Dharitri News
ସମ୍ପାଦକୀୟ |

ପୁନଶ୍ଚ ଦୁର୍ଭିକ୍ଷ

ପୁନଶ୍ଚ ଦୁର୍ଭିକ୍ଷ ବୈକୁଣ୍ଠନାଥ ମିଶ୍ର/ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଓଡ଼ିଶା ପାଇଁ ଥିଲା ଚରମ ଦୁର୍ଦ୍ଦିନର ସମୟ। ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ସମସ୍ତ ବିପତ୍ତିକୁ ବଳିଗଲା। ୧୮୬୫ରେ ଏକ ଭୟଙ୍କର ମରୁଡ଼ି ହେଲା। କୃଷି ସମ୍ପୂର୍ଣ୍ଣ ଉଜୁଡ଼ିଗଲା। ଲୋକମାନେ ତାଙ୍କ ସଞ୍ଚିତ ଖାଦ୍ୟଶସ୍ୟରେ ଅତି କଷ୍ଟରେ ସେହି ବର୍ଷଟି ଚଳାଇନେଲେ। ୧୮୬୬ର ପ୍ରାରମ୍ଭରୁ ଖାଦ୍ୟାଭାବର ଉତ୍କଟ ସ୍ଥିତି ତିନୋଟି ଉପକୂଳବର୍ତ୍ତୀ ଜିଲା ଯଥା କଟକ, ପୁରୀ ଓ ବାଲେଶ୍ୱରକୁ ସମ୍ପୂର୍ଣ୍ଣ କବଳିତ କରିଦେଲା। ଜଳସେଚନର ସୁବିଧା ନ ଥିବାରୁ କେବଳ ବୃଷ୍ଟିଜଳ ଉପରେ କୃଷି ନିର୍ଭରଶୀଳ ଥିଲା। ଜମିଦାରଙ୍କ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଦାନାଗଣ୍ଡାକ ସ୍ବପ୍ନ ହୋଇଗଲା। ଜମିଦାରମାନେ ସେମାନଙ୍କ ଗଚ୍ଛିତ ଧନକୁ ରାଜ୍ୟ ବାହାର ବ୍ୟବସାୟୀଙ୍କୁ ଚଢ଼ା ଦରରେ ବିକ୍ରି କରି ବେଶ୍‌ ଲାଭବାନ ହେଲେ। ଲୋକଙ୍କ ହିତ ଚିନ୍ତା ନ କରି ସେମାନେ ନିଜର ପୁଞ୍ଜି ବୃଦ୍ଧି କରି ଚାଲିଲେ। ତିନି ଜିଲାର ମାଜିଷ୍ଟ୍ରେଟମାନେ କଟକସ୍ଥିତ ଡିଭିଜନାଲ କମିଶନର ଟି.ଇ. ରେଭେନ୍ସାଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିକାର ପାଇଁ ଅନୁରୋଧ କଲେ। କମିଶନର ସାହେବ କିଛି ତ୍ୱରିତ ପଦକ୍ଷେପ ନେବା ପରିବର୍ତ୍ତେ କେତେକ ଜମିଦାରଙ୍କ ପରାମର୍ଶ ଲୋଡିଲେ। ସ୍ବାର୍ଥପର ଜମିଦାରମାନେ ଶଠତା ଆଚରଣ କରି କମିଶନରଙ୍କୁ ଭ୍ରମିତ କଲେ। ସେମାନଙ୍କ ମତରେ ଲୋକଙ୍କ ନିକଟରେ ପ୍ରଚୁର ଖାଦ୍ୟଶସ୍ୟ ଅଛି, ଯଦ୍ଦ୍ବାରା ବାହାର ରାଜ୍ୟକୁ ଧାନ ବିକ୍ରି କରାଯାଉଛି। ପୁନଶ୍ଚ ପୁରପଲ୍ଲୀରେ ନାରୀମାନଙ୍କ ହାତରେ ଥିବା ସୁନାଚୁଡି ବିକ୍ରି କରି ସେମାନେ ପାଞ୍ଚବର୍ଷ ଖାଦ୍ୟାଭାବ ମେଣ୍ଟାଇପାରିବେ। କମିଶନର ମାଜିଷ୍ଟ୍ରେଟମାନଙ୍କୁ ବିଶ୍ୱାସ ନ କରିବା ଥିଲା ସାଂଘାତିକ ଭୁଲ। ବାଲେଶ୍ୱର ଜିଲା ମାଜିଷ୍ଟ୍ରେଟଙ୍କଠାରୁ ଖବର ପାଇ ବଙ୍ଗର ଗଭର୍ନର ‘ସାର୍‌ ସେସିଲ ବିଡନ’ ସେହିବର୍ଷ ଫେବୃୟାରୀରେ କଟକ ଆସିଲେ। ସେ ମଧ୍ୟ ପ୍ରତାରଣାର ଶିକାର ହୋଇ କଲିକତା ଫେରିଗଲେ। ଏଣେ ଉତ୍କଟ ଖାଦ୍ୟାଭାବ ଭୟଙ୍କର ଅବସ୍ଥା ଧାରଣ କଲା। ଲୋକେ ଅଖାଦ୍ୟ ଖାଇ ହଇଜା ଓ ମହାମାରୀରେ ଆକ୍ରାନ୍ତ ହୋଇ ପୋକମାଛି ପରି ମୃତ୍ୟୁବରଣ କଲେ। ମୃତ୍ୟୁ ଏଭଳି ଆସିଲା ଯେ ଶବବାହକ ମିଳିଲେ ନାହିଁ। ବର୍ତ୍ତମାନର ଶବବାହକ କିଛି ସମୟ ପରେ ନିଜେ ଶବ ପାଲଟିଲା। ସେତେବେଳେ ଉପକୂଳ ଓଡିଶାର ଏହି ତିନୋଟି ଜିଲାର ଲୋକସଂଖ୍ୟା ଥିଲା ମାତ୍ର ୩ ଲକ୍ଷ ୭୦ ହଜାର। ତନ୍ମଧ୍ୟରୁ ପ୍ରାୟ ଏକତୃତୀୟାଂଶ ଅର୍ଥାତ୍‌ ଏକଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲା ପରେ କମିଶନରଙ୍କର ଚେତା ପଶିଲା। ସେ ତ୍ୱରିତ ପଦକ୍ଷେପ ସ୍ବରୂପ ଜମିଦାରମାନଙ୍କୁ ମାଗଣା ଖାଦ୍ୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଲେ। କେତେକ ଜମିଦାର ଅବଶ୍ୟ ରିଲିଫ କେନ୍ଦ୍ର ଖୋଲିଲେ, ମାତ୍ର ସେଥିରେ ସମୀପବର୍ତ୍ତୀ ଗାଁମାନଙ୍କର କିଛି ଲୋକ ଖାଦ୍ୟ ପାଇଲେ ସିନା, ଆଭ୍ୟନ୍ତରୀଣ ଗ୍ରାମଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଲା। ଏ କରାଳ ଚିତ୍ର ବର୍ଣ୍ଣନା କରିବାକୁ ଭାଷା ନାହିଁ। ଶିଶୁ ସାହିତି୍ୟକ ରାମକୃଷ୍ଣ ନନ୍ଦ ୧୯୩୬ରେ ଲେଖିଥିବା ‘ନ’ଅଙ୍କ ଦୁର୍ଭିକ୍ଷ’ କବିତାଟି ପାଠକଙ୍କ ମାନସପଟରେ ଗଭୀର ରେଖାପାତ କରିଥିଲା। କାବ୍ୟନାୟକ ସନାତନ ପାଠକର ହୃଦୟକୁ ବିଗଳିତ କରିଥିଲା। କବିତାର କିଛି ଅଂଶ ଏହିପରି- ସତୁରି ବରଷ ତଳେ ଓଡିଶାରେ ପଡିଥିଲା ଘୋର କାଳ, ନ’ଅଙ୍କ ଦୁର୍ଭିକ୍ଷ ପଡିଲା ଦେଶରେ ଲୋକେ ମଲେ ମାଳମାଳ। ପେଟ ବିକଳରେ ସିଝାଇ ଖାଇଲେ ତେନ୍ତୁଳିପତର ଆଣି, ସେ ମରମଫଟା କାହାଣୀ ଶୁଣିଲେ ପଥର ହୁଅଇ ପାଣି। ସନାତନ ବୋଲି ବାଳୁତ ସେ ଏକ ଦୂର ଗାଁଗଣ୍ଡା ବୁଲି, ମା’ଭାଇ ପାଇଁ ଭିକ ମାଗୁଥିଲା କାନ୍ଧେ ଧରି ଭିକ୍ଷା ଝୁଲି। ସାତଦିନ ହେଲା ଖାଇନାହିଁ କିଛି ନ ଚଳଇ ଗୋଡ଼ହାତ, ଦେଖି ତା’ ବିକଳ ଦୟାବତୀ ଜଣେ ଆଣିଦେଲେ ଗଣ୍ଡେ ଭାତ। ଭାତ ଗଣ୍ଡାକ ଧରି ସନାତନ ଘର ଅଭିମୁଖେ ବାହୁଡିଲା ସିନା, ହେଲେ ଘରେ ପହଞ୍ଚିପାରିଲା ନାହିଁ। ଅଧାବାଟରେ ତା’ ପ୍ରାଣବାୟୁ ଉଡିଗଲା। ଏତେ ସବୁ ଘଟିଗଲା ପରେ ବ୍ରିଟିଶ ସରକାରଙ୍କ ନିଦ ଭାଙ୍ଗିଲା। କମିଶନର ସାହେବ ନିଜ ଭୁଲ୍‌ ବୁଝିପାରିଲେ। ବ୍ରିଟିଶ ପାର୍ଲାମେଣ୍ଟ ତାଙ୍କୁ କଡ଼ା ଭର୍ତ୍ସନା କଲେ। ରେଙ୍ଗୁନ ଓ ବଙ୍ଗଳାରୁ ଖାଦ୍ୟ ମଗାଗଲା। ଏହା ଥିଲା ମେ’ମାସ ଶେଷ ଓ ଜୁନ୍‌ର ପ୍ରଥମ ଭାଗ। ମୌସୁମୀ ବୃଷ୍ଟି ଆରମ୍ଭ ହୋଇଯାଇଥିବାରୁ ସ୍ଥଳ ପରିବହନ ସମ୍ଭବ ନ ଥିଲା। ଜଳପଥରେ ଖାଦ୍ୟଶସ୍ୟ ପହଞ୍ଚିଲା ବେଳକୁ ଅଗଷ୍ଟ ଶେଷ ପ୍ରାୟ। ଏହାପରେ ରେଭେନ୍ସା ସାହେବ ନିଜକୁ ଓଡିଶାର ବନ୍ଧୁ ଭାବେ ପ୍ରତିପାଦିତ କରିବାକୁ ଚେଷ୍ଟା କଲେ। କୃଷି, ଜଳସେଚନ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ହେବାକୁ ଲାଗିଲା। ଦୁର୍ଭିକ୍ଷର ୧୭ ବର୍ଷ ପରେ ୧୮୮୩ରେ ପ୍ରଥମ କରି ଉତ୍ତରଓଡିଶା କେନାଲ ପ୍ରକଳ୍ପ କାର୍ଯ୍ୟକାରୀ ହେଲା। ପରେ ପରେ ଅନ୍ୟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲା। ନ’ଅଙ୍କ ପରି ଭୟଙ୍କର ବିନାଶକାରୀ ବିପର୍ଯ୍ୟୟ ଆଉ ଓଡିଶାବାସୀ ଅଙ୍ଗେ ନିଭାଇ ନାହାନ୍ତି। ଯଦିଓ ବନ୍ୟା, ବାତ୍ୟା, ମରୁଡି ପ୍ରାୟତଃ ଲାଗିରହିଛି। ହେଲେ ଏତେ ସଂଖ୍ୟାରେ ଏକକାଳୀନ ମୃତ୍ୟୁ ହୋଇନାହିଁ। ଯେଉଁ କଥାଟି ସର୍ବାଧିକ ଗୁରୁତ୍ୱ ବହନ କରେ, ତାହା ହେଲା ଏଭଳି ଦୁର୍ବିପାକ ସତ୍ତ୍ୱେ ଜଣେ ହେଲେ ଆତ୍ମହତ୍ୟା କରିଥିବା ନଜିର ନାହିଁ। ସନାତନ ଭଳି ଅନେକେ ଭିକ୍ଷାବୃତ୍ତି କରିଥିଲେ ବି ଆତ୍ମହତ୍ୟା କଥା ଚିନ୍ତା କରି ନ ଥିଲେ। ଦେଶରେ ଜନପ୍ରିୟ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠିତ ହୋଇଛି। ସଡ଼କ ଯୋଗାଯୋଗର ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ ହୋଇଛି। ସବୁ ଜିନିଷ ହାତପାଆନ୍ତାରେ ଥାଇ ମାତ୍ର ଗୋଟିଏ ବର୍ଷର ଫସଲ ନଷ୍ଟ ପାଇଁ ଚରମ ପଦକ୍ଷେପ ସ୍ବରୂପ ଆତ୍ମହତ୍ୟା! ଏକ ରିପୋର୍ଟ ଅନୁଯାୟୀ, ୨୦୦୫ରୁ ୨୦୧୫ ମଧ୍ୟରେ ଓଡିଶାରେ ଫସଲ କ୍ଷତି ଓ ଋଣଭାରରେ ପ୍ରାୟ ପାଞ୍ଚହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ଚାଷୀ ଭଲଭାବେ ଜାଣେ ଗୋଟିଏ ବର୍ଷର ଫସଲ ନଷ୍ଟ ହେଲେ, ପରବର୍ଷ ଭରଣା ହୋଇପାରିବ। ରବି ଫସଲ କିମ୍ବା ଉଦ୍ୟାନ କୃଷିରେ କ୍ଷତି ଭରଣା କରିହେବ। କିନ୍ତୁ ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ଆତ୍ମହତ୍ୟାର ମାର୍ଗ ବାଛିନେବାର ରହସ୍ୟ କ’ଣ? ପ୍ରଥମତଃ ମଣିଷ ମଧ୍ୟରେ ପରଶ୍ରୀକାତରତା ଓ ହିଂସା ଏତେ ବଢ଼ିଯାଇଛି ଯେ, ଦୁର୍ଦ୍ଦିନରେ ଚାଷୀକୁ ସାହାଯ୍ୟର ହାତ କେହି ବଢ଼ାଉନାହିଁ। ଗାଁରେ ଥିଲାବାଲାଙ୍କ କରୁଣା ନଜର ତା’ ପ୍ରତି ପଡେନାହିଁ। ଦ୍ୱିତୀୟରେ ଚାଷୀର ଆୟ ତା’ ବ୍ୟୟ ତୁଳନାରେ ଯଥେଷ୍ଟ କମ୍‌। ସୀମିତ ଆୟରେ ପିଲାମାନଙ୍କର ଅସୀମିତ ଆଧୁନିକ ଆବଶ୍ୟକତା ପୂରଣ କରିବା ସମ୍ଭବ ନୁହେଁ। ତଥାପି ବର୍ଷଯାକର ଖର୍ଚ୍ଚ ମେଣ୍ଟାଇବାକୁ ଥିବା ହସିଲା ଫସଲ ଯେତେବେଳେ ଉଜୁଡିଯାଉଛି ତାକୁ ଦେଖି ସେ ହତାଶ ହୋଇପଡୁଛି। ତୃତୀୟତଃ ଚାଷୀ ନିଜକୁ ସରକାରଙ୍କ ସର୍ବନିମ୍ନ କର୍ମଚାରୀ ପିଅନ ସହ ତୁଳନା କରି ବିଦ୍ରୋହୀ ହୋଇଉଠୁଛି। ଜଣେ ପିଅନର ମାସିକ ଆୟ ୩୦ ହଜାର ହୋଇଥିବାବେଳେ ତା’ ରୋଜଗାର କିଛି ନୁହେଁ। ଏକ ରିପୋର୍ଟ ଅନୁସାରେ, ଆମ ଦେଶରେ ଗୋଟିଏ ଚାଷୀର ମାସିକ ଆୟ ୬୪୨୪ ଟଙ୍କା ଥିବାବେଳେ ଓଡିଶା ଚାଷୀର ମାସିକ ଆୟ ମାତ୍ର ୪୯୭୬ ଟଙ୍କା। ଗତବର୍ଷ ପାର୍ଲାମେଣ୍ଟରେ କୃଷିମନ୍ତ୍ରୀ ବିବୃତି ରଖି କହିଲେ ଯେ, ପାରିବାରିବ ଅଶାନ୍ତି ଓ ବିଫଳ ପ୍ରେମ ଚାଷୀ ଆତ୍ମହତ୍ୟାର ଅନ୍ୟତମ କାରଣ। କଥାଟା ଆଂଶିକ ସତ୍ୟ। ପତ୍ନୀ ଯେତେବେଳେ ପଡିଶା ପିଅନର ସ୍ତ୍ରୀପିଲାଙ୍କ ଚଳଣି ସହ ନିଜ ପରିବାରକୁ ତୁଳନା କରୁଛନ୍ତି, ସେତେବେଳେ ସ୍ବାମୀଙ୍କର ଅଯୋଗ୍ୟତାକୁ ସେ ଧିକ୍‌କାର କରୁଛନ୍ତି। ସ୍ବାମୀଙ୍କର ଶିକ୍ଷାଗତ ଯୋଗ୍ୟତା ପିଅନଠାରୁ ଯଥେଷ୍ଟ ଅଧିକ ଥିଲେ ମଧ୍ୟ ଉଭୟଙ୍କ ଚଳଣିରେ ଆକାଶପାତାଳ ପ୍ରଭେଦ। ସ୍ବାମୀ ସବୁ ସହିନେଉଛନ୍ତି, ମାତ୍ର ସହଧର୍ମିଣୀଙ୍କ କଟୁ ମନ୍ତବ୍ୟ ତାଙ୍କ ପାଇଁ ଅସହ୍ୟ। ତେଣୁ ସେ ଆତ୍ମହତ୍ୟାକୁ ଆଦରି ନେଉଛନ୍ତି। ଏସବୁ ବିଷୟକୁ ଚିନ୍ତା କରି ସରକାର ଅତିଶୀଘ୍ର ବିହିତ ପଦକ୍ଷେପ ନେବା ଜରୁରୀ। ଧାନର ସହାୟକ ମୂଲ୍ୟ ବୃଦ୍ଧି, କୃଷକ ପେନ୍‌ସନ ବ୍ୟବସ୍ଥା, ବ୍ୟକ୍ତିଗତ ଫସଲବୀମା ଇତ୍ୟାଦି ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଗ୍ରହଣ କରାଯିବା ବାଞ୍ଛନୀୟ। ନଚେତ୍‌ ପ୍ରତିବର୍ଷ କୃଷକ ଆତ୍ମହତ୍ୟା ବୃଦ୍ଧି ପାଇବ। ପରିଶେଷରେ କୃଷିକର୍ମ ବନ୍ଦ ହୋଇଯିବ ଓ ଖୁବ୍‌ଶୀଘ୍ର ଆମକୁ ପୁନଶ୍ଚ ଦୁର୍ଭିକ୍ଷକୁ ସାମ୍ନା କରିବାକୁ ହେବ। (ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦)

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ସମ୍ପାଦକୀୟ |

ଇତିହାସ ଭୁଲନାହିଁ, ଶେଷ ହୋଇଯିବ

ଇତିହାସ ଭୁଲନାହିଁ, ଶେଷ ହୋଇଯିବ

ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ନିକଟରେ ଶେଷ ହୋଇଛି। ଏଥିରେ ଅନେକ ସ୍ଥାନରେ ଭାଜପା ଦ୍ୱାରା ହିଂସା ଘଟାଯାଇଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଭାଜପା ନେତାମାନେ ଅର୍ଥବଳରେ ଯାହାକୁ ଚାହିଁବେ ତାହାକୁ ନେଇପାରିବେ ବୋଲି ଭାବିପାରନ୍ତି। ଆଜିକାଲି ଯାହା କୁହାଯାଉଛି ଯେ ଅର୍ଥବଳ ନ ହେଲେ ରାଜନୀତି କରିହେବ ନାହିଁ, ତାହାକୁ ବ୍ୟକ୍ତିଗତ ଅଭିଜ୍ଞତାରୁ ଅସ୍ବୀକାର କରିପାରିବି। ବିଜେପୁର ଉପନିର୍ବାଚନ ପ୍ରଚାର ଶେଷ ହେବା ପରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ଉପରେ ଯେଭଳି ଆକ୍ରମଣ ହେଲା, ତାହାକୁ ରାଜ୍ୟର ଅନ୍ୟ ସ୍ଥାନରେ ଅଣରାଜନୈତିକ ବ୍ୟକ୍ତି ବିଶ୍ୱାସ କରୁ ନ ଥିଲେ। ସାଧାରଣରେ ଚିନ୍ତା କରାଯାଉଥିଲା ଯେ ଉଭୟପଟର ଗୁଣ୍ଡା ମାରପିଟରେ ସାମିଲ ହୋଇଥିବେ। କିନ୍ତୁ ସୁଶାନ୍ତ ସିଂଙ୍କ ଭାଇଙ୍କ ଡ୍ରାଇଭର ଦିଲେଶ୍ୱର ସାହୁଙ୍କର କଟକ ଏସ୍‌ସିବି ବଡ଼ମେଡିକାଲରେ ମୃତ୍ୟୁ ଘଟିବା ପରେ ଚିତ୍ର ସ୍ପଷ୍ଟ ଜଣାପଡ଼ିଗଲା। ହିଂସା କେବେହେଲେ ଓଡ଼ିଶାବାସୀଙ୍କ ଦ୍ୱାରା ଗ୍ରହଣୀୟ ହୁଏନାହିଁ। ଓଡ଼ିଶାର ରାଜନୈତିକ ଇତିହାସ ଜାଣିଥିବା ବ୍ୟକ୍ତି ଏହି କଥା ସହିତ ସମ୍ପୂର୍ଣ୍ଣ ଏକମତ ହେବେ। ଭାଜପାର ଆକ୍ରମଣରେ ମୃତ୍ୟୁବରଣ କରିଥିବା ଦିଲେଶ୍ୱର ସାହୁଙ୍କ ପରିଚୟ ଅଜଣା ଥିଲା। ଜଣେ ନିରୀହ ଡ୍ରାଇଭରଙ୍କ ହତ୍ୟା ଅପରପକ୍ଷର ରାଜନୈତିକ ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ପଡ଼ିବ। ପ୍ରଥମେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଞ୍ଚକୁ ଜୋତାଫିଙ୍ଗା ଏବଂ ପରେ ଦିଲେଶ୍ୱରଙ୍କ ହତ୍ୟାର କୁପ୍ରଭାବ ଭାଜପାର ଦୀର୍ଘମିଆଦୀ ଅକ୍ଷମଣୀୟ ରାଜନୈତିକ ତ୍ରୁଟି ସାଜିପାରେ। ଏହାର କ୍ଷତିଭରଣା କରିବା ପାଇଁ ସେହି ଦଳକୁ ଅନେକ ପିଢ଼ି ଲାଗିପାରେ।

ଅଭିବ୍ୟକ୍ତିର ଅଧିକାର

ଅଭିବ୍ୟକ୍ତିର ଅଧିକାର

ପ୍ରଦୀପ୍ତ ନାୟକ/ଭାରତୀୟ ବିଧି ବ୍ୟବସ୍ଥାରେ ଅଭିବ୍ୟକ୍ତି ବା କଥା କହିବାର ଅଧିକାର ଏକ ମୌଳିକ ଅଧିକାର। ସମ୍ବିଧାନର ତୃତୀୟ ଅନୁଚ୍ଛେଦ ଧାରା ୧୯ (୧) (କ) ଉପଧାରାରେ ପ୍ରତ୍ୟେକ ନାଗରିକର ମୁକ୍ତ ଭାବରେ ମତ ବ୍ୟସ୍ତ କରିବା ମୌଳିକ ଅଧିକାର। ପ୍ରତିବନ୍ଧକହୀନ ମୁକ୍ତ ବକ୍ତବ୍ୟ ହେଉଛି ବାକ୍‌ ସ୍ବାଧୀନତାର ମୁଖ୍ୟ ଉତ୍ସ। ଏହା ନାଗରିକର ମୁଖର ସମ୍ଭାଷଣ ହୋଇପାରେ, ଲେଖନୀ ମାଧ୍ୟମରେ ହୋଇପାରେ, ପୁସ୍ତକ, କଳା ସ୍ଥାପତ୍ୟ କିମ୍ବା ମଞ୍ଚକଳାରେ ହୋଇପାରେ। କେବଳ ଭାରତର ସମ୍ବିଧାନ ନୁହେଁ, ମଣିଷର ଏହି ଦୁର୍ମୂଲ୍ୟ ଅଧିକାର ଜାତିସଂଘର ବିଭିନ୍ନ ଆନ୍ତର୍ଜାତିକ ସନନ୍ଦ, ଘୋଷଣା ପତ୍ର, ଦଲିଲ ଯଥା ସାର୍ବଜନୀନ ମାନବିକ ଅଧିକାର ବିଶ୍ୱ ଘୋଷଣାନାମା, ନାଗରିକର ରାଜନୈତକ ଅଧିକାର ନିମନ୍ତେ ଆନ୍ତର୍ଜାତିକ ସନନ୍ଦ ପତ୍ର, ମାନବାଧିକାର ନିମନ୍ତେ ୟୁରୋପିଆନ ସନନ୍ଦ ପତ୍ର ଇତ୍ୟାଦିରେ ସ୍ଥାନ ପାଇଛି, ଯାହା ଆମ ଦେଶ ଦ୍ୱାରା ପୂର୍ଣ୍ଣ ସ୍ବୀକୃତି ପାଇଛି। ବାକ୍‌ ସ୍ବାଧୀନତା ମଣିଷର ଭାବନା, ବୁଦ୍ଧିମତ୍ତା ଓ କର୍ମ କୁଶଳତାର କେବଳ ପରିପ୍ରକାଶ ନୁହେଁ। ବରଂ ଏହା (୧) ଜଣେ ବ୍ୟକ୍ତିର ପୂର୍ଣ୍ଣତା ଆଣିବାରେ ସାହାଯ୍ୟ କରେ, (୨) ସତ୍ୟ ଉନ୍ମୋଚନ କରିବାର ବାଟ ଫିଟାଏ, (୩) ମଣିଷର ଅନ୍ତର୍ନିହିତ ଶକ୍ତି ବୃଦ୍ଧି କରେ, (୪) ସମାଜରେ ସ୍ଥିରତା ଏବଂ ପରିବର୍ତ୍ତନରେ ସମ୍ଭାବ୍ୟ ସର୍ବସମ୍ମତ ଦିଗଗୁଡ଼ିକ ପ୍ରତିପାଦିତ କରେ। ଶିକ୍ଷାର ବିକାଶ ସହିତ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ବିନା କୌଣସି ସଂଗଠନ କିମ୍ବା ଜନଦରଦୀ ସରକାର ଠିକ୍‌ ଭାବରେ ଚାଲିପାରେ ନାହିଁ। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୪ (କ) ବ୍ୟକ୍ତିକୁ ରାଷ୍ଟ୍ରଦ୍ରୋହ ଅପରାଧୀ ଭାବେ ଚିତ୍ରିତ କରିଥାଏ, ଯାହା ସମ୍ବିଧାନର ବାକ୍‌ ସ୍ବାଧୀନତା ଧାରା ୧୯ (୧) (କ)କୁ ବିରୁଦ୍ଧାଚରଣ କରୁଛି। ଯଦି କେହି ଭିନ୍ନମତ ପୋଷଣ କରେ କିମ୍ବା ସାମୂହିକ ଭାବରେ ଦାବି ଉପସ୍ଥାପନ କରନ୍ତି, ପୋଲିସ୍‌ ବଳ ପ୍ରୟୋଗ କରି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଉଛି। ୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ପରେ ଅନେକ ସମୟରେ ବିଭିନ୍ନ ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନର ବାକ୍‌ ସ୍ବାଧୀନତା ଅପହୃତ ହେବାର ଦେଖାଯାଇଛି। ପରେ ମାନ୍ୟବର ଅଦାଲତଙ୍କ ହସ୍ତକ୍ଷେପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଗୋଷ୍ଠୀ ତାଙ୍କର ଅଧିକାର ଫେରିପାଇଛନ୍ତି। ମାତ୍ର ଏହାର ବେଗ ୨୦୧୪ରେ ଭାଜପା ସରକାର ଆସିବା ପରେ ଖୁବ୍‌ ତୀବ୍ରତର ହୋଇଛି। ଲେଖକ, କବି, ଚିତ୍ରକର, ସାମ୍ବାଦିକ ଓ ଖବର ପରିବେଷଣ ସଂସ୍ଥାମାନଙ୍କ ଉପରେ ଆକ୍ରମଣ ତୀବ୍ରତର ହୋଇଛି।

ବଦଳିଗଲାଣି ଗାଁ

ବଦଳିଗଲାଣି ଗାଁ

ଡା. ବାସୁଦେବ ପ୍ରଧାନ/ମା’ବାପା ଆଗପଛ ହୋଇ ଆରପାରିକୁ ଚାଲିଗଲେ। ସେମାନଙ୍କ କଥା ପୁଅର ସବୁବେଳେ ମନେପଡ଼େ। ସମୟକ୍ରମେ ଅନ୍ୟମାନଙ୍କ କଥା ଭୁଲିହେବ, ହେଲେ ମା’ର ସ୍ନେହ, ବାପାଙ୍କ ପରାମର୍ଶ ସହଜରେ ଭୁଲିହୁଏନି। ବାପା ସିନା କୋଉ ସ୍କୁଲ କଲେଜରେ ପଢି ନ ଥିଲେ, ହେଲେ ପୋଥି, ପୁରାଣ, ଭାଗବତ ତାଙ୍କ ତୁଣ୍ଡରେ ଥିଲା। ଗାଁଲୋକ ଶୀଘ୍ର ଶୁଅନ୍ତି ଶୀଘ୍ର ଉଠନ୍ତି। ମନ୍ଦିରରେ ମଙ୍ଗଳ ଆରତି ନ ହେଉଣୁ ପାହାନ୍ତାପହରୁ ବାପାଙ୍କ କଣ୍ଠରୁ ସୁମଧୁର ଭଜନ, ଛାନ୍ଦ, ଚଉତିଶା ଶୁଭୁଥିଲା। ତାଙ୍କ ପରାମର୍ଶ ଗୀତା ଭାଗବତ ବାଣୀଠାରୁ ଅଧିକ ମୂଲ୍ୟବାନ ଥିଲା। ପୁଅ ସେ ସବୁ ମନେ ମନେ ଘୋଷିହୁଏ। ଥରେ ବାପା ପୁଅକୁ କହିଲେ, ଯେତେ ଦୁଃଖ ଆସିଲେ ବି ଘରଡିହ ବିକିବୁନି। ଇଏ ସାତପୁରୁଷର ଘର। ଛାଆଛପର କରିବୁ। ଇଷାଣଙ୍କୁ ପୂଜା କରିବୁ। ନ ହେଲେ କୁକୁର ବିଲୁଆ ନାଟ କରିବେ। ଦୋଳମେଳଣ ବେଳେ ଦୁଆରେ ଠାକୁରଙ୍କୁ ପଂନ୍ତିଭୋଗ ବାଢିବୁ। ସବୁ ପର୍ବପର୍ବାଣି ତାକୁ ଶକ୍ତି ମୁତାବକ ପାଳିବୁ। ଅଧିକ ନ ହେଲା ନାହିଁ ଫଳେପୁଷ୍ପେ ପାଳନ କରିବୁ। ବିପଦ ଆପଦ ପଡିଲେ ନୃସିଂହ ପୁରାଣ ଲଗେଇବୁ।

ହଜି ଯାଉଥିବା ମଣିଷପଣ

ହଜି ଯାଉଥିବା ମଣିଷପଣ

ଦ୍ୱିତୀ ଚନ୍ଦ୍ର ସାହୁ/ବୋହି ଯାଉଥିବା ଝରଣା ପାଣି ପରି ନା କେବେ ଅଟକୁ ନ ଥିବା ପବନ ପରି ଆମ ସମ୍ପର୍କ। ଧରିପାରୁ ନ ଥିବା ଛାଇ ପରି ଅଳୀକ ନା କାଚକେନ୍ଦୁ ପାଣି ପରି ସ୍ବଚ୍ଛ। ସମ୍ପର୍କ ଗୋଟିଏ ଆତ୍ମିକ ଅନୁଭବ। ହୃଦୟର ପରିଭାଷା। ମନର ଭାବ। ସମ୍ପର୍କକୁ ସହଜରେ ଗଢ଼ି ହୁଏନା କି ଭାଙ୍ଗି ହୁଏନା। ସମ୍ପର୍କ ଗଢ଼ିବାକୁ ଲୋଡା ଦୃଢ଼ ବିଶ୍ୱାସ। ଆତ୍ମବିଶ୍ୱାସର ପ୍ରତ୍ୟୟ ଜାଗ୍ରତ ହେଲେ ସମ୍ପର୍କ ଦୃଢ଼ୀଭୂତ ହୁଏ। ଅନାବିଳ ଆବେଗ ତିଆରି ହୁଏ। ଆକର୍ଷଣର ଡୋରି ସୃଷ୍ଟି ହୁଏ। ସମ୍ପର୍କ ତିଆରି ହୋଇଥିବା ପରିବାର କି ବ୍ୟକ୍ତି ପ୍ରତି ମନରେ ଭାବାନ୍ତର ତିଆରି ହୁଏ। ପ୍ରତିଦାନ ସ୍ବରୂପ ବ୍ୟକ୍ତି ବା ପରିବାର ଅପରପକ୍ଷ ଲାଗି କିଛି କରିବାକୁ, କିଛି ଦେବାକୁ ବ୍ୟଗ୍ର ହୋଇଥାଏ। ଏପରିକି ନିଜର ତଥା ପରିବାରର ସ୍ବାର୍ଥକୁ ପଛକୁ ଠେଲି ସେହି ବ୍ୟକ୍ତି ତଥା ପରିବାର ପ୍ରତି ଦୁର୍ବଳତା ତିଆରି ହୁଏ। ସେହିପରି ପ୍ରତିପକ୍ଷର ମଧ୍ୟ ଅନୁରୂପ ମାନସିକତା ତିଆରି ହୁଏ। ନିରନ୍ତର ଯୋଗାଯୋଗ ଯୋଗୁ ସମ୍ପକର୍ର୍ର ଘର ତିଆରି ହୁଏ। ବେଳେ ବେଳେ କେଉଁ ଏକ ଅସତର୍କ ମୁହୂର୍ତ୍ତର ଦେଖା ସାକ୍ଷାତ ହେଉ କିମ୍ବା କିଛି ମିନିଟର ଆଲୋଚନା, ପରେ ସମ୍ପର୍କର ସେତୁବନ୍ଧ ଲାଗି ପ୍ରଶସ୍ତ ପଥ ଯୋଗାଏ। କିଛି ମୁହୂର୍ତ୍ତ ହିଁ କାଳ କାଳ ପାଇଁ ସମ୍ପର୍କ ତିଆରି କରିପାରେ। ଏମିତିକି ସବୁବେଳେ ଦେଖା ସାକ୍ଷାତ ହେଉଥିବା ସବୁ ମଣିଷ ସହିତ ବି ସମ୍ପର୍କ ତିଆରି ହୋଇପାରେନା। ଅଥଚ କେବେ ଦେଖିି ନ ଥିବା ମଣିଷ ସହ ପ୍ରଥମ ଦେଖାରୁ ସମ୍ପର୍କ ତିଆରି ହୋଇପାରେ। ସମାଜରେ ଏମିତି କିଛି ସମ୍ପର୍କ ତିଆରି ହୋଇଯାଏ ଆପେ ଆପେ। କିଛି କାରଣ, କିଛି ଅନୁଭବ, କିଛି ଘଟଣା ଦୁର୍ଘଟଣା ସମ୍ପର୍କ ତିଆରି କରେ ଏବଂ ସମ୍ପର୍କ ଭାଙ୍ଗି ଦେଇପାରେ।

ଏଇ ଭାରତରେ

ନିଶା ଉଜାଡିଦେଉଛି ସଂସାର। ସ୍ବାମୀ, ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରୁଛି। ଉଜୁଡିଯାଉଛି ଦାମ୍ପତ୍ୟ ସମ୍ପର୍କ। ଏଥିପାଇଁ କେବଳ ଦାରିଦ୍ର୍ୟ ଦାୟୀ ନୁହେଁ, ଧନିକ ପରିବାରରେ ମଧ୍ୟ ଅଶାନ୍ତି ସୃଷ୍ଟି କରୁଛି ମଦ। ସ୍ତ୍ରୀ ଉପରେ ଅତ୍ୟାଚାର, ନିର୍ଯାତନାର କାହାଣୀ ଶୁଣିବାକୁ ମିଳୁଛି ପ୍ରାୟ ପ୍ରତିଦିନ। ଅତିଷ୍ଠ ସ୍ତ୍ରୀ ହୁଏତ ଚରମ ନିଷ୍ପତ୍ତି ନେଇଯାଉଛି କିମ୍ବା ପୋଲିସ, ଅଦାଲତର ଆଶ୍ରୟ ନେଉଛି। କିନ୍ତୁ ପ୍ରଥମ କରି ତେଲେଙ୍ଗାନା ରାଜ୍ୟର କରିମ୍‌ନଗର ଜିଲାରେ ଘଟିଛି ଭିନ୍ନ ଏକ ଘଟଣା। ବାପାଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କର ୧୧ବର୍ଷର ପୁଅ ଏମ୍‌. ଶଶିକୁମାର ପୋଲିସରେ ଫେରାଦ ହୋଇଛନ୍ତି। ଜାମିକୁନ୍ତା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ଯେ, ବାପା ଏମ୍‌.ଶ୍ରୀନିବାସ ତାଙ୍କୁ ଗତ କେତେମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ପିଲାଟିର ଏହି ଅଭିଯୋଗ ଆଧାରରେ ପୋଲିସ ଆଇପିସି ଏବଂ ଜୁଭେନାଇଲ ଆଇନରେ ମକଦ୍ଦମା ରୁଜୁ କରି ଶ୍ରୀନିବାସଙ୍କୁ ଗିରଫ କରିଛି। ବାପାଙ୍କ ନିର୍ଯାତନାରେ ଶିଶୁଟି ଏତେମାତ୍ରାରେ ଭୟଭୀତ ଯେ ସେ ଘରେ ରହିବାକୁ ଅମଙ୍ଗ।

ଗୁଜରାଟ ମଡେଲର ଭିନ୍ନ ରୂପ

ଗୁଜରାଟ ମଡେଲର ଭିନ୍ନ ରୂପ

ଆକାର ପଟେଲ/ ନୀରବ ମୋଦି ନିଜକୁ ହର୍ଷଦ ମେହେଟ୍ଟା, ହିତେନ୍‌ ଦଲାଲ, ଯତୀନ ମେହେଟ୍ଟା ଓ କେତନ ପାରେଖ ପ୍ରମୁଖ ଗୁଜରାଟୀ ଧୂର୍ତ୍ତମାନଙ୍କ ତାଲିକାରେ ସାମିଲ କରିପାରିଛନ୍ତି, ଯେଉଁମାନେ ଗତ କେଇ ବର୍ଷ ଭିତରେ ଟିକସଦାତାଙ୍କର ହଜାର ହଜାର କୋଟି ଟଙ୍କା ଚଳୁ କରିଦେଇଛନ୍ତି। ଏଠାରେ ଟିକସଦାତା ବୋଲି କହିବାର ଅର୍ଥ ହେଲା, ଏହି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ ହଡ଼ପ କରାଯାଇଥିଲେ ମଧ୍ୟ ପରୋକ୍ଷରେ ଏହା ଦେଶର ନାଗରିକମାନଙ୍କର ହିଁ ଟଙ୍କା। ଗୁରୁବାର ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ କହିଛି ଯେ ଏହା ନିଜର ଶେୟାରଗୁଡ଼ିକୁ ୧୬୩ ଟଙ୍କା ହିସାବରେ ବିକି ସରକାରଙ୍କଠାରୁ ୫୫୦୦ କୋଟି ଟଙ୍କା ଆଣିବ। ବର୍ତ୍ତମାନ ଶେୟାରଗୁଡ଼ିକର ବଜାର ଦର ୧୧୩ ଟଙ୍କା ଅଛି ଓ ତାହା କମି କମି ଯାଉଛି। ପୁଣି ଆମେ ଏପରି ଏକ ଅଯୋଗ୍ୟ ବ୍ୟାଙ୍କରେ ନିବେଶ ପାଇଁ ଶେୟାର ପିଛା ୫୦ ଟଙ୍କା ପ୍ରିମିୟମ୍‌ ଦେଉଛୁ, ଯିଏ କି ସେହି ଟଙ୍କା ମନଇଚ୍ଛା ଅସଦ୍‌ବିନିଯୋଗ କରୁଛି। ଆମକୁ ଆଶ୍ୱାସନା ଦିଆଯାଉଛି ଯେ, ବ୍ୟାଙ୍କରେ ଟଙ୍କା ରଖିଲେ ନିରାପଦ ରହିବ। କିନ୍ତୁ ଏ ଆଶ୍ୱାସନା ମିଛ ବୋଲି ବାରମ୍ବାର ପ୍ରମାଣ ମିଳି ସାରିଲାଣି ଏବଂ ଆଗକୁ ବି ଏପରି ଘଟଣା ନିଶ୍ଚୟ ଘଟିବ। ଷ୍ଟକ୍‌ ମାର୍କେଟ୍‌ ଦୁର୍ନୀତି ବିଷୟରେ ଆମେ ଯାହା ଜାଣୁ ତାହା ହେଉଛି ପ୍ରକୃତରେ ବ୍ୟାଙ୍କ ଜାଲିଆତି, ନୀରବ ମୋଦି ଓ ଯତୀନ ମେହେଟ୍ଟାଙ୍କ ଜାଲିଆତି ପରି। ସାମ୍ବାଦିକ ଦେବାଶିଷ ବସୁ ଓ ସୁଚେତା ଦଲାଲ ଏକ ପୁସ୍ତକ ଲେଖିଛନ୍ତି, ଯାହାର ନାମ ‘ଦ ସ୍କାମ୍‌: ଫ୍ରମ୍‌ ହର୍ଷଦ ମେହେଟ୍ଟା ଟୁ କେତନ ପାରେଖ’। ସେମାନେ ପରେ ‘ଅଲ୍‌ସୋ ଇନ୍‌କ୍ଲୁଡ୍ସ ଜେପିସି ଫିଆସ୍କୋ ଆଣ୍ଡ୍‌ ଗ୍ଲୋବାଲ ଟ୍ରଷ୍ଟ ବ୍ୟାଙ୍କ ସ୍କାମ୍‌’ ନାମ ଦେଇ ଏହାକୁ ସଂଶୋଧନ କରିଛନ୍ତି। ମୁଁ ଭାବୁଛି ସେମାନେ ଏହାକୁ ଏମିତି ସଂଶୋଧନ କରିଚାଲିଥିବେ କାରଣ ଏ ଦେଶରେ ବଡ଼ ଧରଣର ବ୍ୟାଙ୍କ ଦୁର୍ନୀତିର ଅଭାବ ନାହିଁ, ଯାହା ସମୟାନ୍ତରରେ ଘଟି ଚାଲିଛି। ହର୍ଷଦ ମେହେଟ୍ଟା ପ୍ରସଙ୍ଗରେ ବସୁ ଓ ଦଲାଲ ଲେଖିଛନ୍ତି- ଦୁର୍ନୀତି ଏତେ ବଡ଼ ଯେ, ତା’ ଆଗରେ ଲକ୍ଷ ଲକ୍ଷ ଟଙ୍କା ରେଜା ପଇସା ପରି ଲାଗିବ। ଏହାର ପରିମାଣ ଆମ ଦେଶର ସ୍ବାସ୍ଥ୍ୟ ଓ ଶିକ୍ଷା ବଜେଟ୍‌ଠାରୁ ବି ଅଧିକ। ଏହା ବୋଫର୍ସ ଦୁର୍ନୀତିର ୫୦ ଗୁଣ ହେବ। ମେହେଟ୍ଟା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପାଇଁ ଯେଉଁ ସିକ୍ୟୁରିଟିଜ୍‌ କ୍ରୟ କରିଥିଲେ, ତାହାକୁ ସେ ସ୍ପେକୁଲେଶନରେ ବିନିଯୋଗ କରିଥିଲେ। ଏହି କାମରେ ତାଙ୍କୁ ସାହାଯ୍ୟ କରିଥିଲେ ଏଏନ୍‌ଜେଡ୍‌ ଗ୍ରିଣ୍ଡଲେଜ୍‌ ବ୍ୟାଙ୍କ ଏବଂ ନ୍ୟାଶ୍‌ନାଲ ହାଉସିଂ ବ୍ୟାଙ୍କ। ଉଭୟ ବ୍ୟାଙ୍କ ବିନା ବାଧାରେ ହର୍ଷଦଙ୍କ ଆକାଉଣ୍ଟକୁ ଚେକ୍‌ କ୍ରେଡିଟ୍‌ କରିଥିଲେ। ଦୁର୍ନୀତିର ଏହି ସଂକ୍ରମଣ ସାରା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ବ୍ୟାପିଯାଇଛି। ଏଥିପାଇଁ ବ୍ୟାଙ୍କର ଜଣେ ଦୁଇଜଣ କର୍ମଚାରୀଙ୍କୁ ଦୋଷ ଦେବା ଠିକ୍‌ ନୁହେଁ। ଏ ରୋଗର ଏକମାତ୍ର ନିଦାନ ହେଉଛି ଆଇନର ଶାସନକୁ ସୁନିଶ୍ଚିତ କରିବା। ଏହା କୌଣସି ଗୋଟିଏ କ୍ଷେତ୍ରରେ ନୁହେଁ, ସବୁ କ୍ଷେତ୍ରରେ- ଟ୍ରାଫିକ୍‌ ନିୟମ ଉଲ୍ଲଂଘନଠାରୁ ଆରମ୍ଭ କରି ନରହତ୍ୟା ପର୍ଯ୍ୟନ୍ତ। ଆପରାଧିକ ନ୍ୟାୟ ବ୍ୟବସ୍ଥା ଠିକ୍‌ଭାବେ କାର୍ଯ୍ୟ କରିବା ଦରକାର। କିନ୍ତୁ ହାଇ ପ୍ରୋପାଇଲ ଅପରାଧ ଓ ଦୁର୍ନୀତି ଘଟଣାରେ ସରକାର ଠିକ୍‌ଭାବେ ଏ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି କି? ...

‘ପ୍ୟାଡ୍‌ମ୍ୟାନ୍‌’ର ସନ୍ଦେଶ

‘ପ୍ୟାଡ୍‌ମ୍ୟାନ୍‌’ର ସନ୍ଦେଶ

ପ୍ରକାଶ ତ୍ରିପାଠୀ/ ସମାଜ ଓ ସିନେମା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସିନେମାର ପ୍ରଭାବ ସମାଜ ଉପରେ ଓ ସମାଜର ପ୍ରଭାବ ସିନେମା ଉପରେ ଥିଲେ ମଧ୍ୟ ପ୍ରଥମ ଉକ୍ତିଟିର ଯଥାର୍ଥତା ଟିକେ ଅଧିକ। ଏଥିପାଇଁ କେତେବେଳେ ସିନେମାକୁ ମିଳେ ପ୍ରଶଂସା ତ କେତେବେଳେ ମିଳେ ନିନ୍ଦା। ତେବେ ସମାଜକୁ ବଦଳାଇବାରେ, ସଂସ୍କାର ଆଣିବାରେ ସିନେମାର ଭୂମିକାକୁ ଅଣଦେଖା କରାଯାଇ ନ ପାରେ। ଏହି ପ୍ରସଙ୍ଗରେ ସମ୍ପ୍ରତି ଚର୍ଚ୍ଚାରେ ଥିବା ହିନ୍ଦୀ ସିନେମା ‘ପ୍ୟାଡ୍‌ମ୍ୟାନ୍‌’ ସମ୍ପର୍କରେ କିଛି ଆଲୋଚନା କରାଯାଇପାରେ। ଏକ ସତ୍ୟ ଘଟଣା ଆଧାରରେ ନିର୍ମିତ ‘ପ୍ୟାଡ୍‌ମ୍ୟାନ୍‌’ ଏକ ସଂସ୍କାରଧର୍ମୀ ଚଳଚ୍ଚିତ୍ର। ପ୍ୟାଡ୍‌ମ୍ୟାନ୍‌ର କାହାଣୀ ତାମିଲନାଡୁର ଅରୁଣାଚଳମ୍‌ ମୁରୁଗାନାଥମ୍‌ଙ୍କ ଜୀବନୀ ଉପରେ ପର୍ଯ୍ୟବସିତ। ଅରୁଣାଚଳମ୍‌ ହିଁ ବାସ୍ତବରେ ପ୍ୟାଡ୍‌ମ୍ୟାନ୍‌ ଭାବେ ପରିଚିତ, ଯିଏ କି ମହିଳାମାନେ ମାସିକ ଧର୍ମ ସମୟରେ ବ୍ୟବହାର କରୁଥିବା ପ୍ୟାଡ୍‌ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଅରୁଣାଚଳମ୍‌ଙ୍କୁ ଏ ଦିଗରେ କାର୍ଯ୍ୟ କରିବାର ପ୍ରେରଣା ମିଳିଥିଲା ସେତିକିବେଳେ ଯେତେବେଳେ କି ତାଙ୍କ ପତ୍ନୀଙ୍କ ସେହି ଅସୁବିଧା ଦିନଗୁଡିକୁ ସେ ନିଜେ ଆଖିରେ ଦେଖିଲେ ଓ ପତ୍ନୀଙ୍କ ପୀଡା ଓ ବ୍ୟଥାକୁ ଅନୁଭବ କଲେ। ବିବାହ ପରେ ତାଙ୍କ ପତ୍ନୀ ଶାନ୍ତିଙ୍କୁ ମାସିକ ଧର୍ମ ସମୟରେ ଘରର ଗୋଟିଏ କୋଣରେ ବସିବାକୁ କୁହାଯାଉଥିଲା। କେହି ତାଙ୍କୁ ସ୍ପର୍ଶ କରୁ ନ ଥିଲେ କି ସେ ବି କାହାକୁ ସ୍ପର୍ଶ ନ କରିବାକୁ କୁହାଯାଇଥିଲା, ନା ସେ ରୋଷେଇ କରିପାରୁଥିଲେ ନା ଠାକୁରଘରକୁ ଯାଇପାରୁଥିଲେ। ଏପରି କି ପଲଙ୍କ ଉପରେ ଶୋଇବାକୁ ବି ବାରଣ କରାଯାଇଥିଲା। ଖାଦ୍ୟପଦାର୍ଥ, ଗଛପତ୍ର ବି ଛୁଇଁବାକୁ ଥିଲା ବାରଣ। ସମ୍ପୂର୍ଣ୍ଣ ଅସ୍ପୃଶ୍ୟ ହୋଇଯାଉଥିଲେ ସେ କିଛିଦିନ। ତାଙ୍କୁ ଯେଉଁ କପଡା ବ୍ୟବହାର କରିବାକୁ ଦିଆଯାଉଥିଲା ତାହା ଥିଲା ଘରର ପରିତ୍ୟକ୍ତ କପଡ଼ା। ଏପରି କି ସେହି କପଡା ସାଇକେଲ ପୋଛିବା ପାଇଁ ବି ଅନୁପଯୁକ୍ତ ଥିଲା ବୋଲି କୁହନ୍ତି ଅରୁଣାଚଳମ୍‌। ସାମାଜିକ କଟକଣା ପାଇଁ ସେ ଯେତିକି ବ୍ୟଥିତ ନ ଥିଲେ, ତା’ଠାରୁ ଅଧିକ ଚିନ୍ତା ଥିଲା ପତ୍ନୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ। ସେତେବେଳେ ସେ କୌଣସି କର୍ମନିଯୁକ୍ତି ପାଇ ନ ଥିଲେ। ମାର୍କେଟରୁ ଦାମିକିଆ ନାପ୍‌କିନ୍‌ ବି କିଣି ପତ୍ନୀଙ୍କୁ ଦେବାକୁ ସେ ସକ୍ଷମ ନ ଥିଲେ। ଏହି ଦୁରବସ୍ଥାର ସମାଧାନ ପାଇଁ ଚିନ୍ତାକଲେ ଅରୁଣାଚଳମ୍‌। କିପରି କମ୍‌ ଖର୍ଚ୍ଚରେ ପରିଷ୍କାର, ସ୍ବାସ୍ଥ୍ୟପ୍ରଦ ପ୍ୟାଡ୍‌ ତିଆରି କରାଯାଇପାରିବ ସେ ବିଷୟରେ ଦିନରାତି ଚିନ୍ତା କରିବାକୁ ଲାଗିଲେ। ପ୍ୟାଡ୍‌ର ତିଆରି କୌଶଳ ବି ଅନୁଧ୍ୟାନ କଲେ। ନିଜେ କମ୍‌ ଖର୍ଚ୍ଚରେ କିପରି ନାପ୍‌କିନ୍‌ ପ୍ରସ୍ତୁତ କରିପାରିବେ ସେଥିପାଇଁ ଦିନରାତି ଏକ କରିଦେଲେ। ସେଥିପାଇଁ ସେ ସମାଜରୁ ପାଇଛନ୍ତି ଅନେକ କଟୁ ମନ୍ତବ୍ୟ, ତାଚ୍ଛଲ୍ୟ ଓ ଉପହାସ। କିନ୍ତୁ କୌଣସିଥିରେ ଦବି ନ ଯାଇ ନିଷ୍ଠାର ସହ ଉଦ୍ୟମ ଜାରି ରଖିଲେ ଓ ଶେଷରେ ସଫଳ ହେଲେ। ସାନିଟାରୀ ପ୍ୟାଡ୍‌ ତିଆରି ମେଶିନ ଉଦ୍ଭାବନ ସହ କମର୍ସିଆଲ ପ୍ୟାଡ୍‌ ଦାମ୍‌ର ଏକତୃତୀୟାଂଶ ମୂଲ୍ୟରେ ସେ ପ୍ରସ୍ତୁତ କଲେ ପ୍ୟାଡ୍‌। ଯେଉଁମାନେ ଅରୁଣାଚଳମ୍‌ଙ୍କୁ ଉପହାସ କରୁଥିଲେ ସେହିମାନେ ହିଁ ତାଙ୍କୁ ଶେଷରେ ପ୍ରଶଂସା କଲେ। ସମ୍ମାନ ଜଣାଇଲେ। ଅରୁଣାଚଳମ୍‌ଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାତାରାତି ପ୍ରସିଦ୍ଧି ବି ମିଳିଗଲା। ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟ, ଆଇଆଇଟି, ବମ୍ବେ ଓ ଆଇଆଇଏମ୍‌, ବାଙ୍ଗାଲୋର ପକ୍ଷରୁ ନିଜ ଉଦ୍ଭାବନ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ପଢାଇବା ପାଇଁ ଆମନ୍ତ୍ରଣ ଆସିଲା। ୨୦୧୪ ମସିହାରେ ଟାଇମ୍ସ ମାଗାଜିନ ପକ୍ଷରୁ ବିଶ୍ୱର ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅରୁଣାଚଳମ୍‌ଙ୍କ ନାମ ବି ପ୍ରକାଶ ପାଇଲା। ଭାରତ ସରକାର ବି ତାଙ୍କୁ ସମ୍ମାନିତ କରିବାକୁ ଭୁଲିନାହାନ୍ତି। ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅରୁଣାଚଳମ୍‌ଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି ପ୍ୟାଡ୍‌ମ୍ୟାନ୍‌ ଚଳଚ୍ଚିତ୍ର। ତାଙ୍କ ଚରିତ୍ରକୁ ଅତି ସୁନ୍ଦର ଭାବେ ଫୁଟାଇଛନ୍ତି ଅକ୍ଷୟ କୁମାର ଲକ୍ଷ୍ମୀକାନ୍ତ ଚୌହାନ ଭୂମିକାରେ। ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟୁଇଙ୍କିଲ ଖାନ୍ନା ଜଣେ ଉଚ୍ଚସ୍ତରର ଲେଖିକା ଓ ସ୍ତମ୍ଭକାର। ଅନେକ ଇଂଲିଶ ପତ୍ରପତ୍ରିକାରେ ଗତ କିଛିବର୍ଷ ହେବ ସେ ନିୟମିତ ସ୍ତମ୍ଭ ଲେଖୁଛନ୍ତି। ସେହିସବୁ ଆଲେଖ୍ୟକୁ ନେଇ ଗତବର୍ଷ ପ୍ରକାଶ ପାଇଥିଲା ତାଙ୍କର ଏକ ସଂକଳନ ‘ଦି ସାନିଟାରୀ ମ୍ୟାନ୍‌ ଅଫ୍‌ ସାକ୍ରେଡ୍‌ ଲ୍ୟାଣ୍ଡ୍‌’। ଏହି ସଂକଳନରେ ପ୍ୟାଡ୍‌ମ୍ୟାନ୍‌ ଅରୁଣାଚଳମ୍‌ଙ୍କ ସମ୍ପର୍କରେ ଗୋଟିଏ ଲେଖା ରହିଛି, ଯାହା ଆଧାରରେ ନିର୍ଦ୍ଦେଶକ ଆର୍‌. ବାଲ୍‌କି ‘ପ୍ୟାଡ୍‌ମ୍ୟାନ୍‌’ ସିନେମା ପ୍ରସ୍ତୁତ କରିଛନ୍ତି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହା ଖୁବ୍‌ ଶିକ୍ଷଣୀୟ ଓ ଉପାଦେୟ ହୋଇପାରିଛି। ମାସିକ ଧର୍ମର ଗୁରୁତ୍ୱକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯିବା ସହ ଏହି ସମୟରେ ମହିଳାମାନଙ୍କୁ ଅଛୁଆଁ ଓ ନୂ୍ୟନ ମଣିବା ବଦଳରେ ଆଦର, ଯତ୍ନ ଓ ସମ୍ମାନ ଦେବା ଆବଶ୍ୟକ ବୋଲି ଏଥିରେ ସନ୍ଦେଶ ରହିଛି।...

ଆକାଶର ରାଣୀ

ଆକାଶର ରାଣୀ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଭାରତର ଅନେକ ରାଜ୍ୟରେ ଝିଅ ଓ ପୁଅ ଅନୁପାତରେ ବହୁ ତଫାତ୍‌ ଲକ୍ଷ୍ୟ କରାଯାଉଛି। କନ୍ୟାଭ୍ରୂଣ ହତ୍ୟା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଝିଅକୁ ବୋଝ ଭାବେ ଅନେକେ ଭାବି ନେଉଛନ୍ତି। କିନ୍ତୁ ଆହୁରି ଅନେକେ ଅଛନ୍ତି କନ୍ୟା ସନ୍ତାନକୁ ଠିକ୍‌ ଭାବେ ଲାଳନପାଳନ କରି ଉଚ୍ଚଶିକ୍ଷିତା କରାଉଛନ୍ତି। ପୁଅ ଓ ଝିଅ ଭିତରେ ପାର୍ଥକ୍ୟ ଦେଖୁ ନ ଥିବା ବ୍ୟକ୍ତିଙ୍କୁ ହିଁ ଶେଷରେ ପୁରସ୍କାର ମିଳୁଛି। ଝିଅକୁ ସମାଜ ଆଗରେ ପ୍ରତିଷ୍ଠିତ କରିପାରିଥିବା ଏଭଳି ମାତାପିତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି। ମଧ୍ୟପ୍ରଦେଶ ସତନା ଜିଲାର ଦିନାକର ଚତୁର୍ବେଦୀ ଓ ତାଙ୍କ ପତ୍ନୀ କନ୍ୟା ଜନ୍ମ ହେବା ପରେ ତାକୁ ନେଇ ହୁଏତ ଅନେକ ସ୍ବପ୍ନ ଦେଖିଥିବେ। ଝିଅ ନାମ ଅବନୀ ବା ଧରିତ୍ରୀ ଦେଲା ବେଳେ ମାତାପିତା ତାଙ୍କ ଗତିପଥ ଯେ ଆକାଶ ଆଡ଼କୁ ହେବ ଜାଣି ନ ଥାଇପାରନ୍ତି, ମାତ୍ର ସେ ଆଜି ଆକାଶମୁହଁା। କୋଟି କୋଟି ପୁଅ ସାହସ ଦେଖାଇ ଯେଉଁ କାର୍ଯ୍ୟ କରିବାକୁ ଯୋଗ୍ୟ ନୁହନ୍ତି, ସେ ଆଜି ତାହା କରିପାରିଥିବାରୁ ତାଙ୍କ ନାମ ସାଧାରଣ ଜ୍ଞାନ ସ୍ତରକୁ ଯାଇପାରିଛି। ଅବନୀ ଚତୁର୍ବେଦୀ ପାଲଟିଯାଇଛନ୍ତି ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏକାକୀ ଯୁଦ୍ଧବିମାନ ଉଡ଼ାଇଥିବା ମହିଳା ପାଇଲଟ୍‌। ୨୦୧୮ ଫେବୃୟାରୀ ୧୯ରେ ସେ ମିଗ୍‌-୨୧ ବିସନ ଲଢ଼ୁଆ ବିମାନ ଗୁଜରାଟର ଜାମନଗର ଏୟାରବେସ୍‌ରେ ଉଡ଼ାଇ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପରେ ଏବେ ତାଙ୍କ ଯାତ୍ରାପଥର କାହାଣୀ ଜାଣିବାକୁ ସମସ୍ତେ ଆଗ୍ରହୀ।

ଏଇ ଭାରତରେ

ଏହା ପାଗଳାମି ନା ଅନ୍ୟ କିଛି, ତାହା ବୁଝିବାକୁ ପୋଲିସ ଅକ୍ଷମ। ଦେଖଣାହାରି ମଧ୍ୟ ଆଶ୍ଚର୍ଯ୍ୟ। ବିଦ୍ୟୁତ୍‌ ଖୁଣ୍ଟକୁ ଚଢି, ତାରକୁ ଧରି ଚାଲିବା ଭଳି ଏକ ଅଜବ କାର୍ଯ୍ୟ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ବିଦ୍ୟୁତ୍‌ ତାରକୁ ଧରି ତା’ଉପରେ ପାଦ ରଖି, ବାଉଁଶରାଣୀ ଭଳି ଚାଲୁଥିବା ବ୍ୟକ୍ତି ଜଣଙ୍କୁ ବିଦ୍ୟୁତ୍‌ ଝଟ୍‌କା କିପରି ଲାଗୁନାହିଁ ବୋଲି ଲୋକେ ଚିନ୍ତା କରିପାରୁ ନ ଥିଲେ। ସୌଭାଗ୍ୟବଶତଃ ବିଜୁଳିବାଲା ଆଗୁଆ ସୂଚନା ପାଇ ଲାଇନ କାଟିଦେଇଥିଲେ। ଫଳରେ ଇରେନେ ନାମକ ଏହି ୫୫ ବର୍ଷ ବୟସ୍କ ବ୍ୟକ୍ତି ଜଣକ ବଞ୍ଚିଯାଇଥିଲେ। ଶନିବାର ସକାଳେ ଏହି ଘଟଣାଟି ଘଟିଛି ତାମିଲନାଡୁର ଏରୋଡ୍‌ ଜିଲାରେ। ଇରେନେ ହେଉଛନ୍ତି ବାଙ୍ଗାଲୋର ଅଞ୍ଚଳର ବ୍ୟକ୍ତି। ଏରୋଡରେ ଆସି ରହୁଥିବା ଏହି ବ୍ୟକ୍ତି ଗତ ରାତିରେ ଖବର ପାଇଲେ ଯେ, ପୋଲାଚିରେ ରହୁଥିବା ତାଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ। ଏହାପରେ ସେ ତାଙ୍କର ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ବାହାରିପଡିଲେ ପୋଲାଚି। ଶନିବାର ଭୋର୍‌ ସମୟରେ କ’ଣ ହେଲା କେଜାଣି ସେ ତାଙ୍କର ଦୁଇ ଝିଅଙ୍କୁ ଛାଡି ଦୌଡିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର କେତେକ ଲୋକ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ମାତ୍ର ଇରେନେ ପୋଲିସଠାରୁ ଖସି ଆସି ହଠାତ୍‌ ଏକ ବିଦ୍ୟୁତ୍‌ ଟାଓ୍ବାରକୁ ଚଢିଗଲେ। ପୋଲିସଠାରୁ ଖବର ପାଇ ବିଦ୍ୟୁତ୍‌ ଅଫିସ ଲାଇନ କାଟିଦେଇଥିଲା। ପୋଲିସର ଅନୁରୋଧ ସତ୍ତ୍ୱେ ଇରେନେ ବିଦ୍ୟୁତ୍‌ ଖୁଣ୍ଟରୁ ଓହ୍ଲାଇବା ପରିବର୍ତ୍ତେ ଦୁଇହାତରେ ତାରକୁ ଧରି ତା’ଉପରେ ଗୋଡଥୋଇ ଚାଲିବା ଆରମ୍ଭ କରିଦେଲେ। ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ବ୍ୟକ୍ତି ଜଣକୁ ନିରାପଦରେ ଓହ୍ଲାଇ ଆଣିବାର ଚେଷ୍ଟା ହେଉଥିବା ବେଳେ ସେ ତଳକୁ ଡେଇଁ ଏକ କୂଅରେ ପଡିଥିଲେ। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁପ୍ତ ବଦଳି

ଗୁପ୍ତ ବଦଳି

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ଗତ ପୌର ନିର୍ବାଚନରେ ମଧ୍ୟପ୍ରଦେଶର ଶାସକ ଭାଜପା ଆଶାଜନକ ଆସନ ନ ପାଇ ମାନସିକ କଷ୍ଟ ଭୋଗୁଥିବା ବେଳେ ରାଜ୍ୟ ପ୍ରଶାସନିକ ସେବା ବୋର୍ଡ ବୈଠକର ବିବରଣୀ ପ୍ରଦାନ କରିବାକୁ ଜଣେ ଦୁର୍ନୀତି-ବିରୋଧୀ କର୍ମୀଙ୍କ ଆବେଦନକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହା ଗୁପ୍ତ ଏବଂ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହେଁ ବୋଲି ସରକାର କହିଛନ୍ତି। ଅଜୟ ଦୁବେ ନାମକ ଉକ୍ତ କର୍ମୀ ଜଣକ ଗତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ବୋର୍ଡ ମିଟିଂର ବିବରଣୀ ପ୍ରଦାନ ପାଇଁ ଏକ ଆର୍‌ଟିଆଇ ଆବେଦନ କରିଥିଲେ। ଉକ୍ତ ପ୍ରଶାସନିକ ସେବା ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥାନ୍ତି ଏବଂ ବରିଷ୍ଠତମ ଅତିରିକ୍ତ ଶାସନ ସଚିବ ବା ରାଜସ୍ବ ବୋର୍ଡ ଅଧ୍ୟକ୍ଷ ତଥା ଆର୍ଥିକ କମିଶନର ବା ତତ୍ତୁଲ୍ୟ ପାହ୍ୟାର ଜଣେ ଅଧିକାରୀ ସଦସ୍ୟ ରହିଥାନ୍ତି। ଏଥି ସହ ରାଜ୍ୟ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ପ୍ରମୁଖ ସଚିବ ବା ସଚିବ ସଦସ୍ୟ ସଚିବ ରହିଥାନ୍ତି। ୨୦୧୩ ମସିହାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ତଥା ରାଜ୍ୟଗୁଡ଼ିକୁ ବାବୁମାନଙ୍କ ବଦଳି ଓ ନିଯୁକ୍ତି ଆଦି ବିଷୟରେ ବିଚାର କରିବା ପାଇଁ ଏକ ପ୍ରଶାସନିକ ସେବା ବୋର୍ଡ ପ୍ରତିଷ୍ଠା କରିବାକୁ ଆଦେଶ ଦେଇଥିଲେ। ଉଦ୍ଦେଶ୍ୟ ଥିଲା, ରାଜନୈତିକ ହସ୍ତକ୍ଷେପରୁ ଅମଲାତନ୍ତ୍ରକୁ ରକ୍ଷାକରିବା ଏବଂ ରାଜନୈତିକ ମୁନିବମାନଙ୍କ ଦ୍ୱାରା ବାବୁମାନଙ୍କର ଘନ ଘନ ବଦଳିକୁ ରୋକିବା। କିନ୍ତୁ କେତେକ ରାଜ୍ୟ ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶ ପାଳନ କରୁ ନ ଥିବା ଦେଖାଯାଉଛି। ...

ପଥ-ସଂସ୍କୃତି

ପଥ-ସଂସ୍କୃତି

ରଞ୍ଜନ କୁମାର ଦାସ/ ଭାରତ ଏକ ସଭ୍ୟ ସଂସ୍କୃତିସମ୍ପନ୍ନ ଏବଂ ପ୍ରଗତିଶୀଳ ଦେଶ ହେବାର ଦାବି କରିଆସୁଛି। ଏହାର ଭିତ୍ତିଭୂମିର ବିକାଶ ଏବେ ସାରା ବିଶ୍ୱର ଦୃଷ୍ଟିଆକର୍ଷଣ କରୁଛି। ଏହାର ରାସ୍ତାଘାଟ ଓ ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିଛି। ଭାରତୀୟ ରାସ୍ତାରେ ଆଗଭଳି ଆଉ କେବଳ ଲେଲାଣ୍ଡ ଟ୍ରକ୍‌, ଆମ୍ବାସାଡର କାର, ରାଜଦୂତ କି ୟେଜ୍‌ଦି ମୋଟର ସାଇକେଲ ବା ବଜାଜ୍‌ ସ୍କୁଟର ଚଳାଚଳ କରୁନାହିଁ। ଦେଶବିଦେଶର ବିଭିନ୍ନ ଆକର୍ଷଣୀୟ ମଡେଲର ଗାଡିମୋଟର ଏବେ ଆମ ରାସ୍ତାଗୁଡିକର ଶୋଭା ଦ୍ୱିଗୁଣିତ କରୁଛନ୍ତି। ପ୍ରମାଣିତ କରୁଛନ୍ତି ଯେ ପ୍ରଗତିର ଗତି କ୍ରମେ ଦ୍ରୁତତର ହେଉଛି। ...

ମନର ମୂଳେ ଏ ଜଗତ

ମନର ମୂଳେ ଏ ଜଗତ

ମନ ମାନଚିତ୍ର-ଡ. ନରହରି ବେହେରା/ ମନ ହେଉଛି ଅନ୍ତଃକରଣର ପ୍ରବୃତ୍ତି ଓ ବାହ୍ୟ ଆଚରଣର ସଞ୍ଚାଳକ। ସଂସାରରେ ଯେତେ ହଟଚମଟ ସବୁ ଏଇ ମନକୁ ନେଇ। ମନ ମିଶିଲେ ସଂସାର ହସେ, କୁରୂପ ସୁରୂପ ହୋଇଯାଏ। ସମ୍ପର୍କ କ୍ଷୀରନୀର ପରି ହୋଇଯାଏ । କିନ୍ତୁ ମନ ଫାଟିଗଲେ ସବୁ ଅସାର ଲାଗେ। ଅତି ଆପଣାର ମଣିଷ ନିମିଷକ ମଧ୍ୟରେ ଅଦରକାରୀ ଏବଂ ଶତ୍ରୁପରି ବୋଧହୁଏ। ଓଡ଼ିଆରେ ଗୋଟିଏ କଥା ଅଛି- ‘ମନ ଯଦି ଚେଙ୍ଗା, ଗୋବର ଗାଡ଼ିଆ ଗଙ୍ଗା’। ଅର୍ଥାତ୍‌ ମନ ପ୍ରଫୁଲ୍ଲ ରହିଲେ ଅତି ତୁଚ୍ଛ ଜିନିଷ ବି ସୁନ୍ଦର ଏବଂ ପବିତ୍ର ଦେଖାଯାଏ। ମନ ନୀରସ ଏବଂ ବିଷାଦଗ୍ରସ୍ତ ହେଲେ ସକଳ ଐଶ୍ୱର୍ଯ୍ୟ ତୁଚ୍ଛ ହୋଇଯାଏ। କବୀର କହିଛନ୍ତି- ‘ମନ କେ ହାରେ ହାର ହୈ ମନ କେ ଜୀତେ ଜୀତ। କହ କବୀର ପିଉ ପାଇଏ ମନହୀଂ କୀ ପରତୀତ’। ଅର୍ଥାତ୍‌ ମନର ପରାଜୟରେ ପରାଜୟ ଏବଂ ବିଜୟରେ ହିଁ ବିଜୟ ହୋଇଥାଏ। ମନରେ ଯଦି ବିଶ୍ୱାସ ସୃଷ୍ଟିହୁଏ, ପ୍ରିୟତମ ମଣିଷ ମିଳିଥାନ୍ତି। ଆର୍ଯ୍ୟ ଋଷିଗଣ ମନକୁ ସର୍ବଦା ନିୟନ୍ତ୍ରଣ ଏବଂ ଶାସନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେଥିପାଇଁ ଯଜୁର୍ବେଦରେ କୁହାଯାଇଛି- ‘ତନ୍ମେ ମନଃ ଶିବସଂକଳ୍ପମସ୍ତୁ।’ ଅର୍ଥାତ୍‌ ମୋର ଏହି ମନ ଶୁଭକର୍ମ ପାଇଁ ସଂକଳ୍ପିତ ହେଉ। ଆର୍ଯ୍ୟ ଋଷିମାନଙ୍କ ଏପରି ପ୍ରାର୍ଥନା କରିବାର ଉଦ୍ଦେଶ୍ୟ ହେଉଛି ମନ ଭୋଗ ଓ ଆପଣା ସୁଖ ପାଇଁ ସର୍ବଦା ଚଞ୍ଚଳ ହୋଇଥାଏ। ଯିଏ ଭୋଗ ପାଇଁ ବ୍ୟାକୁଳ, ସେ ସର୍ବଦା ଅସ୍ଥିର ହିଁ ହେବ। ଏଥିପାଇଁ ଦିନେ ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- ‘ପବନଠାରୁ କିଏ ଅଧିକ ବେଗରେ ଗତିକରେ?’ ଯୁଧିଷ୍ଠିରଙ୍କ ଉତ୍ତର ଥିଲା- ‘ମନ’। ...