Dharitri News
ଖେଳ |

ପ୍ରଥମ ଦିବସରେ ବୋଲରଙ୍କ ଆଧିପତ୍ୟ

ପ୍ରଥମ ଦିବସରେ ବୋଲରଙ୍କ ଆଧିପତ୍ୟ କେପ୍‌ ଟାଉନ୍‌,୫ା୧(ପି.ଟି.)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଶୁକ୍ରବାର ଏଠାରେ ଆରମ୍ଭ ହୋଇଛି। ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡ ପିଚ୍‌ରେ ପ୍ରଥମ ଦିବସରେ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୩ଟି ଉଇକେଟର ପତନ ହୋଇଥିବାବେଳେ ଷ୍ଟ୍ରାଇକ୍‌ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଆକର୍ଷଣୀୟ ବୋଲିଂ କରି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବ୍ୟାଟିଂରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଛନ୍ତି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଅବଶ୍ୟ ଭାରତୀୟ ଦଳକୁ ସୁହାଇଥିଲା। ଭୁବନେଶ୍ୱରଙ୍କୁ ଅନ୍ୟ ବୋଲର ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ। ଯାହା ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୭୩.୧ ଓଭରରେ ୨୮୬ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଭାରତ ଅନୁରୂପ ଭାବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧୧ ଓଭରରେ ୩ ଉଇକେଟ ହରାଇ ୨୮ ରନ ସଂଗ୍ରହ କରିଛି। ହାତରେ ୭ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଆହୁରି ୨୫୮ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୫ ଓ ରୋହିତ ଶର୍ମା ବିନା ସ୍କୋରରେ ଅପରାଜିତ ରହିଛନ୍ତି। ଓପନର ମୁରଲୀ ବିଜୟ ୧ ରନ କରି ଭେର୍ନନ ଫିଲାଣ୍ଡରଙ୍କ ଦ୍ୱାରା ପ୍ରଥମେ ଆଉଟ ହୋଇଥିଲେ। ଏହା ପରେ ଅନ୍ୟତମ ଓପନର ଶିଖର ଧାଓ୍ବନ ୧୬ ରନ କରି ଅଭିଜ୍ଞ ଡେଲ ଷ୍ଟେଇନଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ହନିମୁନ୍‌ରୁ ଫେରିଥିବା ଅଧିନାୟକ ବିରାଟ କୋହଲି ଚମକ ଦେଖାଇବାରେ ବିଫଳ ହୋଇଛନ୍ତି। ସେ ମାତ୍ର ୫ ରନ କରିଥିବା ବେଳେ ପୁରୁଣା ତ୍ରୁଟି ଦୋହରାଇ ଅଫ୍‌ ଷ୍ଟମ୍ପ ବାହାରର ବଲ ଖେଳିବାକୁ ଯାଇ ମର୍ନେ ମୋର୍କେଲଙ୍କ ବଲରେ ଉଇକେଟ କିପର କ୍ୱିଣ୍ଟନ ଡି’କକ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଛନ୍ତି। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା। ଦଳ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା ଓ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟିଥିଲା। ମାତ୍ର ୧୨ ରନରେ ଘରୋଇ ଦଳ ପ୍ରଥମ ୩ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଭୁବନେଶ୍ୱରଙ୍କ ସୁଇଂ ଓ ବାଉନ୍ସକୁ ବୁଝିବାରେ ଘରୋଇ ଦଳର ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ପ୍ରଥମ ଓଭରର ତୃତୀୟ ବଲରେ ଓପନର ଡିନ୍‌ ଏଲଗାର ଖାତା ଖୋଲିବା ପୂର୍ବରୁ ଉଇକେଟ କିପର ରିଦ୍ଧିମାନ ଶାହଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ଦ୍ୱିତୀୟ ଓଭରରେ ଏଡେନ ମାରକ୍ରାମ୍‌ ୫ ରନ କରିଥିବା ବେଳେ ଭୁବନେଶ୍ୱରଙ୍କ ଦ୍ୱାରା ଏଲବିଡବ୍ଳ୍ୟୁ ହୋଇ ଆଉଟ୍‌ ହୋଇଥିଲେ। ଏହା ପରେ ପାଳି ପଡିଥିଲା ଅଭିଜ୍ଞ ହାସିମ ଅମଲାଙ୍କର। ଅମଲା ମାତ୍ର ୩ ରନ କରିଥିବା ବେଳେ ଅଫ୍‌ ଷ୍ଟମ୍ପ ବାହାର ବଲ୍‌କୁ ଖେଳିବାକୁ ଯାଇ ରିଦ୍ଧିମାନଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟ ଯୋଡିରେ ଅଧିନାୟକ ଫାଫ୍‌ ଡୁପ୍ଲେସି ଓ ଅଭିଜ୍ଞ ଏବି ଡି’ଭିଲର୍ସ ଲଢୁଆ ବ୍ୟାଟିଂ କରି ୧୧୪ ରନ ସଂଗ୍ରହ କରିବା ସହ ସ୍ଥିତି ସମ୍ଭାଳିଥିଲେ। ଡି’ଭିଲର୍ସ ୬୫ ରନ କରିଥିବା ବେଳେ ନବାଗତ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଡୁପ୍ଲେସି ମଧ୍ୟ ଏହା ପରେ ବେଶି ସମୟ ତିଷ୍ଠି ପାରି ନ ଥିଲେ। ସେ ୬୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ରିଦ୍ଧିମାନଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକ୍‌ ୪୩ ରନ କରିଥିବା ବେଳେ ଭୁବନେଶ୍ୱରଙ୍କ ଚତୁର୍ଥ ଶିକାର ହୋଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଟେଲଏଣ୍ଡରମାନେ ଭଲ ଲଢ଼େଇ କରିଥିଲେ। ଫିଲାଣ୍ଡର ୨୩ ରନ କରି ମହମ୍ମଦ ସାମିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଷଷ୍ଠ ଉଇକେଟ ଯୋଡିରେ ଫିଲାଣ୍ଡର ଓ ଡି’କକ୍‌ ୬୦ ରନ ସଂଗ୍ରହ କରିଥିଲେ। କେଶବ ମହାରାଜ ୩୫ ରନ କରି ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଶେଷରେ କାଗିସୋ ରାବାଡ଼ା ଓ ମର୍ନେ ମୋର୍କେଲ ଯାଥାକ୍ରମେ ୨୬ ଓ ୨ ରନ କରି ଅଭିଜ୍ଞ ସ୍ପିନର ଅଶ୍ୱିନଙ୍କ ଶିକାର ହୋଇଥିଲେ। ଡେଲ ଷ୍ଟେଇନ ୧୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଭୁବନେଶ୍ୱର ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଅଶ୍ୱିନ ୨ଟି, ସାମି, ବୁମରା ଓ ପାଣ୍ଡ୍ୟା ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଯଶପ୍ରୀତି ବୁମରା ଏହି ମ୍ୟାଚରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳି ନ ଥିଲା। ବଦଳରେ ଇନ୍‌ ଫର୍ମ ରୋହିତ ଶର୍ମାଙ୍କ ଉପରେ ଅଧିନାୟକ ଓ କୋଚ୍‌ ଅଧିକ ଭରସା କରିଥିଲେ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଖେଳ |

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ୍‌, ୨୪।୨(ପି.ଟି.)- ଦମ୍‌ଦାର ବିଜୟ ସହ ଭାରତ ତା’ର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି। ଟେଷ୍ଟ ସିରିଜ ପରାଜୟକୁ ପଛରେ ପକାଇ ଭାରତ ଉଭୟ ଦିନିକିଆ ଓ ଟି୨୦ ସିରିଜ୍‌କୁ ହାତେଇ ନେଇଛି। ଦିନିକିଆ ସିରିଜକୁ ୫-୧ ଓ ପରେ ଟି୨୦ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଏଥି ସହିତ ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଦୁଇଟି ସିରିଜରେ ବାଜି ମାରିଛି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ଭାରତ ୭ ରନରେ ବିଜୟୀ ହୋଇଛି। ଏହି ଗ୍ରୀନ୍‌ ପିଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଜବାବରେ ଘରୋଇ ଦଳ ୬ ଉଇକେଟ ହରାଇ ୧୬୫ ରନରେ ସୀମିତ ରହି ମ୍ୟାଚ ହାତଛଡା କରିଥିଲା। ଦ୍ରୁତ ୪୩ ରନ କରିବା ସହ ଡେଭିଡ ମିଲରଙ୍କୁ ଆଉଟ କରିଥିବା ସୁରେଶ ରାଇନା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ବେଶ୍‌ ପ୍ରଭାବୀ ବୋଲିଂ କରିଥିବା ଭୁବନେଶ୍ୱର କୁମାର ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ମେଲବୋର୍ନ, ୨୪।୨(ପି.ଟି.)- ଭାରତୀୟ ମହିଳା ଜିମ୍ନାଷ୍ଟ ଅରୁଣା ବୁଡ୍ଡା ରେଡୀ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଜିମ୍ନାଷ୍ଟିକ୍‌ ବିଶ୍ୱକପ୍‌ରେ ବ୍ୟକ୍ତିଗତ ପଦକ ହାସଲ କରିଛନ୍ତି। ଶନିବାର ସେ ମହିଳା ଭଲ୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି।

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

କେପ୍‌ ଟାଉନ୍‌, ୨୪ା୨ (ପି.ଟି.)- ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ୫୪ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତିନେଇଛି।

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

ଦୁବାଇ, ୨୪ା୨ (ପି.ଟି.)-କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ କରାଯାଇଛି।

କ୍ୱାର୍ଟରରେ ଓଡ଼ିଶା ପୁରୁଷ, ମହିଳା ଦଳ

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ଲାଥୁରଠାରେ ଚାଲିଥିବା ୧୯ତମ ସିନିୟର ଟେନିସ ଭଲିବଲ (ପୁରୁଷ/ମହିଳା) ପ୍ରତିଯୋଗିତାରେ ଓଡ଼ିଶା ଡବଲ ବିଜୟ ହାସଲ କରିଛି। ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟ ସହ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ସୋଫିଆ(ବୁଲଗେରିଆ),୨୪।୨(ପି.ଟି.)- ଚଳିତ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟର୍ନୁାମେଣ୍ଟରେ ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ ବ୍ରୋଞ୍ଜ ପଦକଧାରୀ ସୀମା ପୁନିଆ ମହିଳା ବିଭାଗର ୮୧ କିଗ୍ରାରୁ ଅଧିକ ବର୍ଗର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରେ ଖେଳାଯାଇଥିବା ସେମିଫାଇନାଲରେ ସୀମା ବାଇ ପାଇ ସ୍ବର୍ଣ୍ଣ ପଦକ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି।

ସୁଇସ୍‌ ଓପନ୍‌: ସେମିରେ ସମୀର

ସୁଇସ୍‌ ଓପନ୍‌: ସେମିରେ ସମୀର

ବାସେଲ (ସୁଇଜରଲାଣ୍ଡ),୨୪।୨(ପି.ଟି.)- ଭାରତୀୟ ଶଟଲର ସମୀର ବର୍ମା ଏଠାରେ ଚାଲିଥିବା ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ସୁଇଓ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ସେ ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ୨ୟ ର଼୍ୟାଙ୍କଧାରୀ ଜାପାନିଜ୍‌ ଖେଳାଳି କେଣ୍ଟୋ ମୋମୋତାଙ୍କୁ ୨୧-୧୭, ୨୧-୧୬ ଗେମ୍‌ରେ ହରାଇଛନ୍ତି।

ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌: ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୨୩।୨- ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ୩ୟ ଜାତୀୟ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୭ ଉଇକେଟରେ ତାମିଲନାଡୁକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ତାମିଲନାଡୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୧୫ ଓଭରରରେ ୮ ଉଇକେଟ ହରାଇ ୧୨୨ରନ୍‌ କରିଥିଲା। ଜବାବରେ ଘରୋଇ ଓଡ଼ିଶା ୩ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ସୋଫିଆ (ବୁଲ୍‌ଗେରିଆ), ୨୩।୨(ପି.ଟି.)- ଏଠାରେ ଚାଲିଥିବା ୬୯ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ମହିଳା ୪୮ କିଗ୍ରା ବର୍ଗରେ ଭାରତର ଏମ୍‌.ସି. ମେରିକମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ପ୍ରାକ୍ତନ ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ବିକାଶ କ୍ରିଷ୍ଣା (୭୫ କିଗ୍ରା) ଓ ଗୌରବ ସୋଲାଙ୍କି (୫୨ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଷ୍ଟର ଟ୍ରେନର ଟ୍ରେନିଂରେ ୫୨ ଜଣ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ତରଫରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ଜଣ ବାଳିକା ୧୧ଟି ଜିଲାରୁ ଭାଗ ନେଇଥିଲେ।

କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ: ଫାଇନାଲରେ ରାଜକନିକା

ଭଦ୍ରକ ଅଫିସ,୨୩।୨ ପୁରୁଣା ବଜାର କେଜିଏନ୍‌ ଟ୍ରଷ୍ଟ (ବାଙ୍କାବଜାର) ଆନୁକୂଲ୍ୟରେ ମହାବୀର ପଡ଼ିଆଠାରେ ଚାଲିଥିବା କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ରାଜକନିକାର ଏସ୍‌ଏନ୍‌ କ୍ଲବ୍‌ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଏସ୍‌ଏନ୍‌ କ୍ଲବ୍‌ ୨-୧ ଗୋଲରେ ବିଗ୍‌ବସ୍‌ କ୍ଲବ୍‌ ରୁପ୍‌ସାକୁ ପରାସ୍ତ କରି ଏହି ସଫଳତା ପାଇଛି।

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବାଙ୍ଗାଲୋର,୨୩।୨(ପି.ଟି.) ବେଙ୍ଗାଲୁରୁ ଏଫ୍‌ସି ଦଳର ସ୍ପାନିଶ ଖେଳାଳି ଇଡୁ ଗାର୍ସିଆ ଆଗାମୀ ଦିନରେ ଚାଇନିଜ୍‌ ଲିଗ୍‌ ଓ୍ବାନ ସାଇଡ୍‌ର ଝେଜିଆଙ୍ଗ ଲୁଚାଙ୍ଗ ଦଳ ପକ୍ଷରୁ ଖେଳିବେ। ଏ ନେଇ ଉଭୟ ଦଳ ମଧ୍ୟରେ ଶୁକ୍ରବାର ଚୁକ୍ତି କରାଯାଇଛି। ଏଥିସହ ଦେଶର ପ୍ରଥମ କ୍ଲବ ଭାବେ ବେଙ୍ଗାଲୁରୁ ଏଫ୍‌ସି ବିଦେଶୀ ଦଳ ସହ ଖେଳାଳି ଆଦନପ୍ରଦାନ କରିଛି। ଚଳିତ ବର୍ଷର ଲିଗ୍‌ ଓ୍ବାନ ସିଜନ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି।