ଉପକୂଳ ଓଡିଶା

୩୫ ବର୍ଷରେ ବି ହୋଇପାରୁନି ମାଷ୍ଟର ପ୍ଲାନ୍‌

ଜଗତ୍‌ସିଂହପୁର ଅଫିସ,୮।୩-ଜିଲା ମୁଖ୍ୟାଳୟ ଜଗତ୍‌ସିଂହପୁରରେ ଜିଲାପାଳ, ଏସ୍‌ପିଙ୍କ କାର୍ଯ୍ୟାଳୟ ସମେତ ଏକାଧିକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି। ରାସ୍ତା ପାର୍ଶ୍ୱରେ ଶହସ୍ରାଧିକ ବ୍ୟବସାୟ ପ୍ରତିଷ୍ଠାନ ସମେତ ଶିକ୍ଷାନୁଷ୍ଠାନ ଆଦି ଅଛି। କିନ୍ତୁ ସବୁ ବେସଜଡା। ଦୁଃଖର କଥା ହେଲା ଏହି ସହରର ବିକାଶ ପାଇଁ ଦୀର୍ଘ ୩୫ ବର୍ଷ ଭିତରେ ହୋଇପାରନି ମାଷ୍ଟର ପ୍ଲାନ୍‌। ସହର ବିକାଶ ପାଇଁ ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଜେଆର୍‌ଆଇଟି) ଥିଲେ ସୁଦ୍ଧା ତାହା କୋମାରେ ରହିଛି। ଜଣେ ମାତ୍ର ବରିଷ୍ଠ କିରାଣିରେ ଚାଲିଛି ଉପରଠାଉରିଆ କାମ। ନୂଆ ମାଷ୍ଟର ପ୍ଲାନ୍‌ ପାଇଁ ବର୍ଷାଧିକ କାଳ ପୂର୍ବରୁ ଟେଣ୍ଡର ହୋଇଥିଲା। କିନ୍ତୁ ନାନା କାରଣ ଦର୍ଶାଯାଇ ତାହା ବାତିଲ କରିଦିଆଯାଇଛି।
ଜଗତ୍‌ସିଂହପୁର ସହର ଦିନକୁ ଦିନ ସମ୍ପ୍ରସାରିତ ହେଉଛି। ଗାନ୍ଧୀ ଛକ ଛକ-ପୁରୋହିତପୁର, ଗାନ୍ଧୀ ଛକ-ନୂଆ ବସଷ୍ଟାଣ୍ଡ, ସାନବଜାର-ଅତାମଳା ଆଦି ରାସ୍ତା ପାର୍ଶ୍ୱ ଓ ଅନ୍ୟ ଅଞ୍ଚଳରେ ଜନବସତି, ଦୋକାନ, ବଜାର ବୃଦ୍ଧି ପାଇଛି। ପୁନଙ୍ଗ ନିକଟ ପୋଲିସ ରିଜର୍ଭ କାର୍ଯ୍ୟାଳୟ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଆଦି ଏକାଧିକ ସରକାରୀ କାର୍ଯ୍ୟାଳୟ ହେଲାଣି। ଅନ୍ୟପଟେ ଜଗତ୍‌ସିଂହପୁର ସହରରୁ ୭ କିଲୋମିଟର ଦୂର ଡିଆର୍‌ଡିଏ କାର୍ଯ୍ୟାଳୟ, କାଳୀ ଛକ ନିକଟ ଆର୍‌ଟିଓ କାର୍ଯ୍ୟାଳୟ, ନୂଆ ବସଷ୍ଟାଣ୍ଡ ପାଖ ଜିଲା ଶିଳ୍ପ କେନ୍ଦ୍ର, ପିଏଚ୍‌ଡି ଆଦି ସରକାରୀ କାର୍ଯ୍ୟାଳୟ ଲୋକଙ୍କୁ ଅଡୁଆରେ ପକାଉଛି। କେଉଁ କାର୍ଯ୍ୟାଳୟ କେଉଁପଟେ ତାହା ଜାଣିବା ଏବଂ ପାଇବା ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରର କଳେବର ବିନା ଯୋଜନାରେ ବୃଦ୍ଧି ହେଉଥିଲେ ସୁଦ୍ଧା ଏଥିପ୍ରତି ସରକାରୀସ୍ତରରେ ଧ୍ୟାନ ଦିଆଯାଉନାହିଁ। ରାସ୍ତା ଜବରଦଖଲ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ତରଫରୁ ଯଦିଓ କିଛିଟା ପଦକ୍ଷେପ ନିଆଯାଇଛି ତଥାପି ତାହା ଯଥେଷ୍ଟ ନୁହେଁ। କାରଣ ଉଠାଦୋକାନୀଙ୍କୁ ଉପଯୁକ୍ତ ସ୍ଥାନରେ ବ୍ୟବସାୟ ପାଇଁ ସୁଯୋଗ ଦେବାରେ କେତେକ ସମସ୍ୟା ଉପୁଜୁଛି। ଜଗତ୍‌ସିଂହପୁର ସହର ଭିତର ମୁଖ୍ୟ ରାସ୍ତା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନକୁ ଯାଇଛି। ହେଲେ ଏହି ରାସ୍ତା କାମ ଠିକ ଭାବେ ହୋଇପାରୁନି। ପୂର୍ବବତ ରାସ୍ତା ସଙ୍କୁଚିତ ଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜେଆର୍‌ଆଇଟି କାର୍ଯ୍ୟାଳୟଟି କେବଳ ପ୍ରଦର୍ଶନୀ ପରି ରହିଛି। ଏହି କାର୍ଯ୍ୟାଳୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରେଲ୍‌ଓ୍ବେ କାଉଁଣ୍ଟର ପାର୍ଶ୍ୱରେ ଯେଭଳି ଅବସ୍ଥାରେ ଅଛି ତାହା ଅଧିକାଂଶ ଲୋକେ ଜାଣନ୍ତି ନାହିଁ। ଏହାର ଦାୟିତ୍ୱରେ ଜଣେ ମାତ୍ର କିରାଣି ଅଛନ୍ତି। ସେ ଅଧିକାଂଶ ଦିନ ଅନୁପସ୍ଥିତ ରହୁଛନ୍ତି। ତେଣୁ ଜେଆର୍‌ଆଇଟି କାର୍ଯ୍ୟାଳୟ ଉନ୍ନତୀକରଣ ସହ ଜଣେ ଅଧିକାରୀ ଓ ଅନ୍ୟ ପଦବୀ ପୂରଣ ସହ ନୂଆ ପଦବୀ ସୃଷ୍ଟି କରାଯିବା ଦରକାର। ସୂଚନା ଅନୁଯାୟୀ, ଏଠାରେ ଅନୁମୋଦିତ ୩ ଜଣ କର୍ମଚାରୀଙ୍କ ମଧ୍ୟରେ ଜଣେ ବରିଷ୍ଠ କିରାଣି, ଜଣେ କନିଷ୍ଠ କିରାଣି ଏବଂ ଜଣେ ଚୌକିଦାର ପଦବୀ ରହିଛି। ଏଥିମଧ୍ୟରେ ଚୌକିଦାରଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ କନିଷ୍ଠ କିରାଣି ବର୍ଷାଧିକ କାଳ ଛୁଟିରେ ଅଛନ୍ତି। କେବଳ ବରିଷ୍ଠ କିରାଣି କାର୍ଯ୍ୟାଳୟ ଚଳାଉଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବ ପରିଲକ୍ଷିତ ହେଉଛି। ୧୯୮୨ରେ ୧ମ ମାଷ୍ଟର ପ୍ଲାନ୍‌ ହୋଇଥିଲା। ସେତେବେଳେ ସ୍ପେଶାଲ ପ୍ଲାନିଂ ଅଥରିଟି ଥିଲା। ପରେ ପାରାଦୀପ-ଜଗତ୍‌ସିଂହପୁର ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଓ ତା’ପରେ ଜେଆର୍‌ଆଇଟି ହେଲା। ଜେଆର୍‌ଆଇଟି ପାଇଁ ୨୦୦୫ରେ ବିଜ୍ଞପ୍ତି ପ୍ରକାଶ ପାଇ ୨୦୦୬ରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରେଲୱେ ବୁକିଂ କାଉଣ୍ଟର ପାର୍ଶ୍ୱରେ କାର୍ଯ୍ୟକ୍ଷମ ହେଲା। ୨୮ା୨ା୨୦୦୬ରେ ତତ୍କାଳୀନ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଜେଆର୍‌ଆଇଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଜେଆର୍‌ଆଇଟି ସହରର ନବୀକରଣରେ ସହାୟକ ହେବ ବୋଲି ସେତେବେଳେ ଆଶା କରାଯାଉଥିଲା। ବିଶେଷକରି ନୂଆ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରି ଅସଜଡା ସହରକୁ ସଜାଡିବ। କିନ୍ତୁ ଯଥା ପୂର୍ବଂ ତଥା ପରଂ। ଏହି ସଂସ୍ଥା ମୁଖ୍ୟତଃ ନୂଆ ବିଲ୍ଡିଂ ଲାଇସେନ୍ସ ଦେଇ ଚାଲିଛି। ଆଉ କନଭର୍ସନ୍‌ ମାମଲାଗୁଡିକର ଫଏସଲା କରୁଛି। ଏହି କାମ ମଧ୍ୟ ଠିକ ଭାବେ ହୋଇପାରୁନି। ଲାଇସେନ୍ସ ଦେବାରେ ମଧ୍ୟ ଅହେତୁକ ବିଳମ୍ବ ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି । ଏ ସମ୍ପର୍କରେ କେତେଜଣ ବ୍ୟକ୍ତି ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜେଆର୍‌ଆଇଟି ଅଛି ବୋଲି ସେମାନେ ଅନୁଭବ କରୁନାହାନ୍ତି। ସହର ନବୀକରଣ ଯୋଜନା ଫାଇଲ ତଳେ ଲୁଚି ରହିଛି।

All Right Reserved By

ଉପକୂଳ ଓଡିଶା

୯ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼ ଅଫିସ,୨୦ା୬- ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍‌ ୱାର୍କର୍ସ ଆସୋସିଏଶନ ତରଫରୁ ନୟାଗଡ଼ ଜିଲା ଅଙ୍ଗନୱାଡ଼ି ସଂଘ ସଭାନେତ୍ରୀ ଗାୟତ୍ରୀ ଦାସଙ୍କ ନେତୃତ୍ୱରେ ବୁଧବାର ୯ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଭାରିଯାନ ଚଳାଚଳକୁ ବିରୋଧ କରି ଆଳିପିଙ୍ଗଳଠାରେ ରାସ୍ତାରୋକୋ

ଜଗତ୍‌ସିଂହପୁର ଅଫିସ୍‌, ୨୦।୬- ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଥିବା ବେଳେ ଆଳିପିଙ୍ଗଳ ଛକଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ତେବେ ରାସ୍ତାର ଏପରି ଦୁରବସ୍ଥା ଯୋଗୁ ଏହି ରାସ୍ତାରେ ଭାରିଯାନ ଚଳାଚଳ ଉପରେ ଜିଲାପାଳ ନିଷେଧାଦେଶ ଜାରି କରିଛନ୍ତି। କିନ୍ତୁ ଦୈନିକ ଏହି ରାସ୍ତାରେ ବାଲି ବୋଝେଇ ଶତାଧିକ ବଡ଼ ଟ୍ରକ ଓ ହାଇଓ୍ବା ଯାତାୟାତ କରୁଛି। ଏହାଦ୍ୱାରା ଏହି ରାସ୍ତାରେ ଦୈନିକ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ବୁଧବାର ଆଳିପିଙ୍ଗଳ ବଜାର ରାସ୍ତାରୋକୋ କରିଥିଲେ।

ମୁଗ ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

ମୁଗ ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

ଜଗତ୍‌ସିଂହପୁର ଅଫିସ୍‌, ୨୦।୬- ଜଗତ୍‌ସିଂହପୁର ଜିଲାରେ ମୁଗର ଅଭାବୀ ବିକ୍ରୀ ଦେଖା ଦେଇଥିବା ବେଳେ ମଣ୍ଡିରେ ପରିଚାଳନା ଗତ ତ୍ରୁଟି ପରିଲକ୍ଷିତ ହେଉଛି।

ବ୍ୟାସନଗର ପୌରପରିଷଦ ଉନ୍ନତି ଯୋଜନାର ଶୁଭାରମ୍ଭ

ବ୍ୟାସନଗର ପୌରପରିଷଦ ଉନ୍ନତି ଯୋଜନାର ଶୁଭାରମ୍ଭ

ଯାଜପୁର ରୋଡ, ୨୦।୬(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଦ୍ୱିତୀୟ ପର୍ଯ୍ୟାୟ ଉନ୍ନତି ଯୋଜନାର ବିଭିନ୍ନ ପ୍ରକଳ୍ପର ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଏମ୍‌ପି ରୀତା ତରାଇ ପ୍ରମୁଖ ଉପସ୍ଥିତ ହୋଇ ଶିଳାନ୍ୟାସ କରିଥିଲେ।

ଦୁର୍ଘଟଣାରେ ଜଣେ ମୃତ, ରାସ୍ତା ଅବରୋଧ

ଦୁର୍ଘଟଣାରେ ଜଣେ ମୃତ, ରାସ୍ତା ଅବରୋଧ

କାଳିଆପାଣୀ,୨୦ା୬(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣୀ ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମ ନିକଟରେ ବୁଧବାର ସକାଳ ସାଢ଼େ ୯ଟାରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବେଣାଗାଡ଼ିଆ ଗ୍ରାମର ନଟ ପଲାଇଙ୍କ ପୁଅ ଚରଣ ପଲାଇ(୨୨)।

ବେତଖୋଲିରେ କୁସୁମୀ ମହୋତ୍ସବ ଉଦ୍‌ଯାପିତ

ବେତଖୋଲିରେ କୁସୁମୀ ମହୋତ୍ସବ ଉଦ୍‌ଯାପିତ

ଖଣ୍ଡପଡା,୨୦ା୬(ସ୍ବ.ପ୍ର.)-ଜଣେ ଜୀବନରେ ବଡ ମଣିଷ ହୁଅନ୍ତୁ ବା ନ ହୁଅନ୍ତୁ ମାତ୍ର କୃତଜ୍ଞ ହେବା ପାଇଁ ଶିକ୍ଷା ଲାଭ କରିବା ଜରୁରୀ ା ଜୀବନକୁ ସମୃଦ୍ଧ ତଥା ମାର୍ଜିତ କରୁଥିବା ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ଦୃଢ ମନୋବଳ ସହିତ ଆଗକୁ ଅଗ୍ରସର ହୋଇପାରିଲେ ଯାଇ ଆମ ଭବିଷ୍ୟତ ସୁନ୍ଦର ହୋଇପାରିବ ା ଅପରପକ୍ଷରେ ମଣିଷ କୃତଜ୍ଞତା ଶିଖୁ ଅନ୍ୟଥା ମଣିଷ ଜାତିର ଉନ୍ନତି ଅସମ୍ଭବ ା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଧୀନ ବେତଖୋଲି ଗ୍ରାମରେ ମା’ ଆଦ୍ୟାଶକ୍ତି କ୍ଲବ ଆନୁକୂଲ୍ୟରେ ଆୟୋଜିତ କୁସୁମୀ ମହୋତ୍ସବ ୨୦୧୮ ପ୍ରତିଭା ପୂଜା ଅବସରରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ା

ଖଣ୍ଡପଡ଼ା ବ୍ଲକ ପରିସରରେ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ଖଣ୍ଡପଡ଼ା ବ୍ଲକ ପରିସରରେ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ଖଣ୍ଡପଡା,୨୦ା୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ବନ୍ୟା ଓ ବାତ୍ୟା ସମୟରେ ସାଧାରଣ ଜନତାଙ୍କୁ ସତର୍କ ଓ ସଚେତନ କରିବାର ମହତ ଲକ୍ଷ୍ୟ ନେଇ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି ା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓ ଜରୁରିକାଳୀନ ପରିସ୍ଥିତିରେ କିଭଳି ଜନସାଧାରଣଙ୍କୁ ଆପଦ ଓ ବିପଦରୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ନିଆଯାଇପାରିବ ସେ ସମ୍ପର୍କରେ ଖଣ୍ଡପଡା ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ କଳା ଓ କୌଶଳ ପ୍ରଦର୍ଶନ କରିଥିଲେ ା ଖଣ୍ଡପଡା ବିଡିଓ ଶିବାନନ୍ଦ ସ୍ବାଇଁଙ୍କ ସମେତ ବ୍ଲକପ୍ରଶାସନର ସମସ୍ତ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଖଣ୍ଡପଡ଼ାରେ ଶୀତଳଷଷ୍ଠୀ ଯାତ୍ରା, ୧୦ ହଜାରରୁ ଊଦ୍ଧ୍ୱର୍ର୍ ଶ୍ରଦ୍ଧାଳୁଙ୍କ ସମାଗମ

ଖଣ୍ଡପଡା,୨୦ା୬(ସ୍ବ.ପ୍ର.)-ଖଣ୍ଡପଡା ଅଞ୍ଚଳରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡା ସହରର ୫ଟି ପ୍ରମୁଖ ଶୈବପୀଠରେ ରବିବାର ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ସୋମବାର ବିଳମ୍ବିତ ରାତିରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଖଣ୍ଡପଡା ସହର ଉତ୍ସବମୁଖର ହୋଇଉଠିଥିଲା। ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ୱର ଦେବ, ସୁବର୍ଣ୍ଣେଶ୍ୱର ଦେବ, ବାଲୁଙ୍କେଶ୍ୱର ଦେବ ଓ ଲୋକନାଥ ଦେବ ପ୍ରମୁଖଙ୍କୁ ୪ଟି ସୁସଜ୍ଜିତ ବିମାନରେ ଖଣ୍ଡପଡା ସହର ପରିକ୍ରମା କରାଯାଇଥିଲା। ବାଜା, ବାଣ, ରୋଶଣୀ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ଖଣ୍ଡପଡା ସହର ଝଲସି ଉଠିଥିଲା।

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ସଭା

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ସଭା

ଗଣିଆ,୨୦ା୬(ଡି.ଏନ.ଏ.)- ଗ୍ରାମାଞ୍ଚଳରେ କୃଷି ଓ କୃଷକ ପରିବାର ଉନ୍ନତି ପାଇଁ ସରକାର ସମବାୟ ବ୍ୟାଙ୍କ ଓ ସମିତିମାନଙ୍କ ଦ୍ୱାରା ଆର୍ଥିକ ଋଣ ସହାୟତା ଯୋଗାଇ ଆସୁଛନ୍ତି। ତେବେ ପ୍ରାଥମିକ କୃଷି ସମବାୟ ସମିତିର କେତେକ ତ୍ରୁଟି ସୁଧାରିବା ସହ ସମସ୍ତ କୃଷକଙ୍କୁ ସ୍ବଳ୍ପ ମିଆଦି ଉପଯୁକ୍ତ ଆନୁଷ୍ଠାନିକ ଋଣ ପ୍ରଦାନ, ଫସଲ ବୀମା ଆଦି ସୁବିଧା ସୁଯୋଗ ପ୍ରଦାନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଛି। ନୟାଗଡ଼ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ତରଫରୁ ମଙ୍ଗଳବାର ଗଣିଆ ବ୍ଲକ ଛାମୁଣ୍ଡିଆସ୍ଥିତ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାମୁଣ୍ଡିଆ ସେବା ସମବାୟ ସମିତିର ସମ୍ପାଦକ କାମେଶ୍ୱର ସାହୁଙ୍କ ପରିଚାଳନାରେ ଏଆଇସିସି ଇନ୍ସପେକ୍ଟର ଲଡୁକେଶର ମହାପାତ୍ର, ଗଣିଆ ଶାଖା ପରିଚାଳକ ଚକ୍ରଧର ପରିଡ଼ା, ସହକାରୀ ଶାଖା ପରିଚାଳକ ସୁବ୍ରତ କୁମାର ସେଠୀ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଛାମୁଣ୍ଡିଆ ଅଞ୍ଚଳର ୬୦ରୁ ଊର୍ଦ୍ଧ୍ୱ କୃଷକ ଯୋଗଦେଇଥିଲେ।

ଖଣ୍ଡପଡ଼ା : ମୋ ସ୍କୁଲ କାର୍ଯ୍ୟକ୍ରମର ୨ୟ ବୈଠକ

ଖଣ୍ଡପଡା,୨୦ା୬(ସ୍ବ.ପ୍ର.)- ଖଣ୍ଡପଡା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସୋମବାର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସମସ୍ତ ପୁରାତନ ଛାତ୍ର ଓ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ପୁରାତନ ଛାତ୍ରମାନେ ବିଦ୍ୟାଳୟର ବିକାଶ ନିମନ୍ତେ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନକୁଳ ଚନ୍ଦ୍ର ଖୁଣ୍ଟିଆ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପଡାର ପ୍ରଥମ ନଗରପାଳ କିଶୋର ଚନ୍ଦ୍ର ଦାଶ, ଶିକ୍ଷାବିତ୍‌ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ନିରଞ୍ଜନ ସ୍ବାଇଁ, ଖବରଦାତା ବିନାୟକ ମିଶ୍ର, ରାମଚନ୍ଦ୍ର ଦାଶଙ୍କ ସମେତ ଖଣ୍ଡପଡା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଯୋଜନା ପ୍ରସ୍ତୁତ ସହ ଏକ କମିଟି ଗଠନ କରାଯାଇଥିଲା।

ଚୋରାକାଠ ଜବତ, ୧ ଗିରଫ

ଚୋରାକାଠ ଜବତ, ୧ ଗିରଫ

ନୟାଗଡ଼ ଅଫିସ,୨୦ା୬- ନୟାଗଡ଼ ଜିଲା ପଞ୍ଚରିଡ଼ା ବନ ବିଭାଗ ମଙ୍ଗଳବାର ନାଗମୁଣ୍ଡଳୀଠାରେ ଚଢ଼ାଉ କରି ଏକ ଚୋରା କାଠ ବୋଝେଇ ଟାଟା ଏସିଇ ଜବତ କରିଛି। ଗାଡ଼ିରେ ଥିବା ୩୮ ଖଣ୍ଡ ଶାଳକାଠ ଜବତ କରାଯିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଶରଣକୁଳ ଥାନା ସାନଗୋରଡ଼ା ଗ୍ରାମରୁ ଏକ ଟାଟା ଏସିଇ (ଓଆର୨୫ସି-୬୯୨୩) ଚୋରା କାଠ ନେଇ ଇଟାମାଟି ଯାଉଥିବା ବନ ବିଭାଗ ଖବର ପାଇଥିଲା। ପରେ ବିଭାଗୀୟ କର୍ମଚାରୀ ଉକ୍ତ ଗାଡ଼ିର ପିଛା କରିଥିଲେ। କେଶରପୁର ଗ୍ରାମର ନାଗମୁଣ୍ଡଳୀ ରାସ୍ତାଠାରେ ସେମାନେ ଗାଡି ଅଟକାଇ କାଠ ଜବତ କରିଥିଲେ। ଗାଡ଼ି ଚାଳକ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବନ ଅଧିକାରୀ ତାଙ୍କୁ କାବୁ କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇ ଚାଳକ ଆଙ୍ଗିସିଙ୍ଗି ଗ୍ରାମର ମୁକୁନ୍ଦ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ, ଫରେଷ୍ଟର କୈଳାସ ପ୍ରଧାନ, ବନରକ୍ଷୀ ପ୍ରକାଶ ଚନ୍ଦ୍ର ପାଳ ଓ ସ୍କ୍ବାଡ୍‌ ସାମିଲ ଥିଲେ।

ସ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ସ୍ବାମୀଙ୍କୁ ୧ ବର୍ଷ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୬- ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଶୁଣାଣି କରି ମଙ୍ଗଳବାର ସ୍ବାମୀଙ୍କୁ ଏକବର୍ଷ କାରାଦଣ୍ଡ ପ୍ରଦାନ କରିଛନ୍ତି ମହିଳା କୋର୍ଟ ବିଚାରପତି ପ୍ରଜ୍ୟୋତି ରାଉତ। ଅଭିଯୁକ୍ତ ଜଣକ ହେଲେ ଇଟାମାଟି ଗ୍ରାମର ସାଗର ଘଡ଼େଇ। ମାମଲାର ବିବରଣୀରୁ ପ୍ରକାଶ ଯେ, ସାଗର ତାଙ୍କ ସ୍ତ୍ରୀ କୁନି ଘଡ଼େଇଙ୍କ ଚରିତ୍ରକୁ ସନ୍ଦେହ କରିବା ସହ ଅଧିକ ଯୌତୁକ ଦାବିରେ ବିଭିନ୍ନ ସମୟରେ ନିର୍ଯାତନା ଦିଅନ୍ତି। ଏପରିସ୍ଥଳେ ୧୩ ଜାନୁୟାରୀ ୨୦୧୫ ସକାଳ ୬ଟା ସମୟରେ କବାଟରେ ଦିଆଯାଉଥିବା କିଳା (କାଠଫାଳିଆ)ରେ ସାଗର କୁନିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ କୁନିଙ୍କ ମୁଣ୍ଡ ଫାଟି ଗୁରୁତର ହୋଇଥିଲେ। ଚିକିତ୍ସା ପରେ କୁନି ଏ ନେଇ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪/୧୫ରେ ମାମଲା ରୁଜୁ କରି ସାଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛିଦିନ ପରେ ସାଗର ଜାମିନରେ ଆସିଥିଲେ। ମଙ୍ଗଳବାର ୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରି ୧ବର୍ଷ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା ମହିଳା କୋର୍ଟ ବିଚାରପତି ପ୍ରଜ୍ୟୋତି ରାଉତ ଶୁଣାଣି କରିଥିଲେ। ଜରିମାନା ଅନାଦାୟ ଅଧିକ ୧ମାସ କାରାଦଣ୍ଡ ଶୁଣାଣି କରାଯାଇଛି। ଜରିମାନା ଅର୍ଥ ପୀଡ଼ିତାଙ୍କୁ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି। ସରକାରୀ ଓକିଲ ବଳଭଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

Model This Week

ପ୍ରଭାତ