
ଭଞ୍ଜନଗର,୧।୧(ଡି.ଏନ.ଏ.)-ଭଞ୍ଜନଗରରୁ ଦୁର୍ଗାପର୍ଯ୍ୟନ୍ତ ପର୍ଯ୍ୟନ୍ତ ଯାଇଥିତ୍ବା ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି। କାମ ନେଇଥିତ୍ବା ଠିକା କମ୍ପାନୀ ମନଇଛା ଗଛ କାଟି ଦେଉଥିବା ଅଭିଯୋଗ ହେଉଛି। ଏହାର ସୁଯୋଗ ନେଇ ସ୍ଥାନୀୟ ଲୋକେ ମଧ୍ୟ ରାସ୍ତା କଡ଼ରୁ ବେଆଇନ ଭାବେ ଆଉ କିଛି ଗଛ କାଟି ନେଉଛନ୍ତି । କିଛିଦିନ ପୂର୍ବେ ବନ ବିଭାଗ ପକ୍ଷରୁ ବେନିୟମ ଭାବେ ଜାତୀୟ ରାଜପଥରୁ କଟାଯାଇଥିବା କିଛି କାଠ ଜବତ ହୋଇଥିଲା। ତଥାପି ଗଛ କାଟିବା ବନ୍ଦ ହେଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କାଟିବା ବେଳେ ଯେଉଁ ସବୁ ନିୟମ ପାଳନ କରାଯିବା କଥା ତାହା ମଧ୍ୟ କରାଯାଉନାହିଁ। ଏ ନେଇ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବେଆଇନ ଭାବେ ଗଛ କାଟିବା ନେଇ ବର୍ତ୍ତମାନ ଆମ ପାଖରେ କୌଣସି ଖବର ନାହିଁ । ବନ ଉନ୍ନୟନ ନିଗମ ଅଧିକାରୀଙ୍କ ଉପସ୍ଥିତିରେ ଚିହ୍ନଟ ହୋଇଥିବା ଗଛକୁ କଟାଯାଉଛି। ଯଦି କୌଣସି ସ୍ଥାନରେ ବେଆଇନ ଭାବେ ଗଛ କଟାଯାଉଥିବା ଜଣାପଡ଼େ ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।