କୁନ୍ଦୁରା୨।୧(ଡି.ଏନ.ଏ.)-କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ ଥିବା ପଞ୍ଚାୟତ ସଦର ମହକୁମାରେ ବିଭିନ୍ନ ସମୟରେ ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଉଛି। ଜମିରେ ଏବେ ଚାଷୀ ହଳ ଲଙ୍ଗଳ ପରିବର୍ତ୍ତେ ଟ୍ରାକ୍ଟରରେ ଲଙ୍ଗଳ ଲଗାଇ ଚାଷ କରୁଛି । ନିୟମାନୁସାରେ ଟ୍ରାକ୍ଟରରେ ଲଙ୍ଗଳ ଏବଂ ଲୁହାଚକ କେବଳ ଜମି ଭିତରକୁ ନେଇ ଲଗାଇବେ ଏବଂ ହଳ କରିବା ଶେଷ ହେଲେ ଜମିରେ ଖୋଲି ଘରକୁ ଆଣିବେ । ମାତ୍ର କୁନ୍ଦୁରା- ଜୟପୁର ବ୍ଲକକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଜମିଗୁଡିକରେ ଚାଷ ପରେ ଏହି ଲୁହାଚକ ନ ଖୋଲି ରାସ୍ତା ଉପରେ ଆଣୁଥିବା ଦେଖିବାକୁ ମିଳୁଛି। ଫଳରେ ଫଳରେ ରାସ୍ତାଗୁଡିକ ନଷ୍ଟ ହୋଇଯାଉଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଡଙ୍ଗରପାଉଁସୀ ଛକଠାରୁ ଫୁପୁଗାଁ, ସାଗରଗୁଡାଠାରୁ ଦିଗାପୁର ଏଭଳି ଅନେକ ରାସ୍ତା ରହିଛି। ଏଠାରେ ଟ୍ରାକ୍ଟର ମାଲିକମାନେ ଆଇନ ଉଲ୍ଲଂଘନ କରିଚାଲିଛନ୍ତି । ବ୍ଲକ ପ୍ରଶାସନ, ଥାନା, ପୂର୍ତ୍ତବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଏଥିପ୍ରତି ସଚେତନ କରାଇବା ଲାଗି କୌଣସି ପଦକ୍ଷେପ ନେଉନାହାନ୍ତି । ଏ ନେଇ କୁନ୍ଦୁରା ଥାନାଧିକାରୀ ପୁଷ୍ପାଞ୍ଜଳି ମିଞ୍ଜିଙ୍କୁ ପଚାରିବାରୁ ସେ କହିଲେ ଯେ, ମୋ ଅଞ୍ଚଳର ଲହାଚକ ଲଗା ଟ୍ରାକ୍ଟର ଚାଲୁନାହିଁ । ସେହିଭଳି ଜୟପୁର ସଦର ଥାନା ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୋ ନଜରରେ ଏଭଳି କିଛି ଅଭିଯୋଗ ନାହିଁ ତଥାପି ମୁଁ ଏହିଭଳି କାର୍ଯ୍ୟ ଦେଖିବା ମାତ୍ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡକଗୁଡିକର ରକ୍ଷାଣବେକ୍ଷ ନେଇ କୁନ୍ଦୁରାଠାରେ ହୋଇଥିବା ଜିଲାପାଳଙ୍କ ସ୍ବତନ୍ତ୍ର ପ୍ରକୋଷ୍ଠରେ ଅଭିଯୋଗ ହେବା ପରେ ଜିଲାପାଳ ଅନୁପମ ଶାହା ଏ ଦିଗରେ ପଦକ୍ଷେପ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଇ ନ ଥିବା ଜଣାପଡିଛି।