
ଭୁବନେଶ୍ୱର, ୧୩।୧(ବ୍ୟୁରୋ): କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଭାଜପା। ଶନିବାର ଏନେଇ ଦଳୀୟ କାର୍ଯ୍ୟାଳୟେରେ ଖବରଦାତା ସମ୍ମିଳନୀ କରି ଭାଜପାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ସୀମା ବିବାଦ ଦୂର କରିବାପାଇଁ କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି। ମୁଖ୍ୟମନ୍ତ୍ରୀ ସର୍ବୋଚ୍ଚ ଶାସନକର୍ତ୍ତା ହୋଇ ମଧ୍ୟ ସେଠାକୁ ଗସ୍ତ ନ କରିବା ଦୁର୍ଭାଗ୍ୟଜନକ। ଭୁବନେଶ୍ୱରରେ ବସିଲେ ସେ ସମସ୍ୟା ସମାଧାନ ହୋଇପାରିବ ନାହିଁ। ଭାଜପାର ଏହିଭଳି ଅଭିଯୋଗ ପରେ ପ୍ରତିକ୍ରୀୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି, ସେଠାରେ ଭୋଟରକାର୍ଡ ଥିବା ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। ପାଖାପାଖି ୨୦ଟି ଯୋଜନା ସେଠାରେ କାର୍ଯ୍ୟକାରୀ ହେଉଛି। ସୀମା ବିବାଦ ପ୍ରସଙ୍ଗଟି ସୁପ୍ରିମକୋର୍ଟରେ ରହିଛି। ତେଣୁକରି ଏପର୍ଯ୍ୟନ୍ତ ତାହା ସମାଧାନ ହୋଇପାରିନାହିଁ। ଭବିଷ୍ୟତରେ ତାହା କିଭଳି ଭାବେ ସମ୍ପୂର୍ଣ୍ଣଭାବେ ଓଡ଼ିଶାର ହୋଇପାରିବ ତଥା ସେଠାରେ ଆନ୍ଧ୍ରର ଅନୁପ୍ରବେଶ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।