ରାଜ୍ୟସ୍ତରୀୟ ଗୋଲାପ ଫୁଲ ପ୍ରଦର୍ଶନୀ: ଦେଖିବାକୁ ମିଳିଲା ୨୬୦ ପ୍ରଜାତି ଗୋଲାପ

ରାଜ୍ୟସ୍ତରୀୟ ଗୋଲାପ ଫୁଲ ପ୍ରଦର୍ଶନୀ: ଦେଖିବାକୁ ମିଳିଲା ୨୬୦ ପ୍ରଜାତି ଗୋଲାପ

ଭୁବନେଶ୍ୱର, ୧୪।୨(ବ୍ୟୁରୋ)- ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ଦେଖିବାକୁ ମିଳିଥିବା ୨୬୦ ପ୍ରଜାତିର ଗୋଲାପ ଫୁଲ। ସାଧାରଣ ଗୋଲାପକୁ ଛାଡ଼ି ଡବଲ ଡିଲାଇଟ୍‌, ଏଡି ମିଚାଲ, ମୁନ୍‌ଷ୍ଟୋନ୍‌, ଇମ୍ପରାସାଇଟ୍‌ ଫାରହ ଆଦି ପ୍ରଜାତି ଗୋଲାପର ସମ୍ଭାର ବେଶ ଆକର୍ଷଣୀୟ ହୋଇଥିଲା। ଦର୍ଶକମାନେ ଫୁଲଗୁଡ଼ିକୁ ବୁଲି ଦେଖିବା ସହ ଏହାର ଚାଷ ପ୍ରଣାଳୀ ବିଷୟରେ ପଚାରି ବୁଝିଥିଲେ। ଏଭଳି ଅବସର ଆଣିଦେଇଥିଲା ବୁଧବାର ଓୟୁଏଟିସ୍ଥିତ ବାୟୋଟେକ୍ନୋଲୋଜି ଓ ଟିସୁ କଲ୍‌ଚର ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଲାପ ଫୁଲ ପ୍ରଦର୍ଶନୀ। ଓଡ଼ିଶାରେ ଗୋଲାପ ଫୁଲ ଚାଷ ବୃଦ୍ଧି ନିମନ୍ତେ ଓୟୁଏଟି ଉଦ୍ୟାନ ବିଭାଗର ପୁଷ୍ପ ବିଭାଗ, ଓଡ଼ିଶା ହର୍ଟିକଲ୍‌ଚରାଲ ସୋସାଇଟି, ଓଡ଼ିଶା ଗୋଲାପ ଫୁଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଏଭଳି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧ହଜାର ଗୋଲାପ ଫୁଲ ପ୍ରଦର୍ଶିତ ହୋଇଥିଲାବେଳେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ଡବଲ ଡିଲାଇଟ୍‌ ଗୋଲାପ ଫୁଲ। କାରଣ ଏହି ଫୁଲଟି ବିଶ୍ୱର ସବୁଠାରୁ ଭଲ ଗୋଲାପ ଭାବେ ଜଣାଶୁଣା। ଏହା ଦେଖିବା ପାଇଁ ଯେତିକି ସୁନ୍ଦର ତା’ର ବାସ୍ନା ମଧ୍ୟ ସେତିକି ଆକର୍ଷଣୀୟ। ପ୍ରଦର୍ଶନୀରେ ଫୁଲ ଚାଷୀଙ୍କ ସମେତ ଗୋଲାପପ୍ରେମୀଙ୍କୁ ମିଶାଇ ପ୍ରାୟ ୧୦୪ ଜଣ ଅଂଶଗ୍ରହଣ କରିଥିଲେ।
ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶାରେ ଗୋଲାପ ଫୁଲର ଚାହିଦାକୁ ନେଇ ବୈଜ୍ଞାନିକ ପ୍ରଣାଳୀରେ ଏହାର ଚାଷ କରାଯିବା ଉଚିତ ବୋଲି କୁଳପତି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍‌ ନମିତା ପଶୁପାଳକ ଯୋଗଦେଇ ଗୋଲାପ ଫୁଲ କିଭଳି ଭଲ ଚାଷ ହୋଇପାରିବ ସେଥିପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ଉଚିତ ବୋଲି କହିଥିଲେ। ଓୟୁଏଟି କୃଷି ମହାବିଦ୍ୟାଳୟର ଡିନ୍‌ ଡ. ଲଳିତ ମୋହନ ପଟ୍ଟନାୟକ, କୃଷି ସମ୍ପ୍ରସାରଣ ଡିନ୍‌ ଡ. ପ୍ରଭାତ କୁମାର ରାଉଳ, କୃଷି ଗବେଷଣା ଡିନ୍‌ ଡ. ପ୍ରେମ୍‌ ନାରାୟଣ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ। ସୋସାଇଟିର ଉପସଭାପତି ଡ. ତୁଷାରକାନ୍ତି ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସଭାପତି ଡ. ମୀନକେତନ ଜେନା, ଫୁଲ ବିଶେଷଜ୍ଞ ଡ. ତ୍ରିନାଥ ମହାରଣା ଗୋଲାପ ଫୁଲ ଚାଷ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଏକ ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପୂର୍ବତନ କୁଳପତି ପ୍ରଫେସର ଦେବୀ ପ୍ରସାଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଡ. ପ୍ରଭୁ ଚରଣ ଲେଙ୍କା, ପୂର୍ବତନ ନିର୍ଦ୍ଦେଶକ ଡ. ସୂର୍ଯ୍ୟ ନାରାୟଣ ବେହେରା, ଡ. ସୁଦର୍ଶନ ପଣ୍ଡାଙ୍କ ସମେତ ଅନେକ ଫୁଲ ବିଶେଷଜ୍ଞ ଯୋଗଦେଇଥିଲେ। ଓଡ଼ିଶାରେ ୧୯୯୩ରେ ୭କୋଟି ଟଙ୍କାର ଗୋଲାପ ଫୁଲ ବ୍ୟବସାୟ ହୋଇଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇଛି। ରାଜ୍ୟର ଦାରିଙ୍ଗବାଡ଼ି, କେନ୍ଦୁଝର, ପୁରୀ, ଜଗତ୍‌ସିଂହପୁର, ଢେଙ୍କାନାଳ, ଚୌଦ୍ୱାର, ଟାଙ୍ଗୀ ଇତ୍ୟାଦି ଅଞ୍ଚଳରେ ୨୦୧୭ରେ ୫୦କୋଟି ଟଙ୍କାର ବ୍ୟବସାୟ ହୋଇଛି ବୋଲି ପ୍ରଦର୍ଶନୀରେ ମତପ୍ରକାଶ ପାଇଛି। ଶେଷରେ ଟିସୁ କଲ୍‌ଚର ବିଭାଗୀୟ ମୁଖ୍ୟ ତଥା ନିର୍ଦ୍ଦେଶକ ପ୍ରଫେସର ଶଶୀକଳା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।

All Right Reserved By
I&PR

Model This Week

ସନ୍ତୋଷ