
ବାରିପଦା ଅଫିସ,୧।୧- ବାରିପଦା ଟାଉନଥାନା ଅଧୀନ ୮ନମ୍ବର ୱାର୍ଡ ଦେଉଳସାହି ଅଞ୍ଚଳର ଜଣେ ମହିଳାଙ୍କ ମୃତଦେହ ମଙ୍ଗଳବାର ହେମସାଗର ପୋଖରୀରୁ ଉଦ୍ଧାର ହୋଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚତ୍ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ବାରିପଦା ଟାଉନ ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (ନଂ୨/୧୮) ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ମୃତା ମହିଳା ଜଣଙ୍କ ହେଉଛନ୍ତି, ୱାର୍ଡନମ୍ବର ୮ ଦେଉଳସାହି ଅଞ୍ଚଳର କୁନି ମହାଭୋଇ(୩୫)।
ସୂଚନା ଅନୁସାରେ,ମଙ୍ଗଳବାର ଭୋର ସମୟରେ ଦେଉଳସାହି ଅଞ୍ଚଳର କୁନି ହେମସାଗର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ। ପରେ ସକାଳେ ସ୍ଥାନୀୟ ଲୋକେ ପାଣିରେ ଏକ ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖି ଦମକଳ ବାହିନୀ ଓ ଟାଉନଥାନାକୁ ଖବର ଦେଇଥିଲେ। ଏହାପରେ ଏହି ମୃତଦେହ କୁନିଙ୍କ ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ଏହା ହତ୍ୟା ନା ଦୁର୍ଘଟଣା ସେ ନେଇ ପୋଲିସ ତଦନ୍ତ କରୁଛି। ପ୍ରକାଶ ଯେ, ମୃତା ମହିଳାଙ୍କ ସ୍ବାମୀ ନିରଞ୍ଜନ ମହାଭୋଇଙ୍କର ଗତ କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା। କୁନି ତାଙ୍କର ଗୋଟିଏ ଝିଅ ଓ ପୁଅକୁ ନେଇ ରହୁଥିଲେ। ଏବେ କୁନିଙ୍କର ମୃତ୍ୟୁ ହୋଇଯିବାରୁ ତାଙ୍କର ଦୁଇଟି ସନ୍ତାନ ଅନାଥ ହୋଇଯାଇଛି।