
ଢେଙ୍କାନାଳ ଅଫିସ, ୩।୧-ବଦଳିବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସ, ସପ୍ତଶଯ୍ୟାର ରୂପରେଖ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଉଭୟ ସ୍ଥାନରେ ଭିତ୍ତିଭୂମିର ବିକାଶ ହେବ। ଏଥିପାଇଁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ସବୁଜିମାଘେରା ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଉକ୍ତ ଦୁଇ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଏଥିନିମନ୍ତେ ଅର୍ଥର ମଧ୍ୟ ଅଭାବ ନାହିଁ। କେବଳ ଜଙ୍ଗଲ ଆଇନ ପ୍ରତିବନ୍ଧକ ସାଜିଥିବା ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦୁଇଦିନ ତଳେ ଜିଲାପାଳ ସପ୍ତଶଯ୍ୟା ପରିଦର୍ଶନ କରି ଏହାର ଭିତ୍ତିଭୂମି ପରଖିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ରବିବାର ଜିଲା ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ଏବଂ ଉପଜିଲାପାଳ ଶିଳ୍ପା ଶର୍ମା ମଧ୍ୟ କପିଳାସ ଏବଂ ସପ୍ତଶଯ୍ୟାର ପରିପାର୍ଶ୍ୱିକ ଅଞ୍ଚଳ ପରିଦର୍ଶନ କରିଛନ୍ତି।
ବଣଭୋଜି ପାଇଁ ୧୯୯୯ରେ ସପ୍ତଶଯ୍ୟାରେ ପିଣ୍ଡି ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି। ପିଣ୍ଡିଗୁଡ଼ିକର ମରାମତି କରାଯିବ। ମହିଳାମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ହେବ। ଏହାର ପଲିଥିନ ଓ ପ୍ଲାଷ୍ଟିକ୍ ଭଳି ବର୍ଜ୍ୟବସ୍ତୁ କବଳରୁ ମୁକ୍ତ ରଖାଯିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି କପିଳାସରେ ପରିବେଶ ସୁରକ୍ଷା ପାଇଁ ଆଉଟ୍ସୋର୍ସିଂ କରି ସଫେଇ କାର୍ଯ୍ୟ କରାଯିବ। ପୀଠ ସମେତ ସମଗ୍ର ଅଞ୍ଚଳକୁ ପଲିଥିନମୁକ୍ତ କରାଯିବ। ପାଦ ଚଲା ରାସ୍ତାରେ ପ୍ରକୃତିକୁ ଉପଭୋଗ କରିବେ ପର୍ଯ୍ୟଟକ। ଏଥିପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମହିମା ଧର୍ମର ଆଦିପୀଠ ତପୋବନଠାରୁ କପିଳାସ ଯାଏ ଏକ ରାସ୍ତା ନିର୍ମାଣ କରାଯିବ। ଗୋବିନ୍ଦପୁରସ୍ଥିତ ଯୋରନ୍ଦା ରୋଡ ରେଳଷ୍ଟେଶନ ଦେଇ କୁକୁଡାଝରଠାରେ ଢେଙ୍କାନାଳ-ଯୋରନ୍ଦା ଓ କପିଳାସ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଉନ୍ନତୀକରଣ ମଧ୍ୟ କରାଯିବ। ଫଳରେ ଭୁବନେଶ୍ୱର ଓ କଟକ ଆଡୁ ଆସୁଥିବା ଯାତ୍ରୀମାନେ ଏହି ରାସ୍ତାଦେଇ ସୁବିଧାରେ ଯୋରନ୍ଦା ଓ କପିଳାସରେ ପହଞ୍ଚତ୍ପାରିବେ। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରିବାକୁ ଉଭୟ ସ୍ଥାନରେ ଟ୍ରେକିଂ ବ୍ୟବସ୍ଥା ପାଇଁ ଯୋଜନା ଚାଲିଥିବା ଜିଲାପାଳ ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ କୁହନ୍ତି, କପିଳାସ ଓ ସପ୍ତଶଯ୍ୟାରେ ପର୍ଯ୍ୟଟନର ବିକାଶ ପାଇଁ ଯଥେଷ୍ଟ ଭିତ୍ତିଭୂମି ରହିିଛି। ଅର୍ଥର ଅଭାବ ନାହିଁ। କେବଳ ଜଙ୍ଗଲ ଆଇନ ଯୋଗୁ କିଛିଟା ପ୍ରତିବନ୍ଧକ ରହିଛି। ଏ ସଂକ୍ରାନ୍ତରେ ଭିତ୍ତିଭୂମି ପରଖି ରିପୋର୍ଟ ପ୍ରଦାନ କରିବା ପାଇଁ ଡିଏଫ୍ଓ ଓ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।