Dharitri News
ଫୁରସତ |

ଝୁଲାପୋଲ

ଝୁଲାପୋଲ ଦେଶ ସ୍ବାଧୀନତା ପ୍ରାପ୍ତିର ପ୍ରାୟ ୭୧ବର୍ଷ ହେଲାଣି । ଗାଁର ଉନ୍ନତି ପାଇଁ ସରକାରୀସ୍ତରରେ ଅନେକ ଯୋଜନା ଚାଲିଛି। ତଥାପି ଅନେକ ଗାଁକୁ ଏଯାଏ କଚ୍ଚାରାସ୍ତାଟିଏ ହୋଇପାରିନାହିଁ । ଏପରି କି ଗୋଟିଏ ପଟ ରାସ୍ତାରୁ ଆଉ ଗୋଟିଏ ପଟକୁ ଯିବାକୁ ହେଲେ କେତେକ ସ୍ଥାନରେ ଥିବା ନଦୀ ଉପରେ ସ୍ଥାୟୀ ପୋଲ ସଂଯୋଗ କରିଥାଏ। ମାତ୍ର ଓଡ଼ିଶାରେ ଏମିତି କେତେକ ସ୍ଥାନ ଅଛି ଯେଉଁଠି ରାସ୍ତା ନାହିଁ କି ସ୍ଥାୟୀ ପୋଲ ନାହିଁ। ଯିବା ଆସିବା ଆଉ ଯୋଗାଯୋଗ ପାଇଁ ଲୋକମାନେ ନିର୍ଭର କରିଥାନ୍ତି ଝୁଲାପୋଲ ଉପରେ। ଯାହା କି ଅନେକ ସମୟରେ ବିପଦ ଆଶଙ୍କା ବି ସୃଷ୍ଟି କରିଥାଏ। ତଥାପି ଯାତାୟାତର ଅନ୍ୟ କୌଣସି ମାଧ୍ୟମ ନ ଥିବାରୁ ଲୋକେ ବାଧ୍ୟହୋଇ ନିର୍ଭର କରନ୍ତି ଏହା ଉପରେ। ଏପରି ଝୁଲାପୋଲ ବର୍ଷେ କି ଦୁଇବର୍ଷ ପାଇଁ ନୁହେଁ, ବରଂ ବର୍ଷବର୍ଷଧରି ନଦୀଜଳ ଉପରେ ଝୁଲି ରହିଥାଏ । ଝୁଲାପୋଲରେ ଜୀବନଯାତ୍ରା: ଆଦିବାସୀ ବହୁଳ ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳକୁ ଗମନାଗମନ ସୁବିଧା ନ ଥିବାରୁ ସେହି ଅଞ୍ଚଳରେ ବାସକରୁଥିବା ଅନେକ ଗ୍ରାମବାସୀ ରାସ୍ତାରେ ଯାତାୟାତ କରିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ତେବେ ଏହି ଦୁର୍ଗମ ଅଞ୍ଚଳର ଅନେକସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ମଧ୍ୟ ଘଟୁଛି। ତେବେ ଏଭଳି ଦୁର୍ଗମ ପଥରେ ଗ୍ରାମ ସହ ସହରକୁ ସିଧାସଳଖ ସଂଯୋଗ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ବେଲିବ୍ରିଜ୍‌ ବା ଝୁଲାପୋଲ। ଏହି ଜିଲାରେ ପ୍ରାୟ୧୦ଟି ବ୍ରିଜ୍‌ ନିର୍ମାଣ କରାଯାଇଛି। ତେଲରାଇ ଗାଁର ଇର୍ମା କବାସୀ କୁହନ୍ତି, କାଲିମେଳା ବ୍ଲକରେ ଦୁଇଟି ପୋଲ ନିର୍ମାଣ କରାଯାଇଛି। ଏହି ଝୁଲାପୋଲ ଦ୍ୱାରା ବହୁ ଆଦିବାସୀ ଗ୍ରାମର ଲୋକେ ଉପକୃତ ହୋଇପାରିଛନ୍ତି। କମ୍‌ ସମୟ ମଧ୍ୟରେ ଏହି ଝୁଲାପୋଲର ନିର୍ମାଣ କାମ ହୋଇ ପାରୁଥିବାରୁ ଏଥିରେ ଗମନାଗମନର ସୁବିଧା ହୋଇପାରୁଛି। ଲାଲଗଡ଼ ଜିଲା ପ୍ରଶାସନ ତରଫରୁ ଏପରି ଝୁଲାପୋଲର ବ୍ୟବସ୍ଥା କରାଯାଇଛି। ଏହା ଆଦିବାସୀମାନଙ୍କ ପାଇଁ କେତେକ ସୁବିଧା ହୋଇପାରିଛି। କାଲିମେଳା ବ୍ଲକର ମୁଦାଖୋଲ ଓ କୋଇମେଟଲା ନିକଟରେ ଏପରି ଏକ ବେଲିବ୍ରିଜ ନିର୍ମାଣ କରାଯାଇ ସେହି ଅଞ୍ଚଳର ଗ୍ରାମପଞ୍ଚାୟତକୁ ସଂଯୋଗ କରାଯାଇଛି। କୋଇମେଟଲା ଗ୍ରାମ ନିକଟ ଗୁବୁଲୁର ନାଳ ଉପରେ ଏହି ଝୁଲାପୋଲ ନିର୍ମାଣ ହୋଇଛି। ଏଥିରେ ସ୍ଥାନୀୟ ଲୋକଙ୍କ ଯାତାୟାତ ହୋଇପାରୁଛି। ଏଥିଯୋଗୁ ଏହି ଅଞ୍ଚଳର ପ୍ରାୟ ୨୫ ହଜାର ଲୋକଙ୍କ ଗମନାଗମନର ସୁବିଧା ହୋଇପାରିଛି। ଶିକ୍ଷାବିତ୍‌ ନବକିଶୋର ମଲ୍ଲିକ କୁହନ୍ତି, ଏହି ପୋଲ ଦେଇ କୋଇମେଟଲା ଗ୍ରାମରୁ ଏମ.ଭି -୧୦୭ ଦେଇ ପଡ଼ିଆରୁ ଆସୁଥିବା ଲୋକମାନେ କମ୍‌ ଦୂରତାରେ ଏମଭି-୭୯ ଓ ମୋଟୁକୁ ଯିବାଆସିବା କରିଥାନ୍ତି। ଏଥିସହିତ ଟିଗଲ ପଞ୍ଚାୟତର ଏମ.ଭି -୧୧୨, ଉସକାଗୁଡ଼ା, ତାମନପାଲ୍ଲୀ,ଏମଭି-୧୨୯, ଏମ.ଭି-୭୮,ଏମପିଭି-୬୫, କୋଇମେଟଲା ଗ୍ରାମ ସହ ନାଲଗୁଣ୍ଠି ପଞ୍ଚାୟତର କୋୟାଗୁଡ଼ା, ପେଦବାଡ଼ା, ଇପାଗୁଡ଼ା ଆଦି ଗ୍ରାମର ଜନସାଧାରଣଙ୍କୁ ପଡ଼ିଆ ବ୍ଲକଦେଇ ଛତିଶଗଡ଼କୁ ଯିବାରେ ସୁବିଧା ହୋଇଥାଏ। ମାତ୍ର ବର୍ଷାଦିନେ ସେତେବେଳେ ଏହି ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଏହି ଝୁଲାପୋଲ ଯୋଗୁ କୋଇମେଟଲା, ବଙ୍ଗାଳିଗ୍ରାମ କାଲିମେଳାର ଆଦିବାସୀ ଗ୍ରାମ ଓ ପଡ଼ିଆ ବ୍ଲକକୁ ରାସ୍ତାର ସିଧାସଳଖ ଯୋଗାଯୋଗ ହୋଇପାରୁଛି। ମୁଦାଖୋଲ ନାଳରେ ଝୁଲାପୋଲ: ସେହିପରି ଏହି ଜିଲାର ମୁଦାଖୋଲ ନାଳ ଉପରେ ନିର୍ମାଣ କରାଯାଇଥିବା ବେଲିବ୍ରିଜ ଦ୍ୱାରା ଗାଟିଏପଟେ ମୁଦାଖୋଲ , ଚିତ୍ରାଙ୍ଗ ପାଲ୍ଲୀ, ଦରାଗାଟା, ଏମଭି-୯, ଏମଭି-୫୪, ଏମଭି-୫୫ ଆଦିଗ୍ରାମ ସଂଯୋଗ କରୁଥିବା ବେଳେ ଆରପଟେ ଉଣ୍ଡୃକୋଣ୍ଡା, ସଙ୍ଗେଲ, ଏମଭି-୫୪ କନ୍ୟାଶ୍ରମ ସହ ସଂଯୋଗ କରୁଛି। ମଝିରେ ଉସ୍‌କା ପାଲ୍ଲୀ ଓ ଏମ.ଭି-୧୧୮ ଗ୍ରାମବାସୀ ମଧ୍ୟ ଉପକୃତ ହୋଇପାରୁଛନ୍ତି। ଆଇତା ମାର୍ଡ଼କାନି କୁହନ୍ତ, ଏହି ବ୍ରିଜ୍‌ ଦ୍ୱାରା ଉକ୍ତ ଅଞ୍ଚଳର ପ୍ରାୟ ୨୦ହଜାର ଲୋକଙ୍କ ସୁବିଧା ହୋଇପାରିଛି । ଏହି ବ୍ରିଜ୍‌ଟି ନିର୍ମାଣ ପାଇଁ ସେତେବେଳେ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ସୁମିତ୍ରା ମାଢି କୁହନ୍ତି, ଏହି ମୁଦାଖୋଲ ନାଳ ଓ କୋଇମେଟଲା ଉପରେ ନିର୍ମାଣ କରାଯାଇଥିବା ଏହି ବେଲିବ୍ରିଜ୍‌ ଦୁଇଟିର ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପରେ ଏହି ବାଟ ଦେଇ ବିଭିନ୍ନ ମୋଟରଯାନ ଚାଲିପାରୁଛି। ସେହିପରି କାଇକାପାଲି ନାଳ ଓ ମୋଟୁ ଅଞ୍ଚଳର ମୁରଲୀଗୁଡା ଠାରେ ଏପରି ଝୁଲାପୋଲ ରହିଛି। ଏଥିଯୋଗୁ ରୋଗୀସେବା, ବ୍ୟବସାୟିକ ପରିବହନ ଆଦି କାର୍ଯ୍ୟ ସୁବିଧାରେ ହୋଇପାରୁଥିବା ବେଳେ ଦୂରତା କମିପାରିଛି। ମହାନଦୀ ଝୁଲାପୋଲରେ ଭକ୍ତଙ୍କ ଭିଡ଼ ଜମେ: କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ଗ୍ରାମପଞ୍ଚାୟତରେ ଥିବା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ମନ୍ଦିର ମହାନଦୀ ଗର୍ଭରେ ପ୍ରାୟ ୧୦ ଏକର ପରିମିତ କୁଦ ଉପରେ ଅବସ୍ଥିତ। ବିଷ୍ଣୁ ଚରଣ ପତି କୁହନ୍ତି, ଏଠାକୁ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ। ବିଶେଷକରି ପଞ୍ଚକ, ବଡ଼ଓଷା, ଜାଗର, ଚନ୍ଦନ ଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ଆସିଥାନ୍ତି। ଯାତାୟାତ ନିମନ୍ତେ ପୂର୍ବରୁ ଶ୍ରଦ୍ଧାଳୁମାନେ ମହାନଦୀରେ ଡଙ୍ଗା ସାହାଯ୍ୟରେ ଏହିପୀଠକୁ ପହଞ୍ଚୁ ଥିଲେ। ମାତ୍ର ମହାନଦୀରେ ବାରମ୍ବାର ଡଙ୍ଗାବୁଡ଼ି ଯୋଗୁ ବହୁ ଧନଜୀବନ ନଷ୍ଟ ହେଲା। ୧୯୯୦ ମସିହା ଡଙ୍ଗାବୁଡ଼ିରେ ଦୁଇଜଣ ପ୍ରାଣ ହରାଇଥିଲେ। ସେହି ଘଟଣା ଠାରୁ ମହାନଦୀରେ ପୋଲ ନିର୍ମାଣ ନିମନ୍ତେ ସ୍ଥାନୀୟ ଅଧିବାସୀମାନେ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ। କିନ୍ତୁ ମଞ୍ଚେଶ୍ୱର ଘାଟପଟେ ମହାନଦୀରେ ବିଶାଳ ଗଣ୍ଡ ରହିଛି। ଏହା ପ୍ରାୟ ୧୦୦ମିଟର ଗଭୀର ବୋଲି ଅନୁମାନ କରାଯାଏ। ସେହି ଦୃଷ୍ଟିକୋଣରୁ ମହାନଦୀ ଉପରେ ଝୁଲାପୋଲ ନିର୍ମାଣ ପାଇଁ ରାଜ୍ୟ ଗ୍ରାମଉନ୍ନୟନ ବିଭାଗ ଦ୍ୱାରା ଗତ ୨୦୦୪ ମସିହାରେ ଧବଳେଶ୍ୱରଙ୍କ ପୀଠକୁ ଯାତ୍ରୀଙ୍କ ଯାତାୟାତ ନିମନ୍ତେ ଝୁଲାପୋଲର ଶିଳାନ୍ୟାସ କରାଯାଇଥିଲା। ଗତ ୨୦ା୧୦ା୨୦୦୬ରେ ପ୍ରାୟ ୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ୨୫୪ ମିଟର ଲମ୍ବର ଝୁଲାପୋଲ ନିର୍ମାଣ ହୋଇ ଯାତ୍ରୀଙ୍କ ଯାତାୟାତର ସୁବିଧା ହୋଇପାରିଛି । ଏହା ଦେଶର ଅନ୍ୟତମ ଲମ୍ବା ଝୁଲାପୋଲ ବୋଲି ଜଣାପଡ଼ିଛି। ପୋଲ ହୋଇଥିଲେ ବି ବଡ଼ଓଷା ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ଭିଡ଼ଯୋଗୁ ୨୦୧୦ ମସିହାରେ ଡଙ୍ଗା ସାହାଯ୍ୟରେ ଯାତ୍ରୀ ପାର ହେଉଥିବାବେଳେ ଏହି ନଦୀରେ ପୁନର୍ବାର ଦୁର୍ଘଟଣା ଘଟିଥିଲା । କିରଣ ବିହାରୀ ଖଟୁଆ କୁହନ୍ତି, ପ୍ରଥମ ନିର୍ମାଣ ବେଳେ ଏହି ଝୁଲାପୋଲର କ୍ଷମତା ହଜାରଜଣ ରହିଥିଲା। ୫ ବର୍ଷ ପରେ ତାହା ୮୦୦କୁ ଖସିଥିଲା। ଏପରି କି ଗତ ୨୦୧୫ ମସିହାରେ ଝୁଲାପୋଲର ତାର ଦଉଡ଼ି ଦୁର୍ବଳ ରହିଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚକ ବଡ଼ଓଷା ଯାତ୍ରା ପୂର୍ବରୁ ଏହି ପୋଲର ମରାମତି କରାଯାଇଥିଲା । ଅଶୋକ ଖଟୁଆ କୁହନ୍ତି, ଅନ୍ୟପକ୍ଷେ ରାଜ୍ୟ ସରକାର ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ସ୍ଥାୟୀ ପୋଲ ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ଏହା ଏକ ସ୍ବାଗତ ଯୋଗ୍ୟ କାର୍ଯ୍ୟ। ନାଗାବଳୀରେ ଝୁଲାପୋଲର କାହାଣୀ: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ବିନିଷପୁର ଗାଁ ନିକଟରେ ଥିବା ନାଗାବଳୀ ନଦୀର ଗଦଗଦ ଠାରେ ନିର୍ମାଣ ହୋଇଥିବା ଝୁଲାପୋଲଟି ଗତ ଜୁଲାଇମାସରେ ହୋଇଥିବା ବନ୍ୟାରେ ବନ୍ଧ ଭୁଶୁଡ଼ି ଯିବାରୁ ପୋଲଟି ନଦୀକୁ ଖସିପଡ଼ିଥିଲା। ଏଥିଯୋଗୁ ପ୍ରାୟ ୫ଗୋଟି ପଞ୍ଚାୟତର ୫୦ଖଣ୍ଡ ଗାଁର ବାସିନ୍ଦାଙ୍କ ଯାତାୟାତରେ ଘୋର ଅସୁବିଧା ହୋଇଥିଲା। ଶନେଶ୍ୱର କାର୍ଡ଼ଙ୍ଗ କୁହନ୍ତି, ଗମନାଗମନର ସୁବିଧା ପାଇଁ ଗ୍ରାମବାସୀ ଏକ ବୈଠକ କରି ୧୯ା୧୧ା୧୭ ଠାରୁ ଗାଁର ପ୍ରତ୍ୟେକ ପରିବାରରୁ କିଛିକିଛି ଟଙ୍କା ଆଦାୟ କରି ଏକ ଅସ୍ଥାୟୀ କାଠର ଝୁଲାପୋଲ ତିଆରି କରିଛନ୍ତି। ଉକ୍ତ କାଠପୋଲର ଲମ୍ବ ପ୍ରାୟ ୧୫୦ମିଟର ଓ ଚଉଡ଼ା ୫ଫୁଟ୍‌। ଏହି ପୋଲରେ ସ୍ଥାନୀୟ ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରିଥାନ୍ତି। ଅଶୋକ କାଡ଼ାକା କୁହନ୍ତି, ଏହି ପୋଲ ନିର୍ମାଣ ଯୋଗୁ ପ୍ରାୟ ୧୭କିମି ରାସ୍ତାର ଦୂରତା ପରିବର୍ତ୍ତେ ୨କିମି ବାଟ ମଧ୍ୟରେ ଏହି ଗ୍ରାମପଞ୍ଚାୟତର ଲୋକମାନେ ସ୍ଥାନୀୟ ବ୍ଲକକୁ ଯାତାୟାତ କରିଥାନ୍ତି। ଅନ୍ୟପକ୍ଷେ ତତ୍କାଳୀନ ଜିଲାପାଳ ନୀତିନ ଭାନୁଦାସ ଜାଓ୍ବଲେ ଉକ୍ତ କାଠପୋଲକୁ ଦେଖିଲା ପରେ ଏକ ଝୁଲାପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ୨୦୧୩ ଅକ୍ଟୋବର ୨୬ତାରିଖରେ ଏଠାରେ ଏକ ଝୁଲାପୋଲ ଆରମ୍ଭ ହୋଇଥିଲା। ଏହାର ଓସାର ପ୍ରାୟ ୧.୨୮ମିଟର, ଲମ୍ବ ୧୨୦ମିଟର । ନଦୀଗର୍ଭରୁ ପୋଲର ଉଚ୍ଚତା ପ୍ରାୟ ୫୦ଫୁଟ୍‌ । ଏହି ପୋଲଟିର ନିର୍ମାଣ ଦାୟିତ୍ବ ଓଡ଼ିଶା ଷ୍ଟେଟ୍‌ ପୋଲିସ ହାଉସିଂ କର୍ପୋରେଶନ ନେଇଥିଲା। ଆଖପାଖ ଅଞ୍ଚଳବାସୀ ଏହି ପୋଲଦେଇ ଗମନାଗମନ କରିଥାନ୍ତି। ମାତ୍ର ଉକ୍ତପୋଲଟି ଭାଙ୍ଗି ଯିବାରୁ ଏବେ ଅସ୍ଥାୟୀ କାଠପୋଲ ହିଁ ଗମନାଗମନର ଭରସା ପାଲଟିଛି। ଚେକାଗୁଡ଼ାରୁ ରାୟଗଡ଼ା ସହରକୁ ସଂଯୋଗ କରୁଛି ଝୁଲାପୋଲ: ରାୟଗଡ଼ା ଜିଲାର ଅଧିକାଂଶ ଅଞ୍ଚଳକୁ ଘେରିରହିଛି ପାହାଡ଼ ପର୍ବତ । ଏହି ସହରର ଉପକଣ୍ଠରେ ଥିବା ଚେକାଗୁଡ଼ା ଗ୍ରାମପଞ୍ଚାୟତ ନିକଟରେ ବହିଯାଇଛି ନାଗାବଳୀ ନଦୀ। ପ୍ରଦୀପ ନାଏକ କୁହନ୍ତି ୨୦୧୧ ନଭେମ୍ବର ମାସରେ ଏଠାରେ ନିର୍ମାଣ ହୋଇଛି ଏକ ଝୁଲାପୋଲ। ଏହାର ସ୍ଥପତି ଥିଲେ ବିଜିଏସପିର ମୁଖ୍ୟ ଶିଶିର ଭରଦ୍ୱାଜ। ଆଇ.ଏ.ପି ଅଧୀନରେ ଜିଲା ପ୍ରଶାସନ ଦ୍ୱାରା ଏହି ପୋଲ ପାଇଁ ପ୍ରାୟ ଦେଢକୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିଲା। ଏହି ଝୁଲାପୋଲର ଦୈର୍ଘ୍ୟ ପ୍ରାୟ ୧୫୧ମିଟର ଓ ପ୍ରସ୍ଥ ୧.୫୦ମିଟର । ଏହା ଓଡ଼ିଶାର ଅନ୍ୟତମ ବୃହତ୍‌ ଝୁଲାପୋଲ। ଏହା ଦ୍ୱାରା ସେହି ଅଞ୍ଚଳର ବାଶିଙ୍ଗି, ଡାଙ୍ଗଲୋଡ଼ି, କାରୁବାଇ, ଇପଲଗୁଡ଼ା, ଦୁର୍ଗାପ ଡ଼ୁ, ମୀରାବାଲି, ବାଡାଲବାଡ଼ି ଓ କୁଲି ଆଦି ୮ଟି ଗ୍ରାମପଞ୍ଚାୟତର ପ୍ରାୟ ୬୩ଟି ଗ୍ରାମର ବାସିନ୍ଦା ଉପକୃତ ହୋଇପାରୁଛନ୍ତି। ନୀଳାଚଳ ମିଶ୍ର କୁହନ୍ତି, ପ୍ରଥମେ ରାୟଗଡ଼ା ଜିଲା ମୁଖ୍ୟାଳୟକୁ ଆସିବାକୁ ହେଲେ ସେହି ଅଞ୍ଚଳର ଗ୍ରାମବାସୀଙ୍କୁ ପ୍ରାୟ ୪୦କିମି ଦୂର ବୁଲି ଆସିବାକୁ ପଡ଼ୁଥିଲା । ଏହି ଝୁଲାପୋଲ ତିଆରି ଯୋଗୁ ଗମନାଗମନର ଦୂରତା ସେହି ଅଞ୍ଚଳପାଇଁ କମ୍‌ ହୋଇଛି। ଏପରି କି ମାତ୍ର ୫କିମି ରାସ୍ତା ଆସି ଏହି ପୋଲ ଉପରେ ପାର ହେଲେ ରାୟଗଡ଼ା ସହରକୁ ଆସିହେଉଛିି । ପୂର୍ବରୁ ଚେକାଗୁଡ଼ା ଗ୍ରାମବାସୀଙ୍କ ଉଦ୍ୟମରେ ବାଉଁଶରେ ତିଆରି ଏକ ଝୁଲାପୋଲ କରାଯାଇଥିଲା। ଏହି ପୋଲ ପାର ହୋଇ ଯାଉଥିବା ଯାତ୍ରୀଙ୍କ ଠାରୁ ପ୍ରାୟ ୫ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା। ମାତ୍ର ଜିଲାପାଳ ଶଶିଭୂଷଣ ପାଢୀଙ୍କ ଉଦ୍ୟମରେ ଜିଲା ପ୍ର୍ରଶାସନ ଓ ଭାରତ ଗ୍ରାମସେତୁ ଦ୍ୱାରା ଏହି ପୋଲ ନିର୍ମାଣ କରାଯାଇଥିଲା। ତେବେ ଓଡ଼ିଶାରେ ଥିବା ହାତଗଣତି କେତୋଟି ଝୁଲାପୋଲ ସେଠାକାର ଗ୍ରାମବାସୀଙ୍କ ପାଇଁ ପାଲଟିଛି ଗମନାଗମନର ମୁଖ୍ୟ ସଂଯୋଗ ପଥ। -ବନବିହାରୀ ବେହେରା ସୁରେଶ କୁମାର ପାଢୀ, ଜୀବନକୃଷ୍ଣ ଦାସ, ଯଶୋବନ୍ତ ବାରିକ, ଶ୍ରୀନିବାସ ବଳିଆରସିଂହ

ଫୁରସତ |

 ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା

ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା

ଓ୍ବାଶିଂଟନ: ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ନିଦ୍ରା ହୀନତା ରୋଗ ଦେଖାଯାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ତିନି ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଶ୍ୱାସନଳୀ ସମ୍ପର୍କିତ ରୋଗ ମଧ୍ୟ ଦେଖା ଦେଇଥାଏ। ସେମାନଙ୍କର ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇ ନ ଥିବାରୁ ସେମାନଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏନେଇ ଗବେଷକ ୯୬ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନଙ୍କର ମସ୍ତିଷ୍କର ଏମ୍‌ଆର୍‌ଆଇ କରାଯାଇଥିଲା। ଜଣାପଡିଥିଲା ଯେ, ମାତୃ ଗର୍ଭରେ କମ୍‌ ସମୟ ରହିଥିବା ଶିଶୁଙ୍କର ନାସୋଫାରିଞ୍ଜିୟାଲ୍‌ ଆୟତନ ପରିମାଣ ୨୨୧.୧ ମିଲିମିଟର ଥିବାବେଳେ ଓରୋଫାରିଞ୍ଜିୟାଲ ଆୟତନ ୧୭୯.୩ ମିଲିମିଟର ରହିଥାଏ । ଅନ୍ୟପକ୍ଷରେ ମାତୃ ଗର୍ଭରେ ନିର୍ଦ୍ଦିଷ୍ଟ ସମୟ ପୂରଣ କରିଥିବା ଶିଶୁଙ୍କର କ୍ଷେତ୍ରରେ ଏହି ଦୁଇଟିର ପରିମାଣ ଯଥାକ୍ରମେ ୪୯୫.୬ ମିଲିମିଟର ଓ ୩୧୩.୬ ମିଲିମିଟର ରହିଥାଏ ବୋଲି ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଶିଶୁ ବିଶେଷଜ୍ଞ ପ୍ରଫେସର ଅନିଲାଓ୍ବାନ୍‌ ସ୍ମିଥ୍‌ମେଧିନ୍‌ ସୂଚିତ କରିଛନ୍ତି।

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ରାଜସ୍ଥାନ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର। ବରଯାତ୍ରୀରେ ଆସିଥିଲେ ପୂର୍ବ ସ୍ତ୍ରୀଙ୍କ ଝିଅ, ଜ୍ୱାଇଁ ତଥା ଅନ୍ୟ ପରିଜନ। ସ୍ଥାନୀୟ ପରମ୍ପରାନୁଯାୟୀ ଓଟ ପିଠିରେ ବସି ପହଞ୍ଚିଥିଲା ବର। ସମସ୍ତ ବୈଦିକ ରୀତିନୀତିରେ ହୋଇଥିଲା ବିବାହ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ରାଜସ୍ଥାନର କରୌଲି ଜିଲାର କୁଡଗାଓଁରେ ଘଟିଛି ଏପରି ବିବାହ।

ପ୍ରଥମ ଦରମା  ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ପ୍ରଥମ ଦରମା ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ତଥା ବିଜ୍ଞାନ ଲେଖକ ଡା. ଦ୍ୱିଜେଶ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଢେଙ୍କାନାଳ ଜିଲା ଧଳପୁର ନିକଟ ଶାଆନ୍ଦା ଗାଁରେ ମୋର ଜନ୍ମ। ସ୍ଥାନୀୟ ବି.ବି. ହାଇସ୍କୁଲ୍‌ରୁ ୧୯୬୦ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଅନୁଗୋଳ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିଲି। ତା’ପରେ ବୁର୍ଲା ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ପଢ଼ି ସେଠାରେ ବର୍ଷେ ଇଣ୍ଟର୍ନଶିପ୍‌ ବି କରିଥିଲି। ଏହି ସମୟରେ ମୋତେ ଶହେ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା, ଯାହା ନିଜ ଖର୍ଚ୍ଚରେ ସରି ଯାଉଥିଲା। ଇଣ୍ଟର୍ନଶିପ୍‌ ପରେ, କାମାକ୍ଷାନଗରର ଅଁଳାବେରଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୯୬୮ରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ପ୍ରଥମେ ଯୋଗ ଦେଇଥିଲି। ଦରମା ମିଳିଲା ୩୦୦ ଟଙ୍କା। ଏହି ଟଙ୍କାକୁ ବାପା, ମା’ଙ୍କୁ ଦେଇଥିଲି।

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ବିଏସ୍‌ସି ପାସ୍‌ ପରେ ସ୍ବାବଲମ୍ବୀ ହେବା ଲାଗି ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହି କାର୍ଯ୍ୟରେ ବାଧାବିଘ୍ନ ସାଙ୍ଗକୁ ପରିବାର ଭରଣପୋଷଣ ତାଙ୍କ ଦୁଶ୍ଚିନ୍ତା ବଢାଇ ଚାଲିଲା। ଅବଶ୍ୟ ଏହି ସମୟରେ ପ୍ରାଣୀଧନ ନିରୀକ୍ଷକ ରାଧାଗୋବିନ୍ଦ ପୁହାଣ ଓ ମତ୍ସ୍ୟ ବିଭାଗର ସୌରଭ କୁମାର ଦାସଙ୍କ ପ୍ରେରଣା ତାଙ୍କ ଜୀବନରେ ଏକ ନୂଆମୋଡ଼ ଆଣିଲା। ପ୍ରଥମେ ଜର୍ସି ଗାଈ ପାଳନ କଲେ। ସେଥିରୁ ଲାଭବାନ୍‌ ହେବା ପରେ ମାଛଚାଷରେ ମନ ବଳାଇଥିଲେ ସେ।

ଲଡୁ ବାବା

ଲଡୁ ବାବା

କାହିଁ କେଉଁ କାଳରୁ ଶ୍ରୀ ଶ୍ରୀ ଲଡୁକେଶ ମହେଶ ନୟାଗଡ଼ ଜିଲାର ଶରଣକୁଳଠାରେ ପୂଜା ପାଇ ଆସୁଛନ୍ତି। ସେ ଲଡୁକେଶ ବା ଲଡୁବାବା ନାମରେ ବି ବିଖ୍ୟାତ। ଲଡ଼ୁବାବା ଅଧା ବିଷ୍ଣୁ ଓ ଅଧା ଶିବଙ୍କ ଅବତାର। ହରିହର ସମ୍ବଳିତ ଲଡୁବାବାଙ୍କର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଅର୍ଦ୍ଧ ଚନ୍ଦ୍ର। ଗୋଟିଏ ପଟେ ତୁଳସୀ ଲାଗି ହେଉଥିବାବେଳେ ଅନ୍ୟପଟେ ଲାଗି ହୋଇଥାଏ ବେଲପତ୍ର। ତେଣୁ ଶୈବଧର୍ମ ଓ ବୈଷ୍ଣବ ଧର୍ମର ମହାମିଳନର ପରମ୍ପରା ସୃଷ୍ଟି କରୁଥିବା ଏହି ଶୈବପୀଠଟି ସମଗ୍ର ଓଡ଼ିଶାରେ ବିରଳ।

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ବେହେଲା ବାଦକ ଗୌରାଙ୍ଗ ଚରଣ ମୁଦୁଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ଜନତା ହାଇସ୍କୁଲରୁ ୧୯୭୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନିରାକାରପୁରସ୍ଥିତ କେବିଡିଏଭି କଲେଜରେ ଆଇ.ଏ. ପଢ଼ିଥିଲି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା ଯୋଗୁ ଆଉ ପଢ଼ିଲି ନାହିଁ। ଘରର ବଡ଼ପୁଅ ହୋଇଥିବାରୁ ରୋଜଗାର କରିବାକୁ ମନ ବଳାଇ କୁହୁଡ଼ିରେ ଥିବା ଜଣେ ଡାକ୍ତରଙ୍କ ପାଖରେ ଆସିଷ୍ଟାଣ୍ଟ ଭାବେ କାମ କଲି। ସେ ମୋତେ ମାସକୁ ୩୦୦ ଟଙ୍କା ଦରମା ଦେଲେ।

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

ନଦୀ ପାରହୋଇ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବିବାହ ରୋଶଣି ଆସେ। ବିଭିନ୍ନ ପାଟପଟୁଆରରେ ବର ଓ କନ୍ୟାପକ୍ଷ ଭାଗ ନେଇଥାନ୍ତି। ମାତ୍ର ବର ସାଜେ ଜଣେ ମାନବ, କିନ୍ତୁ ଦେବୀ ମା ହୁଅନ୍ତି କନିଆ । ହେଲେ ଏଠାର ପାରମ୍ପରିକ ପ୍ରଥା ଅନୁସାରେ କନ୍ୟାକୁ ବର ସ୍ପର୍ଶକରିବା ମାତ୍ରେ ସେ ଭସ୍ମ ହୋଇଯାଏ। ଏମିତି କିଛି ଧର୍ମବିଶ୍ୱାସ,ଲୋକକଥାରେ ପାଳିତ ହୁଏ ଦେବୀ-ମାନବଙ୍କ ଏକ ନିଆରା ବିବାହ ଉତ୍ସବ ।

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ଲଣ୍ଡନ: ସମଲିଙ୍ଗୀ ସମ୍ପର୍କ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଏନେଇ ସେମାନେ ୨୦୧୫ ମସିହାଠାରୁ ସର୍ଭେ ଜାରି ରଖିଥିଲେ। ସର୍ଭେ ସମୟରେ ସେମାନେ ହାଇସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ତଥା ସାମାଜିକ କ୍ଷେତ୍ରରେ ବିଭିନ୍ନ ବର୍ଗର ଓ ବୟସର କିଶୋର ଓ ବୟସ୍କଙ୍କୁ ଭେଟିଥିଲେ।

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର

ସହରର ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ନିରୋଳା, ଶାନ୍ତ ପରିବେଶରେ ଦିନଟିଏ ବିତାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲା ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି। କନ୍ଧମାଳ ଜିଲା ରାଇକିଆ ନିକଟରେ ରହିଛି ମଣ୍ଡାସୁର ଇକୋଟୁରିଜିମ। ଏହା ଏକ ସୁନ୍ଦର ହିଲଷ୍ଟେଶନ ଭାବେ ଗତ କିଛି ବର୍ଷ ହେଲା ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ମଣ୍ଡାସୁର କୁଟୀ ନାମରେ ବି ଏହା ପରିଚିତ। ଦୁଇ ପାହାଡ଼ର ମଧ୍ୟଭାଗ (ବିରାଟ ଗର୍ତ୍ତ)କୁ କୁଟୀ କୁହାଯାଇଥାଏ। ପ୍ରାକୃତିକ ଶୋଭା ରାଶିରେ ଭରପୂର ଏହି ସ୍ଥାନଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଯଥେଷ୍ଟ କ୍ଷମତା ରଖିଛି। ଏଠାରେ ସୁନ୍ଦର ପାହାଡ଼ ସାଙ୍ଗକୁ ଛୋଟ ଛୋଟ ଝରଣା ଏବଂ କାଠ ବଙ୍ଗଳା ଦେଖିବାର ସୁଯୋଗ ରହିଛି ା ବିଶେଷକରି ପିକ୍‌ନିକ୍‌ ପାଇଁ ଏଠି ଅଧିକ ଭିଡ଼ ହୋଇଥାଏ। ମଣ୍ଡାସୁରର ଅଳ୍ପ କିଛି ଦୂରରେ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅବସ୍ଥିତ।

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଜ୍ଞାନ ଲେଖକ ବିଧୁଭୂଷଣ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁରେ ମୋର ଜନ୍ମ। କ୍ଷେତ୍ରବାସୀ ଏମ୍‌.ଇ ସ୍କୁଲ୍‌ରେ ମାଇନର୍‌ ପଢି ପରେ ଜନତା ହାଇସ୍କୁଲ୍‌ରୁ ୧୯୬୧ରେ ମାଟ୍ରିକ୍‌ ପାସ୍‌ କରିଥିଲେ। ତା’ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ପ୍ରି-ୟୁନିଭର୍ସିଟି, ପ୍ରି-ପ୍ରଫେଶନାଲ୍‌ ଏବଂ ପରେ ବି.ଏସ୍‌ସି. ପଢିଥିଲି। ବି.ଏସ୍‌ସି. ପାସ୍‌ କରିବା ପରେ ୧୯୬୭ରେ ଜନତା ହାଇସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଲି। ଦରମା ୧୮୫ ଟଙ୍କା ଥିଲା। ପ୍ରଥମ ଦରମା ବାପା ନବକିଶୋର ପଟ୍ଟନାୟକ(ସେ ଏକାଧାରରେ ଜଣେ ଡାକ୍ତର, ଚିତ୍ରଶିଳ୍ପୀ, ବୈଜ୍ଞାନିକ, କବି, ଲେଖକ, ନାଟ୍ୟକାର, ଫଟୋଗ୍ରାଫର୍‌ ତଥା ସ୍ବାଧୀନତା ସଂଗ୍ରାମୀ ଥିଲେ।

ସମଲିଙ୍ଗୀ ସମ୍ପର୍କ ଜିନ୍‌ଗତ ପ୍ରବୃତ୍ତି

ସମଲିଙ୍ଗୀ ସମ୍ପର୍କ ଜିନ୍‌ଗତ ପ୍ରବୃତ୍ତି

ଓ୍ବାଶିଂଟନ: କିଛି ଦିନ ତଳେ ଅଷ୍ଟ୍ରେଲିଆରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଛି। ତେବେ ସମଲିଙ୍ଗୀ ସମ୍ପର୍କ ଏକ ଜିନ୍‌ଗତ ସମସ୍ୟା ବୋଲି ଗବେଷକ ସୂଚିତ କରିଛନ୍ତି। ଏପ୍ରକାର ପ୍ରବୃତ୍ତି ପିଢ଼ି ପରେ ପିଢ଼ି ମାତା ପତାଙ୍କଠାରୁ ସନ୍ତାନମାନଙ୍କ ପାଖକୁ ସ୍ଥାନାନ୍ତର ହୋଇଥାଏ।

ସୂଚନା ପ୍ରଯୁକ୍ତି ଉତ୍ପାଦ ବ୍ୟକ୍ତିଗତ ସମ୍ପର୍କକୁ ନଷ୍ଟ କରୁଛି

ସୂଚନା ପ୍ରଯୁକ୍ତି ଉତ୍ପାଦ ବ୍ୟକ୍ତିଗତ ସମ୍ପର୍କକୁ ନଷ୍ଟ କରୁଛି

ଟୋକିଓ: ଆଜିକାର ସୂଚନା ପ୍ରଯୁକ୍ତି ଉତ୍ପାଦ ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି କରୁଥିବା ଗବେଷକ କହିଛନ୍ତି। ଅତୀତର ପାରମ୍ପରିକ ଯୋଗାଯୋଗ ବ୍ୟବସ୍ଥା ପାରିବାରିକ ଜୀବନରେ ପରସ୍ପର ପାଇଁ ଅଧିକ ସମୟ ଉପଲବ୍ଧ କରାଉଥିଲା।