
ବ୍ରହ୍ମପୁର ଅଫିସ,୩୧।୧୨- ନୂଆବର୍ଷକୁ ସ୍ବାଗତ କରିବା ପାଇଁ ବ୍ରହ୍ମପୁର ସହର ଉତ୍ସବମୁଖର ହୋଇପଡ଼ିଛି।
ସବୁଆଡ଼େ ଚାଲିଛି ପାର୍ଟି ଏବଂ ସେଲିବ୍ରେସନ୍। କିଏ ହୋଟେଲ୍ରେ ତ ପୁଣି କିଏ କ୍ଲବରେ। ଆଉ କେତେକ ନିଜ ଘରେ।
ସାଙ୍ଗସାଥୀଙ୍କ ସହ ବୁଲିଯିବାକୁ ଆଉ କେହି କେହି ପସନ୍ଦ କରିଥାନ୍ତି। ତେବେ ତାହା ଯେଭଳି କାର୍ଯ୍ୟକ୍ରମ ହେଉନା କାହିଁକି, ସବୁଠି କିନ୍ତୁ ରହିଛି କେକ୍ର ଚାହିଦା। ନୂତନ ବର୍ଷର ପ୍ରଥମ ଦିନରେ କେକ୍ ଟିଏ କାଟି ପରିଜନଙ୍କୁ ଶୁଭେଚ୍ଛା ଜଣାଇବାର ପରମ୍ପରା ପୁରୁଣା। ଲୋକଙ୍କ ଚାହିଦାକୁ ଦେଖି ଏବେ କେକ୍ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି କାରିଗର। ସବୁ ବେକେରି ଚଳଚଞ୍ଚଳ। ଭିନ୍ନ ଡିଜାଇନ୍ ଏବଂ ଭିନ୍ନ ସ୍ବାଦର କେକ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବେକେରିଗୁଡ଼ିକ ମଧ୍ୟରେ ଚାଲିିଛି ପ୍ରତିଯୋଗିତା। ସୋମବାର ନୂଆବର୍ଷ ପଡ଼ୁଥିବାରୁ ନିରାମିଷ କେକ୍ର ଚାହିଦା ଅଧିକ ଦେଖାଦେଇଛି। ୨୦୦୫ ସୁଦ୍ଧା ସହରରେ ଥିଲା ୩ ବେକେରୀ। ୨୦୧୭ରେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି। ପ୍ରାୟ ୧୫କେକ୍ ଦୋକାନ ରହିଛି। ସମସ୍ତ ଦୋକାନରେ ଏବେ ବଡ଼ଦିନଠାରୁ ନୂଆବର୍ଷ ପର୍ଯ୍ୟନ୍ତ ବହୁ ପରିମାଣରେ କେକ୍ ବିକ୍ରି ପାଇଁ ରଖାଯାଇଛି। ଦୀର୍ଘ ୧୯ବର୍ଷ ହେଲା କେକ୍ ପ୍ରସ୍ତୁତ କରୁଥିବା କାରିଗର ଏ. ରାମୁ ରାଓ କୁହନ୍ତି, ସହରବାସୀ କେକ୍ର ସ୍ବାଦ ଏବଂ ସାଜସଜାକୁ ପସନ୍ଦ କରିଥାନ୍ତି। ବର୍ତ୍ତମାନ ବୁଲ୍ବେରି, ମ୍ୟାଙ୍ଗୋ, ମ୍ୟାଙ୍ଗୋ କ୍ରସ୍, ଷ୍ଟ୍ରବେରି କ୍ରସ୍, ଚକଲେଟ୍, ପାଇନ୍ଆପଲ୍, ଷ୍ଟ୍ରବେରି ଏବଂ ଭାନିଲା ଫ୍ଳେଭର୍ର କେକ୍ ପ୍ରସ୍ତୁତ କରାଯାଉଛି। ସବୁଠୁ ଅଧିକ ଆଗ୍ରହ ଚକୋଲେଟ୍ କେକ୍ ପ୍ରତି ଦେଖାଦେଉଛି। କ୍ରିମ୍ ସହ ସାଧାରଣ କେକ୍ର କିଲୋ ପିଛା ଦାମ୍ ୨୦୬ଟଙ୍କା ରହିଥିବା ବେଳେ ଏହାକୁ ସଜାଇ ବିକ୍ରି କରାଗଲେ ଦାମ୍ ୩୫୦ଟଙ୍କା ରହୁଛି। ସାଧାରଣ ଆଇସ୍ କେକ୍ର ଦାମ୍ କିଲୋ ପିଛା ୪୮୦ଟଙ୍କା ରହିଥିବା ବେଳେ ଏହାକୁ ସଜାଇଲେ କିଲୋ ପିଛା ଦାମ୍ ରହିଛି ୫୫୦ଟଙ୍କା। କ୍ରିମ୍ କେକ୍ଗୁଡ଼ିକ ୧୫ଦିନ ଏବଂ ଆଇସ୍ କେକ୍ଗୁଡ଼ିକ ୧୮ଦିନ ଯାଏ ରହିପାରିବ। ନୂଆବର୍ଷ ସୋମବାର ପଡ଼ୁଛି। ସେଥି ପାଇଁ ନିରାମିଷ କେକ୍ର ଚାହିଦା ଅଧିକ ରହିଛି। ୮୦ପ୍ରତିଶତ କେକ୍ ନିରାମିଷ ପାଇଁ ବରାଦ ରହିଥିବା ବେଳେ ଆମିଷ କେକ୍ର ବରାଦ ମାତ୍ର ୨୦ପ୍ରତିଶତ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।