ଏନ୍‌ଡିଏ ଛାଡ଼ିଲା ଟିଡିପି

  ଏନ୍‌ଡିଏ ଛାଡ଼ିଲା ଟିଡିପି

ଅମରାବତୀ/ନୂଆଦିଲ୍ଲୀ,୭ା୩: ଆନ୍ଧ୍ରପ୍ରଦେଶକୁ କେନ୍ଦ୍ରୀୟ ଅବହେଳାର ପ୍ରତିବାଦରେ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ବୁଧବାର ଏନ୍‌ଡିଏ ସରକାର ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରି ଚରମ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଭାରତରେ ସର୍ବବୃହତ୍‌ ସହଯୋଗୀ ଦଳ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଶେଷରେ ଏନ୍‌ଡିଏର ହାତ ଛାଡ଼ିଦେଇଛି। ଟିଡିପିର ଦୁଇ ମନ୍ତ୍ରୀ ଗୁରୁବାର ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ ବୋଲି ଚନ୍ଦ୍ରାବାବୁ ଘୋଷଣା କରିବା ପରେ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।
ସାଧାରଣ ବଜେଟରେ ଆନ୍ଧ୍ରପ୍ରଦେଶକୁ ଅଣଦେଖା କରାଯାଇଥିବା ନେଇ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ପୂର୍ବରୁ ଏନ୍‌ଡିଏ ଛାଡ଼ିବା ପାଇଁ ଧମକ ଦେଇ ସରକାର ଉପରେ ଚାପ ପକାଇଆସୁଥିଲେ। ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ପାର୍ଲାମେଣ୍ଟ ଭିତରେ ଓ ବାହାରେ ଦଳୀୟ ଏମ୍‌ପିମାନେ ମଧ୍ୟ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହେଲେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବୁଧବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶକୁ୍‌ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ଆନ୍ଧ୍ରପ୍ରଦେଶକୁ ଦୁଇଭାଗରେ ବିଭକ୍ତ କରିବା ନିଷ୍ପତ୍ତି ଉପା ସରକାର ନେଇଥିଲେ। ସେହି ସରକାରଙ୍କ ପ୍ରତିଶ୍ରୁତି ଏନ୍‌ଡିଏ ପୂରଣ କରିପାରିବ ନାହିଁ। କିନ୍ତୁ ଆନ୍ଧ୍ରପ୍ରଦେଶକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦିଆଯିବ, ଯାହାକି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ସହ ସମାନ ବୋଲି ଜେଟ୍‌ଲୀ କହିଛନ୍ତି। ପରେ ଚନ୍ଦ୍ରାବାବୁ ଟିଡିପି ନେତାଙ୍କୁ ନେଇ ଏକ ଜରୁରୀ ବୈଠକ ଡାକିଥିଲେ। ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଓ୍ବାଇ.ଏସ୍‌. ଚୌଧ୍‌ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଦୁଇମନ୍ତ୍ରୀ କେନ୍ଦ୍ର କ୍ୟାବିନେଟରୁ ଗୁରୁବାର ସକାଳେ ଇସ୍ତଫା ଦେବେ। ଚନ୍ଦ୍ରାବାବୁ କହିଛନ୍ତି, ମେଣ୍ଟର ସହଯୋଗୀ ଦଳ ମୁଖ୍ୟ ଭାବେ ସୌଜନ୍ୟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇବାକୁ ସେ ଚେଷ୍ଟା କରିଥିଲେ। ତାଙ୍କ ଓଏସ୍‌ଡି ମୋଦିଙ୍କ ଓଏସ୍‌ଡିଙ୍କୁ ଫୋନ୍‌ କରିଥିଲେ। ହେଲେ ମୋଦି କଥା ହେବା ପାଇଁ ଫୋନ୍‌ ଲାଇନ୍‌କୁ ଆସି ନ ଥିଲେ। ମୋଦିଙ୍କୁ ସେ ଗୁରୁବାର ପୁଣି ଫୋନ୍‌ କରିବେ।

All Right Reserved By

Model This Week

ପ୍ରଭାତ