Dharitri News
ସମ୍ପାଦକୀୟ |

ଏଇ ଭାରତରେ

ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ଯାଇ ସ୍ତ୍ରୀ କିଭଳି ସାହସିକତା ଦେଖାଇଲେ ତାହାର ଏକ ଭିଡିଓ ଭାଇରାଲ ହୋଇଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରରେ କାକୋରୀ ଅଞ୍ଚଳରେ ଘଟିଛି ଏହି ଘଟଣା। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଖବରଦାତା ଆବିଦ୍‌ ଅଲ୍ଲୀ। ପ୍ରାୟ ୬ଜଣ ଗୁଣ୍ଡା ତାଙ୍କୁ ଘର ସାମ୍ନାରେ ଲୁହାରଡ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରୁଥିବାର ଦେଖି ସମ୍ଭାଳିପାରିଲେ ନାହିଁ ଅଲ୍ଲୀଙ୍କ ସ୍ତ୍ରୀ। ସେ ତୁରନ୍ତ ଏକ ପିସ୍ତଲ ଆଣି ଫାଙ୍କା ଗୁଳି ଚଳାଇଲେ। କେତେ ରାଉଣ୍ଡ ଗୁଳି ଫୁଟିବା ପରେ ଗୁଣ୍ଡାମାନେ ଭୟଭୀତ ହୋଇ ସ୍ଥାନ ଛାଡି ଚାଲିଯାଇଥିଲେ। ଏହି ଘଟଣା ତାଙ୍କ ଘର ସାମ୍ନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ରହିଯାଇଥିଲା, ଯାହା ଭାଇରାଲ ହୋଇଛି। ମହିଳା ଜଣକ ଏଭଳି ସାହସିକତା ଦେଖାଇ ନ ଥିଲେ ବିଚରା ସ୍ବାମୀଙ୍କ ଜୀବନ ହୁଏତ ଚାଲିଯାଇଥାଆନ୍ତା। ଏ ସମ୍ପର୍କରେ ପୋଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ ଚଳାଇଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ସମ୍ପାଦକୀୟ |

ଗୁଜରାଟ ମଡେଲର ଭିନ୍ନ ରୂପ

ଗୁଜରାଟ ମଡେଲର ଭିନ୍ନ ରୂପ

ଆକାର ପଟେଲ/ ନୀରବ ମୋଦି ନିଜକୁ ହର୍ଷଦ ମେହେଟ୍ଟା, ହିତେନ୍‌ ଦଲାଲ, ଯତୀନ ମେହେଟ୍ଟା ଓ କେତନ ପାରେଖ ପ୍ରମୁଖ ଗୁଜରାଟୀ ଧୂର୍ତ୍ତମାନଙ୍କ ତାଲିକାରେ ସାମିଲ କରିପାରିଛନ୍ତି, ଯେଉଁମାନେ ଗତ କେଇ ବର୍ଷ ଭିତରେ ଟିକସଦାତାଙ୍କର ହଜାର ହଜାର କୋଟି ଟଙ୍କା ଚଳୁ କରିଦେଇଛନ୍ତି। ଏଠାରେ ଟିକସଦାତା ବୋଲି କହିବାର ଅର୍ଥ ହେଲା, ଏହି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ ହଡ଼ପ କରାଯାଇଥିଲେ ମଧ୍ୟ ପରୋକ୍ଷରେ ଏହା ଦେଶର ନାଗରିକମାନଙ୍କର ହିଁ ଟଙ୍କା। ଗୁରୁବାର ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ କହିଛି ଯେ ଏହା ନିଜର ଶେୟାରଗୁଡ଼ିକୁ ୧୬୩ ଟଙ୍କା ହିସାବରେ ବିକି ସରକାରଙ୍କଠାରୁ ୫୫୦୦ କୋଟି ଟଙ୍କା ଆଣିବ। ବର୍ତ୍ତମାନ ଶେୟାରଗୁଡ଼ିକର ବଜାର ଦର ୧୧୩ ଟଙ୍କା ଅଛି ଓ ତାହା କମି କମି ଯାଉଛି। ପୁଣି ଆମେ ଏପରି ଏକ ଅଯୋଗ୍ୟ ବ୍ୟାଙ୍କରେ ନିବେଶ ପାଇଁ ଶେୟାର ପିଛା ୫୦ ଟଙ୍କା ପ୍ରିମିୟମ୍‌ ଦେଉଛୁ, ଯିଏ କି ସେହି ଟଙ୍କା ମନଇଚ୍ଛା ଅସଦ୍‌ବିନିଯୋଗ କରୁଛି। ଆମକୁ ଆଶ୍ୱାସନା ଦିଆଯାଉଛି ଯେ, ବ୍ୟାଙ୍କରେ ଟଙ୍କା ରଖିଲେ ନିରାପଦ ରହିବ। କିନ୍ତୁ ଏ ଆଶ୍ୱାସନା ମିଛ ବୋଲି ବାରମ୍ବାର ପ୍ରମାଣ ମିଳି ସାରିଲାଣି ଏବଂ ଆଗକୁ ବି ଏପରି ଘଟଣା ନିଶ୍ଚୟ ଘଟିବ। ଷ୍ଟକ୍‌ ମାର୍କେଟ୍‌ ଦୁର୍ନୀତି ବିଷୟରେ ଆମେ ଯାହା ଜାଣୁ ତାହା ହେଉଛି ପ୍ରକୃତରେ ବ୍ୟାଙ୍କ ଜାଲିଆତି, ନୀରବ ମୋଦି ଓ ଯତୀନ ମେହେଟ୍ଟାଙ୍କ ଜାଲିଆତି ପରି। ସାମ୍ବାଦିକ ଦେବାଶିଷ ବସୁ ଓ ସୁଚେତା ଦଲାଲ ଏକ ପୁସ୍ତକ ଲେଖିଛନ୍ତି, ଯାହାର ନାମ ‘ଦ ସ୍କାମ୍‌: ଫ୍ରମ୍‌ ହର୍ଷଦ ମେହେଟ୍ଟା ଟୁ କେତନ ପାରେଖ’। ସେମାନେ ପରେ ‘ଅଲ୍‌ସୋ ଇନ୍‌କ୍ଲୁଡ୍ସ ଜେପିସି ଫିଆସ୍କୋ ଆଣ୍ଡ୍‌ ଗ୍ଲୋବାଲ ଟ୍ରଷ୍ଟ ବ୍ୟାଙ୍କ ସ୍କାମ୍‌’ ନାମ ଦେଇ ଏହାକୁ ସଂଶୋଧନ କରିଛନ୍ତି। ମୁଁ ଭାବୁଛି ସେମାନେ ଏହାକୁ ଏମିତି ସଂଶୋଧନ କରିଚାଲିଥିବେ କାରଣ ଏ ଦେଶରେ ବଡ଼ ଧରଣର ବ୍ୟାଙ୍କ ଦୁର୍ନୀତିର ଅଭାବ ନାହିଁ, ଯାହା ସମୟାନ୍ତରରେ ଘଟି ଚାଲିଛି। ହର୍ଷଦ ମେହେଟ୍ଟା ପ୍ରସଙ୍ଗରେ ବସୁ ଓ ଦଲାଲ ଲେଖିଛନ୍ତି- ଦୁର୍ନୀତି ଏତେ ବଡ଼ ଯେ, ତା’ ଆଗରେ ଲକ୍ଷ ଲକ୍ଷ ଟଙ୍କା ରେଜା ପଇସା ପରି ଲାଗିବ। ଏହାର ପରିମାଣ ଆମ ଦେଶର ସ୍ବାସ୍ଥ୍ୟ ଓ ଶିକ୍ଷା ବଜେଟ୍‌ଠାରୁ ବି ଅଧିକ। ଏହା ବୋଫର୍ସ ଦୁର୍ନୀତିର ୫୦ ଗୁଣ ହେବ। ମେହେଟ୍ଟା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପାଇଁ ଯେଉଁ ସିକ୍ୟୁରିଟିଜ୍‌ କ୍ରୟ କରିଥିଲେ, ତାହାକୁ ସେ ସ୍ପେକୁଲେଶନରେ ବିନିଯୋଗ କରିଥିଲେ। ଏହି କାମରେ ତାଙ୍କୁ ସାହାଯ୍ୟ କରିଥିଲେ ଏଏନ୍‌ଜେଡ୍‌ ଗ୍ରିଣ୍ଡଲେଜ୍‌ ବ୍ୟାଙ୍କ ଏବଂ ନ୍ୟାଶ୍‌ନାଲ ହାଉସିଂ ବ୍ୟାଙ୍କ। ଉଭୟ ବ୍ୟାଙ୍କ ବିନା ବାଧାରେ ହର୍ଷଦଙ୍କ ଆକାଉଣ୍ଟକୁ ଚେକ୍‌ କ୍ରେଡିଟ୍‌ କରିଥିଲେ। ଦୁର୍ନୀତିର ଏହି ସଂକ୍ରମଣ ସାରା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ବ୍ୟାପିଯାଇଛି। ଏଥିପାଇଁ ବ୍ୟାଙ୍କର ଜଣେ ଦୁଇଜଣ କର୍ମଚାରୀଙ୍କୁ ଦୋଷ ଦେବା ଠିକ୍‌ ନୁହେଁ। ଏ ରୋଗର ଏକମାତ୍ର ନିଦାନ ହେଉଛି ଆଇନର ଶାସନକୁ ସୁନିଶ୍ଚିତ କରିବା। ଏହା କୌଣସି ଗୋଟିଏ କ୍ଷେତ୍ରରେ ନୁହେଁ, ସବୁ କ୍ଷେତ୍ରରେ- ଟ୍ରାଫିକ୍‌ ନିୟମ ଉଲ୍ଲଂଘନଠାରୁ ଆରମ୍ଭ କରି ନରହତ୍ୟା ପର୍ଯ୍ୟନ୍ତ। ଆପରାଧିକ ନ୍ୟାୟ ବ୍ୟବସ୍ଥା ଠିକ୍‌ଭାବେ କାର୍ଯ୍ୟ କରିବା ଦରକାର। କିନ୍ତୁ ହାଇ ପ୍ରୋପାଇଲ ଅପରାଧ ଓ ଦୁର୍ନୀତି ଘଟଣାରେ ସରକାର ଠିକ୍‌ଭାବେ ଏ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି କି? ...

‘ପ୍ୟାଡ୍‌ମ୍ୟାନ୍‌’ର ସନ୍ଦେଶ

‘ପ୍ୟାଡ୍‌ମ୍ୟାନ୍‌’ର ସନ୍ଦେଶ

ପ୍ରକାଶ ତ୍ରିପାଠୀ/ ସମାଜ ଓ ସିନେମା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସିନେମାର ପ୍ରଭାବ ସମାଜ ଉପରେ ଓ ସମାଜର ପ୍ରଭାବ ସିନେମା ଉପରେ ଥିଲେ ମଧ୍ୟ ପ୍ରଥମ ଉକ୍ତିଟିର ଯଥାର୍ଥତା ଟିକେ ଅଧିକ। ଏଥିପାଇଁ କେତେବେଳେ ସିନେମାକୁ ମିଳେ ପ୍ରଶଂସା ତ କେତେବେଳେ ମିଳେ ନିନ୍ଦା। ତେବେ ସମାଜକୁ ବଦଳାଇବାରେ, ସଂସ୍କାର ଆଣିବାରେ ସିନେମାର ଭୂମିକାକୁ ଅଣଦେଖା କରାଯାଇ ନ ପାରେ। ଏହି ପ୍ରସଙ୍ଗରେ ସମ୍ପ୍ରତି ଚର୍ଚ୍ଚାରେ ଥିବା ହିନ୍ଦୀ ସିନେମା ‘ପ୍ୟାଡ୍‌ମ୍ୟାନ୍‌’ ସମ୍ପର୍କରେ କିଛି ଆଲୋଚନା କରାଯାଇପାରେ। ଏକ ସତ୍ୟ ଘଟଣା ଆଧାରରେ ନିର୍ମିତ ‘ପ୍ୟାଡ୍‌ମ୍ୟାନ୍‌’ ଏକ ସଂସ୍କାରଧର୍ମୀ ଚଳଚ୍ଚିତ୍ର। ପ୍ୟାଡ୍‌ମ୍ୟାନ୍‌ର କାହାଣୀ ତାମିଲନାଡୁର ଅରୁଣାଚଳମ୍‌ ମୁରୁଗାନାଥମ୍‌ଙ୍କ ଜୀବନୀ ଉପରେ ପର୍ଯ୍ୟବସିତ। ଅରୁଣାଚଳମ୍‌ ହିଁ ବାସ୍ତବରେ ପ୍ୟାଡ୍‌ମ୍ୟାନ୍‌ ଭାବେ ପରିଚିତ, ଯିଏ କି ମହିଳାମାନେ ମାସିକ ଧର୍ମ ସମୟରେ ବ୍ୟବହାର କରୁଥିବା ପ୍ୟାଡ୍‌ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଅରୁଣାଚଳମ୍‌ଙ୍କୁ ଏ ଦିଗରେ କାର୍ଯ୍ୟ କରିବାର ପ୍ରେରଣା ମିଳିଥିଲା ସେତିକିବେଳେ ଯେତେବେଳେ କି ତାଙ୍କ ପତ୍ନୀଙ୍କ ସେହି ଅସୁବିଧା ଦିନଗୁଡିକୁ ସେ ନିଜେ ଆଖିରେ ଦେଖିଲେ ଓ ପତ୍ନୀଙ୍କ ପୀଡା ଓ ବ୍ୟଥାକୁ ଅନୁଭବ କଲେ। ବିବାହ ପରେ ତାଙ୍କ ପତ୍ନୀ ଶାନ୍ତିଙ୍କୁ ମାସିକ ଧର୍ମ ସମୟରେ ଘରର ଗୋଟିଏ କୋଣରେ ବସିବାକୁ କୁହାଯାଉଥିଲା। କେହି ତାଙ୍କୁ ସ୍ପର୍ଶ କରୁ ନ ଥିଲେ କି ସେ ବି କାହାକୁ ସ୍ପର୍ଶ ନ କରିବାକୁ କୁହାଯାଇଥିଲା, ନା ସେ ରୋଷେଇ କରିପାରୁଥିଲେ ନା ଠାକୁରଘରକୁ ଯାଇପାରୁଥିଲେ। ଏପରି କି ପଲଙ୍କ ଉପରେ ଶୋଇବାକୁ ବି ବାରଣ କରାଯାଇଥିଲା। ଖାଦ୍ୟପଦାର୍ଥ, ଗଛପତ୍ର ବି ଛୁଇଁବାକୁ ଥିଲା ବାରଣ। ସମ୍ପୂର୍ଣ୍ଣ ଅସ୍ପୃଶ୍ୟ ହୋଇଯାଉଥିଲେ ସେ କିଛିଦିନ। ତାଙ୍କୁ ଯେଉଁ କପଡା ବ୍ୟବହାର କରିବାକୁ ଦିଆଯାଉଥିଲା ତାହା ଥିଲା ଘରର ପରିତ୍ୟକ୍ତ କପଡ଼ା। ଏପରି କି ସେହି କପଡା ସାଇକେଲ ପୋଛିବା ପାଇଁ ବି ଅନୁପଯୁକ୍ତ ଥିଲା ବୋଲି କୁହନ୍ତି ଅରୁଣାଚଳମ୍‌। ସାମାଜିକ କଟକଣା ପାଇଁ ସେ ଯେତିକି ବ୍ୟଥିତ ନ ଥିଲେ, ତା’ଠାରୁ ଅଧିକ ଚିନ୍ତା ଥିଲା ପତ୍ନୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ। ସେତେବେଳେ ସେ କୌଣସି କର୍ମନିଯୁକ୍ତି ପାଇ ନ ଥିଲେ। ମାର୍କେଟରୁ ଦାମିକିଆ ନାପ୍‌କିନ୍‌ ବି କିଣି ପତ୍ନୀଙ୍କୁ ଦେବାକୁ ସେ ସକ୍ଷମ ନ ଥିଲେ। ଏହି ଦୁରବସ୍ଥାର ସମାଧାନ ପାଇଁ ଚିନ୍ତାକଲେ ଅରୁଣାଚଳମ୍‌। କିପରି କମ୍‌ ଖର୍ଚ୍ଚରେ ପରିଷ୍କାର, ସ୍ବାସ୍ଥ୍ୟପ୍ରଦ ପ୍ୟାଡ୍‌ ତିଆରି କରାଯାଇପାରିବ ସେ ବିଷୟରେ ଦିନରାତି ଚିନ୍ତା କରିବାକୁ ଲାଗିଲେ। ପ୍ୟାଡ୍‌ର ତିଆରି କୌଶଳ ବି ଅନୁଧ୍ୟାନ କଲେ। ନିଜେ କମ୍‌ ଖର୍ଚ୍ଚରେ କିପରି ନାପ୍‌କିନ୍‌ ପ୍ରସ୍ତୁତ କରିପାରିବେ ସେଥିପାଇଁ ଦିନରାତି ଏକ କରିଦେଲେ। ସେଥିପାଇଁ ସେ ସମାଜରୁ ପାଇଛନ୍ତି ଅନେକ କଟୁ ମନ୍ତବ୍ୟ, ତାଚ୍ଛଲ୍ୟ ଓ ଉପହାସ। କିନ୍ତୁ କୌଣସିଥିରେ ଦବି ନ ଯାଇ ନିଷ୍ଠାର ସହ ଉଦ୍ୟମ ଜାରି ରଖିଲେ ଓ ଶେଷରେ ସଫଳ ହେଲେ। ସାନିଟାରୀ ପ୍ୟାଡ୍‌ ତିଆରି ମେଶିନ ଉଦ୍ଭାବନ ସହ କମର୍ସିଆଲ ପ୍ୟାଡ୍‌ ଦାମ୍‌ର ଏକତୃତୀୟାଂଶ ମୂଲ୍ୟରେ ସେ ପ୍ରସ୍ତୁତ କଲେ ପ୍ୟାଡ୍‌। ଯେଉଁମାନେ ଅରୁଣାଚଳମ୍‌ଙ୍କୁ ଉପହାସ କରୁଥିଲେ ସେହିମାନେ ହିଁ ତାଙ୍କୁ ଶେଷରେ ପ୍ରଶଂସା କଲେ। ସମ୍ମାନ ଜଣାଇଲେ। ଅରୁଣାଚଳମ୍‌ଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାତାରାତି ପ୍ରସିଦ୍ଧି ବି ମିଳିଗଲା। ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟ, ଆଇଆଇଟି, ବମ୍ବେ ଓ ଆଇଆଇଏମ୍‌, ବାଙ୍ଗାଲୋର ପକ୍ଷରୁ ନିଜ ଉଦ୍ଭାବନ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ପଢାଇବା ପାଇଁ ଆମନ୍ତ୍ରଣ ଆସିଲା। ୨୦୧୪ ମସିହାରେ ଟାଇମ୍ସ ମାଗାଜିନ ପକ୍ଷରୁ ବିଶ୍ୱର ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅରୁଣାଚଳମ୍‌ଙ୍କ ନାମ ବି ପ୍ରକାଶ ପାଇଲା। ଭାରତ ସରକାର ବି ତାଙ୍କୁ ସମ୍ମାନିତ କରିବାକୁ ଭୁଲିନାହାନ୍ତି। ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅରୁଣାଚଳମ୍‌ଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି ପ୍ୟାଡ୍‌ମ୍ୟାନ୍‌ ଚଳଚ୍ଚିତ୍ର। ତାଙ୍କ ଚରିତ୍ରକୁ ଅତି ସୁନ୍ଦର ଭାବେ ଫୁଟାଇଛନ୍ତି ଅକ୍ଷୟ କୁମାର ଲକ୍ଷ୍ମୀକାନ୍ତ ଚୌହାନ ଭୂମିକାରେ। ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟୁଇଙ୍କିଲ ଖାନ୍ନା ଜଣେ ଉଚ୍ଚସ୍ତରର ଲେଖିକା ଓ ସ୍ତମ୍ଭକାର। ଅନେକ ଇଂଲିଶ ପତ୍ରପତ୍ରିକାରେ ଗତ କିଛିବର୍ଷ ହେବ ସେ ନିୟମିତ ସ୍ତମ୍ଭ ଲେଖୁଛନ୍ତି। ସେହିସବୁ ଆଲେଖ୍ୟକୁ ନେଇ ଗତବର୍ଷ ପ୍ରକାଶ ପାଇଥିଲା ତାଙ୍କର ଏକ ସଂକଳନ ‘ଦି ସାନିଟାରୀ ମ୍ୟାନ୍‌ ଅଫ୍‌ ସାକ୍ରେଡ୍‌ ଲ୍ୟାଣ୍ଡ୍‌’। ଏହି ସଂକଳନରେ ପ୍ୟାଡ୍‌ମ୍ୟାନ୍‌ ଅରୁଣାଚଳମ୍‌ଙ୍କ ସମ୍ପର୍କରେ ଗୋଟିଏ ଲେଖା ରହିଛି, ଯାହା ଆଧାରରେ ନିର୍ଦ୍ଦେଶକ ଆର୍‌. ବାଲ୍‌କି ‘ପ୍ୟାଡ୍‌ମ୍ୟାନ୍‌’ ସିନେମା ପ୍ରସ୍ତୁତ କରିଛନ୍ତି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହା ଖୁବ୍‌ ଶିକ୍ଷଣୀୟ ଓ ଉପାଦେୟ ହୋଇପାରିଛି। ମାସିକ ଧର୍ମର ଗୁରୁତ୍ୱକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯିବା ସହ ଏହି ସମୟରେ ମହିଳାମାନଙ୍କୁ ଅଛୁଆଁ ଓ ନୂ୍ୟନ ମଣିବା ବଦଳରେ ଆଦର, ଯତ୍ନ ଓ ସମ୍ମାନ ଦେବା ଆବଶ୍ୟକ ବୋଲି ଏଥିରେ ସନ୍ଦେଶ ରହିଛି।...

ଆକାଶର ରାଣୀ

ଆକାଶର ରାଣୀ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଭାରତର ଅନେକ ରାଜ୍ୟରେ ଝିଅ ଓ ପୁଅ ଅନୁପାତରେ ବହୁ ତଫାତ୍‌ ଲକ୍ଷ୍ୟ କରାଯାଉଛି। କନ୍ୟାଭ୍ରୂଣ ହତ୍ୟା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଝିଅକୁ ବୋଝ ଭାବେ ଅନେକେ ଭାବି ନେଉଛନ୍ତି। କିନ୍ତୁ ଆହୁରି ଅନେକେ ଅଛନ୍ତି କନ୍ୟା ସନ୍ତାନକୁ ଠିକ୍‌ ଭାବେ ଲାଳନପାଳନ କରି ଉଚ୍ଚଶିକ୍ଷିତା କରାଉଛନ୍ତି। ପୁଅ ଓ ଝିଅ ଭିତରେ ପାର୍ଥକ୍ୟ ଦେଖୁ ନ ଥିବା ବ୍ୟକ୍ତିଙ୍କୁ ହିଁ ଶେଷରେ ପୁରସ୍କାର ମିଳୁଛି। ଝିଅକୁ ସମାଜ ଆଗରେ ପ୍ରତିଷ୍ଠିତ କରିପାରିଥିବା ଏଭଳି ମାତାପିତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି। ମଧ୍ୟପ୍ରଦେଶ ସତନା ଜିଲାର ଦିନାକର ଚତୁର୍ବେଦୀ ଓ ତାଙ୍କ ପତ୍ନୀ କନ୍ୟା ଜନ୍ମ ହେବା ପରେ ତାକୁ ନେଇ ହୁଏତ ଅନେକ ସ୍ବପ୍ନ ଦେଖିଥିବେ। ଝିଅ ନାମ ଅବନୀ ବା ଧରିତ୍ରୀ ଦେଲା ବେଳେ ମାତାପିତା ତାଙ୍କ ଗତିପଥ ଯେ ଆକାଶ ଆଡ଼କୁ ହେବ ଜାଣି ନ ଥାଇପାରନ୍ତି, ମାତ୍ର ସେ ଆଜି ଆକାଶମୁହଁା। କୋଟି କୋଟି ପୁଅ ସାହସ ଦେଖାଇ ଯେଉଁ କାର୍ଯ୍ୟ କରିବାକୁ ଯୋଗ୍ୟ ନୁହନ୍ତି, ସେ ଆଜି ତାହା କରିପାରିଥିବାରୁ ତାଙ୍କ ନାମ ସାଧାରଣ ଜ୍ଞାନ ସ୍ତରକୁ ଯାଇପାରିଛି। ଅବନୀ ଚତୁର୍ବେଦୀ ପାଲଟିଯାଇଛନ୍ତି ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏକାକୀ ଯୁଦ୍ଧବିମାନ ଉଡ଼ାଇଥିବା ମହିଳା ପାଇଲଟ୍‌। ୨୦୧୮ ଫେବୃୟାରୀ ୧୯ରେ ସେ ମିଗ୍‌-୨୧ ବିସନ ଲଢ଼ୁଆ ବିମାନ ଗୁଜରାଟର ଜାମନଗର ଏୟାରବେସ୍‌ରେ ଉଡ଼ାଇ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପରେ ଏବେ ତାଙ୍କ ଯାତ୍ରାପଥର କାହାଣୀ ଜାଣିବାକୁ ସମସ୍ତେ ଆଗ୍ରହୀ।

ଏଇ ଭାରତରେ

ଏହା ପାଗଳାମି ନା ଅନ୍ୟ କିଛି, ତାହା ବୁଝିବାକୁ ପୋଲିସ ଅକ୍ଷମ। ଦେଖଣାହାରି ମଧ୍ୟ ଆଶ୍ଚର୍ଯ୍ୟ। ବିଦ୍ୟୁତ୍‌ ଖୁଣ୍ଟକୁ ଚଢି, ତାରକୁ ଧରି ଚାଲିବା ଭଳି ଏକ ଅଜବ କାର୍ଯ୍ୟ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ବିଦ୍ୟୁତ୍‌ ତାରକୁ ଧରି ତା’ଉପରେ ପାଦ ରଖି, ବାଉଁଶରାଣୀ ଭଳି ଚାଲୁଥିବା ବ୍ୟକ୍ତି ଜଣଙ୍କୁ ବିଦ୍ୟୁତ୍‌ ଝଟ୍‌କା କିପରି ଲାଗୁନାହିଁ ବୋଲି ଲୋକେ ଚିନ୍ତା କରିପାରୁ ନ ଥିଲେ। ସୌଭାଗ୍ୟବଶତଃ ବିଜୁଳିବାଲା ଆଗୁଆ ସୂଚନା ପାଇ ଲାଇନ କାଟିଦେଇଥିଲେ। ଫଳରେ ଇରେନେ ନାମକ ଏହି ୫୫ ବର୍ଷ ବୟସ୍କ ବ୍ୟକ୍ତି ଜଣକ ବଞ୍ଚିଯାଇଥିଲେ। ଶନିବାର ସକାଳେ ଏହି ଘଟଣାଟି ଘଟିଛି ତାମିଲନାଡୁର ଏରୋଡ୍‌ ଜିଲାରେ। ଇରେନେ ହେଉଛନ୍ତି ବାଙ୍ଗାଲୋର ଅଞ୍ଚଳର ବ୍ୟକ୍ତି। ଏରୋଡରେ ଆସି ରହୁଥିବା ଏହି ବ୍ୟକ୍ତି ଗତ ରାତିରେ ଖବର ପାଇଲେ ଯେ, ପୋଲାଚିରେ ରହୁଥିବା ତାଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ। ଏହାପରେ ସେ ତାଙ୍କର ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ବାହାରିପଡିଲେ ପୋଲାଚି। ଶନିବାର ଭୋର୍‌ ସମୟରେ କ’ଣ ହେଲା କେଜାଣି ସେ ତାଙ୍କର ଦୁଇ ଝିଅଙ୍କୁ ଛାଡି ଦୌଡିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର କେତେକ ଲୋକ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ମାତ୍ର ଇରେନେ ପୋଲିସଠାରୁ ଖସି ଆସି ହଠାତ୍‌ ଏକ ବିଦ୍ୟୁତ୍‌ ଟାଓ୍ବାରକୁ ଚଢିଗଲେ। ପୋଲିସଠାରୁ ଖବର ପାଇ ବିଦ୍ୟୁତ୍‌ ଅଫିସ ଲାଇନ କାଟିଦେଇଥିଲା। ପୋଲିସର ଅନୁରୋଧ ସତ୍ତ୍ୱେ ଇରେନେ ବିଦ୍ୟୁତ୍‌ ଖୁଣ୍ଟରୁ ଓହ୍ଲାଇବା ପରିବର୍ତ୍ତେ ଦୁଇହାତରେ ତାରକୁ ଧରି ତା’ଉପରେ ଗୋଡଥୋଇ ଚାଲିବା ଆରମ୍ଭ କରିଦେଲେ। ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ବ୍ୟକ୍ତି ଜଣକୁ ନିରାପଦରେ ଓହ୍ଲାଇ ଆଣିବାର ଚେଷ୍ଟା ହେଉଥିବା ବେଳେ ସେ ତଳକୁ ଡେଇଁ ଏକ କୂଅରେ ପଡିଥିଲେ। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁପ୍ତ ବଦଳି

ଗୁପ୍ତ ବଦଳି

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ଗତ ପୌର ନିର୍ବାଚନରେ ମଧ୍ୟପ୍ରଦେଶର ଶାସକ ଭାଜପା ଆଶାଜନକ ଆସନ ନ ପାଇ ମାନସିକ କଷ୍ଟ ଭୋଗୁଥିବା ବେଳେ ରାଜ୍ୟ ପ୍ରଶାସନିକ ସେବା ବୋର୍ଡ ବୈଠକର ବିବରଣୀ ପ୍ରଦାନ କରିବାକୁ ଜଣେ ଦୁର୍ନୀତି-ବିରୋଧୀ କର୍ମୀଙ୍କ ଆବେଦନକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହା ଗୁପ୍ତ ଏବଂ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହେଁ ବୋଲି ସରକାର କହିଛନ୍ତି। ଅଜୟ ଦୁବେ ନାମକ ଉକ୍ତ କର୍ମୀ ଜଣକ ଗତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ବୋର୍ଡ ମିଟିଂର ବିବରଣୀ ପ୍ରଦାନ ପାଇଁ ଏକ ଆର୍‌ଟିଆଇ ଆବେଦନ କରିଥିଲେ। ଉକ୍ତ ପ୍ରଶାସନିକ ସେବା ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥାନ୍ତି ଏବଂ ବରିଷ୍ଠତମ ଅତିରିକ୍ତ ଶାସନ ସଚିବ ବା ରାଜସ୍ବ ବୋର୍ଡ ଅଧ୍ୟକ୍ଷ ତଥା ଆର୍ଥିକ କମିଶନର ବା ତତ୍ତୁଲ୍ୟ ପାହ୍ୟାର ଜଣେ ଅଧିକାରୀ ସଦସ୍ୟ ରହିଥାନ୍ତି। ଏଥି ସହ ରାଜ୍ୟ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ପ୍ରମୁଖ ସଚିବ ବା ସଚିବ ସଦସ୍ୟ ସଚିବ ରହିଥାନ୍ତି। ୨୦୧୩ ମସିହାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ତଥା ରାଜ୍ୟଗୁଡ଼ିକୁ ବାବୁମାନଙ୍କ ବଦଳି ଓ ନିଯୁକ୍ତି ଆଦି ବିଷୟରେ ବିଚାର କରିବା ପାଇଁ ଏକ ପ୍ରଶାସନିକ ସେବା ବୋର୍ଡ ପ୍ରତିଷ୍ଠା କରିବାକୁ ଆଦେଶ ଦେଇଥିଲେ। ଉଦ୍ଦେଶ୍ୟ ଥିଲା, ରାଜନୈତିକ ହସ୍ତକ୍ଷେପରୁ ଅମଲାତନ୍ତ୍ରକୁ ରକ୍ଷାକରିବା ଏବଂ ରାଜନୈତିକ ମୁନିବମାନଙ୍କ ଦ୍ୱାରା ବାବୁମାନଙ୍କର ଘନ ଘନ ବଦଳିକୁ ରୋକିବା। କିନ୍ତୁ କେତେକ ରାଜ୍ୟ ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶ ପାଳନ କରୁ ନ ଥିବା ଦେଖାଯାଉଛି। ...

ପଥ-ସଂସ୍କୃତି

ପଥ-ସଂସ୍କୃତି

ରଞ୍ଜନ କୁମାର ଦାସ/ ଭାରତ ଏକ ସଭ୍ୟ ସଂସ୍କୃତିସମ୍ପନ୍ନ ଏବଂ ପ୍ରଗତିଶୀଳ ଦେଶ ହେବାର ଦାବି କରିଆସୁଛି। ଏହାର ଭିତ୍ତିଭୂମିର ବିକାଶ ଏବେ ସାରା ବିଶ୍ୱର ଦୃଷ୍ଟିଆକର୍ଷଣ କରୁଛି। ଏହାର ରାସ୍ତାଘାଟ ଓ ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିଛି। ଭାରତୀୟ ରାସ୍ତାରେ ଆଗଭଳି ଆଉ କେବଳ ଲେଲାଣ୍ଡ ଟ୍ରକ୍‌, ଆମ୍ବାସାଡର କାର, ରାଜଦୂତ କି ୟେଜ୍‌ଦି ମୋଟର ସାଇକେଲ ବା ବଜାଜ୍‌ ସ୍କୁଟର ଚଳାଚଳ କରୁନାହିଁ। ଦେଶବିଦେଶର ବିଭିନ୍ନ ଆକର୍ଷଣୀୟ ମଡେଲର ଗାଡିମୋଟର ଏବେ ଆମ ରାସ୍ତାଗୁଡିକର ଶୋଭା ଦ୍ୱିଗୁଣିତ କରୁଛନ୍ତି। ପ୍ରମାଣିତ କରୁଛନ୍ତି ଯେ ପ୍ରଗତିର ଗତି କ୍ରମେ ଦ୍ରୁତତର ହେଉଛି। ...

ମନର ମୂଳେ ଏ ଜଗତ

ମନର ମୂଳେ ଏ ଜଗତ

ମନ ମାନଚିତ୍ର-ଡ. ନରହରି ବେହେରା/ ମନ ହେଉଛି ଅନ୍ତଃକରଣର ପ୍ରବୃତ୍ତି ଓ ବାହ୍ୟ ଆଚରଣର ସଞ୍ଚାଳକ। ସଂସାରରେ ଯେତେ ହଟଚମଟ ସବୁ ଏଇ ମନକୁ ନେଇ। ମନ ମିଶିଲେ ସଂସାର ହସେ, କୁରୂପ ସୁରୂପ ହୋଇଯାଏ। ସମ୍ପର୍କ କ୍ଷୀରନୀର ପରି ହୋଇଯାଏ । କିନ୍ତୁ ମନ ଫାଟିଗଲେ ସବୁ ଅସାର ଲାଗେ। ଅତି ଆପଣାର ମଣିଷ ନିମିଷକ ମଧ୍ୟରେ ଅଦରକାରୀ ଏବଂ ଶତ୍ରୁପରି ବୋଧହୁଏ। ଓଡ଼ିଆରେ ଗୋଟିଏ କଥା ଅଛି- ‘ମନ ଯଦି ଚେଙ୍ଗା, ଗୋବର ଗାଡ଼ିଆ ଗଙ୍ଗା’। ଅର୍ଥାତ୍‌ ମନ ପ୍ରଫୁଲ୍ଲ ରହିଲେ ଅତି ତୁଚ୍ଛ ଜିନିଷ ବି ସୁନ୍ଦର ଏବଂ ପବିତ୍ର ଦେଖାଯାଏ। ମନ ନୀରସ ଏବଂ ବିଷାଦଗ୍ରସ୍ତ ହେଲେ ସକଳ ଐଶ୍ୱର୍ଯ୍ୟ ତୁଚ୍ଛ ହୋଇଯାଏ। କବୀର କହିଛନ୍ତି- ‘ମନ କେ ହାରେ ହାର ହୈ ମନ କେ ଜୀତେ ଜୀତ। କହ କବୀର ପିଉ ପାଇଏ ମନହୀଂ କୀ ପରତୀତ’। ଅର୍ଥାତ୍‌ ମନର ପରାଜୟରେ ପରାଜୟ ଏବଂ ବିଜୟରେ ହିଁ ବିଜୟ ହୋଇଥାଏ। ମନରେ ଯଦି ବିଶ୍ୱାସ ସୃଷ୍ଟିହୁଏ, ପ୍ରିୟତମ ମଣିଷ ମିଳିଥାନ୍ତି। ଆର୍ଯ୍ୟ ଋଷିଗଣ ମନକୁ ସର୍ବଦା ନିୟନ୍ତ୍ରଣ ଏବଂ ଶାସନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେଥିପାଇଁ ଯଜୁର୍ବେଦରେ କୁହାଯାଇଛି- ‘ତନ୍ମେ ମନଃ ଶିବସଂକଳ୍ପମସ୍ତୁ।’ ଅର୍ଥାତ୍‌ ମୋର ଏହି ମନ ଶୁଭକର୍ମ ପାଇଁ ସଂକଳ୍ପିତ ହେଉ। ଆର୍ଯ୍ୟ ଋଷିମାନଙ୍କ ଏପରି ପ୍ରାର୍ଥନା କରିବାର ଉଦ୍ଦେଶ୍ୟ ହେଉଛି ମନ ଭୋଗ ଓ ଆପଣା ସୁଖ ପାଇଁ ସର୍ବଦା ଚଞ୍ଚଳ ହୋଇଥାଏ। ଯିଏ ଭୋଗ ପାଇଁ ବ୍ୟାକୁଳ, ସେ ସର୍ବଦା ଅସ୍ଥିର ହିଁ ହେବ। ଏଥିପାଇଁ ଦିନେ ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- ‘ପବନଠାରୁ କିଏ ଅଧିକ ବେଗରେ ଗତିକରେ?’ ଯୁଧିଷ୍ଠିରଙ୍କ ଉତ୍ତର ଥିଲା- ‘ମନ’। ...

ଏଇ ଭାରତରେ

କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ମଧ୍ୟ ବାସ୍ତବରେ ପରିଣତ କରି ଦେଖାଇଛନ୍ତି ଜଣେ ୨୪ ବର୍ଷୀୟ ଯୁବକ । ହରିୟାଣା ଅମ୍ବାଲାରେ ରହୁଥିବା ଦୀପକ ସାଇନି ୨୦୧୪ ମସିହାରେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ନିଜ ବାମ ଗୋଡ଼ ହରାଇଥିଲେ। ଏହାପରେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ମାତ୍ର ଦୁର୍ଘଟଣାର ୩ମାସ ପରେ ସେ କଲେଜ ଯିବାକୁ ମନସ୍ଥ କଲେ। ସହପାଠୀମାନେ କ’ଣ କହିବେ ତାକୁ ଖାତିର ନ କରି ନିଜ ମଧ୍ୟରେ ସାହସ ଜୁଟାଇଥିଲେ। ପ୍ରଥମେ ସେ ନିଜର ବୁଲେଟ ଚଳାଇବାକୁ ଚେଷ୍ଟା କଲେ। ଗାଡ଼ି ଚଳାଇବାରେ ବହୁ ଅସୁବିଧା ସତ୍ତ୍ୱେ ହାର୍‌ ମାନି ନ ଥିଲେ। ପରେ ସେ କିଛି ସାଙ୍ଗଙ୍କ ସହ ଆଶାବାଡ଼ି ମାଧ୍ୟମରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ଧୀରେ ଧୀରେ ସେ ମାରାଥନ ଦୌଡ଼ରେ ଭାଗ ନେଇ ପଦକ ହାସଲ କରିଥିଲେ। ଅନ୍ୟମାନଙ୍କ ସମ୍ମୁଖରେ ନିଜକୁ କମ୍‌ ନ ଭାବିବାର ଚିନ୍ତାଧାରା ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇଛି। ଦୀପକ ଏବେ ଜଣେ ପ୍ରମୁଖ ମୋଟର ସାଇକେଲ ଷ୍ଟଣ୍ଟ ମ୍ୟାନ ସହ ମାରାଥନ ଦୌଡ଼ାଳି ଭାବେ ଅମ୍ବାଲା ଏବଂ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଉଦାହରଣ ପାଲଟିଛନ୍ତି।

ଆଜିର ଅର୍ଥନୀତି/ ବ୍ୟାଙ୍କ ଗଳାବାଟ

ଆଜିର ଅର୍ଥନୀତି/ ବ୍ୟାଙ୍କ ଗଳାବାଟ

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଏପରି ଘୋଟାଲା ଆଗରୁ କେବେ ଦେଖାଯାଇ ନ ଥିଲା, ଯାହା ଏବେ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ (ପିଏନ୍‌ବି) କ୍ଷେତ୍ରରେ ଘଟିଥିବା ଲୋକଲୋଚନକୁ ଆସିଛି। ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଘଟିଥିବା ୧୧,୪୦୦ କୋଟି ଟଙ୍କା ଦୁର୍ନୀତିର ପ୍ରାରମ୍ଭିକ ପ୍ରକ୍ରିୟା ୭ ବର୍ଷ ତଳୁ ଆରମ୍ଭ ହୋଇଥିଲା ଅଥଚ କେହି ବି ତା’ର ଟେର ପାଇଲେ ନାହିଁ। ନୀରବ ମୋଦିଙ୍କ କାରସାଦି ଧରା ପଡ଼ିବାର କେଇଟା ଦିନ ନ ଯାଉଣୁ ଆଉ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିବିଆଇ ଜାଲରେ ଛନ୍ଦି ହୋଇଯାଇଛି। ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ରୁ ୩,୭୦୦ କୋଟି ଟଙ୍କା ହଡ଼ପ କରିଛନ୍ତି କାନପୁରସ୍ଥିତ ରୋଟୋମାକ୍‌ ପେନ୍‌ସର ମାଲିକ ବିକ୍ରମ କୋଠାରି। ବିଓବି ଦୁଇବର୍ଷ ଧରି କୋଠାରିଙ୍କ କାରସାଦିକୁ ଘଣ୍ଟ ଘୋଡ଼େଇ ରଖିଥିଲା। ପିଏନ୍‌ବି ଦୁର୍ନୀତି ଧରାପଡ଼ିବା ପରେ ସେ ଏହାକୁ ପଦାକୁ ଆଣିବାକୁ ଜରୁରୀ ମନେ କଲା। ଯଦି ପିଏନ୍‌ବି ଦୁର୍ନୀତି ଆଉ ବର୍ଷକ ତଳୁ ଧରାପଡ଼ିଥାନ୍ତା, ତେବେ ନୀରବ ମୋଦି ଓ ତାଙ୍କ କମ୍ପାନୀ ଯେତିକି ଟଙ୍କା ଧରି ଛୁ ମାରିଲେ, ତାହା ୫୦୦୦ କୋଟି ଟଙ୍କା କମ୍‌ ହୋଇପାରିଥାନ୍ତା। ଏହି ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ହୋଇଥିବା ଦୁର୍ନୀତିର ମୋଟ ପରିମାଣ ୧୫,୦୦୦ କୋଟି ଟଙ୍କାରୁ ଅଧିକ। ଉକ୍ତ ଅନିୟମିତତାଗୁଡ଼ିକ ପଦାକୁ ଆସିବା ପରେ ଅନ୍ୟକୁ ଦୋଷାରୋପ ବା ନିନ୍ଦାବାଦର ଖେଳ ଆରମ୍ଭ ହୋଇଯାଇଛି। ପିଏନ୍‌ବି ତା’ର ପୂର୍ବତନ ଅଧିକାରୀ ଗୋକୁଳନାଥ ସେଟ୍ଟୀଙ୍କୁ ଦୋଷ ଦେଉଛି, ଯିଏ ନୀରବ ମୋଦି ଓ ତାଙ୍କ ସହଯୋଗୀମାନଙ୍କୁ ବିଦେଶରୁ ଋଣ ଆଣିବା ପାଇଁ ବ୍ୟାଙ୍କ ତରଫରୁ ଗ୍ୟାରେଣ୍ଟି ପଡ଼ିଥିଲେ। ୨୦୧୧ରୁ ୨୦୧୭ର ଆଦ୍ୟଭାଗ ପର୍ଯ୍ୟନ୍ତ ୬,୫୦୦ କୋଟି ଟଙ୍କାର ଋଣ ଆଣିବା ପାଇଁ ବିନା ସୁରକ୍ଷା ବନ୍ଧକରେ ବ୍ୟାଙ୍କ ଗ୍ୟାରେଣ୍ଟି ପଡ଼ିଥିଲା। ଏହାପରେ ଗତବର୍ଷ ମାର୍ଚ୍ଚରୁ ମେ ମାସ ଭିତରେ ସେଟ୍ଟୀ ଅବସର ନେବା ପୂର୍ବରୁ ୪,୯୦୦ କୋଟି ଟଙ୍କାର ଋଣ ଆଣିବା ପାଇଁ ବିନା ବନ୍ଧକରେ ବ୍ୟାଙ୍କ ଗ୍ୟାରେଣ୍ଟି ପଡ଼ିଥିଲା। ବ୍ୟାଙ୍କ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍‌ ସଫ୍ଟଓ୍ବେର ସ୍ବିଫ୍ଟ (ସୋସାଇଟି ଫର୍‌ ଓ୍ବାର୍ଲଡ୍‌ଓ୍ବାଇଡ୍‌ ଇଣ୍ଟର୍‌ବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ୍ସ)ର ନିର୍ଦ୍ଦେଶାବଳୀକୁ ଅନୁପାଳନ କରୁ ନ ଥିବାରୁ ଏପରି ହେଲା ବୋଲି କେତେକ ବିଶେଷଜ୍ଞ କହୁଛନ୍ତି। ସ୍ବିଫ୍ଟ ହେଉଛି ଏକ ଗ୍ଲୋବାଲ୍‌ ବ୍ୟବସ୍ଥା ଯାହାକୁ ବ୍ୟାଙ୍କଗୁଡ଼ିକ ଏକ ସୁରକ୍ଷିତ ଚ୍ୟାନେଲ୍‌ ଜରିଆରେ ଏକ ଏନ୍‌କ୍ରି୍ଯଯେଡ୍‌ ଫର୍ମାଟରେ ପେମେଣ୍ଟ ନିର୍ଦ୍ଦେଶାବଳୀ ଟ୍ରାନ୍ସମିଟ୍‌ କରିବା ପାଇଁ ବ୍ୟବହାର କରନ୍ତି। ୧୧ ଲକ୍ଷ କୋଟି ଟଙ୍କାର ସମ୍ବଳବିଶିଷ୍ଟ ଦେଶର ଦ୍ୱିତୀୟ ବୃହତ୍ତମ ଋଣ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସମ୍ଭାବ୍ୟ ଜାଲିଆତିକୁ ରୋକିବା ପାଇଁ ଏକ ଉପଯୁକ୍ତ ନିୟାମକ ବ୍ୟବସ୍ଥା ନ ରହିବା ଆଶ୍ଚର୍ଯ୍ୟଜନକ। ବ୍ୟାଙ୍କର ଅଡିଟ୍‌ କମିଟି ଓ ବୋର୍ଡ ଏବଂ ରିଜର୍ଭ ବ୍ୟାଙ୍କ, ଯେଉଁମାନେ ନିୟମିତ ଭାବେ ବ୍ୟାଙ୍କର ଆର୍ଥିକ କାରବାରର ତଦାରଖ କରନ୍ତି, ସେମାନେ କିଛି ଜାଣି ନ ପାରିବା ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବ୍ୟାଙ୍କ ଦାବି କରିଛି ଯେ, ଏହା କେତେଜଣ କନିଷ୍ଠ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏହାର କିଛି ଅର୍ଥ ନାହିଁ। କେତେଜଣ କନିଷ୍ଠ ଅଫିସର ମିଶି ଏତେବଡ଼ ଦୁର୍ନୀତି ଭିଆଇବା ଆଦୌ ସମ୍ଭବ ନୁହେଁ। ...

ଆନ୍ଧ୍ର ଆଁରେ କୋଟିଆ

ଆନ୍ଧ୍ର ଆଁରେ କୋଟିଆ

ସବ୍ୟସାଚୀ ଅମିତାଭ/ ବର୍ତ୍ତମାନ ସମୟରେ କୋରାପୁଟ ଜିଲାରେ ଥିବା କୋଟିଆ ଗ୍ରାମପୁଞ୍ଜ ଏପରି ଏକ ପ୍ରସଙ୍ଗ ଭାବେ ଉଭାହୋଇଛି, ଯାହା ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇଦେଇଛି। ଆନ୍ଧ୍ର ଅଧିକାରୀମାନେ ଏହି ସୀମାନ୍ତ ଗ୍ରାମପୁଞ୍ଜର ତଳଗରେଇପଦର ଗାଁରେ ଭତ୍ତା, କମ୍ବଳ ସୋଲାର ଲାଇଟ୍‌ ବାଣ୍ଟିବା ପରେ ଏବେ ଆଧାର କାର୍ଡ ପଞ୍ଜୀକରଣ ପାଇଁ ଉଦ୍ୟମ ଚଳାଇଛନ୍ତି, ଯାହା ଓଡିଶା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। କୋଟିଆ ଗ୍ରାମପୁଞ୍ଜର ଇତିହାସକୁ ଦେଖିଲେ ଜଣାପଡେ, ୧୯୩୬ ପୂର୍ବରୁ ଏହା ଜୟପୁର ଇଷ୍ଟେଟ୍‌ ଅଧୀନରେ ରହିଥିଲା। ୧୯୪୨ ଓଡିଶା, ବିହାର ଓ ମଧ୍ୟପ୍ରଦେଶ ମିଳିତ ସର୍ଭେ ସମୟରେ କୋଟିଆ ଗ୍ରାମପଞ୍ଚାୟତର ୭ଟି ଗାଁ ତୁରିଆ, ବାରବନ୍ଧ, ତଳକଣ୍ଟି, ଗୁମେଲପଦର, ମାଥାଲାମ୍ବା, ସୁଲିଆମାରି ଓ କାଟ୍ରାଗୁଡା ପଟ୍ଟାଙ୍ଗୀ ବ୍ଲକର ରାଜସ୍ବ ଗାଁ ଭାବେ ରେକର୍ଡ ଭୁକ୍ତ ହୋଇଥିଲା। କୋଟିଆ ଗ୍ରାମପଞ୍ଚାୟତରେ ୨୮ଟି ଗାଁ ରହିଥିଲେ ବି ସେତେବେଳେ ଭୁଲବଶତଃ ୨୧ ଗାଁ ସର୍ଭେରୁ ବାଦ୍‌ ପଡିଥିଲା। ସେହିପରି ୧୯୫୯ରେ ଆନ୍ଧ୍ରପ୍ରଦେଶ ଗଠନ ବେଳେ ମଧ୍ୟ ଏହି ୨୧ଟି ଗାଁକୁ ସେଠାକାର ସରକାର ସର୍ଭେରେ ସାମିଲ କରି ନ ଥିଲେ। ଫଳରେ ଏହି ୨୧ଟି ଗାଁ ଉପରେ ଅଧିକାରକୁ ନେଇ ସେ ସମୟରୁ ବିବାଦ ଚାଲିଆସିଛି। ତେବେ ଭାରତ ସରକାରଙ୍କ ବିଜ୍ଞପ୍ତିରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ଏହିସବୁ ଗାଁ ଓଡିଶା ସରକାରଙ୍କ କର୍ତ୍ତୃତ୍ୱାଧୀନ।...

ଚିତ୍ରଗୁପ୍ତଙ୍କ ବଂଶଧର

ଚିତ୍ରଗୁପ୍ତଙ୍କ ବଂଶଧର

ଦେବଦତ୍ତ ପଟ୍ଟନାୟକ/ ଜଣେ ଓଡ଼ିଆ ପିଲା ହୋଇ ବମ୍ବେରେ ବଢ଼ିଥିବାରୁ ମୋତେ ଅନେକ ଶବ୍ଦର ମୂଳ ଅର୍ଥ ପଚରାଯାଏ। ମୋ ମାଆବାପା କହନ୍ତି, ଆମେ ହେଉଛୁ ଜାତିରେ କରଣ। ବମ୍ବେର କୌଣସି ଲୋକ ଏଭଳି ଜାତି ଅଛି ବୋଲି ଜାଣନ୍ତି ନାହିଁ। ପରେ ମୁଁ ଜାଣିଲି ଆମେ ଯାହାଙ୍କୁ କରଣ କହୁଛୁ, ଆନ୍ଧ୍ରପ୍ରଦେଶରେ ତାଙ୍କୁ କରଣମ୍‌ କୁହାଯାଏ, ପଶ୍ଚିମବଙ୍ଗ ଓ ଗାଙ୍ଗେୟ ସମତଳ ଅଞ୍ଚଳରେ ତାଙ୍କୁ କାୟସ୍ଥ କୁହାଯାଏ ଏବଂ ମହାରାଷ୍ଟ୍ରରେ ତାଙ୍କୁ ପ୍ରଭୁ କୁହାଯାଏ। ଏହା ହେଉଛି ଏପରି ଏକ ଜାତି ଯେଉଁମାନେ ରାଜଦରବାରରେ ଦଲିଲ ଲେଖକ, ହିସାବରକ୍ଷକ, ଅମଲା ଭାବେ କାର୍ଯ୍ୟ କରୁଥିଲେ। ଅନେକେ ପ୍ରଭାବଶାଳୀ ସଭାସଦ୍‌ ଓ ଜମି ମାଲିକ ମଧ୍ୟ ହୋଇଥିଲେ। ଓଡ଼ିଶାରେ ପଟ୍ଟନାୟକ ଓ ମହାନ୍ତି ଜଣାଶୁଣା କରଣ ଉପାଧି ହୋଇଥିବା ବେଳେ ଗାଙ୍ଗେୟ ସମତଳ ଅଞ୍ଚଳରେ ସେମାନେ ଶ୍ରୀବାସ୍ତବ ଏବଂ ବଙ୍ଗଳାରେ ସେମାନେ ବୋଷ ଓ ଘୋଷ ଆଦି ସଂଜ୍ଞା ଅନୁସାରେ ପରିଚିତ। ଏହି କରଣମାନେ ୫ମ ଶତାବ୍ଦୀରେ ଗାଙ୍ଗେୟ ସମତଳ ଅଞ୍ଚଳରେ ଗୁପ୍ତ ରାଜାମାନଙ୍କୁ, ୧୨ଶ ଶତାବ୍ଦୀରେ ବଙ୍ଗଳାରେ ସେଣ ରାଜାମାନଙ୍କୁ ଏବଂ ୧୫ଶ ଶତାବ୍ଦୀରେ ଓଡ଼ିଶାରେ ଗଜପତି ମହାରାଜାମାନଙ୍କୁ ଦଲିଲ ଲେଖକ, ହିସାବ ରକ୍ଷକ ଆଦି ଭାବେ ସେବା କରୁଥିଲେ। ସେମାନେ ମଧ୍ୟ ବଙ୍ଗଳାର ସୁଲତାନ, ଦିଲ୍ଲୀର ମୋଗଲ ଏବଂ ଅଓ୍ବଧର ନବାବମାନଙ୍କ ଦରବାରରେ ସେବାରତ ଥିଲେ। ସେମାନେ ଖାଦ୍ୟପେୟ ଓ ପୋଷାକପରିଚ୍ଛଦରେ ମୋଗଲମାନଙ୍କ ଅଭ୍ୟାସକୁ ଆପଣେଇ ନେଇଥିଲେ। ଅନେକେ ମାଂସ ଖାଉଥିଲେ, କେବଳ ଗୋମାଂସକୁ ଛାଡ଼ି। ଅନେକ କରଣ ମଧ୍ୟ ଇସଲାମ ଧର୍ମ ଗ୍ରହଣ କରି ମୁସଲମାନ ହୋଇଯାଇଥିଲେ। କିନ୍ତୁ ସେମାନଙ୍କୁ ଏବେ ବି ଚିହ୍ନି ହେବ, ସେମାନଙ୍କର କଲମ ଓ କାଳିଦୁଆତ ପ୍ରତି ଥିବା ସମ୍ମାନକୁ ଦେଖି। ମୁସଲମାନ ରାଜାମାନଙ୍କ ସହ ଘନିଷ୍ଠତା ଥିବାରୁ ବ୍ରିଟିଶ ସରକାର ପ୍ରଥମେ ସେମାନଙ୍କୁ ତ୍ୟାଗ କରିଥିଲେ। କିନ୍ତୁ ସେମାନେ ଖୁବ୍‌ଶୀଘ୍ର ପାଶ୍ଚାତ୍ୟ (ଇଂଲିଶ) ଶିକ୍ଷାରେ ନିଜକୁ ଶିକ୍ଷିତ କରାଇନେଇ ଦେଶର ନୂଆ ଶାସକଙ୍କ ସହ ଶକ୍ତିଶାଳୀ ସମ୍ପର୍କ ଯୋଡ଼ିପାରିଥିଲେ। ଏକଦା ବଙ୍ଗଳାରେ ପ୍ରାୟ ଏକତୃତୀୟାଂଶ ମିଲ-ମାଲିକ ଥିଲେ ଏହି ସମ୍ପ୍ରଦାୟର। କରଣ ଜାତି କିପରି ସୃଷ୍ଟି ହେଲା, ତାହାକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ଗାଙ୍ଗେୟ ସମତଳରେ ଲୋକପ୍ରିୟ ଥିବା ଏକ କାହାଣୀ ଅନୁସାରେ, ମୃତ୍ୟୁଦେବତା ଯମଙ୍କର ଏକ କିରାଣି ଦରକାର ପଡ଼ିଲା, ଯିଏ ଲୋକମାନଙ୍କର ସମସ୍ତ କୃତକର୍ମର ରେକର୍ଡ ରଖିବେ। ସେଥିପାଇଁ ବ୍ରହ୍ମା ଚିତ୍ରଗୁପ୍ତଙ୍କୁ ସୃଷ୍ଟି କଲେ (ଯାହାଙ୍କୁ ସମସ୍ତ ପ୍ରାଣୀଙ୍କର ସବୁ ଗୁପ୍ତ ଚିତ୍ର ଜଣା ଥାଏ)। ସେ ହାତରେ ଗୋଟିଏ କଲମ ଓ କାଳିଦୁଆତ ଧରିଥାନ୍ତି। ଏହି ଚିତ୍ରଗୁପ୍ତଙ୍କଠାରୁ କାୟସ୍ଥ ବା କରଣ ଜାତି ସୃଷ୍ଟି ହୋଇଛି। ମହାଭାରତର ବର୍ଣ୍ଣନା ଅନୁସାରେ ପରଶୁରାମ ୨୧ ବାର ପୃଥିବୀକୁ ନିକ୍ଷତ୍ରୀ କରିଥିଲେ। ଯେଉଁ ପିଲାମାନେ ମାଆ ପେଟରେ ଥିଲେ ପରେ ସେମାନେ କାୟସ୍ଥ (କାୟା+ସ୍ଥ) ବୋଲାଇଲେ। ସେମାନଙ୍କ ମାଆମାନେ ନିଜ ପୁଅକୁ ପରଶୁରାମଙ୍କ କୋପରୁ ରକ୍ଷା କରିବା ପାଇଁ ଉପନୟନ ସଂସ୍କାର କରାଇଲେ ନାହିଁ, ଯାହା ଫଳରେ ସେମାନେ କ୍ଷତ୍ରିୟ ବୋଲି ଜାଣିହେବ ନାହିଁ। କାରଣ ଉପନୟନ ପରେ କପାସୂତାର ଧଳା ପଇତାରୁ ବ୍ରାହ୍ମଣ, ଛଣପଟର ନାଲି ପଇତାରୁ କ୍ଷତ୍ରିୟ ଏବଂ ରେଶମ ସୂତାର ହଳଦିଆ ପଇତାରୁ ବୈଶ୍ୟମାନଙ୍କୁ ଚିହ୍ନିହୁଏ। ଆଉ ଯେଉଁମାନଙ୍କର ଉପନୟନ ସଂସ୍କାର ନାହିଁ ସେମାନେ ଶୂଦ୍ରଭାବେ ପରିଗଣିତ ହୁଅନ୍ତି। ପୁଣି ସେହି ମାଆମାନେ ନିଜ ପୁଅକୁ ଖଣ୍ଡା ବଦଳରେ ଲେଖନୀ ବା କଲମ ଧରାଇବାକୁ ସଂକଳ୍ପ ନେଲେ। ...

ଏଇ ଭାରତରେ

ରେଲଓ୍ବେ ଫାଟକ ପଡିଥିବ, କିନ୍ତୁ ବାଇକ୍‌ ଓ ସାଇକେଲବାଲା ସମ୍ଭାଳ ପଡିବେ ନାହିଁ। ଗେଟ୍‌ ତଳେ ଗଳି, ନିଜ ବାହନକୁ ଅଣେଇକରି ଗଳାଇ ଗୋଟିଏପଟୁ ଅନ୍ୟପଟକୁ ଯିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ସାମାନ୍ୟ ସମୟ ଅପେକ୍ଷା ନ କରି ଆଗକୁ ମାଡିଯିବାର ପ୍ରବଣତା ପାଇଁ ଅନେକଙ୍କ ଜୀବନ ଯାଉଛି। ଜଗୁଆଳିବିହୀନ ରେଳଫାଟକ ନିକଟରେ ତ ଏଭଳି ଦୁର୍ଘଟଣା ଘଟୁଛି, ମାତ୍ର ଜଗୁଆଳି ଥାଇ ମଧ୍ୟ ଫାଟକ ପଡିଥିବା ବେଳେ ଅନୁପ୍ରବେଶକୁ ରୋକି ହେଉନାହିଁ। ମୂଳକଥା ହେଉଛି ଯେଉଁମାନେ ବେପରୁଆ, ଜୀବନକୁ ପାଣି ଛଡାଇ ଦେଇଛନ୍ତି ସେମାନଙ୍କୁ ରୋକିବ କିଏ? ଠିକ୍‌ ସେମିତି ଏକ ଘଟଣା ବୁଧବାର ଘଟିଛି ମଥୁରା ଏବଂ ଆଗ୍ରା ରେଳଷ୍ଟେଶନ ମଧ୍ୟରେ ଥିବା ଫାରା ନିକଟରେ। ଫାଟକ ପଡିଥିବା ବେଳେ ଜଣେ ଯୁବକ ତାଙ୍କ ମୋଟରସାଇକେଲକୁ ଗେଟ୍‌ ତଳେ ଗଳାଇ ବୀରଦର୍ପରେ ମାଡିଯାଉଥିଲେ। ଏହି ସମୟରେ ହଠାତ୍‌ ତାଙ୍କର ଆଖିପଡିଲା ଦ୍ରୁତଗତିରେ ଏକ ଟ୍ରେନ୍‌ ଆସୁଛି। ତାଙ୍କୁ ଆଉ କିଛି ବୁଦ୍ଧିବାଟ ଦିଶିଲାନି। ରେଳଟ୍ରାକ୍‌ ଉପରେ ବାଇକ୍‌କୁ ଛାଡିଦେଇ ଜୀବନ ବଞ୍ଚାଇବା ପାଇଁ ଦୌଡିଲେ। ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ଟି ବାଇକ୍‌ ଉପରେ ଚଢ଼ି ଚାଲିଗଲା। ଫଳରେ ବାଇକ୍‌ଟି ଚୂନା ହୋଇଗଲା। ସୌଭାଗ୍ୟବଶତଃ ଟ୍ରେନ୍‌ ଲାଇନଚ୍ୟୁତ ହୋଇନାହିଁ। ନ ହେଲେ କେତେଲୋକଙ୍କ ଜୀବନ ଯାଇଥାଆନ୍ତା କିଏ ଜାଣେ। ନିୟମ ଭାଙ୍ଗୁଥିବା ଏଭଳି ଲୋକମାନେ କେବଳ ନିଜ ପାଇଁ ବିପଦ ଡାକୁନାହାନ୍ତି, ଅନ୍ୟମାନଙ୍କୁ ମଧ୍ୟ ସଙ୍କଟରେ ପକାଇ ଆସୁଛନ୍ତି।