Dharitri News
ସମ୍ପାଦକୀୟ |

ବଣଭୋଜିର ମଜା

ବଣଭୋଜିର ମଜା ପ୍ରକାଶ କୁମାର ସିଂହ/ ବଣଭୋଜିର ମଜା ଏହି ଶୀତଋତୁରେ କାହିଁରେ କ’ଣ! ନୁହେଁ କି ଆଜ୍ଞା? ଯିଏ ଏଥିରେ ଭାଗ ନିଏ ସିଏ ଜାଣେ। କଥାରେ ଅଛି- ‘ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି।’ ସେମିତି ‘ବଣଭୋଜିରେ କି ମଜା ଅଛି, ପାନ କଲାବାଲା ଏକା ଜାଣିଛି।’ କ’ଣ, କିଏ ଏମନ୍ତ ଭୋଜିରେ ପାନ କରୁଛନ୍ତି ଅଳ୍ପେ ବହୁତେ ଆପଣଙ୍କୁ ଜଣାଥିବ ସୁଜନେ। ସେଇ ନାଲିପାଣି ମ ଆଜ୍ଞା। ତା’ ମହିମା ତ ଅସରନ୍ତି। ଯାହା ଯେତେ ପାନ କରୁ, ପାଉଚ ହେଉ କି ବୋତଲ ସବୁ ଖୋଲାମେଲାରେ ଏଠି ସେଠି ଫୋପାଡି ଦେଇ ଆସୁ। ଏଥିରେ ଯେଉଁ ଅଜସ୍ର ଧର୍ମ ଅର୍ଜନ ହୁଏ କହିବାର ନାହିଁ। ପାଉଚ, ବୋତଲ ତ ରାସ୍ତା ବିଗାଡେ। ସ୍ବୟଂ ପାନକାରୀ ରାସ୍ତାରେ ଶୋଇରହି ରାସ୍ତାଟାକୁ ନିଜ ବାପା ନାଁରେ କରିନିଅନ୍ତି ଯେମିତି। ଯେତେ ଗାଡିର ହର୍ନ ମାରିଲେ କି ବାହାରକୁ ଯାଇ ପାଣି ଆଣି ମୁହଁରେ ଛାଟିଲେ ଉଠନ୍ତିନି- ଆହାଃ କି ନିଦ୍ରା! କି ନିଶା...! ଏ ହେଲା ବଣଭୋଜିର ନିଶା। ଯିଏ ଏଥିରେ ଭାଗ ନେଇଛି ସିଏ ମଜା ପାଇଛି। ବୁଦ୍ଧି, ବିବେକ ଓ ଦୂରଦର୍ଶିତାର ସୀମା ଡେଇଁ ଆମେ ଜଙ୍ଗଲ କାଟିଲୁ। ଆଜି ସେଥିପାଇଁ ବାଘ, ହାତୀ, ଭାଲୁ, ମାଙ୍କଡ ସବୁ ପିକ୍‌ନିକ୍‌ କରିବାକୁ ଆମ ଗାଁକୁ ଆସୁଛନ୍ତି। ଆଉ ଆମେ ବଣଭୋଜି ପାଇଁ ତାଙ୍କ ଗାଁକୁ ଯାଉଛୁ, ଯେଉଁଠି ଆମେ ବଣବୁଦାଟିଏ ବି ରଖିନୁ। ପ୍ରାଣୀ ଓ ମଣିଷ ମଧ୍ୟରେ ଚାଲିଛି ଟକରାଟକରି। ପ୍ରାଣୀଙ୍କ ଗାଁରେ ଆମ ବଣଭୋଜି- ଆମ ଗାଁରେ ସେମାନଙ୍କ ବଣଭୋଜି। ପରିବେଶ ଅସନ୍ତୁଳିତ ହୋଇଚାଲିଛି। ବଣଭୋଜିରେ ମାତିଛନ୍ତି ତଥାକଥିତ ଆଜିର ସ୍ମାର୍ଟ ମଣିଷମାନେ। ବର୍ଷକରେ ଥରେ ହେଉ ପଛେ ସମୟ ବାହାର କରି ସାଙ୍ଗସାଥୀ ମେଳରେ ଯାଉଛନ୍ତି ଦୂର ସ୍ଥାନ। ଲକ୍ଷ୍ୟ ବଣଭୋଜି କରିବା, ମଉଜମସ୍ତି କରିବା, ଧୁମ୍‌ ଖାଇବା, ଧୁମ୍‌ ପିଇବା, ନାଚିନାଚି ବେଦମ୍‌ ହେବା, ଅନ୍ୟକୁ ବେଦମ୍‌ କରିବା। ମାତ୍ର ଭୋଜି ପରେ ସେ ସ୍ଥାନକୁ ପରିଷ୍କାର ଓ ନିର୍ମଳ ରଖି ଆସିବା ଆମର କର୍ତ୍ତବ୍ୟ ହେବା ଉଚିତ। ଅନ୍ୟ କେହି ତ ଆସି ସେ ସ୍ଥାନରେ ବସିପାରିବ ଟିକେ। ରୋଷେଇ ପାଇଁ ପ୍ରସ୍ତୁତି କରିପାରିବ ସେଠି। ଏ ଭାବନା ଆମର ରହୁନି କାହିଁକି? ଆମେ ଭୋଜି କରୁଥିବା ସ୍ଥାନରେ ଖଲିପତ୍ର ଉଡୁଛି, ଅଇଁଠା ଖାଦ୍ୟ ଇତସ୍ତତଃ ହୋଇ ପଡିଛି। ଏହା କ’ଣ ଆମ ବଣଭୋଜିର ଗୌରବ ଟିକା? ବଣଭୋଜିରେ ସାମିଲ ହେଉଛୁ, ବନ୍ୟପଶୁର ପ୍ରକୃତିକୁ ନିଜ ଭିତରେ ସ୍ଥାନ ଦେଉଛୁ। ଅନ୍ୟମାନେ କେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେ ବିଷୟରେ ଚିନ୍ତା କରିବା ଦରକାର। ପାଖରେ ଥିବା ଜଳପ୍ରପାତରେ ସ୍ନାନ ଯଦି କରୁଛ, ସାବଧାନ ହୁଅ। ସହରୀ ମଣିଷ ବାଥରୁମ୍‌ରେ ଗାଧୋଇବାର ଅଭ୍ୟାସ ଅଛି, ପହଁରିବା ଜାଣିନାହିଁ। ହ୍ରଦ, ସମୁଦ୍ର, ନଈ, ପୁଷ୍କରିଣୀ ଦେଖି ଏମିତି କୁରୁଳି ଉଠ କାହିଁକି ? ଥୟଧର, ପାଣି ତ ଆହ୍ବାନ କରିବ ତା’ ଆଡକୁ। ଡାକିବ ତା’ଭିତରେ ପହଁରି ମଜା ନେବାକୁ। ମାତ୍ର ପହଁରା ଜାଣିଛ ତ ବାପଧନ, ନ ହେଲେ ସନ୍ତରଣ ପାଇଁ କିଆଁ ମନ, ଶସ୍ତାରେ ଚାଲିଯିବ ଏ ଜୀବନ, ତେଣେ ସଂସାର ହୋଇଯିବଟି ଉଚ୍ଛନ୍ନ। ସାବଧାନ, ପାଣିକୁ ବେଖାତିର କରନା, ସମ୍ମାନ ଦିଅ। ତା’ର ଭେଦ ଜାଣିରଖ। ସାଙ୍ଗସାଥୀଙ୍କ ମେଳରେ ନିଜତ୍ୱ ହରାଇ ସେଲ୍ଫି ନେବାକୁ ହେଉ କି ଖୁସିରେ ଜଳରେ ଝାସଦେବାକୁ ହେଉ- ଟିକେ ଭାବ, ଟିକେ ଚିନ୍ତାକର- ପାଗଳାମି ଦେଖାଅନା। ପାଣିଠୁ ଦୂରରେ ରୁହ। ନିଜ ଜୀବନ ବଞ୍ଚାଅ। ବୋଟିଂ କରିବାକୁ ଯାଇ କାହାର ପିଛା କରନି। ଜିଦିବାଦରେ ବୋଟ୍‌କୁ ବୋଟ୍‌ ଧକ୍କା ଲଗାଅନି। ବୋଟ୍‌ ଲେଉଟିବ। ଖାଲି ବୋଟ୍‌ ଲେଉଟିବନି, କେତେଟା ଜୀବନ ବି ଲେଉଟିଯିବ। ଫଟୋ ଉଠାଅ ଗୁଣମଣି, ହେଲେ ଆପତ୍ତିଜନକ ଫଟୋ କାହାର ଉଠାଅନି, କି ମୋବାଇଲରେ ଭାଇରାଲ କରନି। ଜାଣି ଜାଣି ବିପଦକୁ ଡାକନି। ଡାକିଲେ ଫଳ ପାଇବ। କୋଉ ଭିଣୋଇ ପିଠିରେ ପଡିବନି। ମାଂସ ଖାଅ, କଣ୍ଟାକୁ କାହା ଉପରକୁ ଫୋପାଡନି। ଗୀତ ବଜାଅ, ଶୁଣ, ମଜାନିଅ ମାତ୍ର ଏହାକୁ କେଉଁ ଝିଅ ପ୍ରତି କମେଣ୍ଟ ଭାବେ ବ୍ୟବହାର କରି ହରକତ କରନି। ସେ ଝିଅ ଫୋନ୍‌ରେ ତା’ ଲୋକଙ୍କୁ ଡକାଇ ତୁମ ଅବସ୍ଥା ଘାଇଲା କରିଦେବ। ଭୋଜି ବେଳେ ଡେକ୍‌ଚି, କଡେଇ କି ଚୁଲା କି ଚାମଚଟେ ହେଉ ଯଦି ପଡୋଶୀ ଭୋଜି ଆୟୋଜକଙ୍କଠାରୁ ମାଗିଆଣିଥିଲେ ଯଥାରୀତି ଫେରେଇ ଦିଅ। ସେମାନଙ୍କର କିଛି ଆବଶ୍ୟକତା ବା ଅଭାବ ଥିଲେ ସାହାଯ୍ୟ କର। ଭୋଜି ମଜାଦାର ହେଉ, ଉପଭୋଗ୍ୟ ହେଉ। ମଣିଷ ମଣିଷ ଭିତରେ ସମ୍ପର୍କ ନିବିଡ଼ ହେଉ। ମଣିଷପଣିଆ ବଞ୍ଚିରହୁ। (ସିମିନଇ, ଢେଙ୍କାନାଳ, ମୋ-୯୫୮୩୨୯୪୩୦୬)

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ବ୍ୟାଙ୍କ ଗଳାବାଟ

ଆଜିର ଅର୍ଥନୀତି/ ବ୍ୟାଙ୍କ ଗଳାବାଟ

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଏପରି ଘୋଟାଲା ଆଗରୁ କେବେ ଦେଖାଯାଇ ନ ଥିଲା, ଯାହା ଏବେ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ (ପିଏନ୍‌ବି) କ୍ଷେତ୍ରରେ ଘଟିଥିବା ଲୋକଲୋଚନକୁ ଆସିଛି। ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଘଟିଥିବା ୧୧,୪୦୦ କୋଟି ଟଙ୍କା ଦୁର୍ନୀତିର ପ୍ରାରମ୍ଭିକ ପ୍ରକ୍ରିୟା ୭ ବର୍ଷ ତଳୁ ଆରମ୍ଭ ହୋଇଥିଲା ଅଥଚ କେହି ବି ତା’ର ଟେର ପାଇଲେ ନାହିଁ। ନୀରବ ମୋଦିଙ୍କ କାରସାଦି ଧରା ପଡ଼ିବାର କେଇଟା ଦିନ ନ ଯାଉଣୁ ଆଉ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିବିଆଇ ଜାଲରେ ଛନ୍ଦି ହୋଇଯାଇଛି। ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ରୁ ୩,୭୦୦ କୋଟି ଟଙ୍କା ହଡ଼ପ କରିଛନ୍ତି କାନପୁରସ୍ଥିତ ରୋଟୋମାକ୍‌ ପେନ୍‌ସର ମାଲିକ ବିକ୍ରମ କୋଠାରି। ବିଓବି ଦୁଇବର୍ଷ ଧରି କୋଠାରିଙ୍କ କାରସାଦିକୁ ଘଣ୍ଟ ଘୋଡ଼େଇ ରଖିଥିଲା। ପିଏନ୍‌ବି ଦୁର୍ନୀତି ଧରାପଡ଼ିବା ପରେ ସେ ଏହାକୁ ପଦାକୁ ଆଣିବାକୁ ଜରୁରୀ ମନେ କଲା। ଯଦି ପିଏନ୍‌ବି ଦୁର୍ନୀତି ଆଉ ବର୍ଷକ ତଳୁ ଧରାପଡ଼ିଥାନ୍ତା, ତେବେ ନୀରବ ମୋଦି ଓ ତାଙ୍କ କମ୍ପାନୀ ଯେତିକି ଟଙ୍କା ଧରି ଛୁ ମାରିଲେ, ତାହା ୫୦୦୦ କୋଟି ଟଙ୍କା କମ୍‌ ହୋଇପାରିଥାନ୍ତା। ଏହି ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ହୋଇଥିବା ଦୁର୍ନୀତିର ମୋଟ ପରିମାଣ ୧୫,୦୦୦ କୋଟି ଟଙ୍କାରୁ ଅଧିକ। ଉକ୍ତ ଅନିୟମିତତାଗୁଡ଼ିକ ପଦାକୁ ଆସିବା ପରେ ଅନ୍ୟକୁ ଦୋଷାରୋପ ବା ନିନ୍ଦାବାଦର ଖେଳ ଆରମ୍ଭ ହୋଇଯାଇଛି। ପିଏନ୍‌ବି ତା’ର ପୂର୍ବତନ ଅଧିକାରୀ ଗୋକୁଳନାଥ ସେଟ୍ଟୀଙ୍କୁ ଦୋଷ ଦେଉଛି, ଯିଏ ନୀରବ ମୋଦି ଓ ତାଙ୍କ ସହଯୋଗୀମାନଙ୍କୁ ବିଦେଶରୁ ଋଣ ଆଣିବା ପାଇଁ ବ୍ୟାଙ୍କ ତରଫରୁ ଗ୍ୟାରେଣ୍ଟି ପଡ଼ିଥିଲେ। ୨୦୧୧ରୁ ୨୦୧୭ର ଆଦ୍ୟଭାଗ ପର୍ଯ୍ୟନ୍ତ ୬,୫୦୦ କୋଟି ଟଙ୍କାର ଋଣ ଆଣିବା ପାଇଁ ବିନା ସୁରକ୍ଷା ବନ୍ଧକରେ ବ୍ୟାଙ୍କ ଗ୍ୟାରେଣ୍ଟି ପଡ଼ିଥିଲା। ଏହାପରେ ଗତବର୍ଷ ମାର୍ଚ୍ଚରୁ ମେ ମାସ ଭିତରେ ସେଟ୍ଟୀ ଅବସର ନେବା ପୂର୍ବରୁ ୪,୯୦୦ କୋଟି ଟଙ୍କାର ଋଣ ଆଣିବା ପାଇଁ ବିନା ବନ୍ଧକରେ ବ୍ୟାଙ୍କ ଗ୍ୟାରେଣ୍ଟି ପଡ଼ିଥିଲା। ବ୍ୟାଙ୍କ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍‌ ସଫ୍ଟଓ୍ବେର ସ୍ବିଫ୍ଟ (ସୋସାଇଟି ଫର୍‌ ଓ୍ବାର୍ଲଡ୍‌ଓ୍ବାଇଡ୍‌ ଇଣ୍ଟର୍‌ବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ୍ସ)ର ନିର୍ଦ୍ଦେଶାବଳୀକୁ ଅନୁପାଳନ କରୁ ନ ଥିବାରୁ ଏପରି ହେଲା ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। ସ୍ବିଫ୍ଟ ହେଉଛି ଏକ ଗ୍ଲୋବାଲ୍‌ ବ୍ୟବସ୍ଥା ଯାହାକୁ ବ୍ୟାଙ୍କଗୁଡ଼ିକ ଏକ ସୁରକ୍ଷିତ ଚ୍ୟାନେଲ୍‌ ଜରିଆରେ ଏକ ଏନ୍‌କ୍ରି୍ଯଯେଡ୍‌ ଫର୍ମାଟରେ ପେମେଣ୍ଟ ନିର୍ଦ୍ଦେଶାବଳୀ ଟ୍ରାନ୍ସମିଟ୍‌ କରିବା ପାଇଁ ବ୍ୟବହାର କରନ୍ତି। ୧୧ ଲକ୍ଷ କୋଟି ଟଙ୍କାର ସମ୍ବଳବିଶିଷ୍ଟ ଦେଶର ଦ୍ୱିତୀୟ ବୃହତ୍ତମ ଋଣ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସମ୍ଭାବ୍ୟ ଜାଲିଆତିକୁ ରୋକିବା ପାଇଁ ଏକ ଉପଯୁକ୍ତ ନିୟାମକ ବ୍ୟବସ୍ଥା ନ ରହିବା ଆଶ୍ଚର୍ଯ୍ୟଜନକ। ବ୍ୟାଙ୍କର ଅଡିଟ୍‌ କମିଟି ଓ ବୋର୍ଡ ଏବଂ ରିଜର୍ଭ ବ୍ୟାଙ୍କ, ଯେଉଁମାନେ ନିୟମିତ ଭାବେ ବ୍ୟାଙ୍କର ଆର୍ଥିକ କାରବାରର ତଦାରଖ କରନ୍ତି, ସେମାନେ କିଛି ଜାଣି ନ ପାରିବା ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବ୍ୟାଙ୍କ ଦାବି କରିଛି ଯେ, ଏହା କେତେଜଣ କନିଷ୍ଠ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏହାର କିଛି ଅର୍ଥ ନାହିଁ। କେତେଜଣ କନିଷ୍ଠ ଅଫିସର ମିଶି ଏତେବଡ଼ ଦୁର୍ନୀତି ଭିଆଇବା ଆଦୌ ସମ୍ଭବ ନୁହେଁ। ...

ଆନ୍ଧ୍ର ଆଁରେ କୋଟିଆ

ଆନ୍ଧ୍ର ଆଁରେ କୋଟିଆ

ସବ୍ୟସାଚୀ ଅମିତାଭ/ ବର୍ତ୍ତମାନ ସମୟରେ କୋରାପୁଟ ଜିଲାରେ ଥିବା କୋଟିଆ ଗ୍ରାମପୁଞ୍ଜ ଏପରି ଏକ ପ୍ରସଙ୍ଗ ଭାବେ ଉଭାହୋଇଛି, ଯାହା ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇଦେଇଛି। ଆନ୍ଧ୍ର ଅଧିକାରୀମାନେ ଏହି ସୀମାନ୍ତ ଗ୍ରାମପୁଞ୍ଜର ତଳଗରେଇପଦର ଗାଁରେ ଭତ୍ତା, କମ୍ବଳ ସୋଲାର ଲାଇଟ୍‌ ବାଣ୍ଟିବା ପରେ ଏବେ ଆଧାର କାର୍ଡ ପଞ୍ଜୀକରଣ ପାଇଁ ଉଦ୍ୟମ ଚଳାଇଛନ୍ତି, ଯାହା ଓଡିଶା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। କୋଟିଆ ଗ୍ରାମପୁଞ୍ଜର ଇତିହାସକୁ ଦେଖିଲେ ଜଣାପଡେ, ୧୯୩୬ ପୂର୍ବରୁ ଏହା ଜୟପୁର ଇଷ୍ଟେଟ୍‌ ଅଧୀନରେ ରହିଥିଲା। ୧୯୪୨ ଓଡିଶା, ବିହାର ଓ ମଧ୍ୟପ୍ରଦେଶ ମିଳିତ ସର୍ଭେ ସମୟରେ କୋଟିଆ ଗ୍ରାମପଞ୍ଚାୟତର ୭ଟି ଗାଁ ତୁରିଆ, ବାରବନ୍ଧ, ତଳକଣ୍ଟି, ଗୁମେଲପଦର, ମାଥାଲାମ୍ବା, ସୁଲିଆମାରି ଓ କାଟ୍ରାଗୁଡା ପଟ୍ଟାଙ୍ଗୀ ବ୍ଲକର ରାଜସ୍ବ ଗାଁ ଭାବେ ରେକର୍ଡ ଭୁକ୍ତ ହୋଇଥିଲା। କୋଟିଆ ଗ୍ରାମପଞ୍ଚାୟତରେ ୨୮ଟି ଗାଁ ରହିଥିଲେ ବି ସେତେବେଳେ ଭୁଲବଶତଃ ୨୧ ଗାଁ ସର୍ଭେରୁ ବାଦ୍‌ ପଡିଥିଲା। ସେହିପରି ୧୯୫୯ରେ ଆନ୍ଧ୍ରପ୍ରଦେଶ ଗଠନ ବେଳେ ମଧ୍ୟ ଏହି ୨୧ଟି ଗାଁକୁ ସେଠାକାର ସରକାର ସର୍ଭେରେ ସାମିଲ କରି ନ ଥିଲେ। ଫଳରେ ଏହି ୨୧ଟି ଗାଁ ଉପରେ ଅଧିକାରକୁ ନେଇ ସେ ସମୟରୁ ବିବାଦ ଚାଲିଆସିଛି। ତେବେ ଭାରତ ସରକାରଙ୍କ ବିଜ୍ଞପ୍ତିରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ଏହିସବୁ ଗାଁ ଓଡିଶା ସରକାରଙ୍କ କର୍ତ୍ତୃତ୍ୱାଧୀନ।...

ଚିତ୍ରଗୁପ୍ତଙ୍କ ବଂଶଧର

ଚିତ୍ରଗୁପ୍ତଙ୍କ ବଂଶଧର

ଦେବଦତ୍ତ ପଟ୍ଟନାୟକ/ ଜଣେ ଓଡ଼ିଆ ପିଲା ହୋଇ ବମ୍ବେରେ ବଢ଼ିଥିବାରୁ ମୋତେ ଅନେକ ଶବ୍ଦର ମୂଳ ଅର୍ଥ ପଚରାଯାଏ। ମୋ ମାଆବାପା କହନ୍ତି, ଆମେ ହେଉଛୁ ଜାତିରେ କରଣ। ବମ୍ବେର କୌଣସି ଲୋକ ଏଭଳି ଜାତି ଅଛି ବୋଲି ଜାଣନ୍ତି ନାହିଁ। ପରେ ମୁଁ ଜାଣିଲି ଆମେ ଯାହାଙ୍କୁ କରଣ କହୁଛୁ, ଆନ୍ଧ୍ରପ୍ରଦେଶରେ ତାଙ୍କୁ କରଣମ୍‌ କୁହାଯାଏ, ପଶ୍ଚିମବଙ୍ଗ ଓ ଗାଙ୍ଗେୟ ସମତଳ ଅଞ୍ଚଳରେ ତାଙ୍କୁ କାୟସ୍ଥ କୁହାଯାଏ ଏବଂ ମହାରାଷ୍ଟ୍ରରେ ତାଙ୍କୁ ପ୍ରଭୁ କୁହାଯାଏ। ଏହା ହେଉଛି ଏପରି ଏକ ଜାତି ଯେଉଁମାନେ ରାଜଦରବାରରେ ଦଲିଲ ଲେଖକ, ହିସାବରକ୍ଷକ, ଅମଲା ଭାବେ କାର୍ଯ୍ୟ କରୁଥିଲେ। ଅନେକେ ପ୍ରଭାବଶାଳୀ ସଭାସଦ୍‌ ଓ ଜମି ମାଲିକ ମଧ୍ୟ ହୋଇଥିଲେ। ଓଡ଼ିଶାରେ ପଟ୍ଟନାୟକ ଓ ମହାନ୍ତି ଜଣାଶୁଣା କରଣ ଉପାଧି ହୋଇଥିବା ବେଳେ ଗାଙ୍ଗେୟ ସମତଳ ଅଞ୍ଚଳରେ ସେମାନେ ଶ୍ରୀବାସ୍ତବ ଏବଂ ବଙ୍ଗଳାରେ ସେମାନେ ବୋଷ ଓ ଘୋଷ ଆଦି ସଂଜ୍ଞା ଅନୁସାରେ ପରିଚିତ। ଏହି କରଣମାନେ ୫ମ ଶତାବ୍ଦୀରେ ଗାଙ୍ଗେୟ ସମତଳ ଅଞ୍ଚଳରେ ଗୁପ୍ତ ରାଜାମାନଙ୍କୁ, ୧୨ଶ ଶତାବ୍ଦୀରେ ବଙ୍ଗଳାରେ ସେଣ ରାଜାମାନଙ୍କୁ ଏବଂ ୧୫ଶ ଶତାବ୍ଦୀରେ ଓଡ଼ିଶାରେ ଗଜପତି ମହାରାଜାମାନଙ୍କୁ ଦଲିଲ ଲେଖକ, ହିସାବ ରକ୍ଷକ ଆଦି ଭାବେ ସେବା କରୁଥିଲେ। ସେମାନେ ମଧ୍ୟ ବଙ୍ଗଳାର ସୁଲତାନ, ଦିଲ୍ଲୀର ମୋଗଲ ଏବଂ ଅଓ୍ବଧର ନବାବମାନଙ୍କ ଦରବାରରେ ସେବାରତ ଥିଲେ। ସେମାନେ ଖାଦ୍ୟପେୟ ଓ ପୋଷାକପରିଚ୍ଛଦରେ ମୋଗଲମାନଙ୍କ ଅଭ୍ୟାସକୁ ଆପଣେଇ ନେଇଥିଲେ। ଅନେକେ ମାଂସ ଖାଉଥିଲେ, କେବଳ ଗୋମାଂସକୁ ଛାଡ଼ି। ଅନେକ କରଣ ମଧ୍ୟ ଇସଲାମ ଧର୍ମ ଗ୍ରହଣ କରି ମୁସଲମାନ ହୋଇଯାଇଥିଲେ। କିନ୍ତୁ ସେମାନଙ୍କୁ ଏବେ ବି ଚିହ୍ନି ହେବ, ସେମାନଙ୍କର କଲମ ଓ କାଳିଦୁଆତ ପ୍ରତି ଥିବା ସମ୍ମାନକୁ ଦେଖି। ମୁସଲମାନ ରାଜାମାନଙ୍କ ସହ ଘନିଷ୍ଠତା ଥିବାରୁ ବ୍ରିଟିଶ ସରକାର ପ୍ରଥମେ ସେମାନଙ୍କୁ ତ୍ୟାଗ କରିଥିଲେ। କିନ୍ତୁ ସେମାନେ ଖୁବ୍‌ଶୀଘ୍ର ପାଶ୍ଚାତ୍ୟ (ଇଂଲିଶ) ଶିକ୍ଷାରେ ନିଜକୁ ଶିକ୍ଷିତ କରାଇନେଇ ଦେଶର ନୂଆ ଶାସକଙ୍କ ସହ ଶକ୍ତିଶାଳୀ ସମ୍ପର୍କ ଯୋଡ଼ିପାରିଥିଲେ। ଏକଦା ବଙ୍ଗଳାରେ ପ୍ରାୟ ଏକତୃତୀୟାଂଶ ମିଲ-ମାଲିକ ଥିଲେ ଏହି ସମ୍ପ୍ରଦାୟର। କରଣ ଜାତି କିପରି ସୃଷ୍ଟି ହେଲା, ତାହାକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ଗାଙ୍ଗେୟ ସମତଳରେ ଲୋକପ୍ରିୟ ଥିବା ଏକ କାହାଣୀ ଅନୁସାରେ, ମୃତ୍ୟୁଦେବତା ଯମଙ୍କର ଏକ କିରାଣି ଦରକାର ପଡ଼ିଲା, ଯିଏ ଲୋକମାନଙ୍କର ସମସ୍ତ କୃତକର୍ମର ରେକର୍ଡ ରଖିବେ। ସେଥିପାଇଁ ବ୍ରହ୍ମା ଚିତ୍ରଗୁପ୍ତଙ୍କୁ ସୃଷ୍ଟି କଲେ (ଯାହାଙ୍କୁ ସମସ୍ତ ପ୍ରାଣୀଙ୍କର ସବୁ ଗୁପ୍ତ ଚିତ୍ର ଜଣା ଥାଏ)। ସେ ହାତରେ ଗୋଟିଏ କଲମ ଓ କାଳିଦୁଆତ ଧରିଥାନ୍ତି। ଏହି ଚିତ୍ରଗୁପ୍ତଙ୍କଠାରୁ କାୟସ୍ଥ ବା କରଣ ଜାତି ସୃଷ୍ଟି ହୋଇଛି। ମହାଭାରତର ବର୍ଣ୍ଣନା ଅନୁସାରେ ପରଶୁରାମ ୨୧ ବାର ପୃଥିବୀକୁ ନିକ୍ଷତ୍ରୀ କରିଥିଲେ। ଯେଉଁ ପିଲାମାନେ ମାଆ ପେଟରେ ଥିଲେ ପରେ ସେମାନେ କାୟସ୍ଥ (କାୟା+ସ୍ଥ) ବୋଲାଇଲେ। ସେମାନଙ୍କ ମାଆମାନେ ନିଜ ପୁଅକୁ ପରଶୁରାମଙ୍କ କୋପରୁ ରକ୍ଷା କରିବା ପାଇଁ ଉପନୟନ ସଂସ୍କାର କରାଇଲେ ନାହିଁ, ଯାହା ଫଳରେ ସେମାନେ କ୍ଷତ୍ରିୟ ବୋଲି ଜାଣିହେବ ନାହିଁ। କାରଣ ଉପନୟନ ପରେ କପାସୂତାର ଧଳା ପଇତାରୁ ବ୍ରାହ୍ମଣ, ଛଣପଟର ନାଲି ପଇତାରୁ କ୍ଷତ୍ରିୟ ଏବଂ ରେଶମ ସୂତାର ହଳଦିଆ ପଇତାରୁ ବୈଶ୍ୟମାନଙ୍କୁ ଚିହ୍ନିହୁଏ। ଆଉ ଯେଉଁମାନଙ୍କର ଉପନୟନ ସଂସ୍କାର ନାହିଁ ସେମାନେ ଶୂଦ୍ରଭାବେ ପରିଗଣିତ ହୁଅନ୍ତି। ପୁଣି ସେହି ମାଆମାନେ ନିଜ ପୁଅକୁ ଖଣ୍ଡା ବଦଳରେ ଲେଖନୀ ବା କଲମ ଧରାଇବାକୁ ସଂକଳ୍ପ ନେଲେ। ...

ଏଇ ଭାରତରେ

ରେଲଓ୍ବେ ଫାଟକ ପଡିଥିବ, କିନ୍ତୁ ବାଇକ୍‌ ଓ ସାଇକେଲବାଲା ସମ୍ଭାଳ ପଡିବେ ନାହିଁ। ଗେଟ୍‌ ତଳେ ଗଳି, ନିଜ ବାହନକୁ ଅଣେଇକରି ଗଳାଇ ଗୋଟିଏପଟୁ ଅନ୍ୟପଟକୁ ଯିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ସାମାନ୍ୟ ସମୟ ଅପେକ୍ଷା ନ କରି ଆଗକୁ ମାଡିଯିବାର ପ୍ରବଣତା ପାଇଁ ଅନେକଙ୍କ ଜୀବନ ଯାଉଛି। ଜଗୁଆଳିବିହୀନ ରେଳଫାଟକ ନିକଟରେ ତ ଏଭଳି ଦୁର୍ଘଟଣା ଘଟୁଛି, ମାତ୍ର ଜଗୁଆଳି ଥାଇ ମଧ୍ୟ ଫାଟକ ପଡିଥିବା ବେଳେ ଅନୁପ୍ରବେଶକୁ ରୋକି ହେଉନାହିଁ। ମୂଳକଥା ହେଉଛି ଯେଉଁମାନେ ବେପରୁଆ, ଜୀବନକୁ ପାଣି ଛଡାଇ ଦେଇଛନ୍ତି ସେମାନଙ୍କୁ ରୋକିବ କିଏ? ଠିକ୍‌ ସେମିତି ଏକ ଘଟଣା ବୁଧବାର ଘଟିଛି ମଥୁରା ଏବଂ ଆଗ୍ରା ରେଳଷ୍ଟେଶନ ମଧ୍ୟରେ ଥିବା ଫାରା ନିକଟରେ। ଫାଟକ ପଡିଥିବା ବେଳେ ଜଣେ ଯୁବକ ତାଙ୍କ ମୋଟରସାଇକେଲକୁ ଗେଟ୍‌ ତଳେ ଗଳାଇ ବୀରଦର୍ପରେ ମାଡିଯାଉଥିଲେ। ଏହି ସମୟରେ ହଠାତ୍‌ ତାଙ୍କର ଆଖିପଡିଲା ଦ୍ରୁତଗତିରେ ଏକ ଟ୍ରେନ୍‌ ଆସୁଛି। ତାଙ୍କୁ ଆଉ କିଛି ବୁଦ୍ଧିବାଟ ଦିଶିଲାନି। ରେଳଟ୍ରାକ୍‌ ଉପରେ ବାଇକ୍‌କୁ ଛାଡିଦେଇ ଜୀବନ ବଞ୍ଚାଇବା ପାଇଁ ଦୌଡିଲେ। ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ଟି ବାଇକ୍‌ ଉପରେ ଚଢ଼ି ଚାଲିଗଲା। ଫଳରେ ବାଇକ୍‌ଟି ଚୂନା ହୋଇଗଲା। ସୌଭାଗ୍ୟବଶତଃ ଟ୍ରେନ୍‌ ଲାଇନଚ୍ୟୁତ ହୋଇନାହିଁ। ନ ହେଲେ କେତେଲୋକଙ୍କ ଜୀବନ ଯାଇଥାଆନ୍ତା କିଏ ଜାଣେ। ନିୟମ ଭାଙ୍ଗୁଥିବା ଏଭଳି ଲୋକମାନେ କେବଳ ନିଜ ପାଇଁ ବିପଦ ଡାକୁନାହାନ୍ତି, ଅନ୍ୟମାନଙ୍କୁ ମଧ୍ୟ ସଙ୍କଟରେ ପକାଇ ଆସୁଛନ୍ତି।

ମାଂସାହାର ଓ ଜଳସଂକଟ

ମାଂସାହାର ଓ ଜଳସଂକଟ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ଡଗ୍‌ଲାସ ଆଡାମ୍ସଙ୍କ ଦ୍ୱାରା ଲିଖିତ ହିଚିକର୍ସ ଗାଇଡ୍‌ ଟୁ ଦ ଗ୍ୟାଲାକ୍ସି ପୁସ୍ତକରେ ବ୍ରହ୍ମାଣ୍ଡ ନିଷ୍ପତ୍ତି ନେଇଛି ଗୋଲାକାର ପୃଥିବୀକୁ ତା’ ସ୍ଥାନରୁ ହଟେଇ ଭାଙ୍ଗି ଚଟକା କରି ରାଜପଥ ନିର୍ମାଣ କରିବା ପାଇଁ। ତେବେ ବ୍ରହ୍ମାଣ୍ଡ କେବେ ଏମିତି କରିବ ଓ ଆମକୁ ମାରିବ, ଆମେ ତାକୁ ଅପେକ୍ଷା କରୁନାହୁଁ। ଆମେ ପ୍ରତିଦିନ ପୃଥିବୀକୁ ଧ୍ୱଂସ କରି ନିଜକୁ ମାରିବା କାର୍ଯ୍ୟରେ ଲାଗିପଡ଼ିଛୁ। ମାଂସଶିଳ୍ପ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏ ପୃଥିବୀର ଏକତୃତୀୟାଂଶ ସ୍ବଚ୍ଛ ମଧୁର ଜଳ ବ୍ୟବହାର କରୁଛି। ବିଶ୍ୱରେ ମାଂସ ଉତ୍ପାଦନ ୨୦୦୦ ମସିହାରେ ୨୨୯ ନିୟୁତ ମେଟ୍ରିକ୍‌ ଟନ୍‌ ହୋଇଥିବାବେଳେ ଏବେ ତାହା ଦୁଇଗୁଣ ବୃଦ୍ଧି ପାଇଛି ଏବଂ ୨୦୫୦ ସୁଦ୍ଧା ତାହା ୪୬୫ ନିୟୁତ ମେଟ୍ରିକ୍‌ ଟନ୍‌କୁ ଟପିବ ବୋଲି ଆକଳନ କରାଯାଇଛି। ଏ ପୃଥିବୀର ଜଳ ଉତ୍ସ ଏବେ ବି ବିପନ୍ନ ଅବସ୍ଥାରେ ରହିଛି। ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଦେଉଛି- ଯଦି ଆମେରିକା ପରି ପୃଥିବୀର ସବୁ ଦେଶ ଅଧିକ ମାଂସାହାର କରିବାକୁ ପସନ୍ଦ କରିଥାନ୍ତେ, ତେବେ ୨୦୦୦ ମସିହାରୁ ଏ ପୃଥିବୀରେ ସ୍ବଚ୍ଛ ଜଳ ଦୁର୍ଲ୍ଲଭ ହୋଇପଡ଼ିଥାନ୍ତା। ତେବେ ଭାରତ ଓ ଚାଇନାରେ ଯେଭଳି ଭାବେ ମାଂସାହାର ବଢ଼ି ବଢ଼ି ଚାଲିଛି, ଆଉ ମାତ୍ର ୨୫ ବର୍ଷ ପରେ ଆମକୁ ପିଇବା ଓ ଗାଧୋଇବା ପାଇଁ ପାଣି ମିଳିବ ନାହିଁ। ଆପଣମାନଙ୍କ ମଧ୍ୟରୁ ଅନେକେ ବଞ୍ଚିଥିବେ ଏ ସତ୍ୟତାକୁ ଅନୁଭବ କରିବା ଲାଗି। ...

ଚାଷୀଙ୍କି ବଜେଟ ଭେଳିକି

ଚାଷୀଙ୍କି ବଜେଟ ଭେଳିକି

ବିଚିତ୍ର ବିଶ୍ୱାଳ/ ଗଣମାଧ୍ୟମଗୁଡ଼ିକ ନିର୍ବାଚନ ସମୟରେ ବାରମ୍ବାର ଯେପରି ମୋଦି ମ୍ୟାଜିକ୍‌ ବିଷୟରେ ଆଲୋଚନା କରନ୍ତି, ଏଥର ବଜେଟରେ ଠିକ୍‌ ସେହିପରି ସାଧାରଣ ଲୋକଙ୍କୁ ଯାଦୁ କରିବାକୁ ଚେଷ୍ଟା କରାଯାଇଛି। ପ୍ରକାରାନ୍ତରେ ଏହାଦ୍ୱାରା ସାଧାରଣ ଜନତା ଓ ଚାଷୀଙ୍କୁ ଭୁଆଁ ବୁଲେଇବାକୁ ଚେଷ୍ଟା କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବଜେଟ ଭାଷଣର ପ୍ରାରମ୍ଭିକ ଭାଗକୁ ଚାଷୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ବା ବଜେଟକୁ ଚାଷୀଙ୍କ ବଜେଟ କହିବା ବ୍ୟତୀତ ବାସ୍ତବରେ ଚାଷୀଙ୍କୁ ଉପକୃତ କଲା ଭଳି କିଛି ନାହଁି ଏଥିରେ। ଅଛି କେବଳ ପ୍ରତିଶ୍ରୁତି। ତିନି ବର୍ଷ ତଳେ ମୋଦି ସରକାର ଯେପରି ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଏଥର ବଜେଟରେ ବି ସେହିପରି କେବଳ ପ୍ରତିଶ୍ରୁତି ଦିଆଯାଇଛି। ପୂରା ବଜେଟକୁ ଦେଖିଲେ ଏହା ୨୦୧୯ ନିର୍ବାଚନକୁ ଆଖିରେ ରଖି ଲୋକଙ୍କ ଭୋଟ୍‌କୁ ନିଜଆଡ଼କୁ ଟାଣିବା ପାଇଁ ହିଁି ପ୍ରସ୍ତୁତ କରାଯାଇଛି ବୋଲି ସ୍ପଷ୍ଟ ବୁଝିହେଉଛି। ଚାଷୀଙ୍କ ଆୟକୁ ଦୁଇଗୁଣ କରିବାର ପ୍ରତିଶ୍ରୁତି ଯେପରି ଏବେ ବି ପାଣିର ଗାର ହୋଇ ରହିଛି, ସେହିପରି ଏଥର ବଜେଟ ଚାଷୀଙ୍କ ପାଇଁ ଆକାଶ କୁସୁମ ସଦୃଶ ହୋଇଛି। ଭିନ୍ନ ଭିନ୍ନ ଚାଷୀ ସଙ୍ଗଠନ ଦୀର୍ଘଦିନ ହେବ ଉପତ୍ାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଉପତ୍ାଦନ ଖର୍ଚ୍ଚର ୫୦% ଅଧିକ ଦେବାକୁ ଦାବି କରିଆସୁଥିଲେ ମଧ୍ୟ ମୋଦି ସରକାର ଏହାକୁ ବାରମ୍ବାର ଏଡ଼ାଇ ଆସୁଛନ୍ତି। ହେଲେ ଏଥର ବଜେଟରେ ଘୋଷଣା କରାଯାଇଛି ଯେ, ଚାଷୀମାନଙ୍କୁ ଉପତ୍ାଦନ ଖର୍ଚ୍ଚ ଉପରେ ୫୦% ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ। କିନ୍ତୁ ଏଥିରେ ଯେଉଁ ମସ୍ତବଡ଼ ଚାଲାକି କରାଯାଇଛି, ତାହା ହେଉଛି ଉପତ୍ାଦନ ଖର୍ଚ୍ଚକୁ ସରକାର ନିଜ ହିସାବରେ ଘୋଷଣା କରିବେ। ଯେଉଁ ଯେଉଁ କ୍ଷେତ୍ରକୁ ବିଚାରକୁ ନେଇ ଉପତ୍ାଦନ ମୂଲ୍ୟ ଘୋଷଣା କରିବା କଥା, ସେଥିରୁ ଗୋଟିଏ ଦୁଇଟି କ୍ଷେତ୍ରକୁ ବାଦ୍‌ ଦେଇଦେଲେ ଉପତ୍ାଦନ ଖର୍ଚ୍ଚ କମ୍‌ ଦେଖାଯିବ। ସେହି ଉପତ୍ାଦନ ଖର୍ଚ୍ଚ ଉପରେ ସରକାର ୫୦% ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଦେବେ। ପରିଣାମ ସ୍ବରୂପ, ଚାଷୀ ଯେପରି ଉପତ୍ାଦନର କମ୍‌ ମୂଲ୍ୟ ପାଉଥିଲା, ସେହିପରି କମ୍‌ ହଁି ପାଇବ। ଏହା ଯାଦୁ ନୁହେଁ ତ ଆଉ କ’ଣ! ଗୋଟିଏ ଶବ୍ଦରେ କହିଲେ ସରକାର ଯେକୌଣସି ପ୍ରକାରେ ଗୋଲ୍‌ କରିବା ପାଇଁ ଗୋଲ୍‌ପୋଷ୍ଟ ପର୍ଯ୍ୟନ୍ତ ବଲ୍‌ ନ ପଠାଇ ଗୋଲ୍‌ପୋଷ୍ଟକୁ ଘୁଞ୍ଚାଇ ପାଖକୁ ନେଇଆସୁଛନ୍ତି। ଚାଷୀମାନଙ୍କୁ ଅଧିକ ମୂଲ୍ୟ ନ ଦେଇ ଉପତ୍ାଦନ ଖର୍ଚ୍ଚକୁ କମ୍‌ ଦେଖାଇ ତା’ ଉପରେ ଅଧିକ ମୂଲ୍ୟ ଦେବାର ଏକ ସୁନ୍ଦର ନାଟକ ରଚନା କରାଯାଇଛି। ଏହା ଚାଷୀମାନଙ୍କୁ ଭୁଆଁ ବୁଲାଇବାର ଏକ ସୁଚିନ୍ତିତ ଯୋଜନା। ...

କୃଷକ ଓ କୃଷିଜ୍ଞାନ

କୃଷକ ଓ କୃଷିଜ୍ଞାନ

ପ୍ର. ପ୍ରଭାତ କୁମାର ରାଉଳ/ ଗବେଷଣାଲବ୍ଧ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜିକାଲି କୃଷି, ଉଦ୍ୟାନ କୃଷି, ଗୋପାଳନ, କୁକୁଡ଼ାପାଳନ, ମାଛଚାଷ, ଛତୁଚାଷ, ମହୁମାଛି ପାଳନ, ଜିଆଖତ ପ୍ରସ୍ତୁତି ଆଦି ଦିଗରେ ଅନେକ ନୂତନ ଜ୍ଞାନକୌଶଳର ବିକାଶ ହୋଇଛି। ଏସବୁ ଜ୍ଞାନକୁ ଚାଷୀମାନେ ଉପଯୁକ୍ତ ଭାବେ ବ୍ୟବହାର କରିପାରିଲେ କୃଷିକ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇପାରିବ। କୃଷି ତଥା ଆନୁଷଙ୍ଗିକ ଜ୍ଞାନର ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଜିଲାରେ କୃଷି ସମ୍ପ୍ରସାରଣ କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ଦୂରଶିକ୍ଷା କାର୍ଯ୍ୟକ୍ରମ, ବ୍ଲକ୍‌ ସମ୍ପ୍ରସାରଣ ଯୋଜନା, ପତ୍ରପତ୍ରିକା ପ୍ରକାଶନ, କୃଷି ବୈଷୟିକ ସୂଚନା କେନ୍ଦ୍ର, ଭିଡିଓ ପ୍ରକଳ୍ପ ଓ ସୂଚନା ବିଭାଗ ଦ୍ୱାରା ବିଭିନ୍ନ ଜ୍ଞାନକୌଶଳକୁ କୃଷକମାନଙ୍କ ନିକଟରେ ପହଞ୍ଚାଯାଉଛି। ସମୟର ଆବଶ୍ୟକତାକୁ ନଜରରେ ରଖି କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡାଲି ଓ ତୈଳବୀଜ ଫସଲର ଅମଳ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ପ୍ରଦର୍ଶନୀ କ୍ଷେତ୍ରମାନ ଆୟୋଜିତ ହେଉଛି। କୃଷକମାନଙ୍କ ଜମିରେ କରାଯାଇଥିବା ଏହି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଉନ୍ନତ ବିହନର ବ୍ୟବହାର, ଜୀବାଣୁ ସାର ପ୍ରୟୋଗ, ସମନ୍ବିତ ପଦ୍ଧତିରେ ଖାଦ୍ୟସାର ପରିଚାଳନା, ରୋଗପୋକ ନ ହେବା ପାଇଁ ପ୍ରତିକାର ବ୍ୟବସ୍ଥା ତଥା ଅମଳ ଓ ଅମଳ ପରବର୍ତ୍ତୀ ଯନତ୍ ବିଷୟରେ ଜ୍ଞାନକୌଶଳ ଚାଷୀମାନଙ୍କ କ୍ଷେତ୍ରରେ ପ୍ରଦର୍ଶନ କରାଯାଉଛି।...

ଏଇ ଭାରତରେ

ଭାରତୀୟ ଚରିତ୍ରକୁ ଦେଖନ୍ତୁ। ରାସ୍ତାରେ ବେପରୁଆ ବାଇକ୍‌ ଚଳାଇ କେତେକ ଯୁବକ ପଥଚାରୀ ଓ ଟ୍ରାଫିକ୍‌କୁ କେବଳ ହଇରାଣରେ ପକାଉ ନାହାନ୍ତି, ବିଦେଶାଗତ ଭିଭିଆଇପିମାନଙ୍କ ସମ୍ମୁଖରେ ମଧ୍ୟ ନିଜର କୁତ୍ସିତ ଚେହେରାକୁ ପଦାରେ ପକାଉଛନ୍ତି। ଭାରତ ଗସ୍ତରେ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ କାରକେଡ୍‌ ସମ୍ମୁଖରେ ବେପରୁଆ ବାଇକ୍‌ ଚଳାଇ ଏବଂ ଷ୍ଟଣ୍ଟ୍‌ କରି ଧରାପଡ଼ିଛନ୍ତି ଦୁଇ ଯୁବକ। ସୋମବାର ଏହି ଘଟଣା ଘଟିଛି ବମ୍ବେର ବାନ୍ଦ୍ରା-ଓ୍ବର୍ଲି ସି-ଲିଙ୍କ୍‌ ରାସ୍ତାରେ। ଟ୍ରୁଡେୟୁଙ୍କ କାରକେଡ୍‌ ବିମାନ ବନ୍ଦରରୁ ତାଜ୍‌ ହୋଟେଲ ଆଡ଼କୁ ଯାଉଥିବା ବେଳେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ କାଣ୍ଡ। ଭିଭିଆଇପିଙ୍କ କାର ଅତିକ୍ରମ କରୁଥିବା ବେଳେ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ଦୁଇ ଯୁବକଙ୍କୁ ପୋଲିସ ଧରିଛି। ସେମାନେ ହେଲେ ଫକରୁଦ୍ଦିନ୍‌ ମହମ୍ମଦ୍‌ ହନିଫ ଅନସାରୀ ଏବଂ ମହମ୍ମଦ୍‌ ଅନ୍‌ସାରୀ। ଟ୍ରୁଡେୟୁଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥାଏ ନିରାପତ୍ତା ବ୍ୟବସ୍ଥା। ରାସ୍ତାର ଉଭୟ ଦିଗରୁ ଗାଡ଼ି ମୋଟର ଅଟକାଇ ଦିଆଯାଇଥାଏ। ସେତିକିବେଳେ ଏହି ଦୁଇ ଯୁବକ ଫାଙ୍କା ରାସ୍ତା ଦେଖି ବାଇକ୍‌ ଧରି ପଶି ଆସିଥିଲେ। ଆରମ୍ଭ କରି ଦେଇଥିଲେ ବାଇକ୍‌ ଷଣ୍ଟ୍‌। ଏହା ଦେଖି ରାସ୍ତା ଜଗିଥିବା ପୋଲିସ ଅବାକ୍‌। ସେମାନଙ୍କୁ ସି-ଲିଙ୍କ୍‌ଠାରେ ଅଟକାଇବାରେ ପୋଲିସ ସମର୍ଥ ହେଲା। ଏହାପରେ ଏହି ଦୁଇ ଯୁବକଙ୍କୁ ବାନ୍ଦ୍ରା ଥାନାକୁ ନିଆଯାଇ ଏଭଳି ବଦମାସି କରିବାର କାରଣ କ’ଣ ବୋଲି ପଚରା ଯାଇଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ନ ପାଇ ସେମାନଙ୍କୁ ଗିରଫ କରାଯାଇଛି। ଜଣେ ଭିଭିଆଇପିଙ୍କ ଗସ୍ତ ବେଳେ ଏଭଳି କାଣ୍ଡ ଘଟାଇ ଏହି ଯୁବକଦ୍ୱୟ ନିଜେ ତ ଦଣ୍ଡ ପାଇଲେ ଦେଶକୁ ନିନ୍ଦିତ କରିଛନ୍ତି।

ସମ୍ପାଦକୀୟ/ ଓବିଓଆର୍‌ ବିକଳ୍ପ

ସମ୍ପାଦକୀୟ/ ଓବିଓଆର୍‌ ବିକଳ୍ପ

ଓ୍ବାନ୍‌ ବେଲ୍‌ଟ ଓ୍ବାନ୍‌ ରୋଡ୍‌ (ଓବିଓଆର୍‌) ପ୍ରକଳ୍ପ ଜରିଆରେ ଏସୀୟ ଏବଂ ୟୁରୋପୀୟ ଦେଶଗୁଡିକରେ ପ୍ରଭାବ ବିସ୍ତାର ପାଇଁ ଚାଇନା ଚେଷ୍ଟା ଚଳାଇଛି। ଏହାର ବିକଳ୍ପ ଭାବେ ଅଷ୍ଟ୍ରେଲିଆ, ଆମେରିକା, ଭାରତ ଏବଂ ଜାପାନ ଅନ୍ୟ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଅଷ୍ଟ୍ରେଲିଆର ଅର୍ଥନୈତିକ ରିପୋର୍ଟରେ ଏଭଳି ଏକ ଯୋଜନା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯଦିଓ ଏ ନେଇ ଏହି ଚାରି ରାଷ୍ଟ୍ର ପକ୍ଷରୁ କୌଣସି ବିଧିବଦ୍ଧ ଆଭାସ ମିଳିନାହିଁ, ତେବେ ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲ୍‌କମ୍‌ ଟର୍ନବୁଲ ଆମେରିକା ଗସ୍ତ କାଳରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳୁଛି। ଜାଣିବାକୁ ମିଳିଛି ଯେ, ପରସ୍ପର ସହ ତାଳମେଳ ରଖି ଏହି ଚାରି ରାଷ୍ଟ୍ର ଅର୍ଥନୈତିକ ଭିତ୍ତିଭୂମି ପ୍ରତିଷ୍ଠା କରିବେ। ଚାଇନାର ବଡଭାଇପଣିଆକୁ ରୋକିବା ସକାଶେ ଏହି ଯୋଜନା ପ୍ରସ୍ତୁତ ହେଉଛି ବୋଲି କୁହାଯାଉଛି। ଚାଇନାର ଓବିଓଆର୍‌ ପ୍ରକଳ୍ପ ସମ୍ପର୍କରେ ୨୦୧୩ରୁ ସୂଚନା ମିଳିଥିଲା। ସେତେବେଳେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ କାଜାଖସ୍ତାନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଆଞ୍ଚଳିକ ଭିତ୍ତିଭୂମି ବିକାଶର କଥା ଉଠାଇ ଉକ୍ତ ପ୍ରକଳ୍ପ ସମ୍ପର୍କରେ ପ୍ରକାଶ କରିଥିଲେ। ୬୦ରୁ ଅଧିକ ଦେଶ ସହ ପରିବହନ ଏବଂ ବାଣିଜି୍ୟକ ସମ୍ପର୍କ ସୁଦୃଢ଼ କରି ଅନ୍ତର୍ଜାତୀୟ ସ୍ତରରେ ଏସୀୟ ଦେଶଗୁଡିକର ଭୂମିକାକୁ ମଜଭୁତ କରିବା ସକାଶେ ଚାଇନା ଓବିଓଆର ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି ବୋଲି ଜିନ୍‌ପିଙ୍ଗ ସୂଚନା ଦେଇଥିଲେ। ଗତବର୍ଷ ମେ’ରେ ଚାଇନା ଉକ୍ତ ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବକୁ ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲା। ଏହି ପ୍ରକଳ୍ପ ସକାଶେ ୧୨,୪୦୦ କୋଟି ଡଲାର ଅର୍ଥ ଚାଇନା ଖର୍ଚ୍ଚ କରିବ ବୋଲି ଉକ୍ତ ଉତ୍ସବରେ ଘୋଷଣା କରାଯାଇଥିଲା। କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ନୁହେଁ ଓବିଓଆର୍‌ ଚାଇନାର ଶକ୍ତି ପ୍ରଦର୍ଶନ ଦିଗରେ ଏକ ବଡ ପଦକ୍ଷେପ। ଦେଖିବାକୁ ଗଲେ ଭାରତ ସମେତ ବିଭିନ୍ନ ଦେଶରେ ଚାଇନା ତା’ର ଉତ୍ପାଦିତ ଦ୍ରବ୍ୟକୁ ଲଦି ସାରିଲାଣି। ଏପଟେ ଦକ୍ଷିଣ ଚାଇନା ସମୁଦ୍ରରେ ଆଧିପତ୍ୟ ଜାହିର କରିବା ସହ ପଡୋଶୀ ଦେଶଗୁଡିକ ସୀମାନ୍ତରେ ବେଳକୁ ବେଳ ହସ୍ତକ୍ଷେପ କରି ଚାଇନା ତା’ର ଜୋର ଦେଖାଇ ଆସୁଛି । ଓବିଓଆର ପ୍ରକଳ୍ପରେ ଏକାଧିକ ଦେଶକୁ ସାମିଲ କରୁଥିବାରୁ ଚାଇନାର ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ରହିବ ନାହିଁ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ଭଳି ରାଷ୍ଟ୍ର ଏହି ବଡ ଶକ୍ତିକୁ ସାମ୍ନା କରିବା ପାଇଁ ହାତ ମିଳାଇଛନ୍ତି। ଚାଇନା ଯାହା ୫ବର୍ଷ ପୂର୍ବରୁ ଯୋଜନା କରିଥିଲା ତାହା ଏବେ ଅଷ୍ଟ୍ରେଲିଆ, ଜାପାନ, ଭାରତ, ଓ ଆମେରିକା ଚିନ୍ତା କରୁଛନ୍ତି। ଏହା ଚୂଡ଼ାନ୍ତ ରୂପ ନେବାକୁ ଆହୁରି କେତେବର୍ଷ ଲାଗିବ ତାହା କହିବା ମୁସ୍କିଲ। ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନା ଓବିଓଆର୍‌ର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବିକଳ୍ପ ମାତ୍ର। ମୂଳକଥା ହେଲା ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଭଳି ରାଷ୍ଟ୍ର ବଡଧରଣର ଅନ୍ତର୍ଜାତୀୟ ପ୍ରକଳ୍ପରେ ଅର୍ଥ ଲଗାଇବା ପାଇଁ ସମର୍ଥ। ଏହି ଦେଶଗୁଡିକ ବୈଷୟିକ ଦୃଷ୍ଟିରୁ ସୁଦୃଢ ହେବା ସହ ଆର୍ଥିକ ପରିସ୍ଥିତି ମଧ୍ୟ ଭାରତ ଭଳି ଦେଶଠାରୁ କାହିଁ କେତେଗୁଣ ଆଗରେ। ଭାରତରେ ଏବେ ଘୋର ଅର୍ଥନୈତିକ ସମସ୍ୟା ଦେଖାଦେଲାଣି। ବିମୁଦ୍ରୀକରଣ ଏବଂ ତରବରିଆ ଭାବେ ଜିଏସ୍‌ଟି ଲାଗୁ ହେବା ପରେ ଦେଶର ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଯାଇଛି। ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ବହୁ ପଛରେ। କୃଷିକ୍ଷେତ୍ରରେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ । ଏପରିସ୍ଥଳେ ଏତେ ବୃହତ୍‌ ଯୋଜନାରେ କେଉଁ ଆକାରରେ ଭାରତ କରଦାତାଙ୍କ ଅର୍ଥ ଲଗାଇବ ତାହା ଏବେ ପ୍ରଶ୍ନବାଚୀ ହୋଇ ଛିଡା ହେଲାଣି। ଚାଇନା କଥା ଦେଖିଲେ ଏହି ରାଷ୍ଟ୍ର ପ୍ରଥମେ ତା’ର ଆଭ୍ୟନ୍ତରୀଣ ଅର୍ଥନୈତିକ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଦୃଢ କରିବାରେ ଲାଗି ରହିଲା। ପରବର୍ତ୍ତୀ ସମୟରେ ଦମ୍ଭର ସହ ଏହି ଦେଶ ଅନ୍ତର୍ଜାତୀୟ ସ୍ତରରେ ମୁଣ୍ଡ ଖେଳାଉଛି। ଭାରତରେ ବିପରୀତ ପରିସ୍ଥିତି। ଦେଶ ଭୁଶୁଡି ପଡୁଥିବାବେଳେ ଦୁନିଆର କଥା ଚିନ୍ତା କରାଯାଉଛି। ଭାରତର କୂଟନୈତିକ ପାରଦର୍ଶିତାକୁ ଦେଖିଲେ ଅଷ୍ଟ୍ରେଲିଆ ପ୍ରାୟୋଜିତ ନୂଆ ଯୋଜନାରେ ଆମର କେତେ ବଳ ରହିବ ଏବଂ ଦେଶକୁ କେତେ ଲାଭ ମିଳିବ ତାହା ଏବେଠାରୁ କହିବା କଷ୍ଟକର।

ଚାକିରି ଜବାବ ପକୋଡ଼ାରେ

ଚାକିରି ଜବାବ ପକୋଡ଼ାରେ

ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଆଜିକାଲି ଦେଶରେ ‘ପକୋଡ଼ା ବିକିବା’ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସାକ୍ଷାତ୍‌କାର ଦେବା ସମୟରେ ଯେଉଁ ଠେଲାବାଲା ପକୋଡ଼ା ବିକି ଦିନକୁ ୨୦୦ ଟଙ୍କା ଆୟ କରୁଛି ତାହା କ’ଣ ରୋଜଗାର ନୁହେଁ କି ବୋଲି କହିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ରାସ୍ତାକଡ଼ର ପାନ ଦୋକାନଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଏ ନେଇ ଚର୍ଚ୍ଚା ହେବା ସହ ପକୋଡ଼ା ଏବେ ରୋଜଗାରର ନୂଆ ପ୍ରତୀକ ହୋଇଯାଇଛି। ନିକଟରେ ବାଙ୍ଗାଲୋରରେ ମୋଦିଙ୍କ ଏକ ସମାବେଶ ଚାଲିଥିବା ବେଳେ କିଛି ଏମ୍‌ବିଏ, ଏମ୍‌ସିଏ ପାସ୍‌ କରିିଥିବା ଯୁବକ ଷ୍ଟଲ୍‌ ପକାଇ ପକୋଡ଼ା ବିକି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ପ୍ରତିବାଦ କରିଛନ୍ତି। ମୋଦିଙ୍କ ବକ୍ତବ୍ୟକୁ ନାପସନ୍ଦ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ମଧ୍ୟ ‘ଯଦି ପକୋଡ଼ା ବିକିବାକୁ ଚାକିରି କୁହାଯିବ ତା’ହେଲେ ଭିକ ମାଗିବାକୁ ବି କାହିଁକି ଚାକିରି କୁହାଯିବନି ?’ ବୋଲି ପ୍ରଶ୍ନ କରିଛନ୍ତି। ତେବେ ମୋଦିଙ୍କ ପକୋଡ଼ା ତତ୍ତ୍ୱ ସପକ୍ଷରେ ଜୋରଦାର ଯୁକ୍ତି ବାଢ଼ିବାକୁ ଆଉ ପାଦେ ଆଗେଇ ଯାଇ ଖୋଦ୍‌ ଭାଜପା ସଭାପତି ଅମିତ ଶାହ ‘ବେକାର ରହିବା ଅପେକ୍ଷା ପକୋଡ଼ା ବିକିବା ଭଲ’ ବୋଲି ଯୁକ୍ତି କରିଛନ୍ତି। ଏଠାରେ କହି ରଖିବା ଉଚିତ ହେବ ଯେ ପକୋଡ଼ା ବିକିବା ଖରାପ କଥା କିମ୍ବା ତୁଚ୍ଛ ପେସା ନୁହଁ। ଯେଉଁମାନେ ରାସ୍ତାକଡ଼ରେ ଠେଲାଗାଡ଼ିରେ ପକୋଡ଼ା ବିକି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ସେମାନେ ନିଶ୍ଚିତ ରୂପେ ସମ୍ମାନର ସହ ରୋଜଗାର କରୁଛନ୍ତି। କିନ୍ତୁ ତାହା ଆଦୌ ଚାକିରି ପଦବାଚ୍ୟ ହୋଇ ନ ପାରେ। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନର ସଂଜ୍ଞା ଅନୁଯାୟୀ ଯେଉଁ ପେସାରେ ଏକ ନିର୍ଦ୍ଦିଷ୍ଟ ସ୍ଥିରତା ରହିଥିବ, ଦରମାର ନିୟମିତତା ରହିଥିବ ଏବଂ ରୋଜଗାରର ସ୍ଥାୟିତ୍ୱ ରହିଥିବ ତାକୁ ହିଁ ଚାକିରି କୁହାଯିବ। କୌଣସି ବି ଶିକ୍ଷିତ ଯୁବକ ଖୁସିରେ କିମ୍ବା ସ୍ବଇଚ୍ଛାରେ ଫୁଟ୍‌ପାଥ୍‌ରେ ପକୋଡ଼ା ବକି ନ ଥାଏ। କେବଳ ଚାକିରି ନ ପାଇ ମଜ୍‌ବୁରୀରେ କୌଣସି ମତେ ଚଳିଯିବାର ଆଶା ନେଇ ଜଣେ ପକୋଡ଼ା ବିକିଥାଏ। ଏଥିରେ ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ଦେଶରେ ବେରୋଜଗାରୀ ଦୂର କରିବାରେ ନିଜ ସରକାରର ଅପାରଗତାକୁ ଘୋଡ଼େଇବାକୁ ଯାଇ ପକୋଡ଼ା ଉପାଖ୍ୟାନର ଅବତାରଣା କରିଛନ୍ତି। ବର୍ଷକୁ ଦୁଇ କୋଟି ଯୁବତୀଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ତାକୁ ପୂରଣ କରିବାରେ ବିଫଳ ହୋଇଥିବା ମୋଦି ସରକାର, ନିଜର ଏହି ବିଫଳତାକୁ ନମ୍ରତାର ସହିତ ସ୍ବୀକାର କରିବା ପରିବର୍ତ୍ତେ ପକୋଡ଼ା ବିକ୍ର୍ରିକୁ ଚାକିରି ବୋଲି କହି ଦେଶର ବେରୋଜଗାରୀଙ୍କୁ କ୍ରୂର ପରିହାସ କରିଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କ ଦଳ ବାର୍ଷିକ ଦୁଇ କୋଟି ଲୋକଙ୍କୁ ଚାକିରି ଦେବାର ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପକୋଡ଼ା ବିକିବା ବା ରାସ୍ତାକଡ଼ରେ ଠେଲାଧରି ଚା ବିକ୍ରି କରିବା ପରି ସ୍ବରୋଜଗାର ନ ଥିଲା। ବାସ୍ତବତା ହେଲା ମୋଦି ସରକାରର ଗତ ସାଢ଼େ ତିନି ବର୍ଷର ଶାସନ କାଳରେ ଦେଶରେ ବେରୋଜଗାରୀ ଭୟାନକ ଭାବେ ବଢ଼ିଛି। ଖୋଦ୍‌ ସରକାରଙ୍କ ଶ୍ରମ ବ୍ୟୁରୋର ରିପୋର୍ଟ ମୁତାବକ ଭାରତ ଆଜି ବିଶ୍ୱର ସବୁଠାରୁ ବେଶି ବେରୋଜଗାରୀଙ୍କ ଦେଶରେ ପରିଣତ ହୋଇଯାଇଛି ଏବଂ ୨୦୧୯ ସୁଦ୍ଧା ବିଶ୍ୱର ମୋଟ ବେରୋଜଗାରୀଙ୍କ ୧୦% କେବଳ ଭାରତରେ ଥିବେ ବୋଲି ଅନୁମାନ କରାଯାଇଛି। ସିଏମ୍‌ଆଇଇ ସଂସ୍ଥାର ହିସାବ ଅନୁଯାୟୀ ପ୍ରତିବର୍ଷ ହାରାହାରି ୨.୫ କୋଟି ଲୋକ କାମ କରିବାର ବୟସ (୧୫ରୁ ୪୯ବର୍ଷ ବୟସ)ରେ ପହଞ୍ଚୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪୪% ବା ୧.୧ କୋଟି ଲୋକ ସକ୍ରିୟ ଭାବେ ଚାକିରି ଅନୁସନ୍ଧାନରେ ଅଛନ୍ତି। ଦେଶର ପ୍ରତି ଦଶ ଜଣ ସ୍ନାତକଙ୍କ ମଧ୍ୟରୁ ୬ ଜଣଙ୍କୁ ସେମାନଙ୍କ ଯୋଗ୍ୟତା ଅନୁରୂପ ଚାକିରି ବଜାରରେ ନ ଥିବା ଜଣାପଡ଼ିଛି। କିନ୍ତୁ ସାଢ଼େ ତିନି ବର୍ଷର ଶାସନ ପରେ ବି ଶ୍ରମ ବ୍ୟୁରୋର ତଥ୍ୟ ଅନୁଯାୟୀ ମାତ୍ର ପାଞ୍ଚଲକ୍ଷ ନୂଆ ଚାକିରି ସୃଷ୍ଟି ହୋଇପାରିଛି। ୨୦୧୨ରେ ଭାରତରେ ବେରୋଜଗାରୀ ହାର ୩.୮% ଥିବା ବେଳେ ତାହା ବୃଦ୍ଧି ପାଇ ୨୦୧୬-୧୭ରେ ୫%ରେ ପହଞ୍ଚତ୍ଛି। ...

ମହାର୍ଘ ଦିନଲିପି

ମହାର୍ଘ ଦିନଲିପି

ସୁଧିରାଜ ରାଉତ/ ଝଞ୍ଜା ପରି ପୃଥିବୀ ବକ୍ଷକୁ ଓହ୍ଲାଇ ଆସିଛନ୍ତି ବୀଭତ୍ସ ଶକ୍ତିମାନେ- ସେମାନେ ଅଜ୍ଞ, ଉଗ୍ର, ବଳବାନ, ଅନ୍ଧ (୮ା୮ା୧୯୧୪ )। ଏଇ ଦୁଃସ୍ଥ ପୃଥିବୀ ଉପରେ ଅନ୍ଧକାର ଘନେଇ ଆସିଛି, ବର୍ତ୍ତମାନ କ’ଣ ଏଇ ଅନାସୃଷ୍ଟି ଉପରେ ତୁ ଆସି ଉଦୟ ହେବୁନି, କହିବୁନି ଆଲୋକିତ ହେଉ (୧୧ା୮ା୧୯୧୪)? ସମଗ୍ର ବିଶ୍ୱ ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧର ଦାନବ ବାଦ୍ୟରେ ନୃତ୍ୟରତ, ରକ୍ତର ଛିଟାରେ ପୃଥିବୀ ଓ ଆକାଶ ଲାଲ ହୋଇଉଠିଛି, ଯୁଦ୍ଧାସୁର ଅକ୍ଟୋପସ ଭଳି ଗୋଟିଏ ପରେ ଗୋଟିଏ ଦେଶ, ମହାଦେଶକୁ ଗ୍ରାସ କରି ଏ ପୃଥିବୀରୁ ସଭ୍ୟତାକୁ ନିଶ୍ଚିହ୍ନ କରିଦେବାକୁ ତତ୍ପର, ଜଣେ ମହୀୟସୀ ନାରୀ ଯିଏ ବିଶ୍ୱ ପାଇଁ ଅଜ୍ଞ ଓ ଅପରିଚିତ ସେ ବିଶ୍ୱରକ୍ଷାର ଭାର ବହନ କରି ଠିଆ ହୋଇଛନ୍ତି। ଯୁଦ୍ଧର କରାଳ ଅନ୍ଧାର ମଧ୍ୟରେ, ଏହି ଦେବୀଙ୍କ ପ୍ରତିଟି ମୁହୂର୍ତ୍ତ, ତାଙ୍କ ଦିନଲିପିର ପ୍ରତିଟି ଶବ୍ଦ ପ୍ରାର୍ଥନାର ମହାଆଲୋକ ହୋଇ ଅନ୍ଧକାର ବିରୁଦ୍ଧରେ ଯୁଦ୍ଧରତ। ତାଙ୍କ ଦିନଲିପିର ପ୍ରତିଟି ଶବ୍ଦ ଏହା ପ୍ରକାଶ କରୁଛି- ରକ୍ତ ମଦିରାରେ ମତ୍ତ ସେ ଦାନବଠାରୁ ମଣିଷକୁ, ପୃଥିବୀକୁ ରକ୍ଷାକରିବାକୁ ସଂକଳ୍ପବଦ୍ଧ। ଯୁଦ୍ଧ ସମୟରେ ଶ୍ରୀମାଙ୍କ ଦିନଲିପି ଯଦି ପୃଷ୍ଠା ପରେ ପୃଷ୍ଠା ପଢିଚାଲିବା, ତେବେ ଭେଟିବା ଏକ ବିଶାଳ ପ୍ରାର୍ଥନା, ବିଶ୍ୱଠାରୁ ଆହୁରି ବିରାଟ ଆସ୍ପୃହାର ଅଗ୍ନି, ସମର୍ପଣର ମହିମାରେ ମଣ୍ଡିତ ମହାମାୟା ପୃଥିବୀକୁ କୋଳାଗ୍ରତ କରି ଉଠି ଚାଲିଛନ୍ତି ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱକୁ। ସେହି ପରମଙ୍କ ସମୀପରେ ଠିଆ ହୋଇ କହୁଛନ୍ତି, ଆସ ପ୍ରକାଶ ହୁଅ! ଶ୍ରୀମା ତାଙ୍କ ଆଗାମୀ ଆତ୍ମଲିପିରେ ଲେଖୁଛନ୍ତି- ସେହି ଅଜ୍ଞେୟ, ଅତଳ ଗଭୀରତା ମଧ୍ୟରୁ ଏକ ସମୁଦାତ୍ତ ଓ ଦୁର୍ନିବାର ପ୍ରତ୍ୟୁତ୍ତର ଶୁଣିବାକୁ ପାଇଲୁ ଏବଂ ବୁଝିପାରିଲୁ ପୃଥିବୀ ରକ୍ଷା ପାଇଲା(୧ା୯ା୧୯୧୪)। ତାଙ୍କ ଦିନଲିପିରୁ ଏହା ସ୍ପଷ୍ଟ ହେଉଛି ଯୁଦ୍ଧ-ଦାନବ କବଳରୁ ପୃଥିବୀ ରକ୍ଷା ପାଇବାର ନିଶ୍ଚିତତା ଦେବୀ ଅନୁଭବ କରିଛନ୍ତି, ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି। ଏହି ଦିନଲିପି ସବୁର ଅତି କ୍ଷୁଦ୍ର ଅଂଶ ହିଁ ଏହି ଯୁଦ୍ଧ ଘଟଣା। ଏହି ଦିନଲିପିର ପ୍ରତିଟି ଶବ୍ଦରେ, ପ୍ରତିଟି ବାକ୍ୟରେ ଭରିରହିଛି ଜୀବନ ବଞ୍ଚିବାର ନୂତନ ବିଜ୍ଞାନ। ଏହା ପଢିବସିଲେ ମନେହେବ ଆପଣ ସ୍ବର୍ଗକୁ ଛୁଉଁଛନ୍ତି, ମନେହେବ ଉପନିଷଦର ସେହି ମହାନ୍‌ ସତ୍ୟଗୁଡ଼ିକ ଆପଣଙ୍କ ଜୀବନରେ ଅଭିବ୍ୟକ୍ତି ପାଇଁ ଆମନ୍ତ୍ରଣ ଦେଉଛନ୍ତି। ମନେହେବ ଆପଣ ଏକା ନୁହନ୍ତି, ଏ ବିଶ୍ୱ ଏବଂ ବିଶ୍ୱ ନିୟନ୍ତା ପ୍ରତିଟି ଛନ୍ଦରେ ତୁମ ସହ ଅଛନ୍ତି, ତୁମେ ହିଁ ସିଏ। ଏହି ଡାଏରୀର ପ୍ରଥମ ପୃଷ୍ଠାରେ ଲେଖାଅଛି- ଶେଷରେ ଏପରି ଏକ ଦିନ ଆସିବ, ମୁଁ ତୋ ସଙ୍ଗେ ସମ୍ପୂର୍ଣ୍ଣ ଏକ ହୋଇଯିବି, ସେତେବେଳେ ମୋର ତୋତେ କିଛି କହିବାର ନ ଥିବ, କାରଣ ‘ମୁଁ ’ ହୋଇଯିବି ‘ତୁ’... (୨ା୧୧ା୧୯୧୨)। ଏହିସବୁ ଲେଖାର ପ୍ରତିଟି ବାକ୍ୟ, ବାକ୍ୟ ମଧ୍ୟରେ ନିହିତ ଶକ୍ତି ଆମକୁ ନେଇଯିବ ସେଇ ଅଜ୍ଞେୟ ପରମଙ୍କ ହୃଦୟସ୍ପନ୍ଦନ ମଧ୍ୟକୁ, ମନେହେବ ଆମେ ବିଶ୍ୱ ନିୟନ୍ତାଙ୍କ ହୃଦୟ ମଧ୍ୟରେ ସୁରକ୍ଷିତ।...

ଏଇ ଭାରତରେ

ଗୁରୁ-ଶିଷ୍ୟ ପରମ୍ପରା ଅତି ପବିତ୍ର। କେଉଁ ପ୍ରାଚୀନ ଯୁଗରୁ ଏ ପରମ୍ପରା ଚାଲିଆସିଛି। ହେଲେ କେତେକ ଶିକ୍ଷକ ଏହି ସମ୍ପର୍କକୁ ଅପବିତ୍ର କରିଦେଉଥିବାରୁ ସମଗ୍ର ଗୁରୁକୁଳ ନିନ୍ଦିତ ହୋଇଯାଉଛନ୍ତି। ଏଭଳି ରାଶି ରଶି ଉଦାହରଣ ବାରମ୍ବାର ଶୁଣିବାକୁ ମିଳୁଛି। ନିକଟରେ ତାମିଲନାଡୁର ଏକ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଭାଲେଣ୍ଟାଇନ୍ସ ଡେ’ରେ ଛାତ୍ରୀଙ୍କୁ ଯେଭଳି ଭାବେ ପ୍ରେମ ନିବେଦନ କରିବାକୁ ଯାଇ ଗୋଲାପ ଫୁଲ ଦେଇ ଗିରଫ ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଭେଲୁପୁରମ୍‌ ନିକଟସ୍ଥ ଚିନ୍ନା ସାଲେମଠାରେ ଥିବା ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶ୍ରେଣୀ କକ୍ଷରେ ୪୩ ବର୍ଷୀୟ ଶିକ୍ଷକ ଗୋଲାପ ଫୁଲ ଯାଚିଥିଲେ। ସାର୍‌ଙ୍କ ପ୍ରସ୍ତାବରେ ରାଜି ହେବା ସକାଶେ ସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ମଧ୍ୟ ଛାତ୍ରୀ ଜଣଙ୍କୁ ବାଧ୍ୟ କରିଥିଲେ। ହେଲେ ଛାତ୍ରୀ ଜଣକ ତାହାକୁ ଗ୍ରହଣ କରି ନ ଥିଲେ। ପରେ ସେ ଦିନତମାମ ସ୍କୁଲରେ ମନଦୁଃଖରେ ରହିଥିଲେ। ଘରକୁ ଗଲା ପରେ ସେ କାନ୍ଦିବାରୁ ମାତାପିତା କାରଣ ପଚାରି ବୁଝିଥିଲେ। ଝିଅ ସବୁ ଘଟଣା ଜଣାଇବା ପରେ ମାତାପିତା ଓ ସମ୍ପର୍କୀୟ ସ୍କୁଲ ସାମ୍ନାରେ ପ୍ରତିବାଦ କରିଥିଲେ। ଏହି ଖବର ଜିଲା ଶିକ୍ଷା ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା। ଶିକ୍ଷାଧିକାରୀ ଗୋଲାପ ଫୁଲ ଯାଚିଥିବା ଶିକ୍ଷକ ନିର୍ମଳ ଓ ପିଇଟି ଲରେନ୍ସଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସମ୍ପୃକ୍ତା ଛାତ୍ରୀଙ୍କ ମାତାପିତାଙ୍କ ଅଭିଯୋଗ କ୍ରମେ ପୋଲିସ ସେମାନଙ୍କୁ ଗିରଫ କରିଛି। ଶୁଣିବାକୁ ମିଳିଛି ଯେ ସମ୍ପୃକ୍ତା ଛାତ୍ରୀ ଶିକ୍ଷକଙ୍କ ଝିଅ ବୟସର। ଉଭୟ ଶିକ୍ଷକ ବିବାହିତ ଓ ସେମାନଙ୍କର ପିଲାଛୁଆ ଅଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ଏଭଳି ନିନ୍ଦନୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ଶିକ୍ଷକ ସମାଜକୁ ନିନ୍ଦିତ କରିବା ସହ ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରୁଛି।