
ରସୁଲପୁର,୩।୧(ଡି.ଏନ୍.ଏ.)-
ରସୁଲପୁର ବ୍ଲକ ପରିବା ଚାଷ ପାଇଁ ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ଚାଷୀମାନଙ୍କୁ ସହାୟତା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ସମସ୍ୟା ଘେରରେ ଗତି କରୁଛି। ଫଳରେ ବିଭାଗ ସ୍ଥାଣୁ ପାଲଟିଛି। ବ୍ଲକକୁ ଆସୁଥିବା ସରକାରୀ ଅର୍ଥ ବାଟମାରଣା ହେଉଛି। ଏହାଦ୍ୱାରା ବିଭାଗ ଅଧୀନରେ ଥିବା ୨୮ଟି ପଞ୍ଚାୟତର ଚାଷୀ ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରସୁଲପୁର ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକୁ ଆରମ୍ଭରୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ଏହାକୁ ନେଇ ବିଦ୍ୟୁତ୍ ବିଭାଗ ଓ ଉଦ୍ୟାନ ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ବିଦ୍ୟୁତ୍ ବିନା ବିଭାଗର ଭିତ୍ତିଭୂମି ଭୁଶୁଡି ଯାଇଛି । ସରକାରଙ୍କ ଫଳ ଓ ପନିପରିବା ପାଇଁ ଲାଗୁ ହୋଇଥିବା ଯୋଜନା ଅନୁଯାୟୀ ବିଭାଗ ନର୍ସରୀ ଜରିଆରେ ଉନ୍ନତ କିସମର ଚାରା ଚାଷୀଙ୍କୁ ଯୋଗାଇ ଦେବାର ନିୟମ ରହିଛି । ପାଣି ଅଭାବରୁ ନର୍ସରୀ କରାଯାଇ ପାରୁନାହିଁ। ବିଦ୍ୟୁତ୍ ନ ଥିବାରୁ ସରକାରୀ ପାଣିପମ୍ପ କାମରେ ଆସୁନାହିଁ। ନର୍ସରୀ ପାଇଁ ଆସିଥିବା ତାର ଜାଲି, ଫ୍ରେମ୍, ଜଳ ସିଞ୍ଚନ ଯନ୍ତ୍ର ଆଦି ନଷ୍ଟ ହୋଇଗଲାଣି । ନର୍ସରୀ ଚତୁଃପାର୍ଶ୍ୱରେ ପାଚେରି ନ ଥିବାରୁ ବୁଲା ଗୋରୁଙ୍କ ପାଇଁ ଚରାଭୂଇଁ ପାଲଟିଛି ।
ଏଠାରେ ଜଣେ ଓଭରସିଅର ଓ ୨ଜଣ ଉଦ୍ୟାନ ସାଥୀ କାର୍ଯ୍ୟ କରୁଛନ୍ତି। ସରକାରୀ କର୍ମଚାରୀ କହିଲେ କେବଳ ଜଣେ ମାତ୍ର ଅଧିକାରୀ ଏହି କାର୍ଯ୍ୟାଳୟକୁ ସମ୍ଭାଳିଛନ୍ତି ।ସହକାରୀ ଉଦ୍ୟାନ ଅଧିକାରୀ ୨ବର୍ଷରୁ ଊର୍ଦ୍ଧ୍ୱ ହେବ କାର୍ଯ୍ୟରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ସ୍ଥାନ ଏଯାବତ୍ ଖାଲି ପଡ଼ିଛି। ଜଣେ ଅଧିକାରୀ ୩ଟି ଲେଖାଏଁ ବ୍ଲକ ଦାୟିତ୍ୱରେ ଅଛନ୍ତି। ଫଳରେ ବିଭାଗୀୟ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଛି। ଏଠାରେ ୨ଜଣ ଉଦ୍ୟାନ ସଂପ୍ରସାରଣ କର୍ମଚାରୀ ରହିବାର ନିୟମ ଥିଲେ ମଧ୍ୟ କାର୍ଯ୍ୟାଳୟ ଆରମ୍ଭରୁ କେହି ଯୋଗ ଦେଇନାହାନ୍ତି । ତେବେ ଏହି ବିଭାଗରେ ବିନା କର୍ମଚାରୀରେ ଚାଲୁଛି ବୋଲି ମନେ କରାଯାଉଛି। ଏହାଛଡା କେନ୍ଦ୍ର ସରକାରଙ୍କ ମହାମତ୍ାଗାନ୍ଧୀ ନିଶ୍ଚିତ ଗ୍ରାମୀଣ ଜାତୀୟ କର୍ମନିଯୁକ୍ତି ଯୋଜନାରେ କାଜୁ, ଆମ୍ବ, କଦଳୀ ଆଦି ଫଳ ଚାଷ କଲେ ଚାଷୀଙ୍କୁ ଏକର ପିଛା ୪୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବା ସହ ଚାଷ ପାଇଁ ସମସ୍ତ ଗଛକୁ ମାଗଣାରେ ଯୋଗାଇ ଦିଆଯିବା ଏଠି ପ୍ରହସନ ପାଲଟିଛି। କର୍ମଚାରୀଙ୍କ ଅଭାବ ଯୋଗୁ ଚାଷୀଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇ ପାରୁନାହିଁ । କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଉପାଦେୟ ପରାମର୍ଶ ଦିଆଯାଇ ପାରୁନାହିଁ । ଫଳରେ ଚାଷୀ ସଚେତନ ଅଭାବରୁ ରିହାତି ଦରରେ ମିଳୁଥିବା ସରକାରୀ ବିହନ ବିଭାଗ ନିକଟରୁ ନେବାର ସୁଯୋଗ ହାତଛଡା କରୁଛନ୍ତି ।
ଅନ୍ୟପକ୍ଷରେ ମଞ୍ଜି ବଜାରରୁ ଚଢାଦରରେ କିଣି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କ କ୍ଷୟକ୍ଷତିକୁ ଠିକ୍ ଭାବରେ ଆକଳନ କରାଯାଇ ପାରୁନାହିଁ । ଏଠାରେ ବିଭାଗ ଥାଇ ବି ନ ଥିଲା ଭଳି ମନେ ହେଉଛି । ଏ ଦିଗରେ ବାରମ୍ବାର ଅଭିଯୋଗ କଲେ ବି କୌଣସି ଫଳ ମିଳୁ ନାହିଁ ।
ଏ ସମ୍ପର୍କରେ ଓଭରସିଅର ଭାସ୍କର ସାହୁଙ୍କୁ ପଚାରିବାରେ କାର୍ଯ୍ୟାଳୟରେ ଥିବା ସମସ୍ତ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଉପରୁ ଅନୁମତି ମିଳିଲେ କାର୍ଯ୍ୟକାରୀ ହେବ। କର୍ମଚାରୀ ଅଭାବରୁ ଅନେକ ଚାଷୀଙ୍କ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ ବୋଲି କହିଛନ୍ତି।