Dharitri News
ସମ୍ପାଦକୀୟ |

ହଜିଯିବ ବୋଉ ଡାକ

ହଜିଯିବ ବୋଉ ଡାକ ଅଲେଖଚନ୍ଦ୍ର ମିଶ୍ର/ ନିଜର ସ୍ବାସ୍ଥ୍ୟକୁ ହେୟଜ୍ଞାନ କରି ଯିଏ ସନ୍ତାନକୁ କ୍ଷୀରପାନ କରାଏ, ଧୂଳିଧୂସରିତ ଦେହକୁ ନିଜର ପଣତକାନିରେ ଝାଡିଝୁଡି କୋଳକୁ ଟେକିନିଏ, ଖାଇବା ପାଇଁ ଅଝଟ କଲେ କୁଆ, ଚଢେଇଙ୍କୁ ଦେଖେଇ, ମାମୁର ବାଣ୍ଟେ, ଆଈର ବାଣ୍ଟେ କହି ଖୋଇଦିଏ, ନାନାବାୟା ଗୀତ ଗାଇ କୋଳରେ ଶୋଇପକାଏ, ଦେହ ଅସୁସ୍ଥ ହେଲେ ରାତିଦିନ ପାଖରେ ଜଗି ବସିଥାଏ, ସନ୍ତାନର ଆଖିରୁ ଲୁହ ବୋହିଲେ ଯାହା ଆଖିରୁ ଲହୁ ଶୁଖେନା, ଘଡିଏ ଅନ୍ତର ହେଲେ ଯାହାକୁ ଯୁଗଟିଏ ପରି ଲାଗେ ସିଏ ବୋଉ। ବୋଉ ଗାଉଁଲି, ଆଲୁରି, ଅପାଠୋଇ ବା ଅଧାପାଠୋଇ। କିନ୍ତୁ ତା’ର ବ୍ୟାବହାରିକ ଜ୍ଞାନ ଓ ସାଂସାରିକ ଅଭିଜ୍ଞତା ଏତେ ପ୍ରଖର ଯେ ସେ ତା’ର ସନ୍ତାନକୁ ଠିକ୍‌ ଭାବରେ ଗଢିତୋଳେ। ତା’ର ମାୟାମମତା, ସ୍ନେହଶ୍ରଦ୍ଧାର ବନ୍ଧନ ଏତେ ଦୃଢ ଯେ ତାକୁ ଏଡେଇ ସନ୍ତାନଟିଏ ସହଜରେ ବିପଥଗାମୀ ହୋଇପାରେନା। ଯେତେବଡ ହେଲେ କିମ୍ବା ଯେତେ ଦୂରରେ ଥିଲେ ବି ବୋଉକୁ ଭୁଲିଯିବାକୁ ବିବେକ ବାଧା ଦିଏ। ଯଦି କେହି ଭୁଲିଯାଏ ମଝିରେ ମଝିରେ ବୋଉର ସ୍ମୃତି ତାକୁ ବ୍ୟଥିତ କରେ ଏବଂ ଅନୁତାପ କରିବାକୁ ବାଧ୍ୟ କରେ। ମାତ୍ର ଗଭୀର ପରିତାପର ବିଷୟ, ବୋଉର ସତ୍ତା କ୍ରମେ ହଜି ହଜି ଯାଉଛି। ପରିବର୍ତ୍ତିତ ସ୍ଥିତିରେ ବୋଉର ସଂସ୍କୃତି ଆଜି ଅଲୋଡା ହୋଇପଡୁଛି ଏବଂ ତା’ର ସ୍ଥାନ ନେଉଛି ମମି, ମମ୍‌ର ଛିନ୍ନମୂଳ ସଂସ୍କୃତି। ମମି ଶିକ୍ଷିତା, ସ୍ବୟଂସମ୍ପନ୍ନା। ଅନ୍ତର ଭିତରେ ସନ୍ତାନ ପ୍ରତି ଅନାବିଳ ସ୍ନେହ ଥିଲେ ବି ଗଭୀର ଦାୟିତ୍ୱବୋଧ, ଶୃଙ୍ଖଳା ଓ ଅନୁଶାସନର କଠୋରତା ଭିତରେ ତାହା ଗୌଣ ପାଲଟିଯାଉଛି। କଠିନ ପ୍ରତିଯୋଗିତାମୂଳକ ପରିସ୍ଥିତିରେ ନିଜର ସନ୍ତାନକୁ ପ୍ରତିଷ୍ଠିତ କରାଇବାର ସ୍ବପ୍ନରେ ବିଭୋର ହୋଇ ସେ ଅନ୍ୟ ସମସ୍ତ କଥା ପ୍ରତି ଆଖିବୁଜି ଦେଉଛି। ଜନ୍ମରୁ ବୋତଲ କ୍ଷୀର, ରେଡିମେଡ୍‌ ଖାଦ୍ୟ ଶିଶୁଟିର ସାହାରା। ଶୈଶବ ଆୟା, ଚାକରାଣୀ, ଧାଈ ଅଥବା କ୍ରେସ୍‌ର ହେପାଜତରେ, କୈଶୋର ବୋର୍ଡିଂ ସ୍କୁଲରେ ଏବଂ ରେସିଡେନ୍ସିଆଲ କଲେଜରେ ଏବଂ ଯୌବନ ସୁଦୂର କର୍ମକ୍ଷେତ୍ରରେ ବିତାଉଥିବା ସନ୍ତାନଟିର ଜୀବନ ପାରିବାରିକ ମାୟାମମତାର ବନ୍ଧନରୁ ଦୂରେଇଯାଇ ନିରସ, ଶୁଷ୍କ ପାଲଟିଯାଉଛି। ବେଳେବେଳେ ତା’ର ମନ ବିଦ୍ରୋହ କରିଉଠୁଛି ଯାହାର ପରିଣାମ ଭୟଙ୍କର ହେଉଛି। ସମ୍ପ୍ରତି ଏଭଳି ଏକ ଘଟଣା ବମ୍ବେରେ ଘଟିଥିଲା, ଯାହା ଖବରକାଗଜରେ ପ୍ରକାଶିତ ହୋଇଥିଲା। ପୋଲିସ ଅଫିସର ଜ୍ଞାନେଶ୍ୱର ଗ୍ୟାନୋର, ପତ୍ନୀ ଦୀପାଳି ଗ୍ୟାନୋର ଓ ଏକମାତ୍ର ପୁତ୍ର ସିଦ୍ଧାନ୍ତ ଗ୍ୟାନୋରଙ୍କୁ ନେଇ ଘଟଣାଟି। ଦୀପାଳି ସିଦ୍ଧାନ୍ତକୁ ଏପରି କଡ଼ା ଅନୁଶାସନରେ ରଖିଥିଲେ ଯେ ସିଦ୍ଧାନ୍ତ ଅଣନିଃଶ୍ୱାସୀ ହୋଇପଡୁଥିଲା। ଦଶମ ଶ୍ରେଣୀ ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ପୁଅକୁ ଭର୍ତ୍ସନା କରି ଦଣ୍ଡିତ କରିଥିଲେ। ଉଚ୍ଚଶିକ୍ଷା ପାଇଁ ପୁଅକୁ କିଛି ନ ପଚାରି ନିଜେ ନିଷ୍ପତ୍ତି ନେଲେ ଏବଂ ପୁଅର ଇଚ୍ଛା ବିରୁଦ୍ଧରେ ଇଞ୍ଜିନିୟରିଂ ପଢେଇଲେ ଯେଉଁଥିରେ ସେ ଅକୃତକାର୍ଯ୍ୟ ହେଲା। ମାନସିକ ଭାରସାମ୍ୟ ହରେଇ ଶେଷରେ ସେ ନିଜର ମାଆ (ଦୀପାଳି)କୁ ହତ୍ୟା କଲା ଏବଂ ପୋଲିସ ନିକଟରେ ମାନିଗଲା ଯେ ଦୀପାଳିଙ୍କର ସେ ସନ୍ତାନ ନୁହେଁ ବରଂ କ୍ରୀତଦାସ ଥିଲା। ବୋଉର ସନ୍ତାନମାନେ ସ୍ବସ୍ବ କ୍ଷେତ୍ରରେ ପ୍ରତିଷ୍ଠିତ ମଣିଷ। କିନ୍ତୁ ଏବର ସନ୍ତାନମାନେ ପ୍ରତିଷ୍ଠିତ ହେଲେ ବି ଖୁବ୍‌ କମ୍‌ ଲୋକଙ୍କ ପାଖରେ ମଣିଷପଣିଆ ରହୁଛି। ବୋଉ ସମ୍ବୋଧନରେ ଯେଉଁ ନିବିଡତା ଜଡିତ, ସେହି ଶବ୍ଦ ଲୋପ ପାଇବା ସହିତ ତହିଁରେ ନିହିତ ବାତ୍ସଲ୍ୟ ମଧ୍ୟ ଲୋପ ପାଉଛି। ଜାତୀୟ ଭାଷା ଅନୁଷ୍ଠାନର ରିପୋର୍ଟ ମୁତାବକ (ଇଣ୍ଡିଆନ ଲିଙ୍ଗୁଇଷ୍ଟିକ୍‌ ସର୍ଭେ ୨୦୧୭) ୨୦୫୦ ମସିହା ବେଳକୁ ବିଭିନ୍ନ ଭାରତୀୟ ଭାଷାରେ ଏତାଦୃଶ ପ୍ରାୟ ୪୦୦ ଶବ୍ଦ ଲୋପ ପାଇଯିବ। ଏଭଳି ଦୁର୍ଗତିର ସମ୍ମୁଖୀନ ହେବା ପୂର୍ବରୁ ପାରିବାରିକ ସ୍ତରରେ ବୋଉ ଶବ୍ଦର ବ୍ୟବହାରକୁ କାଏମ୍‌ ରଖିଲେ କ୍ଷତି କ’ଣ? ଖୁସିର କଥା କିଛି ଉତ୍ସାହୀ ଯୁବକ ‘ବୋଉ କ୍ଲବ୍‌’ ଗଠନ କରି ହତାଶାର ଅନ୍ଧକାର ଭିତରେ ଆଶାଲୋକର ରେଖାପାତ କରୁଛନ୍ତି। ଏପରି ଉଦ୍ୟମ ଦୀର୍ଘାୟୁ ହେଉ। (ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ- ୯୪୩୮୬୭୩୮୯୮)

ସମ୍ପାଦକୀୟ |

ସମ୍ପାଦକୀୟ/ ଅନିୟନ୍ତ୍ରିତ ଜନସଂଖ୍ୟା

ସମ୍ପାଦକୀୟ/ ଅନିୟନ୍ତ୍ରିତ ଜନସଂଖ୍ୟା

ଏକ ଆକଳନରୁ ଜଣାପଡ଼ିଛି ଯେ ୨୦୨୨ ସୁଦ୍ଧା ଭାରତର ଜନସଂଖ୍ୟା ୧୫୦ କୋଟିକୁ ଟପିଯିବ। ଦେଶରେ ୨ ସନ୍ତାନ ନୀତି ଠିକ୍‌ ଭାବେ ଅନୁସରଣ କରାଯାଇପାରୁ ନ ଥିବାରୁ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ସୁପ୍ରିମକୋର୍ଟରେ ୩ଟି ପୃଥକ୍‌ ଆବେଦନ କରାଯାଇଛି। ଦେଶରେ ୨ ସନ୍ତାନ ନୀତି ସୁନିଶ୍ଚିତ କରିବା ସକାଶେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଉକ୍ତ ଆବେଦନଗୁଡ଼ିକରେ ଦର୍ଶାଯାଇଛି। ଏହି ନୀତିକୁ ପାଳନ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବା ବା ମାନୁ ନ ଥିବା ନାଗରିକଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ସୃଷ୍ଟି କରାଗଲେ ଜନସଂଖ୍ୟା ବିସ୍ଫୋରଣ ରୋକାଯାଇପାରିବ ବୋଲି ଆବେଦନକାରୀ ଆଶା ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହରେ ଏ ସଂକ୍ରାନ୍ତରେ ଶୁଣାଣି ହେବାକୁ ଥିବାରୁ ଜନସଂଖ୍ୟା ବୃଦ୍ଧି ପ୍ରସଙ୍ଗ ପୁଣି ଆଲୋଚନାର ବିଷୟ ପାଲଟିଛି। ଦେଶର ଆୟତନ ସମାନ ରହିଥିବା ବେଳେ ଲୋକସଂଖ୍ୟା ବୃଦ୍ଧି ପାଇଚାଲିଛି। ଫଳରେ ରହିବା ପାଇଁ ସ୍ଥାନାଭାବ ଦେଖାଦେଲାଣି। ସେହିପରି ଜମି, ଜଳ ଓ ଖାଦ୍ୟ ଭଳି ସମ୍ପଦ ସୀମିତ ଥିବାରୁ ଢେର ଲୋକ ଚାହିଦା ମେଣ୍ଟାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ସ୍ତରକୁ ଆସିଗଲେଣି। ଅନୁରୂପ ଭାବେ ଜନସଂଖ୍ୟା ବୃଦ୍ଧି ସହ ତାଳଦେଇ ବେକାରି, ଅଶିକ୍ଷା, ଦୁର୍ବଳ ସ୍ବାସ୍ଥ୍ୟ, ଦାରିଦ୍ର୍ୟ, ପ୍ରଦୂଷଣ ଏବଂ ବିଶ୍ୱତାପନ ଭଳି ସମସ୍ୟା ପ୍ରବଳମାତ୍ରାରେ ବଢ଼ି ଚାଲିଛି। ୧୯୫୧ ମସିହାରେ ଦେଶର ଜନସଂଖ୍ୟା ୩୬ କୋଟି ଏକ ଲକ୍ଷ ଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ଏହା ୧୨୧ କୋଟିରୁ ଅଧିକ ହୋଇଥିଲା। ତେବେ ବେସରକାରୀ ଆକଳନ ଅନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ଦେଶର ଲୋକସଂଖ୍ୟା ୧୩୦ କୋଟି ଟପିଗଲାଣି। ୨୦୧୮ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ ଲୋକେ ପୁତ୍ର ସନ୍ତାନଟିଏ ପାଇବା ଆଶାରେ ଝିଅ ଜନ୍ମ କରିଚାଲିଛନ୍ତି। ଫଳରେ ୨ କୋଟି ୧ ଲକ୍ଷ ଅଲୋଡ଼ା କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି। ଇରାନ୍‌ ଭଳି ମୁସଲିମ୍‌ ରାଷ୍ଟ୍ର ୧୯୯୦ରୁ ଦୁଇ ସନ୍ତାନ ନୀତି ଆପଣାଇ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଉଦାହରଣ ସୃଷ୍ଟି କଲାଣି। ଲୋକସଂଖ୍ୟା ଦୃଷ୍ଟିରୁ ବିଶ୍ୱର ପ୍ରଥମ ସ୍ଥାନରେ ଥିବା ଚାଇନା ଏକ ସନ୍ତାନ ନୀତି ହଟାଇବା ପରେ ୨୦୧୬ ତୁଳନାରେ ୨୦୧୭ରେ ସେଠାରେ ୬ ଲକ୍ଷ ୩୦ ହଜାର ଶିଶୁ କମ୍‌ ଜନ୍ମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜନସଂଖ୍ୟା ହ୍ରାସ ପାଇଁ ଚାଇନା ୧୯୭୯ରେ ଏକ ସନ୍ତାନ ନୀତି କଠୋର ଭାବେ କାର୍ଯ୍ୟକାରୀ କରିଥିଲା। ତେବେ ଇତିହାସ ଦେଖିଲେ ଭାରତ ହେଉଛି ବିଶ୍ୱର ପ୍ରଥମ ରାଷ୍ଟ୍ର ଯିଏ ୧୯୫୨ରେ ପରିବାର ନିୟୋଜନ ଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲା। କିନ୍ତୁ ଦେଶର ଜନସଂଖ୍ୟା ଯେଭଳି ବୃଦ୍ଧି ପାଇବାରେ ଲାଗିଛି ତାହା ୨୦୨୮ ସୁଦ୍ଧା ଚାଇନାକୁ ଟପିଯିବାର ସବୁ ଲକ୍ଷଣ ଦେଖାଦେଲାଣି। ,...

ଭାଷା ପ୍ରଦୂଷଣ ଓ ମଦ୍ୟ

ଭାଷା ପ୍ରଦୂଷଣ ଓ ମଦ୍ୟ

ବୈକୁଣ୍ଠନାଥ ମିଶ୍ର/ ଆଜିର ସମାଜ ଏକ ବିସ୍ମୟକର ପରିସ୍ଥିତି ଦେଇ ଗତି କରୁଛି। ନା ଅଛି ଶୃଙ୍ଖଳା ନା ଅଛି ଗୁରୁଗୁରୁଜନଙ୍କ ପ୍ରତି ସମ୍ମାନବୋଧ। ଏକ ଅରୁଚିକର ଓ ଅପାଂକ୍ତେୟ ଜୀବନଚର୍ଯ୍ୟାରେ ସର୍ବେ ନିମଜ୍ଜିତ। ହୃଦୟରେ ଭକ୍ତି ନାହିଁ, ମନରେ ଶାନ୍ତି ନାହିଁ, ବ୍ୟବହାରରେ ଶାଳୀନତା ନାହିଁ କିମ୍ବା ଭାଷାରେ ସଂଯମ ନାହିଁ। ତୁଣ୍ଡ ଖୋଲିଲେ ଅମାର୍ଜିତ ଭାଷା ଯେଉଁଥିରେ ମାତା, ଭଗିନୀଙ୍କ ମର୍ଯ୍ୟାଦାକୁ କାଳିମାମୟ କରିବାର ପ୍ରୟାସ। ପଲ୍ଲୀରୁ ସହର ପର୍ଯ୍ୟନ୍ତ ସବୁଠାରେ ଅଶ୍ରାବ୍ୟ ଭାଷା କଥନ ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ ହେଲାଣି। ବୟସ୍କଙ୍କୁ ସମ୍ମାନ, ତାଙ୍କ ପ୍ରତି ବିନୟଭାବ ଆଜି ଦୁଷ୍ପ୍ରାପ୍ୟ। ମହିଳାମାନେ ରାସ୍ତାରେ ଯିବାବେଳେ ତାଙ୍କ ପ୍ରତି କୁତ୍ସିତ ଇଙ୍ଗିତ ତଥା କୁଭାଷା ପ୍ରୟୋଗ ତାଙ୍କୁ ଅଣନିଃଶ୍ୱାସୀ କରିଦେଲାଣି। ଭାଷାକୁ ଅସଭ୍ୟତାର ରୂପ ଦେବା ଆଜିର ଯୁବଗୋଷ୍ଠୀର ଏକ ଆଧୁନିକ ରୁଚି। କେବଳ ଯୁବଗୋଷ୍ଠୀ କାହିଁକି ସମଗ୍ର ସମାଜ ଆଜି କୁଭାଷାର କରାଳ କବଳରେ କବଳିତ। ଭାଷାକୁ ସରସ୍ବତୀଙ୍କର ପ୍ରତିକୃତି କୁହାଯାଏ। ସରସ୍ବତୀଙ୍କ ଅନ୍ୟ ନାମ ହେଉଛି ‘ଭାଷା’ (ବ୍ରାହ୍ମୀ ତୁ ଭାରତୀ ଭାଷା ଗୀର୍ବାଗ୍‌ବାଣୀ ସରସ୍ବତୀ- ଅମରକୋଷ)। ମୂର୍ଖଟିଏ ବାଣୀ ଆରାଧନା କରି ପାଣ୍ଡିତ୍ୟଲାଭ କରିବା ଉତ୍କଳର ଅନ୍ୟତମ ବିଶେଷତ୍ୱ। ଚଷାପୁଅ ସିଦ୍ଧେଶ୍ୱରଙ୍କର ଶିକ୍ଷାଗତ ଯୋଗ୍ୟତା ନ ଥାଇ ମଧ୍ୟ ବାଣୀରୂପୀ ଶାରଳାଙ୍କ କୃପାରୁ ହେଲେ ମହାଜ୍ଞାନୀ ଶୂଦ୍ରମୁନି ଶାରଳାଦାସ, ଯାହାଙ୍କ ଲେଖନୀରୁ ନିଃସୃତ ହେଲା ଓଡିଆ ମହାଭାରତ ସମେତ ବହୁ ମୂଲ୍ୟବାନ ଗ୍ରନ୍ଥ। ତାଙ୍କ ରଚିତ ମହାଭାରତରେ ଅନେକ ସ୍ଥାନରେ ସେ ସ୍ବୀକାର କରି କହିଛନ୍ତି- ”ଜନ୍ମରୁ ମୂରୁଖ ମୁହିଁ ନାହିଁ ଶାସ୍ତ୍ରଜ୍ଞାନ, ତୁ ଯାହା କହୁ ମୁଁ ତା’ କରଇ ଲିଖନ।“ ଆଜି ଆମେ ଶିକ୍ଷିତ ହୋଇଛୁ। ଜ୍ଞାନୀ ବୋଲି ଗର୍ବ କରୁଛୁ। କିନ୍ତୁ ଭାଷାକୁ କୁରୁଚିପୂର୍ଣ୍ଣ କରିବାରେ ଆମେ ବେଶ୍‌ ପାରଙ୍ଗମ। ଏକଦା ଭାଷା ସାହିତ୍ୟରେ ସମୃଦ୍ଧ ଉତ୍କଳଜନନୀ ଆଜି ତା’ ସନ୍ତାନ ପ୍ରତି ବିମୁଖ। ଜଳ, ବାୟୁ ଓ ଶବ୍ଦ ପରି ଭାଷା ଆଜି ପ୍ରଦୂଷିତ। ପରିବେଶ ପ୍ରଦୂଷଣକୁ ନେଇ ଆମେ ଯେତେ ଚିନ୍ତିତ, ଭାଷା ପ୍ରଦୂଷଣ ପ୍ରତି ଆମର ସାମାନ୍ୟତମ ଶୋଚନା ନାହିଁ। ଭାଷାରେ ମାତୃ ଅପମାନ ମା’ ପାଇଁ ଅସହ୍ୟ। ଲକ୍ଷ୍ମୀଙ୍କର ଅନେକ ନାମ ଭିତରୁ ଗୋଟିଏ ହେଉଛି ମା (ଲକ୍ଷ୍ମୀଃ ପଦ୍ମାଳୟା ପଦ୍ମା କମଳା ଶ୍ରୀର୍ହରିପ୍ରିୟା। ଇନ୍ଦିରା ଲୋକମାତା ମା କ୍ଷୀରାବ୍ଧିତନୟା ରମା। ଭାର୍ଗବୀ ଲୋକଜନନୀ କ୍ଷୀରସାଗରକନ୍ୟକା।ା- ଅମରକୋଷ)। କଳଙ୍କିତ ଭାଷା, ସେଥିରେ ପୁଣି ମା’ର ଅପମାନ ଉତ୍କଳ ପାଇଁ ଘୋର ଦୁର୍ଦ୍ଦିନକୁ ଆମନ୍ତ୍ରଣ କରିଛି। ଫଳରେ ଉଭୟ ସରସ୍ବତୀ ଓ ଲକ୍ଷ୍ମୀଙ୍କର କରୁଣାରେ ଭଟ୍ଟା ପଡିଛି। ଉତ୍କଳରେ ଆଜି ସରସ୍ବତୀଙ୍କର ବୀଣା ଝଙ୍କୃତ ହେଉନାହିଁ କିମ୍ବା ଲକ୍ଷ୍ମୀଙ୍କର ଶତଦଳ ପ୍ରସ୍ଫୁଟିତ ହେଉନାହିଁ। ଉଭୟତଃ ଆମେ ଦରିଦ୍ର। ଭାଷା ପ୍ରଦୂଷଣର ମୂଳଉତ୍ସ ମଦ୍ୟପାନ। ମଦ ଢୋକେ ଉଦରସ୍ଥ କରିଦେଲେ ପ୍ରଦୂଷିତ ଭାଷାଗୁଡିକ ଆପେ ଆପେ ବହିର୍ନିର୍ଗତ ହୁଅନ୍ତି। ନିଶା ସେବନ ଓ ପ୍ରଦୂଷିତ ଭାଷା କଥନ ସତେଯେପରି ଆମ ପୌରୁଷର ସ୍ବାକ୍ଷର ବହନ କରନ୍ତି। ମଦକୁ ମଣିଷ ପିଏନାହିଁ, ବରଂ ମଣିଷକୁ ମଦ ପିଇଥାଏ। ଏକଥା ଜାଣି ମଧ୍ୟ ମଦ୍ୟପଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଏକ ସର୍ବେକ୍ଷଣ ଅନୁସାରେ ୨୦୧୦-୧୧ ସୁଦ୍ଧା ମଦ୍ୟପାନ କରୁଥିବା ବ୍ୟକ୍ତିର ସର୍ବନିମ୍ନ ବୟସ ୧୬ ଥିବାବେଳେ ୨୦୧୬-୧୭ରେ ଏହି ବୟସ ସୀମା ୧୨କୁ ଖସିଆସିଛି। ସରକାର ମଧ୍ୟ ମଦ ବିକ୍ରିକୁ ପରୋକ୍ଷ ପ୍ରୋତ୍ସାହନ ଦେଇଆସୁଛନ୍ତି। ଏହା ରାଜସ୍ବ ଆୟର ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ବିବେଚନା କରାଯାଉଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଆମ ରାଜ୍ୟରେ ୨୦୦୦-୨୦୦୧ରେ ମଦ ବିକ୍ରିଜନିତ ରାଜସ୍ବ ଆୟ ୧୧୪.୮୨ କୋଟି ଟଙ୍କା ଥିବାବେଳେ ୨୦୦୪-୦୫ରେ ଏହା ୩୦୬.୨୧ କୋଟି, ୨୦୦୯-୧୦ରେ ଏହା ୮୪୮.୯୭ କୋଟି, ୨୦୧୩-୧୪ ବେଳକୁ ଏହା ବୃଦ୍ଧି ପାଇ ୧୭୮୦.୨୯ କୋଟି ଏବଂ ୨୦୧୫-୧୬ରେ ଏହା ୨୫୦୦ କୋଟି ଟଙ୍କାକୁ ଟପିଗଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୩ ହଜାର କୋଟି ଟପିବ ବୋଲି ଆକଳନ କରାଯାଇଛି। ମଦ ଦୋକାନ ସଂଖ୍ୟା ୨୦୦୪-୦୫ରେ ୬୫୬ ଥିବାବେଳେ ୨୦୦୯-୧୦ରେ ଏହା ୧୧୦୦ ଓ ୨୦୧୩-୧୪ରେ ଏହି ସଂଖ୍ୟା ୧୧୬୩ରେ ପହଞ୍ଚିଛି। ପୂର୍ବେ ସହରାଞ୍ଚଳରେ ଅଧିକ ଲୋକ ମଦ୍ୟପାନ କରୁଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳକୁ ଏହା ଦ୍ରୁତ ସମ୍ପ୍ରସାରିତ ହେବାରେ ଲାଗିଛି। ଆଉ ଏକ ସର୍ଭେ ଅନୁସାରେ ବିଶ୍ୱରେ ହାରାହାରି ବାର୍ଷିକ ମୁଣ୍ଡପିଛା ମଦ୍ୟପାନର ପରିମାଣ ୧୦ ଲିଟର ଥିବାବେଳେ ଭାରତରେ ଏହି ପରିମାଣ ୨୮.୭ ଲିଟର। ଓଡିଶାରେ ଏହା ୨୦ ଲିଟରରୁ ଅଧିକ। ...

ବଦଳୁଛି ଆଭିମୁଖ୍ୟ

ବଦଳୁଛି ଆଭିମୁଖ୍ୟ

ଅଲେଖ ଚନ୍ଦ୍ର ମିଶ୍ର/ ପିଲାଟିଏ ସ୍କଲରୁ ଫେରି ଘରେ ତାଲା ପଡିଥିବା ଦେଖିଲେ ତା’ର ମାନସିକ ଅବସ୍ଥା ଯାହାହୁଏ ତା’ସହିତ ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ମା’ର ସୁମଧୁର ସମ୍ଭାଷଣକୁ ତୁଳନା କଲେ ଉଭୟ ମଧ୍ୟରେ ଯେଉଁ ଭାବଗତ ତାରତମ୍ୟ ପରିଲକ୍ଷିତ ହୁଏ ତାହା କେବଳ ଅଙ୍ଗେନିଭା କଥା। ସେହିପରି ଅଫିସରୁ ଅଥବା ହାଟ ବଜାରରୁ ଫେରିବା ବେଳକୁ ଶୂନ୍ୟ ଗୃହର ଅବସ୍ଥା ସହିତ ଅପେକ୍ଷାରତା ମହିଳାଟିଏର ହସ ହସ ମୁହଁକୁ ତଉଲିଲେ ମନ ଉପରେ ଯେଉଁ ପ୍ରଭାବ ପଡେ ତାହା ଅନୁଭବର କଥା। ପରସ୍ପର ବିରୋଧାଭାସର ପ୍ରତୀକ ଏହି ଉଭୟ ପ୍ରକାରର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏ ଦୁଇଟି ମଧ୍ୟରେ ଯିଏ ଏକମାତ୍ର ଯୋଗସୂତ୍ରକାରୀ ସେ ହେଉଛନ୍ତି ଗୃହିଣୀ। ଗୃହକର୍ମ ଏପରି ଏକ କର୍ମ, ଯାହାର ପରିସୀମା ଅପରିମିତ। ଏହା ଏକ ପେସା ନୁହେଁ କର୍ତ୍ତବ୍ୟ। ତେଣୁ ଏହାର କିଛି ଆର୍ଥିକ ମୂଲ୍ୟବୋଧ ନ ଥାଏ। କିନ୍ତୁ ଏହାର ପରୋକ୍ଷ ଏବଂ ଆପେକ୍ଷିକ ମୂଲ୍ୟ ଏହାକୁ ଏକ ଅମୂଲ୍ୟ ସମ୍ପଦ କରି ଗଢିତୋଳିଥାଏ। ସେଥିପାଇଁ ଅନେକ କ୍ଷେତ୍ରରେ ଗୃହିଣୀମାନଙ୍କୁ ଗୃହଲକ୍ଷ୍ମୀର ମାନ୍ୟତା ଦିଆଯାଇଥାଏ। ଯେତେ ଓଷା, ବ୍ରତ, ଉପାସନାର ବ୍ୟବସ୍ଥା କରାଯାଇଛି ସେ ସବୁର ମୁଖ୍ୟ ପାଳନକର୍ତ୍ତ୍ରୀ ନାରୀ। ସେ ରଜ ହେଉ ଅଥବା ସାବିତ୍ରୀ ବ୍ରତ, ଦୁର୍ଗାଷ୍ଟମୀ ହେଉ ଅବା ମାଣବସା ସବୁ ନାରୀକୈନ୍ଦ୍ରିକ। ଘରେ ସର୍ବଦା ଜଣେ ନାରୀର ଉପସ୍ଥିତି ହିଁ ଯଥେଷ୍ଟ। ମହିଳାଶୂନ୍ୟ ଗୃହ ଶ୍ମଶାନତୁଲ୍ୟ। ତେଣୁ କୁହାଯାଇଥାଏ ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ।’ ...

ଏଇ ଭାରତରେ

ଜମିବାଡିର ଲୋଭ ଏତେ ଯେ, ଏଥିପାଇଁ ଭାଇ-ଭାଇ ମଧ୍ୟରେ ମାରପିଟ ଓ ହଣାକଟା ହୋଇଯାଉଛି। ଚାଖଣ୍ଡେ ଜମି ପାଇଁ ବିବାଦ କୋର୍ଟ କଚେରି ପର୍ଯ୍ୟନ୍ତ ଯାଉଛି। କିନ୍ତୁ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କଠାରେ ଏ ନେଇ କୌଣସି ଲୋଭ ନାହିଁ। ବରଂ ସେମାନେ ସମାଜର କଲ୍ୟାଣ ପାଇଁ ନିଜର ଜମିକୁ ଦାନ କରିଦେଉଛନ୍ତି। ସେମିତି ଜଣେ ଉଦାରଚେତା ମହିଳା ହେଉଛନ୍ତି କେ. ପୋନମନି ଦେବୀ। ତାମିଲନାଡୁ ରାଜ୍ୟ ଇରୋଡ ଜିଲାର ଏହି ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ୮୦ ବର୍ଷ ହେଲାଣି। ସ୍ବାମୀଙ୍କ ପରଲୋକ ପରେ ସେ ତାଙ୍କର ଏକମାତ୍ର ପୁଅଙ୍କ ନିକଟରେ ରହିଆସୁଥିଲେ। କିନ୍ତୁ ତାଙ୍କର ଦୁର୍ଦ୍ଦିନର ଅନ୍ତ ଘଟିଲା ନାହିଁ। ବିଦ୍ୟୁତ୍‌ ଆଘାତରେ ଆରପାରିକୁ ଚାଲିଗଲେ ପୋନମନି ଦେବୀଙ୍କ ଏକମାତ୍ର ପୁତ୍ର। ଅସହାୟ ହୋଇପଡିଥିବା ଏହି ମହିଳାଙ୍କୁ ସାହାରା ଦେଲେ ତାଙ୍କର ଭଉଣୀ। ଶିକ୍ଷକତା ସମୟରୁ ସମାଜକଲ୍ୟାଣ ଚିନ୍ତା କରିଆସୁଥିବା ପୋନମନି ଦେବୀ ୨୦୦୬ରୁ ବଦାନ୍ୟତାର ଉଦାହରଣ ସୃଷ୍ଟି କରିଆସିଛନ୍ତି। ସେ ପ୍ରଥମେ ଛାତ୍ରୀଛାତ୍ରଙ୍କ ସକାଶେ ଏକ ହଷ୍ଟେଲ ନିର୍ମାଣ ପାଇଁ ଅନୁନ୍ନତ ଶ୍ରେଣୀ କଲ୍ୟାଣ ବିଭାଗକୁ ଦାନ କରିଦେଇଥିଲେ ୨୫ ସେଣ୍ଟ୍‌ ଜମି। ଏହାର ୯ ବର୍ଷ ପରେ ସେ ଚିତୋଡର ସରକାରୀ ମହିଳା ହାଇସ୍କୁଲର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏବେ ସେହି ସ୍କୁଲରେ ଦ୍ୱାଦଶ ଶ୍ରେଣୀ ଖୋଲିବା ସକାଶେ ଘର କରିବାକୁ ଜମିର ଅଭାବ ଅଛି ବୋଲି ଜାଣିବାରେ ପୋନମନି ଦେବୀ ଏକ ଏକର ଜମି ଦାନ କରିଛନ୍ତି। ଏହି ଜମି ଉପରେ ଘର ତିଆରି କରାଯାଇ ଆଗାମୀ ଶିକ୍ଷାବର୍ଷଠାରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବ। ପୋନମନି ଦେବୀଙ୍କ ଏହି ଦାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ପ୍ରଶାସନ ତାଙ୍କୁ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛି।

ମୋଦି ନୀରବ

ମୋଦି ନୀରବ

ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ବିଶେଷକରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ବିଚିତ୍ର କାରବାର ଓ ନୀତି ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ସାଧାରଣ ଲୋକ, କ୍ଷୁଦ୍ର ଓ ମଧ୍ୟମ ଧରଣର ଜଣେ ଉଦ୍ୟୋଗୀଙ୍କ ପକ୍ଷେ ବ୍ୟାଙ୍କରୁ ଋଣ ପାଇବା କାଠିକର ପାଠ ହୋଇଯାଉଥିବା ବେଳେ ପଇସାବାଲା ଅନାୟାସରେ ଟଙ୍କା ହଡ଼ପ କରିବା ବାରମ୍ବାର ଦେଖାଯାଉଛି। ହୀରା ବ୍ୟବସାୟୀ ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ୧୧,୪୦୦ କୋଟି ଟଙ୍କା କାରସାଦି କରି ନେଇଯାଇଥିବା ଘଟଣା ହେଉଛି ଏହାର ସଦ୍ୟ ଦୃଷ୍ଟାନ୍ତ। ବିନା କୌଣସି ବନ୍ଧକରେ ଜଣେ ବ୍ୟବସାୟୀଙ୍କୁ ଲେଟର ଅଫ୍‌ ଅଣ୍ଡରଟେକିଂ (ଏଲ୍‌ଓୟୁ) ଦିଆଯିବା ଆଶ୍ଚର୍ଯ୍ୟ କରୁଛି। ଫଳରେ ଏହି ବ୍ୟାଙ୍କର ମୂଲ୍ୟ ପୁଞ୍ଜି ବଜାରରେ ଯଥେଷ୍ଟ ହ୍ରାସ ପାଇଛି।

ଜୀବନର ମହାରୂପକାର

ଜୀବନର ମହାରୂପକାର

ଡ. ପ୍ରତିଭା ଶତପଥୀ/ଏକା ଏକା ଆଖିବୁଜି ବସିଥିଲେ କେଉଁ ଚେତନାଲୋକରେ ଥାଏ ତାଙ୍କ ସମାଧିସ୍ଥ ସ୍ମୃତି। ଜାଗ୍ରତରେ ଥିଲେ ହାତରେ ଥାଏ କେବେ ଅମୃତସ୍ରାବୀ କଲମ ତ କେବେ ନିହଣ ବା ତୂଳୀ। କେତେ ଯେ ନିଷ୍ପ୍ରାଣ ପଥର ଜୀବନ୍ୟାସ ପାଆନ୍ତି ତାଙ୍କ ନିହଣ ମୁନରେ, କେତେ ସାଦା କାନ୍‌ଭାସ୍‌ କଥା କହିଉଠନ୍ତି ତାଙ୍କ ତୂଳୀ ସ୍ପର୍ଶରେ, ପୁଣି କେତେ ଯେ ନିରର୍ଥକ ଜୀବନ ଅର୍ଥମୟ ହୋଇଉଠେ ତାଙ୍କ କଲମ ଛୁଆଁରେ- ତା’ର ହିସାବ ନାହିଁ। ନିହଣ, ତୂଳୀ ଓ କଲମର ସେଇ ମହାରୂପକାର ଜଣକ ହେଲେ ବିଶାଳଚେତା ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥ। ଜନ୍ମ ବଲାଙ୍ଗୀରରେ ୧୭ ଅକ୍ଟୋବର ୧୯୨୯ରେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଇଂଲିଶ୍‌ ଭାଷାରେ ସ୍ନାତକୋତ୍ତର ପରେ ଓଡ଼ିଶା ଶିକ୍ଷାସେବାରେ ଇଂଲିଶ ଅଧ୍ୟାପକ ଭାବେ ବୃତ୍ତି ଜୀବନର ଆରମ୍ଭ ଓ ସେବାନିବୃତ୍ତି ୧୯୮୭ରେ। ବିଳମ୍ବରେ କଲମ ଧରିଥିଲେ ବି ଲେଖକ ଜୀବନର ଆରମ୍ଭରୁ ତାଙ୍କ ପ୍ରତିଭାର ଅନନ୍ୟତା ବାରି ହୋଇଯାଏ।

ଏଇ ଭାରତରେ

ଏଇ ଭାରତରେ

ବିଧାୟକ ଓ ସାଂସଦଙ୍କ ଭଳି ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରୁଥିବା ବେଳେ ମଧ୍ୟପ୍ରଦେଶର ଜଣେ ସାଂସଦ ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଏକ ପ୍ରାଥମିକ ସ୍କୁଲ୍‌ର ପାଇଖାନା ସଫାକରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ଖାଲି ହାତରେ ପାଇଖାନା ସଫା କରିବାର ଭିଡିଓ ଶୁଟିଂ ସୋସିଆଲ୍‌ ମେଡିଆରେ ଭାଇରାଲ୍‌ ହୋଇଛି।

ଅତ୍ୟାଧୁନିକ ଯୁଦ୍ଧ

ଅତ୍ୟାଧୁନିକ ଯୁଦ୍ଧ

ଆକାର ପଟେଲ/ ଦୁଇଟି ଦେଶ ମଧ୍ୟରେ ଶେଷ ବଡ଼ ଯୁଦ୍ଧ ସଂଘଟିତ ହୋଇଥିଲା ୧୫ ବର୍ଷ ତଳେ। ୨୦୦୩ ମସିହାରେ ସଦ୍ଦାମ ହୁସେନ ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ଇରାକୀମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନ ଥିଲା ଏବଂ ସେମାନଙ୍କର ପୁରୁଣାକାଳିଆ କମାଣ ଓ ଲଢ଼ୁଆ ଜେଟ୍‌ ଆମେରିକାର ସାମରିକ ଶକ୍ତି ଆଗରେ ତିଷ୍ଠିପାରିଲା ନାହିଁ। ଯଦିଚ ଉଭୟ ପକ୍ଷରେ ସମାନ ସଂଖ୍ୟକ ସୈନିକ (ପ୍ରତ୍ୟେକର ପ୍ରାୟ ୩,୫୦,୦୦୦) ଥିଲେ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗୁ ଆମେରିକାର ଯେତିକି ସୈନ୍ୟ ମଲେ, ତା’ର ୧୦ ଗୁଣ ସୈନ୍ୟ ମଲେ ଇରାକର। ପ୍ରତିରକ୍ଷା ବିଭାଗ୨ ପାଇଁ ବିଭିନ୍ନ ଦେଶ ଯେଉଁ ବିପୁଳ ବ୍ୟୟ ବରାଦ କରନ୍ତି, ତା’ର ମୁଖ୍ୟାଂଶ ବ୍ୟୟ ହୁଏ ଅତ୍ୟାଧୁନିକ କମାଣ, ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ ଆଦି କିଣିବାରେ। ସାମରିକ ବିଶେଷଜ୍ଞମାନେ ଜାଣନ୍ତି ଯେ, କେବଳ ସାଧାରଣତନ୍ତ୍ର ଦିବସ ପରେଡ୍‌ ପରି ଦିବସ ବ୍ୟତୀତ ଅନ୍ୟ ସମୟରେ ଏସବୁ ଜିନିଷ ଆଦୌ ବ୍ୟବହୃତ ହୁଏ ନାହିଁ। ଏହାପରେ ଯଦି କୌଣସି ବଡ଼ ଯୁଦ୍ଧ ସଂଘଟିତ ହୁଏ, ତେବେ ତାହା କେବେହେଲେ ଇରାକ ଯୁଦ୍ଧ ପରି ହେବ ନାହିଁ, ଯେପରି ୨୦୦୩ର ଇରାକ ଯୁଦ୍ଧ ୧୭୫୭ର ପଲାସୀ ଯୁଦ୍ଧଠାରୁ ଭିନ୍ନ ଥିଲା। ଦୁଇ ଦେଶ ମଧ୍ୟରେ ସେତେବେଳେ ଯୁଦ୍ଧ ସଂଘଟିତ ହୁଏ, ଯେତେବେଳେ ଗୋଟିଏ ପକ୍ଷ ସ୍ଥିରନିଶ୍ଚିତ ଥାଏ ଯେ, ବଳ ପ୍ରୟୋଗ କରି ସେ ଅନ୍ୟ ଦେଶଠାରୁ ସେ ଚାହୁଁଥିବା କାର୍ଯ୍ୟ ହାସଲ କରାଇପାରିବ। କିନ୍ତୁ ବିନା ହିଂସାରେ ବି ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଆମେରିକାର ଗୋଇନ୍ଦା ସଂସ୍ଥା କହିଛି ଯେ, ଆମେରିକାର ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ପ୍ରଚ୍ଛନ୍ନ ଭୂମିକା ରହିଥିଲା। ଭ୍ଲାଡିମିର ପୁଟିନ୍‌ ଚାହୁଁଥିଲେ ହିଲାରୀ କ୍ଲିଣ୍ଟନ ହାରନ୍ତୁ ଓ ଡୋନାଲ୍‌ଡ ଟ୍ରମ୍ପ ଜିତନ୍ତୁ। ରୁଷିଆର ଏହି ଅଯଥା ହସ୍ତକ୍ଷେପରେ ଟ୍ରମ୍ପ ବି ସହଯୋଗ କରିଥିଲେ ବୋଲି ଅଭିଯୋଗ ହୁଏ। ଏ ବିଷୟରେ ତଦନ୍ତ ଜାରି ରହିଛି। କିନ୍ତୁ ଏହା ନିଶ୍ଚିତ ଯେ, ପୁଟିନ ଓ ତାଙ୍କ ଗୁପ୍ତଚରମାନେ ଆମେରିକା ନିର୍ବାଚନକୁ ପ୍ରଭାବିତ କରି ତାକୁ ନିର୍ଣ୍ଣାୟକ ମୋଡ଼ ଦେଇଥିଲେ। ଫେବୃୟାରୀ ୧୬ ତାରିଖ ଶୁକ୍ରବାର ଟ୍ରମ୍ପଙ୍କ ନ୍ୟାୟ ବିଭାଗ ୧୩ ଜଣ ରୁଷୀୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେଣ୍ଟ ପିଟର୍ସବର୍ଗ, ରୁଷିଆର ଇଣ୍ଟର୍‌ନେଟ୍‌ ରିସର୍ଚ୍ଚ ଏଜେନ୍ସିର ସଦସ୍ୟ। ସେମାନେ ଏକ ଘରୋଇ ନେଟ୍‌ଓ୍ବର୍କରେ ଏକ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲିଥିଲେ, ଯାହା ରୁଷିଆରୁ ପରିଚାଳିତ ହେଉଥିଲେ ହେଁ ଆମେରିକାରୁ ପରିଚାଳିତ ହେଉଛି ବୋଲି ମନେହେଉଥିଲା। ଏହି ମିଡ଼ିଆରେ ପୁଟିନ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରି ଟ୍ରମ୍ପ୍‌ଙ୍କ ସପକ୍ଷରେ ପ୍ରଚାର କରାଇଥିଲେ। ତେବେ ଟ୍ରମ୍ପ ଜିତନ୍ତୁ ବୋଲି ରୁଷିଆ କାହିଁକି ଚାହୁଁଥିଲା? କାରଣ ବିଶ୍ୱ ରାଜନୀତିରେ ରୁଷିଆର ପ୍ରଭାବ ନୂ୍ୟନ କରିବାକୁ ହିଲାରୀ ଚେଷ୍ଟା କରିଥାନ୍ତେ। ଆମେରିକା ବିରୋଧରେ ଯୁଦ୍ଧ ନ କରି ପୁଟିନ ତାଙ୍କର ଲକ୍ଷ୍ୟ ହାସଲ କରିନେଲେ। ...

ଅତି ପାଖରେ ଈଶ୍ୱର

ଅତି ପାଖରେ ଈଶ୍ୱର

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ କାଳେ କାଳେ ଭକ୍ତ ହିଁ ଭଗବାନଙ୍କର ପାଖଲୋକ। ଋଷିମୁନିଙ୍କର କଠୋର ତପସ୍ୟା, ଜ୍ଞାନୀବିଜ୍ଞାନୀଙ୍କ ବୌଦ୍ଧିକ ବିଦ୍‌ବତ୍ତା, ରାଜାମହାରାଜାଙ୍କ ଅପ୍ରମିତ ଐଶ୍ୱର୍ଯ୍ୟ ବା ଧନବାନ୍‌ଙ୍କ ବିପୁଳ ବିଭବ ଯେଉଁ ଈଶ୍ୱରଙ୍କୁ ଆକର୍ଷିତ କରିବାରେ ଅସମର୍ଥ, ପ୍ରକୃତ ଭକ୍ତର ସମର୍ପିତ ଜୀବନଚର୍ଯ୍ୟା ନିକଟରେ ସହଜରେ ବନ୍ଧା ପଡିଯା’ନ୍ତି ସେଇ ଅଦୃଷ୍ଟ ଈଶ୍ୱର। ତେବେ କିଏ ଏହି ଭକ୍ତ? କେମିତି ତାଙ୍କ ଭକ୍ତିଭାବର ସ୍ବରୂପ? ଆଧ୍ୟାତ୍ମିକ ଚେତନାର ଉତ୍କର୍ଷ ଉପଲବ୍ଧି କରିଥିବା ଈଶ୍ୱରଙ୍କ ଏଇ ପାଖଲୋକ କ’ଣ ଅନ୍ୟମାନଙ୍କଠୁ ଅନନ୍ୟ? ସାଧାରଣଙ୍କ ଭିତରେ ଅସାଧାରଣ? ଏ ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ନିମ୍ନୋକ୍ତ କେତୋଟି ଜଣା ଅଜଣା ଚରିତ୍ରର ଅନୁଶୀଳନ କରାଯାଉ। ପ୍ରଥମ ଚରିତ୍ରର ନାମ ଶ୍ରୀମତୀ ଅନାମିକା। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ହେବ ଏଇ ମହାଶୟା ଜଣେ ନାମୀଦାମୀ ଧର୍ମଗୁରୁଙ୍କ ସମର୍ପିତା ଅନୁଗାମିନୀ। ଧର୍ମଗୁରୁ ବଞ୍ଚିଥିବା ବେଳେ ତାଙ୍କଦ୍ୱାରା ନିର୍ଦ୍ଧାରିତ ବିଧାନ ଅନୁଯାୟୀ ସବୁଠୁ ଅଧିକ ମୂଲ୍ୟ ଦେଇ ସେ ତାଙ୍କ ପାଦ ତଳେ ବସିବା ଭଳି ମହାର୍ଘ ଅନୁଭବ ହାସଲ କରିଥିଲେ। ‘କେବଳ ଗୁରୁ ହିଁ ଈଶ୍ୱର’ ବୋଲି କହୁଥିବା ସେହି ଧର୍ମଗୁରୁ ଏବେ ଇହଜଗତରେ ନାହାନ୍ତି ସତ, ମାତ୍ର ସେ ଥିଲାବେଳେ ତାଙ୍କର ନିୟମ ଏମିତି ଥିଲା ଯେ ଯିଏ ଯେତେ ଅଧିକ ଅର୍ଥ ଭେଟି ଦେଇପାରୁଥିଲା, ସେ ତାଙ୍କର ସେତେ ଅଧିକ ନିକଟତର ହେବାର ସୌଭାଗ୍ୟପ୍ରାପ୍ତ ହେଉଥିଲା। ଫଳସ୍ବରୂପ, ଧନବାନ୍‌ ଭକ୍ତ ଜଣେ ତାଙ୍କ ସ୍ପର୍ଶ ଲାଭ କରୁଥିଲାବେଳେ ବିଚରା ନିର୍ଦ୍ଧନ ଜଣକ କେବଳ ଦୂରରୁ ତାଙ୍କୁ ଦେଖିପାରୁଥିଲା ସିନା ପାଖକୁ ଯିବାରୁ ବଞ୍ଚିତ ହେଉଥିଲା। ତାଙ୍କ ଦେହାନ୍ତ ପରେ ତାଙ୍କଦ୍ୱାରା ପ୍ରତିଷ୍ଠିତ ଧର୍ମାନୁଷ୍ଠାନକୁ ପ୍ରତି ମାସ ପାଞ୍ଚହଜାର ଟଙ୍କା ପଠାଇ ଶ୍ରୀମତୀ ଅନାମିକା ନିଜ ଆଧ୍ୟାତ୍ମିକ ଉତ୍ତରଣର ନିଷ୍ଠାପର ଉଦ୍ୟମକୁ ଅବ୍ୟାହତ ରଖିଥିଲେ ଓ ବର୍ଷର ବିଭିନ୍ନ ସମୟରେ ବହୁଆଡ଼େ ଗସ୍ତ କରି ଗୁରୁଙ୍କ ଧର୍ମଦର୍ଶନର ବ୍ୟାପକ ପ୍ରଚାର ପ୍ରସାର ପାଇଁ ନିଜକୁ ନିୟୋଜିତ କରୁଥିଲେ। ଅନାମିକାଙ୍କ ଘରେ ତାଙ୍କ ଅଶୀତିପର ବୃଦ୍ଧା ଶାଶୁଙ୍କ ଦେଖାଚାହାଁ କରିବାର ଦାୟିତ୍ୱ ନେଉଥିଲେ ତିନିବର୍ଷ ପୂର୍ବରୁ ବୃତ୍ତିରୁ ଅବସର ନେଇସାରିଥିବା ତାଙ୍କ ନାତିବୃଦ୍ଧ ପୁତ୍ର ଓରଫ ଅନାମିକାଙ୍କ ସ୍ବାମୀ। ବାର୍ଦ୍ଧକ୍ୟର ବିଭିନ୍ନ ବ୍ୟାଧିରେ ଘାଣ୍ଟି ହେଉଥିବା ବୁଢ଼ୀ ଶାଶୁ ତାଙ୍କ ଆଧ୍ୟାତ୍ମିକ ଉତ୍ତରଣରେ ବାଧକ ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଥିବା ଅନାମିକାଙ୍କ ପାଇଁ ଶାଶୁଙ୍କ ସେବା ବା ଚିକିତ୍ସାଠାରୁ ତାଙ୍କ ଗୁରୁ-ନିର୍ଦ୍ଦେଶିତ ଧର୍ମପଥ ଓ ସେଥିପାଇଁ ଲୋଡ଼ା ପଡୁଥିବା ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବା ହିଁ ଥିଲା ଅଧିକ ଈପ୍‌ସିତ ମହତ୍ତର ଉପଲବ୍ଧି। ନିଜ ଧାର୍ମିକା ପତ୍ନୀଙ୍କଠାରୁ ବହୁବାର ‘ଅଧର୍ମୀ’, ‘ଗୁରୁଦ୍ରୋହୀ’ ଓ ‘ଈଶ୍ୱରଦ୍ରୋହୀ’ ଆଦି ବହୁବିଧ ବିଶେଷଣରେ ଭୂଷିତ ହୋଇ ପ୍ରାୟତଃ ଚଳତ୍‌ଶକ୍ତିହୀନ ମାଆର ସବୁପ୍ରକାର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରୁଥିଲେ ‘ଧର୍ମ ଓ ଈଶ୍ୱର’ ଭଳି ଶବ୍ଦର ପ୍ରକୃତ ପରିଭାଷା ଖୋଜୁଥିବା ଅସହାୟ ପତିଦେବ। ଏଇ ପ୍ରସଙ୍ଗରେ ଦ୍ୱିତୀୟ ଚରିତ୍ର ସନ୍ଥ ଏକନାଥଙ୍କ କଥା। ପବିତ୍ର ଗଙ୍ଗାନଦୀର ଜଳ କାନ୍ଧରେ ବୋହି ଅନ୍ୟ ବହୁ ଶିବଭକ୍ତଙ୍କ ଗହଣରେ ବଦ୍ରିନାଥ ଯାତ୍ରା କରୁଥାନ୍ତି ସାଧୁ ଏକନାଥ। ପାହାଡ଼ିଆ ବନ୍ଧୁର ରାସ୍ତା ଅତିକ୍ରମ କରୁଥିଲାବେଳେ ସେ ଲକ୍ଷ୍ୟ କଲେ ରୁଗ୍‌ଣ ବୁଢ଼ା ଗଧଟିଏ ପ୍ରବଳ ତୃଷ୍ଣାରେ ଆତୁର ହୋଇ ଏକ ଗିରିଗୁହା ମଧ୍ୟରେ ପଡିରହିଛି। ପାଣି ଟୋପାଏ ବିନା ଯେକୌଣସି ମୁହୂର୍ତ୍ତରେ ମରିଯିବା ଭଳି ତା’ର ଅବସ୍ଥା। ଏକନାଥଙ୍କ ସତୀର୍ଥ ଅନ୍ୟ ଭକ୍ତମାନେ ଗଧଟିର ମୁମୂର୍ଷୁ ଅବସ୍ଥା ଦେଖିଲେ ବି କିଛି ନ ଘଟିଲା ଭଳି ନିଜ ବାଟରେ ଚାଲିଗଲେ। ବଡ଼ କଷ୍ଟରେ ପାହାଡ଼ ଚଢ଼ି ଚଢ଼ି, କାନ୍ଧରେ ଜଳଭାର ବୋହି ଶିବଙ୍କ ଜଳାଭିଷେକ କରିବାକୁ ଯାଉଥିବା ଭକ୍ତଗଣ ଗୋଟିଏ ସାମାନ୍ୟ ଗଧ ପାଇଁ ଜଳ ଖର୍ଚ୍ଚ କରି ନିଜ ପୁଣ୍ୟ ପ୍ରତିହତ କରିବାକୁ ଚାହିଁଲେ ନାହିଁ। ଏକନାଥ କିନ୍ତୁ ଆଗକୁ ବଢିପାରିଲେ ନାହିଁ। ପୁଣ୍ୟ ଅର୍ଜନର ଅଭିଳାଷଠାରୁ ଶୋଷିଲା ଗଧଟିକୁ ପାଣି ପିଆଇବାର ଇଚ୍ଛା ତାଙ୍କ ମଧ୍ୟରେ ବଳବତ୍ତର ହୋଇଉଠିଲା। ଦୁଇ କଳସୀଯାକ ପାଣି ପିଇ ଗଧଟି ସୁସ୍ଥ ହୋଇ ଛିଡାହେଲା ପରେ ପରମ ତୃପ୍ତିରେ ସନ୍ଥ ସେଇଠି ଦୂରବର୍ତ୍ତୀ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ଓ ନୀରବରେ ଫେରିବାକୁ ବସିଲେ। ଈପ୍‌ସିତ୍‌ ଜଳାଭିଷେକ ଅପୂର୍ଣ୍ଣ ରହିଗଲା ବୋଲି ମନରେ ତାଙ୍କର ସାମାନ୍ୟ ଅବସୋସ ନ ଥିଲା। ଅରଣ୍ୟର ସେଇ ନିଃଶବ୍ଦ ପରିବେଶ ମଧ୍ୟରେ କିଏ ଯେମିତି କହୁଥିବାର ସେ ଶୁଣିଲେ, ଶହ ଶହ କୁମ୍ଭ ଗଙ୍ଗାଜଳରେ ସେଠି ଗୋଟିଏ ନିର୍ଜୀବ ପଥର ଲିଙ୍ଗ ବୁଡିଯିବ ସିନା ଏଠି କିନ୍ତୁ ଦୁଇ କଳସୀ ପାଣିରେ ସ୍ବୟଂ ମହାଦେବ ଗୋଟାଯାଏ ଗାଧୋଇ ପଡିଛନ୍ତି। ଏମିତି ଏକ ଅଭିନବ ଅନୁଭବ ଏକାନ୍ତରେ କେବଳ ଏକନାଥଙ୍କ ପରି ଭକ୍ତମାନଙ୍କର, ଯେଉଁମାନେ ଜୀବ ମଧ୍ୟରେ ଶିବଙ୍କୁ ଆବିଷ୍କାର କରି ଈଶ୍ୱରଙ୍କ ନିକଟତର ହୁଅନ୍ତି। ଏକ ଦିବ୍ୟଚେତନାରେ ପୁଲକିତ ହୁଏ ଏମାନଙ୍କ ଭକ୍ତସତ୍ତା, ଠିକ୍‌ ଏଇ ନିବନ୍ଧର ତୃତୀୟ ଚରିତ୍ର ଆବୁ ବେନ୍‌ଙ୍କ ପରି। ...

ଶ୍ରମିକ ନେତାରୁ ରାଷ୍ଟ୍ରପତି

ଶ୍ରମିକ ନେତାରୁ ରାଷ୍ଟ୍ରପତି

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜୀବନରେ ଶୀର୍ଷରେ ପହଞ୍ଚତ୍ଥାନ୍ତି। ବର୍ଣ୍ଣବୈଷମ୍ୟ ବିରୋଧୀ ସଂଗ୍ର୍ରାମର ଅଗ୍ରଦୂତ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍‌ସନ ମଣ୍ଡେଲା ଏଭଳି ଗୁଣ ସାଇରିଲ ରାମାଫୋସାଙ୍କ ନିକଟରେ ଥିବା ଦେଖିବାକୁ ପାଇଥିଲେ। ଆଶୀର୍ବାଦ ଦେବାକୁ ଯାଇ ଥରେ କହିଥିଲେ, ‘ତୁମେ ହେଉଛ ଏହି ଦେଶର ଭବିଷ୍ୟତ ରାଷ୍ଟ୍ରପତି’। ଆଜି ମଣ୍ଡେଲାଙ୍କ ଭବିଷ୍ୟବାଣୀ ସତ ହୋଇଛି ଓ ରାମାଫୋସା ଦକ୍ଷିଣ ଆଫ୍ରିକାର ୫ମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜାକୋବ ଜୁମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ବାଧ୍ୟ ହୋଇ ସେ ୨୦୧୮ ଫେବୃୟାରୀ ୧୪ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଫେବୃୟାରୀ ୧୫ରେ ରାମାଫୋସା ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ମାଟାମେଲା ସାଇରିଲ ରାମାଫୋସା ୧୯୫୨ ନଭେମ୍ବର ୧୭ରେ ଜୋହାନ୍ସବର୍ଗର ସୋଓ୍ବେଟୋଠାରେ ଜନ୍ମଗ୍ରହଣ କରିଥିଲେ। ଏର୍ଡୁମୁଥ ଓ ସାମୁଏଲ ରାମାଫୋସାଙ୍କ ୩ ସନ୍ତାନ ମଧ୍ୟରୁ ସାଇରିଲ ରାମାଫୋସା ହେଉଛନ୍ତି ଦ୍ୱିତୀୟ। ପିତା ପୋଲିସ ଅଫିସର ଥିବାରୁ ସେ ଅତି ଶୃଙ୍ଖଳିତ ଭାବେ ବଢ଼ିଥିଲେ। ସୋଓ୍ବେଟୋରୁ ପ୍ରାଥମିକ ଓ ସେକାନୋ ଟୋୟାନେରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି ୧୯୭୧ରେ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୨ରେ ୟୁନିଭର୍ସିଟି ଅଫ୍‌ ନର୍ଥରେ ସେ ଆଇନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ...

ଏଇ ଭାରତରେ

ଏଇ ଭାରତରେ

ଇଣ୍ଟରନେଟ୍‌ ଜରିଆରେ ସହଜରେ ଅନେକ ତଥ୍ୟ ଉପଲବ୍ଧ ହେଉଛି। ଏହି ମାଧ୍ୟମ ଆଧୁନିକ ମଣିଷ ପାଇଁ ଯେତିକି ସହାୟକ ହେଉଛି, ସେତିକି ସାଂଘାତିକ ସାବ୍ୟସ୍ତ ହେଲାଣି। ୨୦୧୭ରେ ଜଣେ ମହିଳା ଅନ୍‌ଲାଇନ ଅଶ୍ଳୀଳ ଭିଡିଓ ଉପଲବ୍ଧତା ଉପରେ କଟକଣା ଲଗାଇବା ସକାଶେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ମଧ୍ୟ ସମାନ ପ୍ରକାର ଆବେଦନ କରିଥିଲେ ସୁପ୍ରିମ୍‌କୋର୍ଟରେ। ମାତ୍ର ଏହାର କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ଏବେ ଦିଲ୍ଲୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେଇଛନ୍ତି। ମହିଳାଙ୍କ ଅଭିଯୋଗ ହେଉଛି ତାଙ୍କ ସ୍ବାମୀ ଅନ୍‌ଲାଇନ ପର୍ନୋଗ୍ରାଫି (ଅଶ୍ଳୀଳ ଭିଡିଓ) ଦେଖିବାରେ ଏତେ ଆସକ୍ତ ହୋଇଯାଇଛନ୍ତି ଯେ, ଘରେ ସ୍ତ୍ରୀ ଅଛନ୍ତି ବୋଲି ତାଙ୍କର ଧ୍ୟାନ ରହୁନାହିଁ, ଯାହାଫଳରେ ତାଙ୍କର ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଗଲାଣି। ଏହିସବୁ ଅଶ୍ଳୀଳ ଭିଡିଓ କେବଳ ଯୁବପିଢିକୁ ନୁହେଁ, ଅନେକ ପରିବାରରେ ଦମ୍ପତିଙ୍କ ଭିତରେ ଫାଟ ସୃଷ୍ଟି କରୁଛି। ସ୍ବାମୀଙ୍କୁ ଏଥିରୁ ନିବୃତ୍ତ କରିବା ସକାଶେ ମହିଳା ଜଣକ ଅନେକ ଚେଷ୍ଟା କରି ବିଫଳ ହୋଇଛନ୍ତି। ଅନ୍‌ଲାଇନ ଅଶ୍ଳୀଳ ଭିଡିଓ ଦେଖି ତାଙ୍କ ସ୍ବାମୀ କିପରି ଅପ୍ରାକୃତିକ ଯୌନସମ୍ପର୍କ ପାଇଁ ତାଙ୍କୁ ବାଧ୍ୟ କରୁଛନ୍ତି ତାହା ସେ ଉଲ୍ଲେଖ କରିଛନ୍ତି। ପର୍ନୋଗ୍ରାଫିରେ ଆସକ୍ତ ସ୍ବାମୀ ଜଣକ ଏବେ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ସକାଶେ ମଧ୍ୟ କୋର୍ଟର ଆଶ୍ରୟ ନେଲେଣି।

ବ୍ୟବସ୍ଥାକୁ ନେଇ ବିତର୍କ

ବ୍ୟବସ୍ଥାକୁ ନେଇ ବିତର୍କ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ବାବୁମାନଙ୍କ ପାଇଁ ମୋଦି ସରକାରଙ୍କ ୩୬୦ ଡିଗ୍ରୀ ଆପ୍ରେଜାଲ ସିଷ୍ଟମ୍‌ (ଯୋଗ୍ୟତା ନିର୍ଦ୍ଧାରଣ ବ୍ୟବସ୍ଥା) ୨୦୧୫ରେ ଆରମ୍ଭ ହୋଇଥିଲା, ଯାହା ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶରବ୍ୟ ହୋଇଆସୁଛି। ଏପରି କି ଏକ ସଂସଦୀୟ କମିଟି ଗତବର୍ଷ ଏହାକୁ ବେଆଇନ, ସ୍ବେଚ୍ଛାଚାରୀ, ଅସ୍ବଚ୍ଛ ଏବଂ ସନ୍ଦେହଜନକ ବୋଲି ଅଭିହିତ କରିଥିଲା। ଭାଜପା ଦ୍ୱାରା ବିନୀତ ଚୌଧ୍‌ରୀଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବ କରାଯିବା ଘଟଣାରେ ପୁଣି ଉକ୍ତ ଆପ୍ରେଜାଲ ସିଷ୍ଟମ୍‌କୁ ନେଇ ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାରରେ ଏକ ସଚିବସ୍ତରୀୟ ପଦରେ ନିଯୁକ୍ତି ଦିଆ ନ ଯିବାରୁ ଉକ୍ତ ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଜଣକ ଏହି ବ୍ୟବସ୍ଥା ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ର ଦ୍ୱାରସ୍ଥ ହୋଇଥିଲେ। ନଭେମ୍ବର ମାସରେ ସ୍ୟାଟ୍‌ କ୍ୟାବିନେଟ୍‌ ସଚିବାଳୟକୁ ଏହାର କାରଣ ଦର୍ଶାଇବା ଓ ଏ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦେଲେ। କିନ୍ତୁ ଚୌଧ୍‌ରୀଙ୍କୁ କେନ୍ଦ୍ରରେ ସଚିବ କରାଇ ଦିଆଗଲା ନାହିଁ ଏବଂ ଉକ୍ତ ବ୍ୟବସ୍ଥା ତଥାପି ବଳବତ୍ତର ରହିଛି। ମଜାର କଥା ହେଲା, କେନ୍ଦ୍ରରେ ସଚିବ ପାହ୍ୟାକୁ ପଦୋନ୍ନତି ଦିଆ ନ ଯିବା ସତ୍ତ୍ୱେ ଡିସେମ୍ବର ମାସରେ ଚୌଧ୍‌ରୀ ଚାହିଁଲେ ହିମାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବ ହେବା ପାଇଁ। କାରଣ କେନ୍ଦ୍ରରେ ସଚିବ ପଦ ପାଇଁ ନଥିଭୁକ୍ତ ହୋଇପାରୁ ନ ଥିବା ଅଫିସର ରାଜ୍ୟରେ ସର୍ବୋଚ୍ଚ ପ୍ରଶାସନିକ ପଦ ପାଇପାରିବେ ବୋଲି ନିୟମ ଅଛି। ତଥାପି ଏହି ଘଟଣା ପରେ ମୋଦି ସରକାରଙ୍କ ଉକ୍ତ ୩୬୦ ଡିଗ୍ରୀ ଆପ୍ରେଜାଲ ସିଷ୍ଟମ୍‌ ନେଇ ବିତର୍କ ବୃଦ୍ଧିପାଇବା ଦେଖାଦେଇଛି। /ସର୍ବୋଚ୍ଚ ପଦ ପାଇଁ ଦୌଡ଼/ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ମାସରେ ପୂରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦି କାହାକୁ ତାଙ୍କର ଉତ୍ତରାଧିକାରୀ ବାଛୁଛନ୍ତି, ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଯେଉଁମାନଙ୍କ ନାମ ଶୁଣାଯାଉଛି, ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଥ ସଚିବ ହସ୍‌ମୁଖ ଆଧିଆଙ୍କ ସମେତ ଅନେକ ବରିଷ୍ଠ ଅଫିସର, ଯଥା ପେଟ୍ରୋଲିୟମ୍‌ ସଚିବ କେ.ଡି. ତ୍ରିପାଠୀ, ସୂଚନା ଓ ପ୍ରସାରଣ ସଚିବ ଏନ୍‌.କେ. ସିହ୍ନା, ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ରାଜୀବ କୁମାର, ବେସାମରିକ ବିମାନ ଚଳାଚଳ ସଚିବ ରାଜୀବନୟନ ଚୌବେ ଏବଂ ବିଦ୍ୟାଳୟ ଶିକ୍ଷା ସଚିବ ଅନିଲ ସ୍ବରୂପ ପ୍ରମୁଖ। ଅନିଶ୍ଚିତତା ମୋଦି ସରକାରର ବିଶେଷତ୍ୱ ହୋଇଥିବାରୁ ଆଉ କେହି କେହି ଭାବୁଛନ୍ତି, ଏଥର ହୁଏତ ମୋଦି ଦେଶକୁ ପ୍ରଥମ ମହିଳା କ୍ୟାବିନେଟ୍‌ ସଚିବ ପ୍ରଦାନ କରିବେ। ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁସାରେ, ସିହ୍ନାଙ୍କ ଉତ୍ତରାଧିକାରୀ ହେବା ପାଇଁ ବାଣିଜ୍ୟ ସଚିବ ରୀତା ତଓ୍ବୋଟିଆଙ୍କର ସବୁ ଯୋଗ୍ୟତା ଅଛି। ସିହ୍ନାଙ୍କ କାର୍ଯ୍ୟକାଳ ପୂରିବାର ମାସକ ପରେ ତାଙ୍କର ଅବସର ନେବାର ଅଛି। ସବୁଠାରୁ ବଡ଼କଥା ହେଲା, ସେ ହେଉଛନ୍ତି ଜଣେ ଗୁଜରାଟ କ୍ୟାଡର ଅଫିସର। ତେଣୁ ମୋଦି ତାଙ୍କୁ ପସନ୍ଦ କରିପାରନ୍ତି। ତାଙ୍କ ପରେ ସମ୍ଭାବନା ଆସୁଛି ହରିୟାଣା କ୍ୟାଡର ଆଇଏଏସ୍‌ ଅଫିସର ଅନୁରାଧା ଗୁପ୍ତାଙ୍କର। ତେବେ ସିହ୍ନାଙ୍କ ପରେ ଦେଶର ସର୍ବୋଚ୍ଚ ବାବୁ କିଏ ହେବେ ତାହା ଏତେ ଆଗରୁ ଅନୁମାନ କରିବା ନିଶ୍ଚୟ କଷ୍ଟକର ବ୍ୟାପାର। ...