
ଚଣ୍ଡିଗଡ,୩୦।୧୨: ହରିୟାଣା ସୋନିପତର ଏକ ଘରୋଇ ହସ୍ପିଟାଲରେ ଜଣେ କାରଗିଲ ଶହୀଦଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ସୋନିପତ ନିକଟ ଏକ ଗାଁରେ ଶହୀଦ ଲକ୍ଷ୍ମଣ ଦାସଙ୍କ ବିଧବା ସ୍ତ୍ରୀ ଶକୁନ୍ତଳା କ୍ୟାନ୍ସରରେ ପୀଡିତ ଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପରିବାରବର୍ଗ ଆଣିଥିଲେ ସୁଦ୍ଧା ହସ୍ପିଟାଲରେ ତାଙ୍କୁ ଭର୍ତ୍ତିକରିପାରି ନ ଥିଲେ। କାରଣ ସେମାନଙ୍କ ପାଖରେ ଶକୁନ୍ତଳାଙ୍କ ଅରିଜିନାଲ ଆଧାର କାର୍ଡ ନ ଥିଲା। ମୋବାଇଲରେ ଥିବା ତାଙ୍କ ଆଧାର କାର୍ଡର ଇ-କପି ଓ ଆଧାର ନମ୍ବର ଦେଇଥିଲେ ମଧ୍ୟ ତାକୁ ଗ୍ରହଣ କରାଯାଇ ନ ଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସମୟରେ ଶକୁନ୍ତଳାଙ୍କର ମୃତ୍ୟୁ ଘଟିଥିଲା। ହେଲେ ହସ୍ପିଟାଲ କର୍ତ୍ତୁପକ୍ଷ ଏହି ଅଭିଯୋଗକୁ ଏଡାଇ ଯାଇଛନ୍ତି। ବରଂ ଶକୁନ୍ତଳାଙ୍କୁ ତାଙ୍କ ପରିବାରବର୍ଗ ନିଜ ଇଚ୍ଛାରେ ଅନ୍ୟତ୍ର ସ୍ଥାନାନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।