ସମ୍ପାଦକୀୟ |

ଧୀର ପାଣି ପଥର କାଟେ

ଧୀର ପାଣି ପଥର କାଟେ
ତୁଳସୀଦାସ ମିଶ୍ର/ପତ୍ର-ପତ୍ରିକାରେ ଖବର ପ୍ରକାଶ ପାଇଛି ଯେ, ଧୀରେ ଖାଇଲେ ଓଜନ କମେ। ଯେଉଁମାନେ ଧୀରେ ଧୀରେ ଖାଇବା ସହିତ ଶୋଇବାକୁ ଯିବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରନ୍ତି, ସେମାନଙ୍କର ଅଣ୍ଟାର ପରିଧି ଏବଂ ଅତିରିକ୍ତ ଓଜନ ହ୍ରାସ ପାଏ। ତେବେ ସେ ନୀତି ପୁସ୍ତକ ହେଉ କି ଅଗ୍ରଜଙ୍କ ଉପଦେଶ, ସବୁଠି ଧୀରତାର ସପକ୍ଷରେ କୁହାହୋଇଛି। ଏଇ ଯେମିତି ଧୀରପାଣି ପଥର କାଟେ। ବଢ଼ି ନଈର ଉଦ୍ଦାମ ସ୍ରୋତ ଏକ ବିଶାଳ ପଥର ଖଣ୍ଡକୁ ହୁଏ ତ କିଛି ଦୂର ଗଡେଇ ନେଇପାରେ, କିନ୍ତୁ ସେଇ ନଈର ଧୀର ସ୍ରୋତ ସେଇ କର୍କଶ ପଥରକୁ ଦିନେ ଚିକ୍କଣ କରି ସୁନ୍ଦର ରୂପଟେ ଦେଇଥାଏ। ଏମିତିରେ ତ ସମୟ ପ୍ରବାହର ଗତି ଅପରିବର୍ତ୍ତିତ। କିନ୍ତୁ ଦୁଃଖ ଭୋଗୁଥିବା ଲୋକକୁ ଲାଗେ କାଳରାତ୍ରି ଧୀରେ ଗଡୁଛି। ଯେବେ କି ସୁଖରେ ଥିବା ଲୋକକୁ ଲାଗେ ଖୁସିର ଦିନ ଖୁବ୍‌ଶୀଘ୍ର ସରିଯାଉଛି। ସେ କ୍ରୋଧିତ, ଉତ୍‌କ୍ଷିପ୍ତ ଥିବା ଲୋକ ହେଉ କି ପରୀକ୍ଷା ହଲରେ ବିଚଳିତ ଥିବା ଛାତ୍ରୀଛାତ୍ର, ସମସ୍ତଙ୍କୁ ସ୍ଥିର ମସ୍ତିଷ୍କରେ ଧୀର ହୋଇ କାର୍ଯ୍ୟ କରିବାକୁ କୁହାଯାଏ। ବେଳେବେଳେ ତ ପ୍ରଶ୍ନ ସବୁ ସହଜ ଥାଏ ବୋଲି ପୁଅ-ଝିଅମାନେ ଖୁସିରେ ତରବର ହୋଇ କେତେ କ’ଣ ଲେଖିପକାନ୍ତି। କିନ୍ତୁ ପରେ ଗୁରୁଜୀଙ୍କ କଥା ମାନି, ଧୀରସ୍ଥିର ହୋଇ ପୁନରାବଲୋକନ କଲା ପରେ ଜାଣନ୍ତି ଯେ ଉତ୍ତରଖାତାରେ ଅନେକ ତ୍ରୁଟି ରହିଯାଇଛି। ହିନ୍ଦୁସ୍ଥାନୀ ସଙ୍ଗୀତର ଗାୟନ ଓ ବାଦନରେ ଅଛି ଦୁଇଟା ସ୍ତର- ବିଲମ୍ବିତ ଓ ଦ୍ରୁତ। ଅର୍ଥାତ୍‌ ଧୀର ଓ କ୍ଷୀପ୍ର। ସଙ୍ଗୀତରେ ରୁଚି ରଖୁଥିବା ପାଠକେ ବୁଝିପାରିବେ ନିଶ୍ଚୟ, କାର୍ଯ୍ୟକ୍ରମର ଆରମ୍ଭରେ ଗାୟକ ଏବଂ ବାଦକ ଧୀରମନ୍ଥର ଗତିରେ ପରିବେଷଣ ଆରମ୍ଭ କରନ୍ତି। ବେଶ୍‌ କିଛି ସମୟ ଏମିତି ଖେଳିଲା ପରେ ହଠାତ୍‌ ତାଳ ବଦଳେ ଏବଂ ଗାୟନ, ବାଦନ ମଧ୍ୟ କ୍ଷୀପ୍ର ହୁଏ। ତା’ପରେ ଏକ ଶୀର୍ଷକୁ ଯାଇ ପୁଣି ନିମ୍ନକୁ ଆସି ସମାପ୍ତ ହୁଏ। ଏଇ ଯେମିତି ରନ୍‌ଓ୍ବେରେ ଉଡାଜାହାଜଟେ ବେଶ୍‌ କିଛି ସମୟ ଗୁରୁଣ୍ଡେ ଏବଂ ଏକ ନିର୍ଦ୍ଦିଷ୍ଟ ଅବଧି ପରେ ହଠାତ୍‌ ଶୂନ୍ୟକୁ ଲମ୍ଫଦେଇ ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚି ଗତିମାନ ହୁଏ। ଖେଳପଡିଆରେ ଦୂରନ୍ତ ଦୌଡାଳିମାନେ ମଧ୍ୟ ଠିକ୍‌ ଏମିତି ଉପକ୍ରମଣିକାକୁ ଧୀର ରଖି କ୍ରମେ ତାକୁ କ୍ଷୀପ୍ର କରିଥାନ୍ତି। ଯେଉଁ ନଦୀର ସ୍ରୋତ ପ୍ରଖର ଆମେ ତାକୁ କହିଥାଉ ଖରସ୍ରୋତା। ଆଉ ଯାହାର ଗତି ଧୀର, ମନ୍ଥର, ଅକ୍ଷୟ ମହାନ୍ତିଙ୍କ ଭାଷାରେ ସେଇ ନଦୀର ନାମ ‘ଅଳସୀ କନ୍ୟା’। ଆଧୁନିକ ଯୁଗରେ ସିନା ଭୂମିକା ଅଦଳ ବଦଳ ହୋଇ ପରିସ୍ଥିତି ଗୋଳମାଳିଆ ହୋଇଯାଇଛି, ସଭ୍ୟତାର ପ୍ରାତଃକାଳରେ କିନ୍ତୁ ପୁରୁଷମାନେ ଥିଲେ ଧାବମାନ ଶିକାରୀ ଏବଂ ସ୍ତ୍ରୀମାନେ ଧୀର ଗୃହିଣୀ। ଏମିତିରେ ବି ପ୍ରକୃତି ସ୍ତ୍ରୀମାନଙ୍କୁ କେବଳ ରୂପ, ଲାବଣ୍ୟ ଦେଇନିି, ତାଙ୍କ ସ୍ବରରେ ଲାଳିତ୍ୟ ଭରିଛି ଏବଂ ଗତିକୁ କରିଛି ଛନ୍ଦାୟିତ ଏବଂ ଧୀର। ସେଥିପାଇଁ ସେମାନେ ଅନେକ ସମୟରେ ପୁରୁଷ ସାଙ୍ଗେ ପାଦ ମିଳେଇ ଚାଲିପାରନ୍ତି ନାହିଁ। ଆଉ ତା’ପରେ ନାୟିକାଟେ ନିବେଦନ କରି ଗୀତ ଗାଏ- ଜରା ହୋଲେ ହୋଲେ ଚଲୋ ମୋରେ ସାଜ୍‌ନା (ସାଓ୍ବନ କି ଘଟା), ମାନେ ଧୀରେ ଧୀରେ ଚାଲ। ବେପାରୀ ଜଣେ ହୁଏ ତ ମଠେଇବା ସପକ୍ଷରେ କହିପାରେ ଯେ ଚାଷ ତରତର ବଣିଜ ମଠ। କିନ୍ତୁ ଦୈନନ୍ଦିନ ଜୀବନରେ ମଠତାକୁ ପ୍ରୋତ୍ସାହନ ଦିଆହୁଏନି। ପବନ ପ୍ରଚଣ୍ଡ ବେଗରେ ବହି ଝଞ୍ଜାର ରୂପ ନେଇଥାଏ। କିନ୍ତୁ ଯେତେବେଳେ ବ୍ୟଗ୍ରତା ପରିହାର କରି ମୃଦୁ ଗତି ଆପଣାଏ, ସେ ହୋଇଥାଏ ମନ୍ଦ ମଳୟ, ଧୀର ସମୀର। ଯୁବ ପିଢି କିନ୍ତୁ ଯୁଗେ ଯୁଗେ ଧୀରତାକୁ ଧିକ୍କାର କରିଥାନ୍ତି। ଏବେକାର ବାଇକ ବାଇଆଙ୍କ କଥା ନ କହିବା ଭଲ। ପବନ ବେଗରେ ଯାନ ଛୁଟେଇ କେବେ ନିଜ ବିଲୟ ତ ଆଉ କେବେ ନିରୀହ ପଥଚାରୀର ବିନାଶର କାରଣ ସାଜନ୍ତି। ସରକାର ଲୋକଙ୍କ ମଙ୍ଗଳ ପାଞ୍ଚି, ସଡ଼କ ସଚେତନତାର ପ୍ରଚାର କରି କହି ଚାଲିଛନ୍ତି- ସଅଳ ଯାତ୍ରା ଆରମ୍ଭ କରନ୍ତୁ, ଧୀରେ ଯାଆନ୍ତୁ, ସୁରକ୍ଷିତ ହୋଇ ଗନ୍ତବ୍ୟସ୍ଥଳରେ ପହଞ୍ଚନ୍ତୁ। କିନ୍ତୁ ଏ ହିତବାଣୀକୁ ପିତ୍ତବାଣୀ ଭାବି ପ୍ରାୟତଃ ସମସ୍ତେ ପ୍ରତ୍ୟାଖ୍ୟାନ କରନ୍ତି। ଧୀରତାର ସପକ୍ଷରେ ଆମେ ଅନେକ କଥା କହିପାରିବା। ନିଶୀଥର କଳିକାଟି ଧୀରେ ଧୀରେ ମୁକୁଳି ପାହାନ୍ତା ପହରକୁ ଫୁଲଟେ ହୋଇଯାଏ। ପ୍ରତିପଦାର ଜହ୍ନ ବି ଧୀରେ ଧୀରେ ବଢ଼ି ଗୋଟେ ପକ୍ଷ ପରେ ପୂର୍ଣ୍ଣତା ପାଏ। ଆଜି ଯେ ସିନ୍ଧୁ, କେବେ ଦିନେ ସେ ସୁଧୁ ବିନ୍ଦୁଟେ ଥିଲା। ଯେଉଁ ସାମାଜିକ ବ୍ୟକ୍ତିତ୍ୱମାନଙ୍କର ସଫଳତା ଆମକୁ ଚକିତ କରେ, ଅନେକ ସମୟରେ ସେମାନଙ୍କର ଧୀର, ସ୍ଥିର ଅଧ୍ୟବସାୟକୁ ଆମେ ଅଣଦେଖା କରୁ। ମୋ- ୯୬୫୮୧୧୦୪୪୭
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଆକସ୍ମିକ ବିଦାୟ ଏବଂ ଅବିଳମ୍ବେ ତାଙ୍କ ସ୍ଥାନରେ ଭୁବନେଶ୍ୱର-ଜନ୍ମିତ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯିବା ଘଟଣା ପଛରେ କିଛି ରହସ୍ୟ ରହିଛି। କାରଣ ଶକ୍ତିକାନ୍ତ ଅତୀତରେ ମୋଦି ସରକାରଙ୍କ ବହୁ ଆସ୍ଫାଳନଭରା ବିମୁଦ୍ରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ତୁଙ୍ଗ ଅଧିକାରୀମାନଙ୍କୁ ଆକସ୍ମିକ ଭାବେ ଅଦଳବଦଳ କରିବା ଏ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ। ପଟେଲଙ୍କ ପୂର୍ବରୁ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଘଟିବାରୁ ରଘୁରାମ ରାଜନ୍‌ଙ୍କୁ ସରକାରଙ୍କ କ୍ରୋଧର ଶରବ୍ୟ ହେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଇସ୍ତଫା...

ବିରଳ ଗଙ୍ଗାଜଳ

ବିରଳ ଗଙ୍ଗାଜଳ

ଡ. ଗୌରୀଶଙ୍କର ସାହୁ

ଗଙ୍ଗାନଦୀ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।  ଏହା ପାପନାଶିନୀ ଓ ମୋକ୍ଷଦାୟିନୀ ବୋଲି ବିଶ୍ୱାସ ରହିଛି। ଲୋକେ ଗଙ୍ଗାନଦୀ ନୁହେଁ ବରଂ ଗଙ୍ଗାମାତା ବୋଲି କହିଥାନ୍ତି। ଏସବୁ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ ଗଙ୍ଗାଜଳ ବିରଳ ଏ ସମ୍ବନ୍ଧରେ ଆଲୋଚନା ଖୁବ୍‌ କମ୍‌ ହୁଏ। ଗଙ୍ଗାଜଳର ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ଗବେଷଣାତ୍ମକ ନିଷ୍କର୍ଷ ମଧ୍ୟ ବହୁତ କମ୍‌ ଲୋକ ଜାଣନ୍ତି, ଯଦିଓ ଆମେ ସମସ୍ତେ ଅନୁଭବ କରୁଛେ ଯେ, ଗଙ୍ଗାଜଳ ବାକି ନଦୀର ଜଳଠାରୁ ଭିନ୍ନ। ସାଧାରଣ ନଦୀ, କୂଅ, ପୋଖରୀର ଜଳକୁ ବୋତଲରେ ବନ୍ଦ କରି ରଖିଲେ କିଛିଦିନ ପରେ ସେଥିରୁ ଦୁର୍ଗନ୍ଧ ବାହାରିବ କିନ୍ତୁ ଗଙ୍ଗାଜଳ ବର୍ଷ ବର୍ଷ ଧରି ସତେଜ ରହିଥାଏ। ତେଣୁ ଘରେ ଗଙ୍ଗାଜଳ ରଖି ଆବଶ୍ୟକ ଅନୁସାରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ, ...

 ପିଲାଙ୍କ ଖେଳ: କାଲି ଓ ଆଜି

ପିଲାଙ୍କ ଖେଳ: କାଲି ଓ ଆଜି

ରୁଦ୍ର ପ୍ରସନ୍ନ ରଥ

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳକୁ ନେଇ ପିଲାମାନେ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଯୋଗ ପାଇଲା ମାନେ ଖେଳିବାକୁ ପଳାଇଯାଆନ୍ତି। କେତେବେଳେ ବାଗୁଡ଼ି ତ ଆଉ କେତେବେଳେ ବୋହୂଚୋରି, ପୁଣି କେତେବେଳେ ଡାଳମାଙ୍କୁଡ଼ି। କିଛି ନ ହେଲେ ଡାବଲପୁଆ ଆଉ କାଚବାଟି ମିଳିଗଲେ ପିଲାଙ୍କୁ ରୋକେ କିଏ? ଗାଁ ସଂସ୍କୃତିରେ କ୍ରିକେଟ ପଶିବାର ବହୁ ପୂର୍ବରୁ ଏ ଖେଳ ସବୁ ଆମ ସଭ୍ୟତା ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇ ରହିଥିଲା। ସ୍କୁଲ ଯିବା ପୂର୍ବରୁ ଖେଳ, ସ୍କୁଲରେ ଭୋଜନ ବିରତିରେ ଖେଳ, ସ୍କୁଲରୁ ଫେରିଲା ପରେ ବହିବସ୍ତାନି ଫୋପାଡି ଦେଇ ସାଙ୍ଗମାନଙ୍କ ସହ ମାତିଯାଇ ଖେଳ। ଏମିତି ହିଁ ପିଲାମାନଙ୍କର ପିଲାଦିନ କଟିଯାଉଥିଲା ତୋଟା ଆଉ ନଦୀପଠାରେ। ପୁଣି ରଜ ଆଦି ପର୍ବପର୍ବା...

ଏଇ ଭାରତରେ

ଏଇ ଭାରତରେ

ଦୂରରେ ଥାଇ ଠକେଇ କରିବା ସହଜ। ଏବେ ଅନଲାଇନ୍‌ ଶପିଂ ଦୂରଠକେଇର ଏକ ପ୍ଲାଟଫର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଠକେଇ ବିଷୟରେ ପ୍ରାୟତଃ କିଛି ଲୋକ ଅବଗତ ଅଛନ୍ତି। ଏହାଦ୍ୱାରା ଜଣେ ଠକାମିର ଶିକାର ହେଲେ ଆଉଥରେ କୌଣସି ଜିନିଷ ମଗାଇବାକୁ ମନ ବଳା...

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...

୫ ଫଳ

୫ ଫଳ

ସମ୍ପାଦକୀୟ/ ତଥାଗତ ସତପଥୀ

ନିକଟରେ ଶେଷ ହୋଇଥିବା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନ ଥିଲା ଏବଂ ଏହାର ଫଳାଫଳରୁ ଯେଉଁ ସୂଚନା ମିଳୁଛି, ତାକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ। କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୬୫ ଲୋକ ସଭା ଆସନ ଥିବାରୁ ଏହା ଭବିଷ୍ୟତ ପାଇଁ ଭାବିବାର ଖୋରାକ ଯୋଗାଉଛି। ଗୋଟିଏ ବଡ଼କଥା ହେଉଛି, ଏହି ରାଜ୍ୟଗୁଡ଼ିକରୁ ୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୩ଟି ଲୋକ ସଭା ଆସନ ଜିତିଥିଲା। ଆଗକୁ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଏହି ଫଳାଫଳରୁ ଜଣାପଡ଼ୁଛି, ସରକାରଙ୍କର ଧନୀ-ସପକ୍ଷବାଦୀ ମନୋଭାବ ଓ ଧନୀ-ସପକ୍ଷବାଦୀ ନୀତି ନିର୍ଦ୍ଧାରଣ କରିବାର ମାନସିକତାକୁ ଜନତା ଗ୍ରହଣ କରୁନାହାନ୍ତି। ଏଥର ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଗ୍ରାମାଞ୍ଚଳ ଲୋକ ଭାଜପା ପ୍ରତି...

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ନାରାୟଣ ପଣ୍ଡା 

ଉତ୍କଳ ପଞ୍ଚସଖାଙ୍କ ମହାପାତ୍ର, ଖୁଣ୍ଟିଆ, ମହାନ୍ତି, ଦାସ ଓ ମୁନି ଇତ୍ୟାଦି ସଂଜ୍ଞା ଥିଲା। ସେମାନେ କିନ୍ତୁ ସମସ୍ତେ ନିଜକୁ ଶୂଦ୍ର ବୋଲି ପରିଚିତ କରାଇଛନ୍ତି। ସନ୍ଥ ଅଚ୍ୟୁତାନନ୍ଦଙ୍କ ଉଦୟ କାହାଣୀ ଗ୍ରନ୍ଥରେ ପଞ୍ଚସଖାମାନଙ୍କର ଜାତି ପ୍ରସଙ୍ଗରେ କୁହାଯାଇଛି, ସେମାନେ ସତ୍ୟଯୁଗରେ ବ୍ରାହ୍ମଣ, ତ୍ରେତୟାରେ କ୍ଷତ୍ରିୟ, ଦ୍ୱାପରରେ ବୈଶ୍ୟ ଓ କଳିଯୁଗରେ ଶୂଦ୍ର। ଭକ୍ତି ଧର୍ମର ବର୍ଣ୍ଣ ହେଉଛି ଶୂଦ୍ର ବର୍ଣ୍ଣ। ସେମାନଙ୍କର ସ୍ବଭାବ ମିଷ୍ଟ, ବିନୟୀ ଓ ସରଳ। ଶୂଦ୍ର ନିଜର ନିର୍ଲିପ୍ତ ସେବା ଦ୍ୱାରା ଈଶ୍ୱର ସାନ୍ନିଧ୍ୟ ଓ ଚତୁର୍ବର୍ଗ ଫଳପ୍ରାପ୍ତ ହୋଇଥାଏ। ପଞ୍ଚଦଶ ଶତାବ୍ଦୀରେ ଜନ୍ମିତ ଉତ୍କଳର ପଞ୍ଚସଖା- ବଳରାମ ଦାସ ୧୪୮୨, ଯଶୋବନ୍ତ ଦାସ ୧୪୮୨, ଅଚ୍ୟୁତାନନ୍ଦ ଦାସ ୧୪୮୫, ଶିଶୁ ଅନନ୍ତ ୧୪୮୫ ଓ ଜଗନ୍ନାଥ ଦାସ ୧୪୯୦- ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅମଳିନ ସ୍ବାକ୍ଷର ରଖି...

ଅସୁରକ୍ଷିତ ଆଶ୍ରମ ଗୃହ

ଅସୁରକ୍ଷିତ ଆଶ୍ରମ ଗୃହ

ପ୍ରୀତିଛନ୍ଦା ଧଳ

ନିକଟରେ ହଇଚଇ ସୃଷ୍ଟି କରିଛି ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା। ‘ହାପି ଆଣ୍ଡ ହୋଲି ହୋମ୍‌’ ନାମକ ଆଶ୍ରମରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନାର କଥା ଶୁଣି ସାଧାରଣ ଜନତାଙ୍କ ଲୋମ ଟାଙ୍କୁରି ଉଠୁଛି। କେତେ ଅସୁରକ୍ଷିତ ଆମର ଆଶ୍ରମ ଉଭୟ ଝିଅ ଓ ପୁଅମାନଙ୍କ ପାଇଁ ଏବେ ଏଠାରେ ଏକ ବଡ଼ ପ୍ରଶ୍ନ। ପ୍ରକୃତରେ ଦେଖିବାକୁ ଗଲେ ଲାଜ ଲାଗେ ଯେ ଏତେସବୁ ହୋଇଥାଏ ଆଶ୍ରମ ଗୃହରେ କିନ୍ତୁ ଆମର ପ୍ରଶାସନ ପାଖରେ କିଛି ଖବର ନ ଥାଏ। ଏହାର ଉତ୍ତର କିଏ ଦେବ ଏବଂ ଏହାର ଗୁରୁଦାୟିତ୍ୱ କାହାର? ...

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହାକୁ ସ୍ଥାନୀୟ ଲୋକେ ମାନି ଚଳିଥାଆନ୍ତି। ପରମ୍ପରାକୁ ଅମାନ୍ୟ କଲେ ଅମଙ୍ଗଳ ହୁଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ତେଣୁ ସେଠାରେ ପ୍ରଥା-ପରମ୍ପରାକୁ ମାନି ଲୋକେ ଜୀବନଯାପନ କରନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ଏପରି ଏକ ନିଆରା ପରମ୍ପରା ରହିଛି ଯାହା ଅବିଶ୍ୱାସ ଲାଗିଲେ ମଧ୍ୟ ସତ। ଏହି ଦୁଇ ରାଜ୍ୟରେ ବାସ କରୁଥିବା ଗୋଣ୍ଡ ଜନଜାତିର ଲୋକମାନେ ଏହି ଅଜବ ପରମ୍ପରାକୁ ମାନିଥାଆନ୍ତି। ଉକ୍ତ ଜନଜାତିରେ ବିବାହ ପୂର୍ବରୁ ବରକୁ ରକ୍ତପାନ କରିବାକୁ ପଡିଥାଏ। ଏଥିପାଇଁ ବରକୁ ଘୁଷୁରି ମାରିବାକୁ ଦିଆଯାଏ। ପରେ ବ...