ବୈପାରୀଗୁଡ଼ା,୩୧।୧୨( ଡି.ଏନ୍.ଏ.)- ଆ..ଆ..ଆ.. ଡାକ ଶୁଣି ପାହାଡ଼ ଉପରୁ ଧାଇଁ ଆସନ୍ତି ଦଳ ଦଳ ମାଙ୍କଡ଼। ଛୁଆଠାରୁ ବଡ଼ ମାଙ୍କଡ଼ ସମସ୍ତେ ଏଥିରେ ସାମିଲ ହୋଇଥାନ୍ତି। ମା’ ମାଙ୍କଡମାନେ କୁନି ଛୁଆକୁ ପେଟରେ ଜାବୁଡି ଧରି ଆସିଥାନ୍ତି। କାରଣ ଖାଇବାକୁ ମିଳିଥାଏ ଭଳିକି ଭଳି ପେଟପୂରା ଖାଦ୍ୟ ।
ଜିଲା ବୈପାରୀଗୁଡା ବାସିନ୍ଦା ଅନ୍ତର୍ଯ୍ୟାମୀ ପଟ୍ଟନାୟକ । ବହୁ ଦିନ ତଳୁ ଶିକ୍ଷକ ପଦବୀରୁ ଅବସର ନେଇ ସାରିଛନ୍ତି। ଅବସର ପରେ ନିଃସଙ୍ଗତାକୁ ଭୁଲିବା ପାଇଁ ମାଙ୍କଡ଼ମାନଙ୍କ ସହ ନିଆରା ସମ୍ପର୍କରେ ଯୋଡି ହୋଇଯାଆନ୍ତି । ରାତି ପାହିଲେ ମାଲକାନଗିରି ରାସ୍ତାରେ ଏଠାରୁ ପ୍ରାୟ ଦେଢ କି.ମି ଦୂର ପାହାଡ ନିକଟକୁ ଚାଲିଯାନ୍ତି। ଫଳମୂଳ, ବିସ୍କୁଟ, ପାଉଁରୁଟି, ଚଣା, ପନିପରିବା ଆଦି ସାମଗ୍ରୀ ବ୍ୟାଗରେ ଧରିଥାନ୍ତି। ସାଥିରେ ଥାଆନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ରାଜେନ୍ଦ୍ର ଗୌଡ । ପାହାଡ ପାଖରେ ପହଞ୍ଚତ୍ବା କ୍ଷଣି ଛୋଟ ପିଲାଙ୍କୁ ଡାକିବା ପରି ମାଙ୍କଡମାନଙ୍କୁ ଡାକିଥାନ୍ତି । କେତେକ ମାଙ୍କଡଙ୍କ ନାମକରଣ କରି ସେହି ନାମରେ ଡାକିଥାନ୍ତି । ତାଙ୍କ ଡାକିବା ସ୍ବର ସହ ମାଙ୍କଡମାନେ ଖୁବ୍ ଭଲ ଭାବରେ ପରିଚିତ । ଗୋଟିଏ ପଟେ ଜଙ୍ଗଲ କ୍ଷୟ ସାଙ୍ଗକୁ ଜଙ୍ଗଲୀ ଖାଦ୍ୟ ଅଭାବ ହେଉଥିବା ବେଳେ ଅନ୍ତର୍ଯ୍ୟାମୀଙ୍କ ବିଭିନ୍ନ ସ୍ବାଦିଷ୍ଠ ଖାଦ୍ୟ ମାଙ୍କଡ ପେଟ ଭରି ଦେଇଥାଏ। ଜଙ୍ଗଲୀ ପ୍ରାଣୀ ହେଲେ ବି ମଣିଷର ଭଲପାଇବା ପାଖରେ ସେମାନେ ଅତି ଆପଣାର ହୋଇଯାଆନ୍ତି। ଏ ସମ୍ପର୍କରେ ସେ କହନ୍ତି, ଖାଦ୍ୟ ଯୋଗାଡ କରିବାକୁ ତାଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡେ । ପ୍ରତିଦିନ ସନ୍ଧ୍ୟାରେ ବୈପାରୀଗୁଡା ବଜାରରେ ଥିବା ଫଳ ଦୋକାନ, ପରିବା ଦୋକାନ ଅଥବା ତେଜରାତି ଦୋକାନ ସହ ଯୋଗାଯୋଗ କରନ୍ତି । ସେସବୁ ଦୋକାନୀମାନଙ୍କଠାରୁ ଅଳ୍ପ ନଷ୍ଟ ହୋଇ ଆସୁଥିବା ଖାଦ୍ୟ ସଂଗ୍ରହ କରିଥାନ୍ତି। ଏହାବାଦ୍ ନିଜେ ଚଣା, ମିକ୍ସଚର ଓ ବିସ୍କୁଟ ମଧ୍ୟ କିଣିଥାନ୍ତିି । ସକାଳୁ ସକାଳୁ ଏ ସବୁ ଖାଦ୍ୟ ଧରି ବାହାରି ପଡନ୍ତି । ଏହା ତାଙ୍କର ନିତିଦିନିଆ କାମ ପାଲଟିଲାଣି। ସବୁ କାମକୁ ପଛରେ ପକାଇ ମାଙ୍କଡଙ୍କୁ ଖାଦ୍ୟ ଦେବା କାର୍ଯ୍ୟ ପ୍ରଥମେ କରିଥାନ୍ତି।