୍ସର ଅଶୁଭ ସଂକେତ। ସେପ୍ଟେମ୍ବରରେ ମହାକାଶରେ ନିବୁରୁ ବା ପ୍ଲାନେଟ୍ ଏକ୍ସ ଆବିର୍ଭାବ ହୋଇ ପୃଥିବୀ ପ୍ରତି ବିପଦ ସୃଷ୍ଟିକରିବା ଆଶଙ୍କା ଅଛି। ନିବୁରୁ ଭଳି ଏକ ଗ୍ରହର ଆବିର୍ଭାବ ୧୯୭୬ରେ ହୋଇଥିଲା। ଗବେଷକ ଜେଚାରିଆ ସିଚ୍ଚିନ୍ଙ୍କ କହିବାନୁଯାୟୀ, ଦୁଇଟି ପ୍ରାଚୀନ ମଧ୍ୟପ୍ରାଚ୍ୟ ସଭ୍ୟତା ବେବିଲୋନୀୟ ଏବଂ ସୁମେରୀୟ ଅଧିବାସୀ କହନ୍ତି ଯେ, ଏକ ପ୍ରକାଣ୍ଡ ଗ୍ରହ ନିବୁରୁ ପ୍ରତି ୩,୬୦୦ବର୍ଷରେ ଥରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରେ। ଜଣେ ଆମତ୍ଘୋଷିତ ଅତିନ୍ଦ୍ରିୟ ଶକ୍ତିସମ୍ପନ୍ନ ବ୍ୟକ୍ତି ନାନ୍ସି ଲିଏଡର ସତର୍କ କରାଇଦେଇଥିଲେ ଯେ, ନିବୁରୁ ଦିନେ ପୃଥିବୀକୁ ଧ୍ୱଂସ କରିବ କିମ୍ବା ଏହା ପାର୍ଶ୍ୱ ଦେଇ ଅତିକ୍ରମ କରିବା ବେଳେ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ପ୍ରଚଣ୍ଡ ଭୂମିକମ୍ପ ଓ ସମୁଦ୍ର ଜୁଆର ସୃଷ୍ଟିହେବ। ତେବେ ଏ ମତବାଦକୁ କେତେକ ଖଣ୍ଡନ କରି କହନ୍ତି, ପୃଥିବୀ ସହିତ କେତେ କ’ଣ ମାଡ଼ ହେବ ବୋଲି ପୂର୍ବରୁ କୁହାଯାଉଥିଲେ ହେଁ ତାହା କେବେ ସତ ହୋଇନାହିଁ। ତେଣୁ ଏଥିରେ ସତ୍ୟତା କ’ଣ ? ଅପରପକ୍ଷରେ ସୌରମଣ୍ଡଳରେ ଏକ ନୂତନ ପ୍ଲାନେଟ୍ ଏକ୍ସର ଅବସ୍ଥିତି କଳ୍ପନା କରାଯାଉଛି। ପ୍ଲୁଟୋଠାରୁ ବହୁ ଦୂରରେ ସୁଦୃଶ୍ୟ କକ୍ଷପଥରେ ନେପ୍ଚୁନ୍ ଆକୃତିର ଏକ ରହସ୍ୟମୟ ଗ୍ରହ ସୂର୍ଯ୍ୟ ଚାରିପାଖରେ ଘୂରି ବୁଲୁଥିବା ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି। ନିବୁରୁ ବା ପ୍ଲାନେଟ୍ ଏକ୍ସ ପକ୍ଷରୁ ପୃଥିବୀ ପ୍ରତି କୌଣସି ବିପଦ ନ ଥିବା ନାସା ପକ୍ଷରୁ କୁହାଯାଇଛି। ନିବୁରୁ ବା ପ୍ଲାନେଟ୍ ଏକ୍ସ ସମ୍ବନ୍ଧରେ ମତବାଦ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ଅହେତୁକ ଆଶଙ୍କା ସୃଷ୍ଟି କରିଛି। ସେମାନଙ୍କ କହିବାନୁଯାୟୀ ଏହାର ଓଜନ ପୃଥିବୀ ଓଜନର ୧୦ଗୁଣ। ଏହାକୁ ନାସା ବୈଜ୍ଞାନିକମାନେ ପ୍ଲାନେଟ୍ ଏକ୍ସ ନାମକରଣ କରିଛନ୍ତି। ଏହାର ଅସ୍ତିତ୍ୱ ଯଦି ନ ଥିବ ତେବେ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ବୋଲି ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିବୁରୁ ପକ୍ଷରୁ ବିପଦ ଆଶଙ୍କା ସମ୍ପର୍କରେ ଗୋଟିଏ ବୈଜ୍ଞାନିକ ଗୋଷ୍ଠୀ ନାସା ଓ୍ବେବ୍ସାଇଟ୍ରେ କହନ୍ତି, ଆମ ପୃଥିବୀ ସ୍ମରଣାତୀତ କାଳରୁ ତିଷ୍ଠି ଆସିଛି। ଏହା ପ୍ରତି କୌଣସି ବିପଦ ନାହିଁ। ପୂର୍ବରୁ ୨୦୦୩ ଏବଂ ୨୦୧୨ରେ ପୃଥିବୀ ଧ୍ୱଂସ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ସେ ସମୟ ବି ଅତୀତ ହୋଇଯାଇଛି ବୋଲି ବିଶ୍ୱସ୍ତରୀୟ ବୈଜ୍ଞାନିକମାନେ କହିଛନ୍ତି।