ଖେଳ |

ବିଶ୍ୱକପ୍‌ ରେଫରିଙ୍କୁ ବାସନ୍ଦ କଲା ସୌଦି

ବିଶ୍ୱକପ୍‌ ରେଫରିଙ୍କୁ ବାସନ୍ଦ କଲା ସୌଦି
ରିୟାଧ,୧୬।୫(ଏଏଫ୍‌ପି)- ଆଗାମୀ ବିଶ୍ୱକପ୍‌ ପରିଚାଳନା ପାଇଁ ଫିଫା ପକ୍ଷରୁ ମନୋନୀତ ହୋଇଥିବା ରେଫରି ଫହାଦ ଅଲ ମିର୍ଦାସିଙ୍କୁ ସୌଦି ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ଆଜୀବନ ବାସନ୍ଦାଦେଶ ଦିଆଯାଇଛି। ରେଫରି ଫହାଦ ଏକ ମ୍ୟାଚ୍‌ର ଫଳାଫଳରେ ପରିବର୍ତ୍ତନ କରିବା ପାଇଁ ଲାଞ୍ଚ ମାଗିବା ଘଟଣାରେ ତାଙ୍କୁ ମହାସଂଘର ଅନୁଶାସନ କମିଟି ଦୋଷୀ ସାବ୍ୟସ୍ତ କରିଛି। ଏଥିସହ ବିଶ୍ୱକପ୍‌ ରେଫରିଙ୍କ ତାଲିକାରୁ ଫହାଦଙ୍କୁ ବାଦ୍‌ ଦେବା ପାଇଁ ଫିଫାକୁ ମଧ୍ୟ ନିବେଦନ କରାଯାଇଛି। ତାଙ୍କୁ ଶନିବାର ଅଲ ଫଇସାଲି ଓ ଅଲ ଇତିହାଦ କ୍ଲବ ମଧ୍ୟରେ ଖେଳାଯିବାକୁ ଥିବା କିଙ୍ଗ୍ସ କପ୍‌ ଫାଇନାଲ ମ୍ୟାଚ୍‌ର ପରିଚାଳନା ପାଇଁ ଚୟନ କରାଯାଇଥିଲା। ମାତ୍ର ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ରେଫରି ପଦରୁ ପ୍ରତ୍ୟାହାର କରାଯାଇଥିଲା। ”ସୌଦି ଫୁଟ୍‌ବଲ ମହାସଂଘକୁ ଫହାଦ ଲାଞ୍ଚ ମାଗିଥିବା ପ୍ରମାଣ ସହ ଅଲ ଇତିହାଦ କ୍ଲବର ମୁଖ୍ୟ ହାମଦ ଅଲ ସାନାୟେ ସୂଚନା ଦେଇଥିଲେ। ଏହା ପ୍ରମାଣିତ ହେବା ପରେ ତାଙ୍କୁ ଆଜୀବନ ବାସନ୍ଦାଦେଶ ଦିଆଯାଇଛି। ସେ କଦାପି ଫୁଟ୍‌ବଲ କିମ୍ବା ଫୁଟବଲ ସହ ଯଡ଼ିତ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ“ ବୋଲି ମହାସଂଘର ଆନୁଶାସନ କମିଟି ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ୩୨ ବର୍ଷୀୟ ପରିଚାଳକ ସୌଦି ଆରବର ମୁଖ୍ୟ ରେଫରି। ୨୦୧୧ରେ ତାଙ୍କୁ ଫିଫା ରେଫରି ମାନ୍ୟତା ପାଇବା ପରେ ୨୦୧୬ ରିଓ ଅଲିମ୍ପିକ୍ସ ଓ ୨୦୧୭ କନଫଡେରେଶନ୍‌ କପ୍‌ ମ୍ୟାଚ୍‌ଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିଲେ।
All Right Reserved By

ଖେଳ |

ରାଜ୍ୟ ଓପନ୍‌ ଜୁଡୋ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ରାଜ୍ୟ ଓପନ୍‌ ଜୁଡୋ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧୯ା୯-ପାରଦୀପସ୍ଥିତ ମ୍ୟୁନିସ୍‌ପାଲ କଲ୍ୟାଣମଣ୍ଡପଠାରେ ରାଜ୍ୟ ଓପନ ଜୁଡୋ ଚାମ୍ପିୟନଶିପ୍‌ ଏବଂ ୨୦୧୮ ପାଇଁ କ୍ୟାଡେଟ୍‌, ଜୁନିୟର ଏବଂ ସିନିୟର  ବିଭାଗରେ ସିଲେକ୍ସନ ଟ୍ରାଏଲ ଅନୁଷ୍ଠିତ ହୋଇଯାଇଛି। 
କିସ୍‌, ବରଗଡ଼ ଓ କିସ୍‌ ଯଥାକ୍ରମେ କ୍ୟାଡେଟ୍‌, ଜୁନିୟର ଓ ସିନିୟର କାଟେଗୋରିରେ ଟିମ୍‌ ଚାମ୍ପିୟନ ହୋଇଛନ୍ତି।  ଏହି ଇଭେଣ୍ଟରେ କିସ୍‌ ଓ ଭୁବନେଶ୍ୱର ସମେତ ୧୫ଟି ଜିଲ୍ଲା/ୟୁନିଟ୍‌ର ୨୦୦ରୁ ଅଧିକ ଖେଳାଳି ଓ ଅଫିସିଆଲ ଅଂଶଗ୍ରହଣ କରିଥିଲେ। 

କଟକରେ ସର୍ବଭାରତୀୟ ପୋଲିସ ଜୁଡୋ

କଟକରେ ସର୍ବଭାରତୀୟ ପୋଲିସ ଜୁଡୋ

କଟକ ଅଫିସ୍‌,୧୯ା୯-ଓଡ଼ିଶା ପୋଲିସ ପକ୍ଷରୁ ତୃତୀୟ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ।  ନଭେମ୍ବର ୧୫ରୁ ୧୯ ତାରିଖ  ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କଟକ ଜବାହରଲାଲ୍‌ ନେହେରୁ ଷ୍ଟାଡିୟମ ଓ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର ହଲଠାରେ ହେବ। ଏହାର ସଫଳ ଆୟୋଜନ ନେଇ ମଙ୍ଗଳବାର ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ରିଟିଶ ଆଇନଜ୍ଞଙ୍କ ସହାୟତା ନେବ ବିସିସିଆଇ

ବ୍ରିଟିଶ ଆଇନଜ୍ଞଙ୍କ ସହାୟତା ନେବ ବିସିସିଆଇ

ନୂଆଦିଲ୍ଲୀ,୧୯ା୯(ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ଷତିପୂରଣ ମାମଲାର ଶୁଣାଣି ଆସନ୍ତା ମାସରେ କରିବ। ବିସିସିଆଇ ଏଥିପାଇଁ ଦୁବାଇସ୍ଥିତ ଏକ ଫାର୍ମ ଏବଂ ଜଣେ ବ୍ରିଟିଶ ଆଇନଜ୍ଞଙ୍କ ସହାୟତା ନେଇଛି। ଭାରତ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ର ଅନୁସାରେ ଦୁଇ ପଡୋଶୀ ଦେଶ ୨୦୧୫ରୁ ୨୦୨୩ ମଧ୍ୟରେ ୬ଟି ଦ୍ୱିପାକ୍ଷିକ ସିରିଜ ଖେଳିବା କଥା। ମାତ୍ର ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଏଥିପାଇଁ ବିସିସିଆଇଠାରୁ ପିସିବି ପ୍ରାୟ ୪୪୭ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି। 

ଜାତୀୟ ସଫ୍ଟବେସ୍‌ ବଲ ପାଇଁ ଓଡ଼ିଶା ଦଳ ଘୋଷିତ

ଜାତୀୟ ସଫ୍ଟବେସ୍‌ ବଲ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ପୁରୀ ଇନ୍‌ଡୋର ଷ୍ଟାଡିୟମରେ ୪ର୍ଥ ଜାତୀୟ ସଫ୍ଟ ବେସବଲ ଚାମ୍ପିୟନଶିପ୍‌ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତା ପାଇଁ ମଙ୍ଗଳବାର ୧୮ ଜଣିଆ ଓଡ଼ିଶା ବାଳିକା ଓ ବାଳକ ଦଳ ଘୋଷିତ ହୋଇଛି। ବାଳିକା ଦଳରେ ଅର୍ଚ୍ଚନା ଲାକ୍ରା, ସବିତା ହାଂସଦା, ଝରଣା ନାୟକ, ସ୍ବାତୀ କିର୍ତ୍ତନିଆ, ବିନିତା ନାୟକ, ଶ୍ୱଛଲ୍ୟା ଟୋପ୍‌, ନିକିତା କୁଜୁର, ଅମ୍ରିତା କହଁର, ଅଲିଭା ପ୍ରଧାନ, ପଦ୍ମିନୀ ସିଂ, ଚାନ୍ଦିନୀ ସିଂ, ସୁଲୋଚନା ମଲିକ, ଚାନ୍ଦିନୀ ମୂତିକା, ତୃପ୍ତିରେଖା ସୋରେନ, ପୂର୍ଣ୍ଣିମା ସୋରେନ, ଲକ୍ଷ୍ମୀ ସୋରେନ, ମମତା ସିଂ, ଲକ୍ଷ୍ମୀ ମୁର୍ମୁ ସ୍ଥାନ ପାଇଛନ୍ତି। ସେହିପରି ବାଳକ ଦଳରେ ରହିଛନ୍ତି ସିଦ୍ଧାନ୍ତ ପ୍ରଧାନ, ଲିପୁନ ସିଂ, ସଞ୍ଜୟ ସିଂ,  ଗୌତମ ସିଂ, ଅମରେନ୍ଦ୍ର କ୍ରିଷାନୀ, ସୁବିତ ଥନପତି, ସୋମା ସିଂ, ଟୁନା କହଁର, ମନହରୀ ମାଝି, ରଞ୍ଜିତ ସିଂ, ଜିହୁଦସୁନା ମାଝି, ସୋନୁ ଜାନି, ଓମ୍‌ ପୁରନ, ଚୌଧୁରୀ ଶାଶ୍ୱତ ମହାନ୍ତି, ନିଶାନନ୍ଦ ମହାନ୍ତି, ଏମ.ଡି.ଅମନ୍‌, ଶୁହମ୍‌ ନାୟକ, ମୁନା ଦାସ। ବାଳିକା କୋଚ୍‌ଭାବେ ବିନୁ ସାହୁ, ମ୍ୟାନେଜର ରୂପଶ୍ରୀ ତ୍ରିପାଠୀ, ବାଳକ ଦଳର କୋଚ୍‌ଭାବେ ସନ୍ଦିପ କୁମାର ଦାସ ଓ ମ୍ୟାନେଜର ଉମେଶଷ କୁମାର ପ୍ରଧାନ ପୁରୀ ଯାତ୍ରା କରିଛନ୍ତି।

ଉଦ୍‌ଘାଟନୀ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ

କଟକ ଅଫିସ,୧୯ା୯- ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପ ମଙ୍ଗଳବାରଠାରୁ କଟକରେ ଆରମ୍ଭ ହୋଇଛି । ରେଭେନ୍ଶା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ୫-୦ ଗୋଲରେ ଛତିଶଗଡ଼କୁ ପରାସ୍ତ କରିଥିଲା । ଓଡ଼ିଶା ପକ୍ଷରୁ ଅଞ୍ଜୁ ତମାଙ୍ଗ ସର୍ବାଧିକ ୪ଟି ଗୋଲ ଦେଇଥିଲେ । ୨୭ତମ ମିନିଟରେ ଅଞ୍ଜୁ ଏକ ଗୋଲ ଦେଇ ଦଳକୁ ପ୍ରଥମାର୍ଦ୍ଧରେ ୧-୦ ଗୋଲରେ ଅଗ୍ରଣୀ ରଖିଥିଲେ । ପରେ ଦ୍ୱିତୀୟାର୍ଦ୍ଧର ୫୩ତମ, ୭୩ତମ ଓ ୮୫ତମ ମିନିଟରେ ଅଞ୍ଜୁ ୩ଟି ଗୋଲ ସ୍କୋର କରିଥିଲେ । ୮୨ତମ ମିନିଟରେ ସୁଭଦ୍ରା ସାହୁ ଅନ୍ୟଏକ ଗୋଲ ଦେଇଛନ୍ତି ।

ଅଲ୍‌ ଓଡ଼ିଶା ୬-ରେଡ୍‌ ସ୍ନୁକର: ଆକାଶ ଚାମ୍ପିୟନ

ଅଲ୍‌ ଓଡ଼ିଶା ୬-ରେଡ୍‌ ସ୍ନୁକର: ଆକାଶ ଚାମ୍ପିୟନ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ପଟିଆସ୍ଥିତ ୬ପକେଟ୍ସ କ୍ଲବ ଆନୁକୂଲ୍ୟରେ ଚାଲିଥିବା ସର୍ବପ୍ରଥମ ଅଲ୍‌ ଓଡ଼ିଶା ୬-ରେଡ୍‌ ସ୍ନୁକର ଚାମ୍ପିୟନଶିପ୍‌ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ଆକାଶ ମହାପାତ୍ର ୭-୧ ଫ୍ରେମ୍‌ରେ ଜୀତେନ ଷଡ଼ଙ୍ଗୀଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ପୂର୍ବରୁ ଅନୁଷ୍ଠିତ ସେମିଫାଇନାଲରେ ଆକାଶ ୬-୨ରେ ସୁବ୍ରତ ଦାସଙ୍କୁ ଏବଂ ଜୀତେନ  ୬-୨ ଫ୍ରେମ୍‌ରେ ଆକ୍ରମ ଖାଁଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଚାମ୍ପିୟନ ଆକାଶ ଟ୍ରଫି ସହ ୧୦,୦୦୦ଟଙ୍କା ପୁରସ୍କାର ଆକାରରେ ପାଇଥିଲେ। ରନର୍ସଅପ୍‌ ଜୀତେନଙ୍କୁ ଟ୍ରଫି ଏବଂ ୫,୦୦୦ଟଙ୍କା ପ୍ରଦାନ କରାଯାଇଥିଲା। ପରାଜିତ ଦୁଇ ସେମିଫାଇନାଲିଷ୍ଟ ସୁବ୍ରତ ଓ ଆକ୍ରମ ୨,୫୦୦୦ ହଜାର ଲେଖାଏ ଏବଂ ପରାଜିତ ୪ କ୍ୱାର୍ଟର ଫାଇନାଲିଷ୍ଟ ୧,୦୦୦ଟଙ୍କା ଲେଖାଏ ପାଇଥିଲେ। ଅବନିଶ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ଦୂତୀଙ୍କ ଉପରେ ପୁସ୍ତକ

ଦୂତୀଙ୍କ ଉପରେ ପୁସ୍ତକ

ନୂଆଦିଲ୍ଲୀ, ୧୯।୯(ପି.ଟି.)-ସ୍ପ୍ରିଣ୍ଟ କୁଇନ୍‌ ତଥା ତାରକା ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ କ୍ୟାରିୟରକୁ ନେଇ ଆସନ୍ତାବର୍ଷ ପୁସ୍ତକ ପ୍ରକାଶ ପାଇବ। ଏହାର ଲେଖକ ହେଉଛନ୍ତି ଜର୍ନାଲିଷ୍ଟ ସନ୍ଦୀପ ମିଶ୍ର। ‘ହାଇପରଆଣ୍ଡ୍ରୋଜେନିଜମ ବିବାଦ’ ସମେତ  ନାନା ବାଧାବିଘ୍ନ ଓ ପ୍ରତିମୂଳ ପରିସ୍ଥିତିକୁ ଦୃଢତାର ସହିତ ସାମ୍‌ନା କରି ଦୂତୀ କିପରି ଦେଶର ଏକ ନମ୍ବର ଧାବିକା ହୋଇପାରିଛନ୍ତି ତାହା ପୁସ୍ତକରେ  ସ୍ଥାନ ପାଇବ। ସୂଚନାଯୋଗ୍ୟ, ନିକଟରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଦୂତୀ ଉଭୟ ମହିଳା ୧୦୦ ମିଟର ଓ ୨୦୦ ମିଟର ରେସ୍‌ରେ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।  ଓ୍ବେଷ୍ଟଲ୍ୟାଣ୍ଡ ବୁକ୍ସ ଏହି ପୁସ୍ତକଟିର ପ୍ରକାଶନ ଦାୟିତ୍ୱରେ ରହିଛି। 

ହଂକଂକୁ ୨୬ ରନରେ ହରାଇଲା ଭାରତ

ହଂକଂକୁ ୨୬ ରନରେ ହରାଇଲା ଭାରତ

ଦୁବାଇ,୧୯ା୯-ଶିଖର ଧାଓ୍ବନଙ୍କ ଆକର୍ଷଣୀୟ ଶତକ ସହାୟତାରେ ଏସିଆ କପ୍‌ କ୍ରିକେଟର ଚତୁର୍ଥ ମ୍ୟାଚରେ ଭାରତ ୨୬ ରନରେ ହଂକଂକୁ ପରାସ୍ତ କରିଛି। ୨୮୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ହଂକଂ ନିର୍ଦ୍ଧାରିତ ଓଭରରେ ୮ଉଇକେଟ ହରାଇ ୨୫୯ ରନ କରିବାରେ ସମର୍ଥ ହୋଇଥିଲା।  ମଙ୍ଗଳବାର ଗ୍ରୁପ୍‌ ଏ’ର ଏହି ମ୍ୟାଚରେ ନିଜାକତ ଖାଁ  (୯୨) ଓ ଅଧିନାୟକ ଅଂଶୁମାନ ରଥ(୭୩) ପ୍ରଥମ ଉଇକେଟରେ ୧୭୪ରନ ଯୋଗକରି ଭାରତ ପାଇଁ ବିପଦ ସୃଷ୍ଟି କରିଥିଲେ।  ହଂକଂ ପାଇଁ ଯେକୌଣସି ଉଇକେଟରେ ଏହାଥିଲା ସର୍ବାଧିକ ଭାଗୀଦାରି। ମାତ୍ର ଏହି ଯୋଡ଼ି ଭାଙ୍ଗିଗଲା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। କୁଲଦୀପ ଯାଦବ ଭାରତ ପାଇଁ ପ୍ରଥମ ବ୍ରେକ୍‌ ଥ୍ରୁ ଆଣିଥିଲେ। ସେ ଅଂଶୁମାନଙ୍କୁ ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେଇଥିଲେ। ଅଂଶୁମାନଙ୍କ ପରେ ପରେ ନିଜାକତଙ୍କୁ ମଧ୍ୟ ଶୀଘ୍ର ବିଦା ହେବାକୁ ପଡ଼ିଥିଲା। ତାଙ୍କୁ କେ. ଖଲିଲ ଅହମ୍ମଦ ଆଉଟ କରିଦେଇଥିଲେ। ସେତେବେଳକୁ ଦଳର ସ୍କୋର ୧୭୫ ରହିଥିଲା।

ଜାତୀୟ ମହିଳା ଫୁଟବଲ, ଓଡ଼ିଶା ଦଳରେ ଆଳିରୁ ୩

ଜାତୀୟ ମହିଳା ଫୁଟବଲ, ଓଡ଼ିଶା ଦଳରେ ଆଳିରୁ ୩

ଆଳି, ୧୯।୯ (ଡି.ଏନ୍‌.ଏ.)-କଟକରେ ମଙ୍ଗଳବାର ଆରମ୍ଭ ହୋଇଥିବା ଜାତୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ଭାଗନେଉଥିବା ଓଡିଶା ଦଳରେ ଆଳିର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦେମାଳ ପଞ୍ଚାୟତ ମୂଳସାହି ଗ୍ରାମର ବଟକୃଷ୍ଣ ସାମଲଙ୍କ ଝିଅ ଟିକିନା ସାମଲ, ନିଆଳ ପଞ୍ଚାୟତ ତେଲିପାଟଣା ଗ୍ରାମର କାଶୀନାଥ ମଲିକଙ୍କ ଝିଅ ଜ୍ୟୋତ୍ସ୍ନା ମଲିକ ଓ ମେଣ୍ଢପୁର ପଞ୍ଚାୟତ କଂଟିପୁର ଗ୍ରାମର ରମେଶ ସାହୁଙ୍କ ଝିଅ ସିନୁଲତା ସାହୁ।

ବିଶ୍ୱ ଚାମ୍ପିୟନଶିପ୍‌ ଖେଳିପାରିବେନି ଚାନୁ, ସତୀଶ

ବିଶ୍ୱ ଚାମ୍ପିୟନଶିପ୍‌ ଖେଳିପାରିବେନି ଚାନୁ, ସତୀଶ

ନୂଆଦିଲ୍ଲୀ, ୧୮।୯(ପି.ଟି.)- ସିନିୟର ଭାରୋତ୍ତୋଳକ ତଥା ଡିଫେଣ୍ଡିଂ ଚାମ୍ପିୟନ ମୀରାବାଈ ଚାନୁ, ସତୀଶ ଶିବଲିଙ୍ଗମ ଓ ଭେଙ୍କଟ ରାହୁଲ ଆଘାତଜନିତ ସମସ୍ୟା ଲାଗି ଚଳିତବର୍ଷ ଶେଷଭାଗରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଖେଳିପାରିବେ ନାହିଁ। 

ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ

ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ, ୧୮।୯- ହକି ଇଣ୍ଡିଆ ୫-ଏ-ସାଇଡ୍‌ ଜାତୀୟ ସିନିୟର ମହିଳା ହକି ଟୁର୍ନାମେଣ୍ଟର ୩ୟ ସଂସ୍କରଣ ମଙ୍ଗଳବାର ଏଠାରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ୬-୩ ଗୋଲରେ ପଞ୍ଜାବକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲ୍‌ରେ ଅଭିଯାନ ଆରମ୍ଭ କରିଛି।

ଇଣ୍ଡୋ- ପାକ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ଇମ୍ରାନ

ଇଣ୍ଡୋ- ପାକ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ଇମ୍ରାନ

କରାଚି, ୧୮।୯, (ପି.ଟି.)- ବୁଧବାର ଖେଳାଯିବାକୁ ଥିବା ଭାରତ- ପାକିସ୍ତାନ ଏସିଆ କପ୍‌ ଗ୍ରୁପ୍‌ ମ୍ୟାଚ୍‌ ଦେଖିବାକୁ ପାକିସ୍ତାନ ନବ ନର୍ବାଚିତ ପ୍ରଧାନମନ୍ତ୍ରୀ ତଥା କିମ୍ବଦନ୍ତୀ କ୍ରିକେଟର ଇମ୍ରାନ ଖଁା ଦୁବାଇ ଯିବେ। ଏନେଇ ସ୍ଥାନୀୟ ଗଣମାଧ୍ୟମ ଗୁଡିକ ଖବର ପ୍ରକାଶ କରିଛନ୍ତି। ଇମ୍ରାନଙ୍କ ନେତୃତ୍ୱରେ ପାକିସ୍ତାନ ୧୯୯୨ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ଜଣେ କିମ୍ବଦନ୍ତୀ ଅଲରାଉଣ୍ଡର ଭାବେ ଇମ୍ରାନଙ୍କର ସାରା ବଶ୍ୱରେ ଖ୍ୟାତି ରହିଛି। ସେ ମଧ୍ୟ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ପୃଷ୍ଠ ପୋଷକ ରହିଛନ୍ତି