Dharitri News
ମେଟ୍ରୋ |

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ, ୩୧ ତାରିଖରେ ଗ୍ରହଣ ଯୋଗୁ ସକାଳ ୬ଟା ୨୬ ପରଠାରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ରହିବ। ତେଣୁ ନୀତିକୁ ସଅଳ କରିବା ଲାଗି ୩୦ ତାରିଖ ରାତ୍ର ୧୨ଟା ୨୦ରେ ଦ୍ୱାର ଫିଟିବ। ୧୨ଟା ୪୦ରେ ଭିତର ଶୋଧ, ୧୨ଟା ୫୦ରେ ମଙ୍ଗଳ ଆଳତି ଓ ମଇଲମ ହେବ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ି ସକାଳ ୬ଟା ୨୬ ପୂର୍ବରୁ ମଧ୍ୟାହ୍ନ ଧୂପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ମଧ୍ୟାହ୍ନ ଧୂପକୁ ସମୟ ନ ଥିବ ତେବେ ଭୋଗମଣ୍ଡପ ସରି ନୀତି ସେହିଠାରେ ଅଟକିବ। ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ହେବ। ଗ୍ରହଣ ଛାଡିଗଲା ପରେ ଯେଉଁଠାରୁ ନୀତି ଅଟକିଥିବ ସେହିଠାରୁ ଅନ୍ୟାନ୍ୟ ନୀତି ଚାଲିବ ଏବଂ ଗଜଉଦ୍ଧାରଣ ବେଶ ମଧ୍ୟ ହେବ। ଏଥିପାଇଁ ସମସ୍ତ ସେବାୟତ ସହଯୋଗ କରିବେ ବୋଲି କହିଥିଲେ। କେତେକ ନିଯୋଗ ଅଧିକ ସଂଖ୍ୟକ ସେବାୟତଙ୍କୁ ସାମିଲ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ, ଏସ୍‌ପି ଡା. ସାର୍ଥକ କୁମାର ଷଡ଼ଙ୍ଗୀ, ସୁରକ୍ଷା ପ୍ରଶାସକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ମେଟ୍ରୋ |

ଜଙ୍ଗଲକୁ ଫେରିଲା ଦନ୍ତା

ଜଙ୍ଗଲକୁ ଫେରିଲା ଦନ୍ତା

ଭୁବନେଶ୍ୱର, ୧୮।୨(ବ୍ୟୁରୋ)- ସହରକୁ ଚାଲିଆସିଥିବା ଦନ୍ତା ହାତୀ ୪ଦିନ ଧରି ବାଟବଣା ହେବା ପରେ ଶନିବାର ବିଳମ୍ବିତ ରାତିରେ ଜଙ୍ଗଲକୁ ଫେରିଛି। ଶନିବାର ଭୋର ସମୟରେ ହାତୀଟି ଜୟଦେବ ବାଟିକାରେ ପଶିଥିଲା। ସେଠାରେ ପ୍ରାୟ ରାତି ୧୧ଟା ପର୍ଯ୍ୟନ୍ତ ରହିଥିଲା। ଅନେକ ଥର ବାହାରକୁ ଆସି ଅନ୍ୟତ୍ର ଚାଲିଯିବାକୁ ଉଦ୍ୟମ କରିଥିଲେ ହେଁ ଲୋକଙ୍କ କୋଳାହଳ ଯୋଗୁ ଯାଇପାରି ନ ଥିଲା।

୧୯ରୁ ବାଙ୍ଗାଲୋରରେ ଭାଷା ସମ୍ମିଳନୀ

୧୯ରୁ ବାଙ୍ଗାଲୋରରେ ଭାଷା ସମ୍ମିଳନୀ

ଭୁବନେଶ୍ୱର, ୧୮।୨(ବ୍ୟୁରୋ)- ଭାଷାଗତ ସମାନତା ଓ ଅଧିକାର ପାଇଁ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସଂଗଠନ କନଫରେନ୍ସ ଫର୍‌ ଲାଙ୍ଗୁଏଜ୍‌ ଇକ୍ୱାଲିଟି ଆଣ୍ଡ ରାଇଟ୍ସ ପକ୍ଷରୁ ବାଙ୍ଗାଲୋରଠାରେ ଆସନ୍ତା ୧୯ ଓ ୨୦ ତାରିଖରେ ୨ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ‘ଭାଷା ସୁରକ୍ଷା ସମ୍ମିଳନୀ’ ସଭାପତି ତଥା ପୂର୍ବତନ ଏମ୍‌ପି ବୈଷ୍ଣବ ପରିଡ଼ା ଯୋଗଦେବେ। ବାଙ୍ଗାଲୋର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରେ ଭାଷାର ସୁରକ୍ଷା, ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ଭାରତର ବିଭିନ୍ନ ଭାଷା ଲାଗି ସୃଷ୍ଟି ହୋଇଥିବା ସମସ୍ୟା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭାଷା ନୀତି ତଥା ସମ୍ବିଧାନରେ ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଅଭାବ ସଂକ୍ରାନ୍ତରେ ୨ଦିନ ଧରି ଆଲୋଚନା କରାଯିବ।

ଟ୍ରେନ ଧକ୍କାରେ ବୃଦ୍ଧା ମୃତ

ଟ୍ରେନ ଧକ୍କାରେ ବୃଦ୍ଧା ମୃତ

ସାକ୍ଷୀଗୋପାଳ, ୧୮।୨(ଡି.ଏନ.ଏ.): ତାଳଚେର-ପୁରୀ ଟ୍ରେନ ଧକ୍କାରେ ସାକ୍ଷୀଗୋପାଳ ରେଳଷ୍ଟେଶନ ନିକଟ ରତ୍ନଚିରା ନଦୀ ବ୍ରିଜ ଉପରେ ରବିବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ସତ୍ୟବାଦୀ ଥାନା ସୁଆଲୋଁ ଗ୍ରାମର ଚନ୍ଦ୍ରକାନ୍ତି ନାୟକ ହୋଇଥିବା ଜଣାପଡିଛି। ଜିଆରପି ଥାନା ପୋଲିସ ୧୨।୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମାର୍ଚ୍ଚ ୯ ଯାଏ ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ ସ୍ଥଗିତ

ମାର୍ଚ୍ଚ ୯ ଯାଏ ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଦଶଦିନ ଧରି ୭ ଦଫା ଦାବିନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା। ରବିବାର ସରକାରଙ୍କଠାରୁ ୬ଟି ଦାବି ପୂରଣ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସାମୂହିକ ଭାବେ ସ୍ଥଗିତ ରଖିବା ପାଇଁ ମିଳିତ ଶିକ୍ଷକ ମଞ୍ଚ ନିଷ୍ପତ୍ତି ନେଇଛି।

ବରିଷ୍ଠ ନାଗରିକଙ୍କୁ ଶ୍ରୀମନ୍ଦିର ବୁଲାଇଲା ଏବିଭିପି

ବରିଷ୍ଠ ନାଗରିକଙ୍କୁ ଶ୍ରୀମନ୍ଦିର ବୁଲାଇଲା ଏବିଭିପି

ପୁରୀ ଅଫିସ, ୧୮।୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପ୍ରତ୍ୟେକଙ୍କ ଇଚ୍ଛା ଥାଏ। ଆର୍ଥିକ ଦୃଷ୍ଟିକୋଣରୁ ଅନେକେ ଶ୍ରୀକ୍ଷେତ୍ର ଆସିପାରି ନ ଥାନ୍ତି। ଏହି ବରିଷ୍ଠ ନାଗରିକଙ୍କୁ ସହଯୋଗର ହାତ ବଢ଼ାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଉକ୍ତ ଛାତ୍ର ସଂଗଠନର ଷ୍ଟୁଡେଣ୍ଟ ଫର୍‌ ସେବା (ଏସ୍‌ଏଫ୍‌ଏସ୍‌) ରବିବାର ୭୦ଜଣ ବରିଷ୍ଠ ନାଗରିକଙ୍କୁ ପୁରୀ ଆଣି ମହାପ୍ରଭୁଙ୍କୁ ଦର୍ଶନ କରାଇଛି।

୪ ଭାରତୀୟ ପଙ୍କୁଆ କଇଁଛ ଉଦ୍ଧାର

୪ ଭାରତୀୟ ପଙ୍କୁଆ କଇଁଛ ଉଦ୍ଧାର

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମରୁ ରବିବାର ୪ଟି ଭାରତୀୟ ପଙ୍କୁଆ କଇଁଛ ଉଦ୍ଧାର କରାଯାଇଛି। କଇଁଛ ସବୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨ ଅନୁଯାୟୀ ତଫସିଲ ୧ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି।

ବାଇକ୍‌ ଉପରେ ଚଢ଼ିଗଲା ଟୁରିଷ୍ଟ ବସ୍‌, ଯୁବକ ମୃତ

ବାଇକ୍‌ ଉପରେ ଚଢ଼ିଗଲା ଟୁରିଷ୍ଟ ବସ୍‌, ଯୁବକ ମୃତ

ପୁରୀ ଅଫିସ/ବ୍ରହ୍ମଗିରି, ୧୮।୨(ଡି.ଏନ୍‌.ଏ.): ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟୁରିଷ୍ଟ ବସ୍‌ ବାଇକ୍‌ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସେଳିସାହି ଥାନା ଅଧୀନ ହାତୀକୁଞ୍ଜ ଲେନ୍‌ର ଦେବାଶିଷ ମହାପାତ୍ର(୩୦)।

ଚିଲିକା ବଞ୍ଚାଅ ଅଭିଯାନ ଆରମ୍ଭ

ଚିଲିକା ବଞ୍ଚାଅ ଅଭିଯାନ ଆରମ୍ଭ

ବ୍ରହ୍ମଗିରି,୧୮।୨(ଡି.ଏନ୍‌.ଏ): ସଂପ୍ରତି ଚିଲିକାର ଜୈବ ବିବିଧତା ନଷ୍ଟକୁ ନେଇ ରବିବାର ସାତପଡ଼ାଠାରେ ଚିଲିକା ବଞ୍ଚାଅ ଅଭିଯାନର ଗଣସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ରାଜଧାନୀରୁ ୨ ସ୍କୁଲ ଛାତ୍ରୀ ଅପହରଣ ଘଟଣା: ୨୦ ଦିନ ପରେ ବି ପତ୍ତା ମିଳୁନି

ରାଜଧାନୀରୁ ୨ ସ୍କୁଲ ଛାତ୍ରୀ ଅପହରଣ ଘଟଣା: ୨୦ ଦିନ ପରେ ବି ପତ୍ତା ମିଳୁନି

କଟକରୋଡ଼,୧୮।୨(ଡି.ଏନ୍‌.ଏ.): ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ୨ ସ୍କୁଲ ଛାତ୍ରୀ ଅପହରଣ ହୋଇଥିବା ଅଭିଯୋଗକୁ ୨୦ ଦିନ ବିତିଥିଲେ ମଧ୍ୟ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ପରିବାରଲୋକେ ଏ ନେଇ ଗତ ୩ ତାରିଖରେ ଡିସିପିଙ୍କ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନି।

ରାଜଧାନୀ ଛାଡ଼ିଲା ଦନ୍ତା, ଲୋକେ ଆଶ୍ୱସ୍ତ

ରାଜଧାନୀ ଛାଡ଼ିଲା ଦନ୍ତା, ଲୋକେ ଆଶ୍ୱସ୍ତ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଭରତପୁର ଜଙ୍ଗଲରୁ ଭୁବନେଶ୍ୱର ଭିତରକୁ ଚାଲିଆସିଥିବା ଦନ୍ତା ହାତୀ ଶନିବାର ମଧ୍ୟରାତ୍ରରେ ସହର ଛାଡିଛି। ହାତୀଟି ଜୟଦେବ ବାଟିକାରୁ ବାହାରି ଖଣ୍ଡଗିରିବାରି ଦେଇ ଶ୍ୟାମପୁର ନୂଆଗାଁ ହୋଇ ଚନ୍ଦକା ଅଭୟାରଣ୍ୟକୁ ଯାଇଥିବା ଜଣାପଡିଛି।

ଚିଟ୍‌ଫଣ୍ଡ ମାମଲା: ୩୦ ସଂସ୍ଥାକୁ ନୋଟିସ

କଟକ ଅଫିସ, ୧୭।୨- ଚିଟ୍‌ଫଣ୍ଡ ମାମଲାରେ ଶନିବାର ଜଷ୍ଟିସ୍‌ ମଦନମୋହନ ଦାସ ତଦନ୍ତ କମିଶନ ୩୦ଟି ସଂସ୍ଥାକୁ କ୍ଷୂଦ୍ର ଜମାକାରୀଙ୍କ ସମ୍ପର୍କରେ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛନ୍ତି। ଉକ୍ତ ସଂସ୍ଥାଗୁଡିକର ପାଖାପାଖି ୩୦ହଜାରରୁ ଊର୍ଦ୍ଧ୍ୱ କ୍ଷୂଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍‌, ଆଇକୋର୍‌ ସର୍ଭିସ ଭଳି ଅନେକ ସଂସ୍ଥା ରହିଛି। ସୂଚନା ଥାଉକି, କମିଶନ ତାଙ୍କର ତଦନ୍ତ ଜାରି ରଖିଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କୁ ୪ଟି ରିପୋର୍ଟ ପ୍ରଦାନ କରିଛନ୍ତି। ୫ମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୂଦ୍ର ଜମାକାରୀ(୧୦ହଜାର ଟଙ୍କାରୁ କମ) ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ଠିକାଦାରଙ୍କୁ ଦାଦାବଟି ମାଗି ସିରିଜ ବୋମା ମାଡ଼

କଟକ ଅଫିସ, ୧୭।୨- ଜଗତପୁର ଥାନା ଅନ୍ତର୍ଗତ ଚାହାପଡ଼ା ନିକଟସ୍ଥ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଶନିବାର ସିରିଜ ବୋମାମାଡ଼ ହୋଇଛି। କେନାଲ ବନ୍ଧ ମରାମତି କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କୁ କେତେଜଣ ଦୁବୃର୍ତ୍ତ ଦାଦାବଟି ମାଗିଥିଲେ। ହଠାତ୍‌ ମୁହଁରେ କପଡ଼ା ବାନ୍ଧିଥିବା ୨ଜଣ ଦୁବୃର୍ତ୍ତ ଏକ ମୋଟରସାଇକେଲରେ ଆସି ପୃଥକ ୩ଟି ସ୍ଥାନରେ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଠିକା କାର୍ଯ୍ୟରେ ନିୟୋଜିତ ବିଭିନ୍ନ ମେଶିନ ଉପରକୁ ମଧ୍ୟ ଏହି ବୋମାମାଡ଼ ହୋଇଥିଲା। ତେବେ ବୋମାମାଡ଼ରେ ସେପରି କ୍ଷୟକ୍ଷତି ଘଟିନାହିଁ। ଠିକାଦାରଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ବୋମାମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।