Dharitri News
ସମ୍ପାଦକୀୟ |

ଆମ ସଂସ୍କୃତି ଓ ପ୍ରଣାମ

ଆମ ସଂସ୍କୃତି ଓ ପ୍ରଣାମ ଡ. ଭାଗ୍ୟଲିପି ମଲ୍ଲ ଆଗକୁ ଆସୁଛି ଇଂଲିଶ ନୂଆବର୍ଷ। ଉଚ୍ଚାଙ୍ଗ ନୃତ୍ୟ, ସଙ୍ଗୀତ ବା ଉଚ୍ଛୃଙ୍ଖଳ ଢଙ୍ଗରେ ଏ ନୂଆବର୍ଷକୁ ସ୍ବାଗତ କରିବା ଆମ ସଂସ୍କୃତିର ପରିଚାୟକ ନୁହେଁ। ଆମ ନୂଆବର୍ଷ, ପଣା ସଂକ୍ରାନ୍ତିରେ ଈଶ୍ୱରଙ୍କୁ ପ୍ରଣାମପୂର୍ବକ ସାରା ବର୍ଷ ପାଇଁ ଏ ଜାତିର ମଙ୍ଗଳ କାମନା କରୁ। ଏ ଖ୍ରୀଷ୍ଟୀୟ ନୂଆବର୍ଷ ପାଳନ ଭିତରେ ବି ସେହି କଥାଟିକୁ ଭୁଲିଯିବା ଉଚିତ ନୁହେଁ। ଏହି ଦିନରେ ଆମେ ଈଶ୍ୱରଙ୍କୁ ପ୍ରଣାମ ସହ ଗୁରୁଜନ ଓ ମାତାପିତାଙ୍କୁ ପ୍ରଣାମ କରି ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିନେବା ଉଚିତ। ପ୍ରଣାମର ମହତ୍ତ୍ୱ ଅନେକ। ଆମେ ଈଶ୍ୱର ତଥା ଗୁରୁ, ମାତାପିତା ଓ ଗୁରୁଜନଙ୍କୁ ପ୍ରଣାମ କରୁ। ପ୍ରଭାତରେ ‘କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ବତୀ, କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍‌’ ମନ୍ତ୍ରପାଠ ପୂର୍ବକ ହାତଯୋଡ଼ି ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ଶଯ୍ୟାତ୍ୟାଗ କରୁ। ଋଗ୍‌ବେଦରେ ଉଷାଙ୍କୁ ପ୍ରାତଃକାଳରେ ବନ୍ଦନା କରାଯାଇଛି। ତେଣୁ ଭାରତୀୟମାନଙ୍କ ଦିନ ଆରମ୍ଭ ହୁଏ ଉଷା ବନ୍ଦନାରୁ। ପରେ ପରେ ସ୍ନାନାନ୍ତେ ସୂର୍ଯ୍ୟଙ୍କୁ ଜଳଦାନ ସହ ପ୍ରଣାମ କରୁ। ମନ୍ତ୍ରପାଠ କରୁ-‘ଜବାକୁସୁମସଂକାଶଂ କାଶ୍ୟପେୟଂ ମହାଦ୍ୟୁତିମ୍‌। ଧ୍ୱାନ୍ତାରିଂ ସର୍ବପାପଘ୍ନଂ ପ୍ରଣତୋଽସ୍ମି ଦିବାକରମ୍‌।ା’ ପାପ ଏବଂ ଅନ୍ଧାରର ବିନାଶକାରୀ ସୂର୍ଯ୍ୟ। ତେଣୁ ଆମେ କହୁ- ହେ ଦିବାକର! ଆମ ପ୍ରଣାମ ଗ୍ରହଣ କର, ଆମ ଚେତନାକୁ ଆଲୋକିତ କର। ଆମର ସମସ୍ତ ପାପ ମୋଚନ କର। ରାତିରେ ଶୋଇବାବେଳେ ମଧ୍ୟ ଈଶ୍ୱରଙ୍କୁ ପ୍ରଣାମ ଜଣାଇ ଆମେ ନିଦ୍ରା ଯାଉ। ତେଣୁ ଆମ ଦିନ ଆରମ୍ଭ ହୁଏ ପ୍ରଣାମରୁ ଓ ଶେଷ ବି ହୁଏ ପ୍ରଣାମରେ। ପ୍ରଣାମ ଶବ୍ଦର ସୃଷ୍ଟି ପ୍ର-ପୂର୍ବକ ନମ୍‌ ଧାତୁରୁ। ନମ୍‌ ଅର୍ଥ ନଇଁବା। ଅର୍ଥାତ୍‌ ଶ୍ରଦ୍ଧାପୂର୍ବକ ଗୁରୁଜନଙ୍କୁ ନତି ସ୍ବୀକାର କରିବା। ତାଙ୍କର ଗୁଣାବଳୀକୁ ନିଜ ଭିତରେ ସମ୍ବର୍ଦ୍ଧିତ କରିବା- ”ପ୍ରଣାମେର୍‌ ଅର୍ଥ କି? ପ୍ରବୀଣେର୍‌ ଚଲନ ମାଥାୟ ରେଖୋ, ବାଡ଼ବେ ତାତେ ଧୀ।’ (ଅନୁଶ୍ରୂତି) ଗୁରୁଜନ ବା ପ୍ରବୀଣଙ୍କ ଚଳନକୁ ମଥାରେ ରଖିଲେ ହିଁ ଆମର ଧୀ ବା ବୁଦ୍ଧି ବଢ଼େ। ଏହାହିଁ ପ୍ରଣାମର ସାରତତ୍ତ୍ୱ। ତେବେ ପ୍ରଣାମ ଅନେକ ପ୍ରକାରର ଯଥା- ପଞ୍ଚାଙ୍ଗ ପ୍ରଣାମ (ଆଣ୍ଠୁ ମାଡ଼ି ମୁଣ୍ଡ ତଳେ ଲଗାଇ ପ୍ରଣାମ କରିବା), ସାଷ୍ଟାଙ୍ଗ ପ୍ରଣାମ (ଭୂମିରେ ଲମ୍ବ ହୋଇ ଶୋଇ ପ୍ରଣାମ କରିବା- ଏଥିରେ ଆଠଟି ଅଙ୍ଗ ଭୂମିରେ ଲାଗିଥାଏ), ଦୁଇ ହାତ ଯୋଡ଼ି ମୁଣ୍ଡରେ ଲଗାଇ ମୁଣ୍ଡ ନୁଆଁଇ ପ୍ରଣାମ କରିବା। ଏହାଛଡ଼ା ଗୁରୁ ବା ଇଷ୍ଟଙ୍କୁ କିଛି ଭେଟି ବା ପ୍ରଣାମି ଦେଇ ପ୍ରଣାମ କରିବାର ବିଧି ଅଛି। କୁହାଯାଏ, ନୀରବତାର ଭାଷା ସବୁଠାରୁ ଶକ୍ତିଶାଳୀ। ନୀରବତା ଭଳି ‘ପ୍ରଣାମ’ର ଭାଷା ମଧ୍ୟ ଅନୁରୂପ ଶକ୍ତିଶାଳୀ। ସୁନ୍ଦର ଉଦାହରଣ ରହିଛି ମହାଭାରତରେ। ମହାଭାରତ ଯୁଦ୍ଧ ସମୟର କଥା। ପିତାମହ ଭୀଷ୍ମଙ୍କୁ ଦୁର୍ଯ୍ୟୋଧନଙ୍କର କଟୁ ମନ୍ତବ୍ୟ-ପାଣ୍ଡବ ପକ୍ଷ ପାଇଁ ଭୀଷ୍ମ କାଳେ ସହାନୁଭୂତିଶୀଳ। ଦୁର୍ଯ୍ୟୋଧନଙ୍କ କଥାରେ କ୍ଷୁବ୍ଧ ହୋଇ ଭୀଷ୍ମ ଘୋଷଣା କଲେ- କାଲି ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ପାଣ୍ଡବମାନଙ୍କୁ ବଧ କରିବି। ଭୀଷ୍ମଙ୍କର ଏହି ଘୋଷଣା ପାଣ୍ଡବ ଶିବିରରେ କୋକୁଆ ଭୟ ସୃଷ୍ଟି କଲା। ବିଚଳିତ ଏବେ ପାଣ୍ଡବ, ବିଚଳିତ ଶ୍ରୀକୃଷ୍ଣ। କାରଣ ଭୀଷ୍ମଙ୍କର ଶକ୍ତି ସମସ୍ତଙ୍କୁ ଗୋଚର ଥିଲା। କୃଷ୍ଣ ଉପାୟ ପାଞ୍ଚତ୍ଲେ। ଦ୍ରୌପଦୀଙ୍କୁ ସାଙ୍ଗରେ ଡାକି ନେଲେ। ଦୁହେଁ ପହଞ୍ଚତ୍ଲେ ପିତାମହ ଭୀଷ୍ମଙ୍କ ଶିବିରରେ। ଦ୍ରୌପଦୀଙ୍କୁ କହିଲେ, ଭିତରକୁ ଯାଇ ପିତାମହଙ୍କୁ ପ୍ରଣାମ କର। ଦ୍ରୌପଦୀ ତାହା ହିଁ କଲେ। ତତ୍‌କ୍ଷଣାତ ଭୀଷ୍ମ ଦ୍ରୌପଦୀଙ୍କୁ ‘ଅଖଣ୍ଡ ସୌଭାଗ୍ୟବତୀ ଭବ’- ଏହି ଆଶୀର୍ବାଦ କରିବା ସହିତ କହିଲେ, ଶ୍ରୀକୃଷ୍ଣ ତୁମ ସହ ଆସିଛନ୍ତି ନିଶ୍ଚୟ! ଦ୍ରୌପଦୀ କହିଲେ- ହଁ, ସେ ବାହାରେ ଅପେକ୍ଷା କରିଛନ୍ତି। ଭୀଷ୍ମ କୃଷ୍ଣଙ୍କୁ ଭେଟିବାକୁ ବାହାରକୁ ଆସିଲେ। କହିଲେ- ମୋର ଗୋଟିଏ କଥାକୁ ମୋରି ପରବର୍ତ୍ତୀ କଥାରେ ହିଁ କାଟିଦେବାର କୌଶଳ କେବଳ ତୁମକୁ ଜଣା ଶ୍ରୀକୃଷ୍ଣ! ଆଉ କାହାକୁ ନୁହେଁ। ଶ୍ରୀକୃଷ୍ଣ ସେତେବେଳେ ଖାଲି ଟିକେ ମୁରୁକି ହସିଦେଲେ। ଶିବିରରୁ ଫେରିବା ବେଳେ ଦ୍ରୌପଦୀଙ୍କୁ ଶ୍ରୀକୃଷ୍ଣ କହିଲେ, ତୁମେ ମାତ୍ର ଥରେ ପିତାମହଙ୍କୁ ପ୍ରଣାମ କରିବା ଦ୍ୱାରା ତୁମ ପତିମାନଙ୍କର ଜୀବନ ବଞ୍ଚିଗଲା, ପାଣ୍ଡବକୁଳ ଆସନ୍ନ ବିପଦରୁ ରକ୍ଷା ପାଇଗଲେ। ଆଉ ଯଦି ପ୍ରତିଦିନ ତୁମେ ଭୀଷ୍ମ, ଧୃତରାଷ୍ଟ୍ର, ଦ୍ରୋଣାଚାର୍ଯ୍ୟ ପ୍ରମୁଖ ଗୁରୁଜନଙ୍କୁ ପ୍ରଣାମ କରନ୍ତ ଏବଂ ଦୁର୍ଯ୍ୟୋଧନ, ଦୁଃଶାସନ ଆଦି ଭାଇଙ୍କ ପତ୍ନୀମାନେ ପାଣ୍ଡବ ପକ୍ଷର ଗୁରୁଜନମାନଙ୍କୁ ପ୍ରଣାମ କରନ୍ତେ, ତା’ହେଲେ ହୁଏତ ମହାଭାରତ ଯୁଦ୍ଧର ଆବଶ୍ୟକତା ହିଁ ପଡ଼ି ନ ଥାନ୍ତା। ମହାଭାରତର ଏଇ କଥା ଆମ ବ୍ୟକ୍ତି ଓ ସମାଜ ଜୀବନରେ ଅନେକ ଗୁରୁତ୍ୱ ବହନ କରେ। କାରଣ ଆଜିର ସମାଜ ଓ ପରିବାରରେ ଅସ୍ଥିରତା ସମସ୍ତଙ୍କୁ ବ୍ୟଥିତ କରୁଛି। ଜାଣତ ବା ଅଜାଣତରେ ଘରର ଗୁରୁଜନମାନେ ଅବହେଳିତ ହେଉଛନ୍ତି। ଘରର ପିଲାମାନେ ଏବଂ ବୋହୂମାନେ ଯଦି ଗୁରୁଜନଙ୍କୁ ପ୍ରଣାମପୂର୍ବକ ସେମାନଙ୍କର ଆଶୀର୍ବାଦ ଲାଭ କରନ୍ତେ, ହୁଏତ ଏଭଳି ଅସ୍ଥିରତା ହ୍ରାସ ପାଆନ୍ତା। ବଡ଼ମାନଙ୍କର ଆଶୀର୍ବାଦ ସବୁବେଳେ କବଚ ଭଳି କାର୍ଯ୍ୟ କରିଥାଏ। ଘରର ପ୍ରତ୍ୟେକ ବ୍ୟକ୍ତି ଏହି ସଂସ୍କୃତିକୁ ପାଳନ କଲେ ଘର, ପରିବାର ଓ ସମାଜରେ ଶାନ୍ତି ବିରାଜମାନ କରିବ। ବଡ଼ମାନେ ମଧ୍ୟ ପିଲାମାନଙ୍କୁ ବୁଝେଇଦେବା ଜରୁରୀ ଯେ- ପ୍ରଣାମ ହେଉଛି ପ୍ରେମ, ପ୍ରଣାମ ଅନୁଶାସନ। ପ୍ରଣାମ ଆଦର ଶିଖାଏ। ପ୍ରଣାମ କରିବା ଦ୍ୱାରା ମନରେ ସୁବିଚାର ଆସେ। ପ୍ରଣାମ ନଇଁବା ଶିଖାଏ। ପ୍ରଣାମ କ୍ରୋଧ ଦୂର କରେ। ପ୍ରଣାମ ଲୁହ ପୋଛିଦିଏ। ପ୍ରଣାମ ଅହଂକାର ଧୋଇଦିଏ। ପ୍ରଣାମ ମଣିଷକୁ ମଣିଷ କରି ଗଢ଼ିତୋଳେ। ନିତ୍ୟ ପ୍ରଣାମ କରୁଥିବା ବ୍ୟକ୍ତିକୁ ଚାରୋଟି ଜିନିଷ ମିଳେ- ଆୟୁ, ବିଦ୍ୟା, ଯଶ ଓ ବଳ। ଶାସ୍ତ୍ରରେ ଅଛି- ”ଅଭିବାଦନଶୀଳସ୍ୟ ନିତ୍ୟଂ ବୃଦ୍ଧୋପସେବିନଃ। ଚତ୍ୱାରି ତସ୍ୟ ବର୍ଦ୍ଧନ୍ତେ ଆୟୁର୍ବିଦ୍ୟାଯଶୋବଳମ୍‌।“ ମୋ-୯୪୩୯୨୮୧୫୬୧

ସମ୍ପାଦକୀୟ |

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ଜୀବନ ସାଥୀ ବାଛିବା ଯେ କୌଣସି ସାବାଳକଙ୍କର ବ୍ୟକ୍ତିଗତ ପସନ୍ଦ। ତାହାକୁ ପ୍ରତିରୋଧ କରାଯିବାର ଅର୍ଥ ହେଉଛି ସଂପୃକ୍ତ ମହିଳା କିମ୍ବା ପୁରୁଷଙ୍କର ମୌଳିକ ଅଧିକାରର ଉଲ୍ଲଂଘନ । ଅନେକ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ ଏହିଭଳି ପସନ୍ଦର ବିବାହ ଆଗରେ ପ୍ରତିବନ୍ଧକ ହୋଇ ଛିଡାହେଉଛି । ପରିବାର ଏବଂ ସମାଜରୁ ବିରୋଧର ସ୍ବର ଶୁଣିବାକୁ ମିଳୁଛି। ଉତ୍ତରଭାରତର ବର୍ବର ସଂସ୍କୃତିର ଅନ୍ୟତମ ପରିଚୟ ଖାପ୍‌ ପଞ୍ଚାୟତ ଆନ୍ତଃଜାତି ବିବାହକୁ ସ୍ବୀକୃତି ଦେଉନାହିଁ । ଯାହା ଫଳରେ ଏହି ଅଣସ୍ବୀକୃତ ସଂସ୍ଥା ଦ୍ୱାରା ଆନ୍ତଃଜାତି ବିବାହ କରିବାକୁ ଯାଉଥିବା ମହିଳା ପୁରୁଷ ଦଣ୍ଡିତ ହେଉଛନ୍ତି। ସେହି ଦଣ୍ଡର ମାତ୍ରା ଅଧିକାଂଶ ସମୟରେ ଅତ୍ୟଧିକ ହୋଇପଡୁଛି। ସାଧାରଣତଃ ଝିଅର ପରିବାର ନବବିବାହିତ ଦମ୍ପତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପର୍ଯ୍ୟନ୍ତ କଥା ଯାଉଛି। ୨୦୧୮ ଜାନୁୟାରୀ ୧୬ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇ ଖାପ୍‌ ପଞ୍ଚାୟତ କିମ୍ବା କୌଣସି ସଂଗଠନର ଏଭଳି ଦଣ୍ଡବିଧାନକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ବର୍ଣ୍ଣନା କରିଛନ୍ତି । ....

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ଡ. ସନ୍ତୋଷ କୁମାର ମହାପାତ୍ର/ ବର୍ତ୍ତମାନ ଯେଉଁମାନେ ଦେଶରେ ଶାସନ କରୁଛନ୍ତି ଏବଂ ରାମମନ୍ଦିର କଥା ବାରମ୍ବାର କହୁଛନ୍ତି ସେମାନେ କାର୍ଯ୍ୟରେ ରାମଙ୍କ ଆଦର୍ଶ ଅନୁସରଣ କରୁନାହାନ୍ତି। ଅଧିକାଂଶ ଗଣମାଧ୍ୟମକୁ ନିଜ ସପକ୍ଷରେ ପ୍ରଚାର ପାଇଁ ଚାପ ସୃଷ୍ଟି କରୁଛନ୍ତି। ଏ କଥା ଆମେ କହୁନାହୁଁ। ‘ରିପୋର୍ଟର୍ସ ଉଇଦାଉଟ୍‌ ବୋର୍ଡର୍ସ’ (ଆର୍‌ଡବ୍ଲ୍ୟୁବି) ଦ୍ୱାରା ପ୍ରସ୍ତୁତ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ୨୦୧୭ରେ ଏହା ପ୍ରକାଶ ପାଇଛି। ଅତ୍ୟନ୍ତ ଚିନ୍ତାର ବିଷୟ ଗଣମାଧ୍ୟମରେ ସ୍ବାଧୀନତା ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୬, ଅର୍ଥାତ୍‌ ୧୩୫ଟି ଦେଶ ତଳେ। ଏହି ପ୍ରକ୍ରିୟାରେ ସମାଜର ଅବହେଳିତ ଜନତାଙ୍କ ସ୍ବର ନିଷ୍ପ୍ରଭ ହୋଇଯାଉଛି। ଧନିକ ଶ୍ରେଣୀ ପ୍ରଚୁର ସମ୍ପଦ ଠୁଳ କଲାବେଳେ ଗରିବ, ଅବହେଳିତ ଶ୍ରେଣୀର ଦୁଃଖକଥା କହିବାକୁ ବା ଦୂର କରିବାକୁ କ୍ୱଚିତ୍‌ ଲୋକ ବାହାରୁଛନ୍ତି। ଜଣେ ଯଦି ଗରିବ, ସାଧାରଣ ଜନତାଙ୍କ ସମସ୍ୟା କଥା କହିବ ତାହାର ମତାମତ ଅନେକ କ୍ଷେତ୍ରରେ ସରକାର ତଥା ପ୍ରତିପତ୍ତିଶାଳୀଙ୍କ ବିରୁଦ୍ଧରେ ଯିବ। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ପ୍ରଧାନ ସେବକ ଭାବେ ଅଭିହିତ କରିଥାନ୍ତି। କିନ୍ତୁ ତାଙ୍କ ଦଳ ତଥା କର୍ମୀମାନେ କାହିଁକି ସମାଲୋଚନାକୁ ବରଦାସ୍ତ କରୁନାହାନ୍ତି। ସମାଲୋଚନା ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିଥାଏ। ସମାଲୋଚନା ସକାରାତ୍ମକ ବା ନକାରାତ୍ମକ ହେଉ ସେଥିରେ ଜଣେ ଦେଶସେବକ ବା ଦଳୀୟ ନେତା ବ୍ୟତିବ୍ୟସ୍ତ ହେବାର କିଛି ନାହିଁ। ବରଂ ସମାଲୋଚନା ମାଧ୍ୟମରେ ନିଜର ତ୍ରୁଟି ଜାଣି ତାକୁ ସୁଧାରିବା ପାଇଁ ପ୍ରୟାସ କରିବା ଉଚିତ। ସମାଲୋଚନାକୁ ଭୟ ଅର୍ଥ କ୍ଷମତା ହରାଇବାର ଭୟ। କାଳେ ଲୋକେ ଦୋଷତ୍ରୁଟି ଜାଣିଲେ ପୁନର୍ବାର ନିର୍ବାଚିତ କରିବେ ନାହିଁ!...

ରୋହିଙ୍ଗ୍ୟା ଶରଣାର୍ଥୀ

ରୋହିଙ୍ଗ୍ୟା ଶରଣାର୍ଥୀ

ଶରତଚନ୍ଦ୍ର ମିଶ୍ର/ ଭାରତବର୍ଷରେ ବର୍ତ୍ତମାନ ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ମୁସଲମାନ ଅଛନ୍ତି। ମୁଖ୍ୟତଃ ପଶ୍ଚିମବଙ୍ଗରେ ସେମାନେ ଆସ୍ଥାନ ଜମାଇଥିଲେ ମଧ୍ୟ ଜମ୍ମୁରେ ପ୍ରାୟ ୫୦୦୦ ରୋହିଙ୍ଗ୍ୟା ଅଛନ୍ତି। ଭାରତ ସରକାର ସେମାନଙ୍କୁ ବେଆଇନ ଅନୁପ୍ରବେଶକାରୀ ଘୋଷଣା କରି ଦେଶରୁ ବିତାଡ଼ନ କରିବାକୁ ଚାହୁଁଥିଲାବେଳେ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଶରଣାର୍ଥୀ ବିବେଚନା କରିବାକୁ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ଦେଶର ଦକ୍ଷିଣପଶ୍ଚିମରେ ଅବସ୍ଥିତ ରାଖାଇନ୍‌ ରାଜ୍ୟରେ ବାସ କରନ୍ତି। ମ୍ୟାନ୍‌ମାର ସରକାର ସେମାନଙ୍କୁ ନାଗରିକ ବୋଲି ଗ୍ରହଣ କରନ୍ତି ନାହିଁ। ଫଳତଃ ସେମାନେ ଦେଶବିହୀନ ବ୍ୟକ୍ତି। ମ୍ୟାନ୍‌ମାର ସରକାରଙ୍କ ମତରେ ଏମାନେ ବର୍ମା ଭାରତର ଅଂଶବିଶେଷ ଥିବା ସମୟରେ ବଙ୍ଗ ପ୍ରଦେଶରୁ ଏକକାଳୀନ ବର୍ମା ପ୍ରଦେଶକୁ ଚାଲିଆସିଥିଲେ, ତେଣୁ ସେମାନେ ବର୍ତ୍ତମାନର ବାଂଲାଦେଶର ଅଧିବାସୀ ଓ ସେଠାକୁ ଫେରିଯିବା ଉଚିତ। ବାଂଲାଦେଶ ସରକାର ଏ ଯୁକ୍ତି ଗ୍ରହଣ କରନ୍ତି ନାହିଁ। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ସରକାରଙ୍କ ସଙ୍ଗେ ଆରାକାନ୍‌ ରୋହିଙ୍ଗ୍ୟା ସାଲଭାଶନ ଆର୍ମି ନାମରେ ଏକ ବାହିନୀ ଗଠନ କରି ଗେରିଲା ଯୁଦ୍ଧରେ ବ୍ୟାପୃତ ଅଛନ୍ତି ଓ ମ୍ୟାନ୍‌ମାର ସରକାରଙ୍କ ମିଲିଟାରୀ ଚାପରେ ବାଂଲାଦେଶ (୯ଲକ୍ଷ) ଓ ମାଲେସିଆ (୧୪ ଲକ୍ଷ)କୁ ପଳାୟନ କରିଛନ୍ତି। ବାଂଲାଦେଶକୁ ଆସିଥିବା ରୋହିଙ୍ଗ୍ୟାମାନଙ୍କ ମଧ୍ୟରୁ କେତେକ ବାଂଲାଦେଶୀ ମୁସଲମାନଙ୍କ ସଙ୍ଗରେ ମିଶି ଭାରତରେ ବେଆଇନ ଭାବରେ ଅନୁପ୍ରବେଶ କରୁଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ନିଶା ମଣିଷକୁ ନିୟନ୍ତ୍ରଣ ବାହାରକୁ ନେଇଯାଏ। ପରିସ୍ଥିତି ଏମିତି ଉପୁଜେ ଯେ କେତେକେ ହିତାହିତ ଜ୍ଞାନ ଭୁଲିଯାଇ ଅନ୍ୟମାନଙ୍କୁ ହତ୍ୟା କରିବାକୁ ପଛାଇ ନ ଥାନ୍ତି। ତାମିଲନାଡୁର କୋଏମ୍ବାଟୁର ସହର ଥାଡ଼ାଗାମ୍‌ଠାରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୨୭ ବର୍ଷୀୟ ଦୀପସ୍ବରୂପ। ଅଧାରୁ ପାଠ ଛାଡ଼ିଥିବା ଏହି ଯୁବକ ଜଣକ ବେକାର ଜୀବନ ବିତାଉଛନ୍ତି। ପରିବାର କହିଲେ ସେ, ତାଙ୍କ ମାତା ଓ ପିତାଙ୍କୁ ବୁଝାଉଥିଲା। ତାଙ୍କ ପିତା ୫୮ ବର୍ଷୀୟ କେ. ସେଲ୍‌ଭାରାଜ ଥିଲେ ଜଣେ ବଣିଆ। କିନ୍ତୁ ସେ ଆଉ ବଣିଆ କାମ ନ କରି ଥାଡ଼ାଗାମ୍‌ଠାରେ ଦୁଇଟି ଘର ଭଡ଼ାରେ ଦେଇ ଚଳନ୍ତି। ଭଡ଼ାରୁ ମିଳୁଥିବା ଅର୍ଥରେ ଘର ଚଳୁଥିଲା। କିଛି ମାସ ପୂର୍ବରୁ ସେଲ୍‌ଭାରାଜଙ୍କ ସ୍ତ୍ରୀ ଆମେରିକାରେ ଥିବା ଝିଅଙ୍କ ପାଖକୁ ସମୟ କଟାଇବାକୁ ଯାଇଛନ୍ତି। ରାୟାପ୍ପାପୁରମ୍‌ ସେକେଣ୍ଡ ଷ୍ଟ୍ରୀଟ୍‌ରେ ଥିବା ଘରର ପ୍ରଥମ ମହଲାରେ ପିତା ଓ ପୁତ୍ର ରହୁଥିଲେ। ଉଭୟେ କାମକୁ ନ ଯାଇ ଭଡ଼ାରୁ ମିଳୁଥିବା ଟଙ୍କା ଖର୍ଚ୍ଚ କରୁଥିଲେ। ଦୁଇ ଜଣ ମଧ୍ୟ ନିଶାସକ୍ତ। ତେବେ ଅଘଟଣର ସୂତ୍ରପାତ ଦୁଇ ସପ୍ତାହ ତଳୁ ଆରମ୍ଭ ହୋଇଥିଲା। ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ରାତିରେ କ୍ରମାଗତ ପରିସ୍ରା କରିଚାଲୁଥିଲେ। ଗତ ରବିବାର ରାତି ପ୍ରାୟ ଦୁଇଟା ବେଳେ ପୂର୍ବଭଳି ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ପରିସ୍ରା କରିଦେଇଥିଲେ। ...

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ଚତୁର୍ଥ ଜାତୀୟ ସ୍ବାସ୍ଥ୍ୟ ଓ ପରିବାର ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌) ରିପୋର୍ଟ ଅନୁଯାୟୀ ସହରୀ ଭାରତର ୫୬ ପ୍ରତିଶତ ଲୋକ ଘରୋଇ ସ୍ବାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ବେଳେ ଗ୍ରାମୀଣ ଭାରତର ୪୯ ପ୍ରତିଶତ ଘରୋଇ ଚିକିତ୍ସାକୁ ପସନ୍ଦ କରୁଛନ୍ତି। ସରକାରୀ ଡାକ୍ତରଖାନାକୁ ଅଧିକ ରୋଗୀ କିଭଳି ଯାଇପାରିବେ, ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଯେତେ କହୁଥିଲେ ହେଁ ବାସ୍ତବତା ଉପରୋକ୍ତ ପରିସଂଖ୍ୟାନ ଦେଉଛି।

ସବୁ ତୁମ୍ଭ ପରସାଦ

ସବୁ ତୁମ୍ଭ ପରସାଦ

ବୈକୁଣ୍ଠନାଥ ମିଶ୍ର/ ପ୍ରଭୁ ବଡ଼ଠାକୁର ବଡ଼ଦେଉଳରେ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ସବୁ ବଡ଼ର ସମାହାରରେ ସକଳ ମାନବୀୟ ରୀତିନୀତି ମଧ୍ୟରେ ଓଡ଼ିଆଙ୍କ ମୁରବି ସାଜି ବିସ୍ମୃତିର କେଉଁ ଅଜଣା କାଳରୁ ଲୀଳା କରିଆସୁଛନ୍ତି। ମାନବୀୟ ଆଚାର, ବିଚାର, ବିହାର ଓ ସ୍ନାନଭୋଜନାଦି କର୍ମ ସମ୍ପାଦନା ସହ ସାମ୍ୟ, ମୈତ୍ରୀ ଓ କରୁଣାର ବାରି ସିଞ୍ଚନ କରି ଓଡ଼ିଆ ପ୍ରାଣରେ ଭରିଦେଇଛନ୍ତି ଆଧ୍ୟାତ୍ମିକତାର ଉଚ୍ଛ୍ବାସ। ନାଲି ଅଧରରେ ମୃଦୁହସ ଓ ଚିକ୍କଣ କଳାବଦନର ସଂଦର୍ଶନରେ ଯୁଗ ଯୁଗର ପାପନାଶନର ପରିତୃପ୍ତି। ସମସ୍ତ ଦୁଃଖ ମୋଚନର ଅଙ୍ଗୀକାରବଦ୍ଧତା ଯେପରି ଲାଖିରହିଛି ବାହୁଯୁଗଳରେ। ସେ ମହାବାହୁ! ଯୋଗୀର ଯୋଗ, ତପସ୍ବୀର ତପସ୍ୟା, ଭକ୍ତର ଭକ୍ତି, ଗୃହସ୍ଥର ଗାର୍ହସ୍ଥ୍ୟଧର୍ମ ଓ ନାରୀ ମର୍ଯ୍ୟାଦାର ଅପୂର୍ବ ଉଦାହରଣ ତାଙ୍କ ଶ୍ରୀକ୍ଷେତ୍ର ଧାମର ବିଶେଷତ୍ୱ। ଯେ କୌଣସି ମତବାଦୀ ପାଇଁ ତା’ ସ୍ବକୀୟ ମତର ସାକାର ରୂପାନ୍ତର ତାଙ୍କ ରୂପଲାବଣ୍ୟରେ ସନ୍ନିବେଶିତ। ସେ ଶୈବର ଶିବ, ଶାକ୍ତର ଶକ୍ତି, ବୈଷ୍ଣବର ବିଷ୍ଣୁ, ଗାଣପତ୍ୟର ଗଣପତି, ତାନ୍ତ୍ରିକର ଭୈରବ ଓ ବୌଦ୍ଧର ବୁଦ୍ଧ। କାହା ପାଇଁ ସେ ଖଣ୍ଡିତ ଦରଗଢା ତ କାହା ପାଇଁ ଅଖଣ୍ଡ। ସେଥିପାଇଁ ତାଙ୍କୁ ବନ୍ଦନା କରାଯାଇଛି- ”ଖଣ୍ଡାଖଣ୍ଡସ୍ବରୂପାୟ ଦୃଶ୍ୟାଦୃଶ୍ୟମାନାୟ ଚ। ସାକାର-ନିରାକାରାୟ ଜଗନ୍ନାଥାୟ ତେ ନମଃ।ା“ ସେ ଅପଲକ ଚକାଆଖି ଆଶ୍ୱାସନାର ଆଖି। ପୁଣ୍ୟାତ୍ମା ପାଇଁ ସେଥିରେ ଅଛି ଅଭୟ ଓ ପାପୀକୁ ତାଡ଼ନାର ସୂଚନା। ସେ ମାନବକୁ ଅହରହ ଚେତାବନୀ ଦେଉଥାଏ ଓ ନୀରବରେ କହୁଥାଏ- ରେ ମୂଢ଼ମତି ! ତୁ କ’ଣ କରୁଛୁ ନିଜେ ଜାଣିପାରୁନୁ। ପାପକର୍ମରେ ତୋର ଆଗ୍ରହ କିନ୍ତୁ ପାପର ଫଳ ଭୋଗିବାକୁ ତୋର ଘୋର କୁଣ୍ଠା। ଆଦୌ ପୁଣ୍ୟ ନ କରି ପୁଣ୍ୟଫଳରେ ତୋର ପ୍ରବଳ ଲାଳସା।...

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

ଡା. ଦ୍ୱିଜେଶ କୁମାର ପଣ୍ଡା/ ଆଜିକାଲି କମ୍ପ୍ୟୁଟର ଦୈନନ୍ଦିନ ଅନେକ କାର୍ଯ୍ୟରେ ନିୟୋଜିତ ହେଉଛି। ଯୋଗାଯୋଗ, ବ୍ୟବସାୟିକ କାରବାର, ଲୋକସଂପର୍କ ଏବଂ ଗବେଷଣା ଏହାଦ୍ୱାରା ସମ୍ଭବ ହେଉଛି। ବ୍ୟକ୍ତିଗତ ଖାତା, ଆଇଡି ଓ ଗୋପନୀୟ ତଥ୍ୟ ଏଥିରେ ସୁରକ୍ଷିତ ଥାଏ। ଆଜିକାଲି ଏହି ଗୁପ୍ତ ତଥ୍ୟ ଜାଣିବାର ଉପାୟ ବାହାରିଲାଣି। ଏହାକୁ ହ୍ୟାକିଂ କୁହାଯାଏ। ଅର୍ଥ ଆଦାୟ ପାଇଁ ଅସାମାଜିକ ବ୍ୟକ୍ତି ସୁରକ୍ଷା ବଳୟକୁ ଭେଦ କରି ଗୋପନୀୟ ତଥ୍ୟ ହାସଲ କରୁଛନ୍ତି। ୨୦୧୬ ମସିହାରେ ଆମେରିକାର ଜାତୀୟ ସୁରକ୍ଷା ପ୍ରତିନିଧିଙ୍କ ଅନେକ ଗୁପ୍ତ ତଥ୍ୟ ସାଡୋ ଓ ବ୍ରୋକର ନାମକ ଏକ ହ୍ୟାକିଂ ସଂସ୍ଥା ଅକ୍ତିଆର କରିଥିଲା। ଜୁନ୍‌ ୨୮ ତାରିଖରେ ବମ୍ବେ ବନ୍ଦର ସାଇବର ଆକ୍ରମଣର ଶିକାର ହୋଇଥିଲା। ହ୍ୟାକରମାନେ ବ୍ୟକ୍ତିଗତ ଇମେଲ୍‌ ଆକାଉଣ୍ଟରେ ପ୍ରବେଶ କରି ସେଥିରେ ଥିବା ବ୍ୟକ୍ତିର ବନ୍ଧୁମାନଙ୍କ ପାଖକୁ ଛଦ୍ମ ନାମରେ ଚିଠି ଲେଖି ପଇସା ମାଗୁଛନ୍ତି। ୨୦୧୭ ମସିହାରେ ରାନ୍‌ସମ୍‌ୱେର ଭାଇରସ୍‌ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ୨୦୧୮ ପାଇଁ ହ୍ୟାକରମାନେ ଅନେକ ବିପଜ୍ଜନକ ଆକ୍ରମଣ ଯୋଜନା ପ୍ରସ୍ତୁତ କରିସାରିଲେଣି। ବିଶ୍ୱର ଧନୀ ବ୍ୟକ୍ତିମାନଙ୍କୁ ସେମାନେ ଟାର୍ଗେଟ୍‌ କରିବେ। ଏଣୁ ୨୦୧୮ରେ ହ୍ୟାକିଂରୁ ମୁକ୍ତି ପାଇବା ପାଇଁ ଆମେରିକାସ୍ଥିତ ଇଣ୍ଟରନେଟ୍‌ ସୁରକ୍ଷା କମ୍ପାନୀ ‘ମ୍ୟାକେଫି’ ସତର୍କ କରାଇ ଦେଇଛି।...

ଏଇ ଭାରତରେ

ଦୁର୍ନୀତିର ହ୍ରାସ ଘଟିବ, ଲୋକଙ୍କ ନିକଟରେ କିଛି ଅଛପା ରହିବ ନାହିଁ, ସ୍ବଚ୍ଛତା ଫେରିବ-ଏମିତି ଚିନ୍ତାକରି ଦେଶରେ ପ୍ରଣୟନ କରାଯାଇଛି ସୂଚନା ଅଧିକାର ଆଇନ। ଏହି ଆଇନ ବଳରେ ଯେ କେହି ବ୍ୟକ୍ତି ସରକାରଙ୍କଠାରୁ ସୂଚନା ପ୍ରାପ୍ତ କରିପାରିବେ। କୌଣସି ଅନିୟମିତତା ହେଉଥିଲେ ତାହା ପଦାକୁ ଆଣିପାରିବେ। ଏହି ଆଇନ ପ୍ରଣୟନ ହେବା ପରେ ଅନେକ ସୂଚନାଧିକାର କର୍ମୀ ବାହାରିଲେଣି। ସେମାନେ ବହୁ ଗୋପନ କଥା ଲୋକଙ୍କ ସାମ୍ନାକୁ ଆଣିପାରୁଛନ୍ତି। କିନ୍ତୁ ଏମିତି କିଛି ସୂଚନାଧିକାର କର୍ମୀ ବୋଲାଉଥିବା ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ଆଇନକୁ ରୋଜଗାରର ମାଧ୍ୟମ କରିସାରିଲେଣି। ସୂଚନା ପ୍ରକାଶ କରିଦେବାର ଧମକ ଦେଇ ମୋଟାଅଙ୍କର ଅର୍ଥ ଆଦାୟ କରୁଛନ୍ତି। ସେମିତି ଜଣେ ମହିଳାଙ୍କୁ ଠାଣେ ପୋଲିସ ରବିବାର ସାରେ ଗିରଫ କରିଛି। ମହାରାଷ୍ଟ୍ରର ଠାଣେ ଅଞ୍ଚଳସ୍ଥିତ ଏକ ନ୍ୟୁଜ୍‌ ଚାନେଲର ଖବରଦାତା ତଥା ସୂଚନାଧିକାର କର୍ମୀ ଚାରୁଶିଳା ଆର୍‌ଟିଆଇର ଭୟ ଦେଖାଇ ଜଣେ ବିଲ୍‌ଡରଙ୍କଠାରୁ ୫୦ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ସେ ତାଙ୍କ ନାମରେ କଲ୍ୟାଣ-ଡୋମ୍ବିଭ୍ଲି ମ୍ୟୁନିସିପାଲ କର୍ପୋରେସନରେ କରିଥିବା ଅଭିଯୋଗ ଆଧାରରେ ସେ ନିର୍ମାଣ କରିଥିବା କୋଠା ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ବିଲ୍‌ଡର ଜଣକ ଗତ ୩ ତାରିଖରେ ଚାରୁଶିଳାଙ୍କୁ ୨ଲକ୍ଷ ଟଙ୍କା ଦେଇଥିଲେ। ଏ ସମ୍ପର୍କରେ ପୋଲିସରେ ମଧ୍ୟ ଅଭିଯୋଗ କରିିଥିଲେ। ରବିବାର ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଉ ୫ଲକ୍ଷ ଟଙ୍କା ଦିଆଯିବା ବେଳେ ପୋଲିସ ଚାରୁଶିଳାଙ୍କୁ ଗିରଫ କରିଛି। ତାଙ୍କ ନାମରେ ଅର୍ଥଶୋଷଣ ଅଭିଯୋଗରେ ଆଇପିସିର ଦଫା ୩୮୪ ଲଗାଯାଇଛି।

ସ୍ବାର୍ଥ ପାଇଁ ବିଦ୍ରୋହ

ସ୍ବାର୍ଥ ପାଇଁ ବିଦ୍ରୋହ

ଭାରତର ନ୍ୟାୟ ବ୍ୟବସ୍ଥା ପାଇଁ ୨୦୧୮ ଜାନୁୟାରୀ ୧୨ ଶୁକ୍ରବାର ଏକ କଳା ଦିବସ ଥିଲା। ସାଧାରଣ ନାଗରିକ ଭାବେ ଦେଖିଲେ ଏହା ଦେଶର ନ୍ୟାୟ ବ୍ୟବସ୍ଥାରେ ଘଟୁଥିବା ନକାରାତ୍ମକ ଦିଗକୁ ପଦାରେ ପକାଇଥିଲା। ସୁପ୍ରିମ୍‌କୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟି ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି. ଲୋକୁର ଏବଂ କୁରିଏନ୍‌ ଯୋଶେଫ୍‌ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଆଇନ ପାଠ ପଢ଼ିନାହଁୁ। ଆଜୀବନ ଚେଷ୍ଟା କରିଆସିଛୁ କେଉଁ ଉପାୟରେ ଥାନା ଓ ନ୍ୟାୟାଳୟଠାରୁ ଦୂରେଇ ରହିହେବ। କିନ୍ତୁ ଦେଶର ଭାରସାମ୍ୟ ରକ୍ଷା କରୁଥିବା ଉଚ୍ଚତମ ନ୍ୟାୟାଳୟର ଏହି ୪ଜଣ ବିଚାରପତିଙ୍କ ବ୍ୟବହାରରେ, କାହିଁକି କେଜାଣି ମନକୁ ଦୁଃଖ ଲାଗିଲା। ଏହି ଭାରତରେ ଅମଲାତନ୍ତ୍ରୀଙ୍କ ଦୁର୍ନୀତି ସାଧାରଣ ନାଗରିକକୁ ଅତିଷ୍ଠ କରିସାରିଲାଣି। ରାଜନୈତିକ ବ୍ୟକ୍ତିଙ୍କ ଅସତ୍ୟ ବାଣୀ ଏବଂ ବ୍ୟକ୍ତିଗତ ଲୋଭରେ ଦେଶବାସୀ ଜର୍ଜରିତ ହୋଇସାରିଲେଣି। କେବଳ ଦେଶର ସମ୍ପତ୍ତିକୁ ଲୁଟି ବଡ଼ ଶିଳ୍ପପତି କିମ୍ବା ବ୍ୟବସାୟୀ ପାଲଟିଥିବା ବ୍ୟକ୍ତି ଓ କର୍ପୋରେଟ୍‌ ଉପରୁ ଜନତାଙ୍କ ବିଶ୍ୱାସ ତୁଟିସାରିଲାଣି। ଏଭଳି ପ୍ରଚ୍ଛଦପଟରେ ଏକମାତ୍ର ସାହାଭରସା ଭାବେ ଦିଶୁଥିବା ନ୍ୟାୟାଳୟର ନ୍ୟାୟାଧୀଶମାନଙ୍କ ଏଭଳି ବ୍ୟବହାର ଏକ ହତାଶ ବାତାବରଣ ସୃଷ୍ଟି କରୁଛି। ଉପରୋକ୍ତ ୪ଜଣ ବିଚାରପତିଙ୍କ ଲାଇଭ୍‌ ଟେଲିକାଷ୍ଟ୍‌ ଦେଖିଲାବେଳକୁ ମନରେ ଅନେକ ପ୍ରଶ୍ନ ଉଠିଥିଲା। ଯଦି ଦେଶର କୌଣସି ହାଇକୋର୍ଟର ୪ଜଣ ବିଚାରପତି ଏଭଳି ସାମ୍ବାଦିକ ସମ୍ମିଳନୀ ଡକାଇ ନିଜର ଅବାଞ୍ଛିତ କ୍ଷୋଭ ପ୍ରକାଶ କରିଥାନ୍ତେ, ତେବେ ସେମାନଙ୍କ ଚାକିରି ଜୀବନରେ କେଉଁ ଦଶା ଭୋଗିବାକୁ ପଡ଼ିଥାନ୍ତା ତାହା କଳ୍ପନା ବାହାରେ। ତତ୍‌କ୍ଷଣାତ୍‌ ବଦଳି ହେବା ସହିତ ସେହି ଜଜ୍‌ମାନଙ୍କର ଡାକଠିକଣା ମିଳିବା କଷ୍ଟକର ହୋଇପଡ଼ିଥାନ୍ତା।

ଏଇ ଭାରତରେ

ଏଇ ଭାରତରେ

ଏହାକୁ କହିବ ଲୈଲା-ମଜ୍‌ନୁ ପ୍ରେମ। ଘରର ବାରଣ, ପୋଲିସର ନାଲିଆଖି, ଅଦାଲତର ନିଷ୍ପତ୍ତି, ସ୍ବଧାର ଗୃହର ପରାମର୍ଶ ଏପରି କି ଗାଁରେ ଦେଖାଦେଇଥିବା ଉତ୍ତେଜନା-କିଛି ପ୍ରଭାବ ପକାଇଲା ନାହିଁ ଯୁବତୀଙ୍କ ଉପରେ। ସଚ୍ଚାପ୍ରେମର ନିଦର୍ଶନ ଦେଖାଇ ସେ ବାଛିନେଲେ ପ୍ରେମିକଙ୍କ ଘରେ ସବୁଦିନ ଜୀବନସାଥୀ ହୋଇ ରହିବାକୁ। ଝିଅ-ପୁଅ ଯେତେବେଳେ ରାଜି, ସେଠି ପୋଲିସ ବା କ’ଣ କରିବ। ପରିବାର ଲୋକେ ବି ନିରୁପାୟ। ଘଟଣାଟି ଘଟିଛି ବିହାରର ଅର୍‌ଓ୍ବଲ ଜିଲା ଅନ୍ତର୍ଗତ ରୂପ୍‌ଚାଇ ଗ୍ରାମରେ। ଏହି ଗ୍ରାମର ଜଣେ ଉଚ୍ଚବର୍ଣ୍ଣର ଯୁବତୀ ଭଲପାଇ ବସିଲେ ଧନଞ୍ଜୟ କୁମାର ନାମକ ଜଣେ ଦଳିତ ବର୍ଗର ଯୁବକଙ୍କୁ। ପରସ୍ପରକୁ ଜୀବନସାଥୀ କରିନେବାର ନିଷ୍ପତ୍ତି ନେଲେ।

ସ୍ବପ୍ନର ରୂପାୟନ

ସ୍ବପ୍ନର ରୂପାୟନ

ଅଭିମନ୍ୟୁ ଧଳ/ ବଡ ହେଲେ କ’ଣ ହେବ?’ ବିଦ୍ୟାର୍ଥୀଙ୍କୁ ପ୍ରଶ୍ନ ପଚାରିଲେ ସେମାନେ କହିଥାନ୍ତି, ”ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସନିକ ଅଧିକାରୀ ହେବାକୁ ଆମେ ସ୍ବପ୍ନ ଦେଖୁଛୁ।“ ସେମାନେ ଜଣେ ବ୍ୟବସାୟୀ କିମ୍ବା କୃଷକ ହେବେ ବୋଲି କହି ନ ଥାନ୍ତି। କାଳିଦାସ କହିଥିଲେ: ”ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂ କୃଷିକର୍ମଣି। ତଦର୍ଦ୍ଧଂ ରାଜସେବାୟାଂ ଭିକ୍ଷା ନୈବ ଚ ନୈବ ଚ।“ ଅର୍ଥାତ୍‌ କିନ୍ତୁ ଆଜିକାଲି ଯୁଗ ବଦଳିଯାଇଛି, ବାଣିଜ୍ୟ ଓ କୃଷିକୁ ଛାଡ଼ି ସମସ୍ତେ ଚାକିରିମୁହଁା ଧରିଛନ୍ତି। ବାଣିଜ୍ୟ ପାଇଁ ପୁଞ୍ଜି ପ୍ରଥମ ବାଧକ ସାଜିଥିବା ବେଳେ ସରକାରୀ ନିୟମର ଜଟିଳତା ପାଇଁ ମନ ମରିଯାଏ। କୃଷି ତ କ୍ଷତିରେ ହିଁ ଚାଲିଛି। ଏହା ଆଉ ଗୌରବ ବହନ କରିପାରୁନି। ଶିଶୁଟି ଜନ୍ମ ହେବା ପରଠାରୁ ମା’ବାପାଙ୍କ ସ୍ବପ୍ନ ଆରମ୍ଭ ହୋଇଯାଏ। କେଉଁ ସ୍କୁଲରେ ପଢିବ, କିଭଳି ଚାକିରି କରିବ ସେଥିପାଇଁ ବେଶ୍‌ ଲାଗିପଡନ୍ତି। ଦିନରାତି ଏକ କରି, ମୁଠାମୁଠା ଅର୍ଥ ବ୍ୟୟ କରିବା ପରେ ତାଙ୍କ ସ୍ବପ୍ନ କ’ଣ ସାର୍ଥକ ହୁଏ? ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ପାଇଁ ଏହା ପ୍ରଥମ ପ୍ରତିବନ୍ଧକ ରୂପେ ଉଭା ହୋଇଛି।

ପ୍ରସାରଣ ହିଁ ଜୀବନ

ପ୍ରସାରଣ ହିଁ ଜୀବନ

ଡ. ଶରତ ଚନ୍ଦ୍ର ରଥ/ ଆମେ ବହୁ ବ୍ୟକ୍ତି, ବହୁ ଦୃଶ୍ୟ ଦେଖୁଛୁ, ମାତ୍ର ନିଜକୁ ଦେଖୁନାହୁଁ। ଏ କଥା ଶୁଣିଲା ମାତ୍ରେ ମନକୁ ଆସିବ ଯେ ଆମେ ତ ନିଜ ଶରୀରକୁ ଦେଖୁଛୁ, ଅଇନାରେ ନିଜ ମୁହଁକୁ ଦେଖିପାରୁଛୁ, ଆଉ ଦେଖୁନାହୁଁ କିପରି? ଏ କଥାର ଅର୍ଥ ହେଉଛି ଆମେ ନିଜର ଭିତର ରୂପ ଆଡକୁ ଧ୍ୟାନ ଦେଇନାହୁଁ, ଭିତର ସ୍ବର ଶୁଣିବାକୁ କାନ ଦେଇନାହୁଁ। ଚର୍ମଆଖିରେ ଭିତରକୁ ଦେଖିହେବ ନାହିଁ, ମର୍ମ ଆଖିରେ ଦେଖିହେବ। ବାହାର କାନରେ ନିଜକୁ ଶୁଣିହେବ ନାହିଁ, ଭିତର କାନରେ ଶୁଣିହେବ। ମନ ଦ୍ୱାରା ଏହା ସମ୍ଭବ ହେବନାହିଁ, ମନଠାରୁ ଆଉ ଏକ ବଡକଥା ଆମ ଭିତରେ ରହିଛି, ତାହା ହେଉଛି ବିବେକ ସତ୍ତା ଓ ବିଚାରବୋଧ। ବିବେକରୁ ବିଚାର ଆସେ, ଭୁଲ ଠିକ୍‌ ଜାଣିହୁଏ। ଭୁଲ ଠିକ୍‌ ଜାଣିପାରିବା ହିଁ ନିଜକୁ ଠିକ୍‌ ଅର୍ଥରେ ଦେଖିବା ଓ ନିଜକୁ ଠିକ୍‌ ଅର୍ଥରେ ଶୁଣିବା। ଏପରି ଦେଖିବା ଅର୍ଥ ନିଜ ସହ ଅନ୍ୟମାନଙ୍କୁ ମିଶାଇ ଦେଖିବା, ଅନ୍ୟମାନଙ୍କୁ ନିଜ ପରି ଦେଖିବା ଏବଂ ନିଜକୁ ଅନ୍ୟମାନଙ୍କ ଭିତରେ ଦେଖିବା। ଏପରି ଦେଖିଲେ ପରସ୍ପର ପ୍ରତି ଶ୍ରଦ୍ଧା, ସ୍ନେହ ବଢେ ଓ ମାନସିକ ଶାନ୍ତି ଅତୁଟ ରହେ। କେବଳ ନିଜକୁ ଦେଖିବା ଅର୍ଥାତ୍‌ ନିଜ ସୁବିଧା ପ୍ରତି ଦୃଷ୍ଟିଦେବା ହେଉଛି ସ୍ବାର୍ଥପରତା ଓ ସଂକୀର୍ଣ୍ଣତା। ଶ୍ରୀଅରବିନ୍ଦ ଏହାକୁ ସବୁଠାରୁ ବଡ ପାପ ବୋଲି କହିଛନ୍ତି। ସ୍ବାମୀ ବିବେକାନନ୍ଦ ସଂକୀର୍ଣ୍ଣତା ହିଁ ମୃତ୍ୟୁ ଓ ପ୍ରସାରଣ ହିଁ ଜୀବନ ବୋଲି କହିଛନ୍ତି।