
ନୂଆଦିଲ୍ଲୀ:ଏକ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଗାଈ କ୍ଷୀର କ୍ଷତିକାରକ ହୋଇପାରେ। କାରଣ ସେମାନେ କ୍ଷୀରରେ ରହିଥିବା ପୁଷ୍ଟିସାର ହଜମ କରିପାରନ୍ତି ନାହିଁ। ଫଳରେ ସେମାନେ ଏଲର୍ଜି, ବଦହଜମି, ଶ୍ୱାସପ୍ରଶାସ ଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବିଶେଷଜ୍ଞମାନଙ୍କ କହିବାନୁଯାୟୀ ଯେଉଁ ଶିଶୁମାନଙ୍କୁ ମା’କ୍ଷୀର ମିଳିପାରୁନାହିଁ, ସେମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ବିକଳ୍ପ ପୁଷ୍ଟିଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ଏଭଳି କ୍ଷେତ୍ରରେ ଯଦି ଏକ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଗାଈ କ୍ଷୀର ଦିଆଯାଏ ତା’ହେଲେ ଆଇରନ ଅଭାବରୁ ଆନେମିଆ ଭଳି ରୋଗ ଆଶଙ୍କା ସୃଷ୍ଟି ହୋଇଥାଏ। ଯେହେତୁ କେଉଁ ଆବହମାନ କାଳରୁ ଗାଈ କ୍ଷୀର ଆମ ସଂସ୍କୃତି ସହିତ ଜଡ଼ିତ, ତେଣୁ ୧ ବର୍ଷରୁ କମ୍ ବୟସର ପିଲାଙ୍କୁ ତାହା ଦିଆଯିବା ଅନୁଚିତ। ଗାଈ କ୍ଷୀର ପାନ ଦ୍ୱାରା ଶିଶୁର ଅପରିପକ୍ୱ କିଡ୍ନୀ ଉପରେ ଚାପ ପଡ଼ିଥାଏ ଏବଂ ତାହା ହଜମ କରିବାରେ କଷ୍ଟ ହୋଇଥାଏ ବୋଲି ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ‘ଡାନୋନେ ଇଣ୍ଡିଆ’ର ସ୍ବାସ୍ଥ୍ୟ ଓ ପୁଷ୍ଟିବିଜ୍ଞାନ ବିଶେଷଜ୍ଞ ନନ୍ଦନ ଜୋଷୀ କୁହନ୍ତି।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍ଏଫ୍ଏଚ୍ଏସ୍) ଅନୁସାରେ ମାତ୍ର ୪୦ ପ୍ରତିଶତ ଶିଶୁଙ୍କୁ ସମାନୁଯାୟୀ ଅନୁପୂରକ ଖାଦ୍ୟ ମିଳିଥାଏ। ସେହିପରି ୬ରୁ ୨୩ ମାସର ୧୦ ପ୍ରତିଶତ ଶିଶୁ ଉପଯୁକ୍ତ ଖାଦ୍ୟ ପାଇଥାନ୍ତି। ଭାରତରେ ବିଶେଷ କରି ଗ୍ରାମାଞ୍ଚଳରେ ଶିଶୁମାନଙ୍କୁ ଗାଈ କ୍ଷୀର ଦିଆଯାଇଥାଏ କାରଣ ସଚେତନତାର ଅଭାବ ରହିଥିବା କୁହାଯାଇଛି। ରାପିଡ୍ ସର୍ଭେ ଅନ୍ ଚିଲଡ୍ରେନ (ଆର୍ଏସ୍ଓସି) ଅନୁସାରେ ମା’ କ୍ଷୀରରୁ ବଞ୍ଚତ୍ତ ୧ ବର୍ଷରୁ କମ୍ ଶିଶୁମାନଙ୍କ ମଧ୍ୟରୁ ୪୨ ପ୍ରତିଶତ ପିଲାଙ୍କୁ ଗାଈ କ୍ଷୀର ଓ ଅନ୍ୟ କ୍ଷୀର ଦିଆଯାଉଛି।
ସମ୍ପ୍ରତି ସାରା ବିଶ୍ୱରେ ଆଲାର୍ଜିକ୍ ରୋଗ ବଢ଼ୁଛି। ବିଶେଷକରି ବିକଶିତ ଦେଶଗୁଡ଼ିକରେ ଏହା ଅଧକ। ଭାରତରେ ମଧ୍ୟ ଏହି ରୋଗୀ ବୃଦ୍ଧି ପାଉଛି ଏବଂ ଶିଶୁମାନଙ୍କ କ୍ଷେତ୍ରରେ ମିଲ୍କ ଆଲାର୍ଜି ଅତ୍ୟନ୍ତ ସାଧାରଣ ଭାବେ ଦେଖିବାକୁ ମିଳୁଛି ବୋଲି ଜୟପୁରର ସାଣ୍ଟୋକବା ଦୁର୍ଲଭଜି ମେମୋରିଆଲ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଲଳିତ ଭରଦିଆ କହିଛନ୍ତି।