
ଭୁବନେଶ୍ୱର,୧୨।୧(ବ୍ୟୁରୋ): ଯେତେବେଳେ କୌଣସି ପ୍ରସଙ୍ଗ ନ ଥାଏ ସେତେବେଳେ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରିଥାନ୍ତି। ଏଥିରେ କୌଣସି ନୂତନତ୍ୱ ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ସଚିବାଳୟରେ ଖବରଦାତାମାନେ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତ ଏବଂ ଅନ୍ୟ ଦୁଇନେତା ତୃତୀୟ ମହଲାକୁ ଟାର୍ଗେଟ କରିବା ନେଇ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ସେ ଏଭଳି ମନ୍ତବ୍ୟ ରଖିବା ସହ ଯାହା ଦଳ ପାଇଁ ଠିକ୍ ହେବ, ସେହି ନିଷ୍ପତ୍ତି ନିଆଯିବ। ମୁଁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ। ଲୋକଙ୍କୁ ଏହା ଭଲଭାବେ ଜଣା ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏହାପରେ ବୈଜୟନ୍ତ ଟୁଇଟର ଜରିଆରେ ଉଲ୍ଲେଖ କରିଛନ୍ତି, ମୁଁ ଅତ୍ୟନ୍ତ ମର୍ମାହତ। ଦୁର୍ନିତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେତେବେଳେ ବିଜୁ ବାବୁ ପ୍ରଶ୍ନ କରିଥିଲେ, ତାଙ୍କ ପାଖରେ କ’ଣ କୌଣସି ପ୍ରସଙ୍ଗ ନ ଥିଲା? ଯଦି କିଛି ପ୍ରସଙ୍ଗ ନ ଥିଲା ତେବେ ମାହାଙ୍ଗାରେ କାହିଁକି ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିଲେ? ମୁଁ କ’ଣ ମାହାଙ୍ଗାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି କିଁ ? ମୁଁ କ’ଣ ମୋର କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ କରୁ ନ ଥିଲି କି? ମୋ ଦଳର ନେତା ଏନେଇ ଅନୁଧ୍ୟାନ କରନ୍ତୁ ବୋଲି ବୈଜୟନ୍ତ କହିଛନ୍ତି। ପ୍ରକାଶ ଯେ, ଗୁରୁବାର କେନ୍ଦ୍ରାପଡା ଏମ୍ପି ବୈଜୟନ୍ତ ପଣ୍ଡା ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲିର ଏକ ପାଣିଟାଙ୍କି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସଚିବାଳୟର ତୃତୀୟ ମହଲାର ଅଫିସରଙ୍କୁ ଉପଲକ୍ଷ୍ୟ କରି ମନ୍ତବ୍ୟ ଦେଇଥିଲେ।