
ମେଲବୋର୍ନ,୧୪।୧(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍ ଖେଳାଳି ୟୁକି ଭାମ୍ବ୍ରି ଚଳିତ ସିଜନରେ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ଅଷ୍ଟେଲିଆନ୍ ଓପନ୍ ମେନ୍ ଇଭେଣ୍ଟରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ରାମକୁମାର ରାମନାଥନ ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ରବିବାର ଖେଳାଯାଇଥିବା ମୁକାବିଲାରେ ଭାମ୍ବ୍ରି କାନାଡାର ପିଟର ପୋଲାନ୍ସ୍କିଙ୍କୁ ୧-୬, ୬-୩, ୬-୩ ସେଟ୍ରେ ହରାଇ ଦେଇଛନ୍ତି। ଏହି ବିଜୟ ପାଇଁ ତାଙ୍କୁ ପ୍ରାୟ ୨ ଘଣ୍ଟା କାଳ ସଂଘର୍ଷ କରିବାକୁ ପଡ଼ିଛି। ପ୍ରଥମ ସେଟ୍ରେ ଶୋଚନୀୟ ଭାବେ ପରାଜିତ ହେବା ପରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ୨ୟ ସେଟ୍କୁ ଜିତି ମ୍ୟାଚ୍କୁ ବରାବରସ୍ଥିତିକୁ ଆଣିଥିଲେ। ପରବର୍ତ୍ତୀ ତଥା ଅନ୍ତିମ ସେଟ୍କୁ ଜିତି ୨୫ ବର୍ଷୀୟ ଖେଳାଳି କ୍ୟାରିୟରରେ ୩ୟ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ପୂର୍ବରୁ ସେ ୨୦୧୫ ଓ ୨୦୧୬ ସଂସ୍କରଣରେ ମୁଖ୍ୟ ପର୍ଯ୍ୟାୟରେ ଖେଳିଥିଲେ। ଉଭୟ ଥର ତାଙ୍କୁ ପ୍ରଥମ ରାଉଣ୍ଡରେ ଯଥାକ୍ରମେ ଆଣ୍ଡି ମୁରେ ଓ ଟୋମାସ ବର୍ଡିଚ ହରାଇ ଦେଇଥିଲେ। ଅନ୍ୟପକ୍ଷରେ କ୍ୟାରିୟରରେ ପ୍ରଥମ ଥର କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବା ପାଇଁ ଅପେକ୍ଷା କରିଥିବା ରାମକୁମାର ଏଥର ମଧ୍ୟ ବିଫଳ ହୋଇଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡରେ ୧-୬, ୬-୪, ୪-୬ ସେଟ୍ରେ କାନାଡାର ଭାସେକ ପୋସ୍ପିସିଲଙ୍କଠାରୁ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି। ଏହା ତାଙ୍କ କ୍ୟାରିୟରରେ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ।