
ପୁରୀ ଅଫିସ, ୧।୧: ନବବର୍ଷର ସ୍ବାଗତ ଲାଗି ଚାରିଆଡେ ଉତ୍ସବମୁଖର। ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଅନ୍ୟପଟେ ପୁରୀ ସହରର ଶତାଧିକ ସ୍ବେଚ୍ଛାସେବୀ ନୂତନ ବର୍ଷକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି। ନାଚଗୀତର ଆୟୋଜନ ପରିବର୍ତ୍ତେ ବାର୍ତ୍ତା ଦେଇଛନ୍ତି ପରିବେଶ ସୁରକ୍ଷାର। ‘ଆସ ଆମେ ଏକ ହେବା, ମିଳିମିଶି ଚାରାଟିଏ ଲଗାଇବା’ ସ୍ଲୋଗାନ ଦେଇ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଚାରି ପାଚେରି କଡ଼ରେ ବିଭିନ୍ନ କିଶମର ଚାରା ରୋପଣ କରିଛନ୍ତି। ସ୍ଥାନୀୟ ସାହିଭାଇ, ନୀଳାଚଳ ସାଂସ୍କୃତିକ ପରିଷଦ, ୟୁଥ ଫର ନେଶନ, ଏସ୍ସିଏସ୍ କଲେଜର ଶତାଧିକ ଛାତ୍ର ଏବଂ ସ୍କୁଲ ଛାତ୍ର ଏଥିରେ ସାମିଲ ହୋଇ ଚାରା ରୋପଣ କରିଛନ୍ତି। ଏଥିସହ ମେଡ଼ିକାଲରେ ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି। କାର୍ଯ୍ୟକ୍ରମରେ ପ୍ରଫୁଲ ତ୍ରିପାଠୀ, ନାରାୟଣ ଦାଶ, ସତ୍ୟନାରାୟଣ ମିଶ୍ର, ବିଶ୍ୱଜିତ୍ ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ।