
ରାଉରକେଲା ଅଫିସ, ୨୯।୧୨-ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ଏବେ ଗରିବ ରୋଗୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ସରକାରୀ ଡାକ୍ତରଖାନାରେ ମାଗଣାରେ ସବୁ ସୁବିଧା ମିଳିବ ବୋଲି ଗରିବ ରୋଗୀମାନେ ଏଠାକୁ ଧାଇଁ ଆସୁଛନ୍ତି। ହେଲେ ଏଠାରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କ ଚିକିତ୍ସା କରୁନାହାନ୍ତି। ଫଳରେ ରୋଗୀଙ୍କ ମୃତ୍ୟୁ ଘଟୁଛି ବୋଲି ଅଭିଯୋଗ କରିଛନ୍ତି ଚିକିତ୍ସା ନ ପାଇ ଛଟପଟ ହୋଇ ଜୀବନ ହାରିଥିବା ଆଶିଷ ହାସଦାଙ୍କ ପରିବାର ଲୋକେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଆଶିଷଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାର ଡାକ୍ତର ଏଠାକୁ ରେଫର କରିଥିଲେ। ଏଠାରେ ଉନ୍ନତ ଚିକିତ୍ସା ମିଳିବ ବୋଲି ଭାବି ଆମେ ଆସିଥିଲୁ। କିନ୍ତୁ ୨୫ ତାରିଖରେ ଭର୍ତ୍ତି ହେବା ପରଠାରୁ ହିଁ ଏଠାରେ ଗରିବ ରୋଗୀଙ୍କ ଉପରେ ଅବହେଳା ଆରମ୍ଭ ହୋଇଯାଇଥିଲା। ଆଶିଷ ଅକ୍ସିଜେନ ଆବଶ୍ୟକ କରୁଥିବାବେଳେ ସେପ୍ଟିକ ୱାର୍ଡରେ ଥିବା ସ୍ବାସ୍ଥ୍ୟକର୍ମୀ କିଛି ଶୁଣି ନ ଥିଲେ। ଖବରପାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପାର୍କର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ଏଥିରେ ହସ୍ତକ୍ଷେପ କରିଥିଲେ। ତେଣୁ ୧୫ ମିନିଟ୍ ପରେ ଅକ୍ସିଜେନ୍ ଲାଗିଥିଲା। ହେଲେ ଅନ୍ୟ କୌଣସି ସେବା ଯୋଗାଇ ଦିଆଯାଇ ନ ଥିଲା। ଏହା ପରେ ୩ ଦିନ ପର୍ଯ୍ୟନ୍ତ କେହି ଡାକ୍ତର ତାଙ୍କର ଚିକିତ୍ସା କରିବା ପାଇଁ ଆସି ନ ଥିଲେ। ଆରମ୍ଭରୁ ହିଁ ଅବହେଳା ଆରମ୍ଭ ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ଚିକିତ୍ସା ନ ପାଇ ଶୁକ୍ରବାର ଭୋରରେ ଆଶିଷ ଆଖି ବୁଝି ଦେଇଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଏଠାରେ ନିଯୁକ୍ତି ପାଇଥିବା କେତେଜଣ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀର ଚିକିତ୍ସା କରିବାର ମାନସିକତା ନାହିଁ। ଫଳରେ ଆଶିଷଙ୍କ ମୃତ୍ୟୁ ଘଟିଲା ବୋଲି ସେମାନେ କହିଛନ୍ତି। ଆଶିଷଙ୍କ ମୃତ୍ୟୁ ହେବା ପରେ ସ୍ପାର୍କର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ପରିବାର ଲୋକେ ଉତ୍ତେଜିତ ହୋଇଥିଲେ। ମେଡିକାଲରେ ଉପସ୍ଥିତ ଥିବା ସ୍ପାର୍କର ସଦସ୍ୟ ହିମାଂଶୁ ନାୟକ ଓ ଶୁଭଶ୍ରୀ ନାୟକ କହିଛନ୍ତି, ଏଠାକୁ ଆସୁଥିବା ରୋଗୀମାନଙ୍କୁ ଡାକ୍ତର, ନର୍ସ ଓ ଅନ୍ୟମାନେ ଜାଣିଶୁଣି ଅବହେଳା କରୁଛନ୍ତି। ଏହାର କାରଣ ହେଉଛି, ଡାକ୍ତରଖାନା ନିକଟସ୍ଥ ସିଭିଲ ଟାଉନ୍ଶିପରେ ଛତୁ ଫୁଟିବା ଭଳି ଘରୋଇ ଡାକ୍ତରଖାନା ଓ ନର୍ସିଂ ହୋମ ଖୋଲିଲାଣି। ଏହି ନର୍ସିଂହୋମର ଲୋକମାନେ ଡାକ୍ତରଖାନା କ୍ୟାମ୍ପସରେ ବୁଲୁଛନ୍ତି। ତେଣୁ ରୋଗୀଙ୍କୁ ଅବହେଳା କରାଯିବାରୁ ସେମାନେ ବାଧ୍ୟହୋଇ ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି। ଏହି ସମୟରେ ରୋଗୀଙ୍କ ପାଖରେ ପହଞ୍ଚି ଯାଉଛନ୍ତି ନର୍ସିଂହୋମ ଓ ଘରୋଇ ଡାକ୍ତରଖାନାର ଲୋକ। ସେମାନେ ରୋଗୀଙ୍କୁ ସେଠାକୁ ନେଇ ଯାଉଛନ୍ତି। ଘରୋଇ ଡାକ୍ତରଖାନା, ନର୍ସିଂହୋମ ସହ ଡାକ୍ତରମାନଙ୍କର ଭଲ ସମ୍ପର୍କ ରହିଛି। ସେମାନଙ୍କୁ ରୋଗୀପିଛା କମିଶନ ମିଳୁଛି। ତେଣୁ ସେମାନେ ସରକାରୀ ଡାକ୍ତରଖାନା ପରିସରରେ ଘରୋଇ ଡାକ୍ତରଖାନାର ଲୋକଙ୍କ ବୁଲିବା ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି। ଏ ସମ୍ପର୍କରେ ଡାକ୍ତରଖାନାର ସିଏମ୍ଓ ଡା. ରାମଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଲେ, ଆଶିଷ ଗୁରୁତର ଅବସ୍ଥାରେ ଏଠାକୁ ଆସିଥିଲେ। ତାଙ୍କୁ ସେହି ୨୫ ତାରିଖରେ ହିଁ ବୁର୍ଲା ମେଡିକାଲକୁ ଆମେ ରେଫର କରି ଦେଇଥିଲୁ। ହେଲେ ଗରିବ ରୋଗୀ ହୋଇଥିବାରୁ ପରିବାର ଲୋକେ ବୁର୍ଲା ନେଇ ପାରି ନ ଥିଲେ। ଡାକ୍ତରଖାନା ପକ୍ଷରୁ କୌଣସି ଅବହେଳା ହୋଇନି ବୋଲି ସିଏମ୍ଓ ତାଙ୍କ ସଫେଇରେ କହିଛନ୍ତି। ପ୍ରକାଶ ଯେ, ସୁନ୍ଦରଗଡ଼ ଧରୁଆଡିହିର ଆଶିଷ ପ୍ରଥମେ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ୨୫ ତାରିଖରେ ଆରଜିଏଚ୍କୁ ରେଫର ହୋଇ ଆସିଥିଲେ।