
ଗୋଲ୍ଡ କୋଷ୍ଟ,୧୬।୪(ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବ ଫିକା ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ ପିଟର ବେଟ୍ଟି ସ୍ବୀକାର କରିଛନ୍ତି। ଦୀର୍ଘ ସମୟ ଧରି ଅତିଥିଙ୍କ ଭାଷଣରେ ଅତିଷ୍ଟ ହୋଇ ଦର୍ଶକମାନେ ଷ୍ଟାଡିୟମ୍ରୁ ଫେରି ଯାଇଥିଲେ। ଏଥିନେଇ ସମାଲୋଚିତ ହେବା ପରେ ଗୋଲ୍ଡ କୋଷ୍ଟ ଇଭେଣ୍ଟ ଆୟୋଜକ କମିଟି ମୁଖ୍ୟ ବେଟ୍ଟି ସୋମବାର କ୍ଷମାପ୍ରାର୍ଥନା କରିଛନ୍ତି। ”ଆମେ ଆମ ଭୁଲ ବୁଝି ପାରିଛୁ। ଆମେ ଚାହୁଁଥିଲୁ ଅଂଶଗ୍ରହଣ କରିଥିବା ସମସ୍ତ ଆଥ୍ଲେଟ୍ ଉଦ୍ଯାପନୀ ଉତ୍ସବର ମଜା ନିଅନ୍ତୁ। ଏଣୁ ସେମାନଙ୍କୁ ଉତ୍ସବ ପୂର୍ବରୁ ଷ୍ଟାଡିୟମ୍ରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ମାତ୍ର ଟିଭି ଦର୍ଶକମାନେ ଆଥ୍ଲେଟ୍ମାନଙ୍କୁ ଦେଶର ପତାକା ଧରି ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ କରିବାର ଦେଖି ପାରି ନ ଥିଲେ। ଏହା ହିଁ ଆମର ଭୁଲ। କାରଣ ଅତିଥିମାନେ ଦୀର୍ଘ ସମୟ ଧରି ଭାଷଣ ଦେଇଥିଲେ। ଅତିଥିଙ୍କ ମଧ୍ୟରେ ମୁଁ ମଧ୍ୟ ସାମିଲ ଥିଲି। ଏଥିନେଇ ମୁଁ ନିଜକୁ ଦାୟୀ କରୁଛି। ଅନ୍ୟ କାହାରିକୁ ଦୋଷ ଦେବାକୁ ଚାହୁଁନାହିଁ। ଏଣୁ ମୁଁ ପ୍ରତ୍ୟେକ ଦର୍ଶକ ଓ ଆଥ୍ଲେଟଙ୍କୁ କ୍ଷମାପ୍ରାର୍ଥନ କରୁଛି“ ବୋଲି ଟୁଇଟର ଜରିଆରେ କହିଛନ୍ତି। ଫିକା ଉଦ୍ଯାପନୀ ଉତ୍ସବ ପାଇଁ ବିଭିନ୍ନ ମହଲରୁ ଆୟୋଜକଙ୍କୁ ସମାଲୋଚନା କରାଯାଇଥିଲା। ଏପରି କି ପ୍ରଶାରଣ ଅଧିକାର ପାଇଥିବା ଚ୍ୟାନେଲ ପକ୍ଷରୁ ଉଦ୍ଯାପନୀ ଉତ୍ସବ ଆଶାନୁଯାୟୀ ହୋଇ ନ ଥିବା କୁହାଯାଇଥିଲା।