
ମେଲବର୍ନ, ୨୯।୧୨(ଏଏଫ୍ପି)- ଚଳିତ ଆଶେସ ସିରିଜରେ ପ୍ରଥମ ବିଜୟ ସ୍ବାଦ ଲକ୍ଷ୍ୟରେ ରହିଥିବା ଇଂଲଣ୍ଡ ପଥରେ ବର୍ଷା ବାଧକ ସାଜିଛି। ବର୍ଷା ଯୋଗୁ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍ର ୪ର୍ଥ ଦିବସରେ ମାତ୍ର ୪୪ ଓଭର ଖେଳ ସମ୍ଭବପର ହୋଇଥିଲା। ୧୬୪ ରନ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ଶୁକ୍ରବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ୨ ଉଇକେଟ୍ ହରାଇ ୧୦୩ ରନ କରିଛି। ଡେଭିଡ୍ ଓ୍ବାର୍ନ ୪୦ ଓ ଅଧିନାୟକ ଷ୍ଟିଭ ସ୍ମିଥ ୨୫ ରନ କରି ଅପରାଜିତ ରହିଛନ୍ତି। ଶନିବାର ମ୍ୟାଚ୍ର ଅନ୍ତିମ ତଥା ୫ମ ଦିବସ ହୋଇଥିବାରୁ ଫଳାଫଳ ବାହାରିବା ସମ୍ଭାବନା ଏବେ କ୍ଷୀଣ ହୋଇଛି। ପ୍ରଥମ ଇନିଂସ ସ୍କୋର ୩୨୭ ରନ ଜବାବରେ ଭ୍ରମଣକାରୀ ଇଂଲଣ୍ଡ ଗୁରୁବାର ଖେଳ ଶେଷ ସୁଦ୍ଧା ୯ ଉଇକେଟ୍ ହରାଇ ୪୯୧ ରନ କରିଥିଲା। ଶୁକ୍ରବାର ଅସମାପ୍ତ ପ୍ରଥମ ଇନିଂସରୁ ବ୍ୟାଟିଂ ଆରମ୍ଭ କରିଥିବା ଜୋ ରୁଟ୍ଙ୍କ ଦଳ ସେହି ସ୍କୋରରେ ହିଁ ଅଲ୍ଆଉଟ୍ ହୋଇଯାଇଥିଲା। ଦିବସର ପ୍ରଥମ ବଲରେ ପ୍ୟାଟ୍ କୁମିନ୍ସ ଟେଲଏଣ୍ଡର ଜେମ୍ସ ଆଣ୍ଡରସନ (୦)ଙ୍କୁ ଆଉଟ୍ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲେ। ଦର୍ଶନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିବା ଓପନର ଆଲିଷ୍ଟର କୁକ୍ ଅନ୍ୟପାର୍ଶ୍ୱରେ ୨୪୪ ରନ କରି ଅପରାଜିତ ରହିଥିଲେ। ଏଥିସହ କୁକ୍ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। କୌଣସି ଟେଷ୍ଟରେ ଇନିଂସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ସର୍ବାଧିକ ସ୍କୋର କରିବାରେ କୁକ୍ ନ୍ୟୁଜିଲାଣ୍ଡର ଗ୍ଲେନ୍ ଟର୍ନର (୨୨୩ ଅପରାଜିତ)ଙ୍କୁ ପଛରେ ପକାଇଛନ୍ତି। ଟର୍ନର ୧୯୭୨ରେ କିଙ୍ଗ୍ସଟନରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇନିଂସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୨୩ ରନ କରିଥିଲେ। ସେହିଭଳି ଏହି ମାରାଥନ୍ ଇନିଂସ ଅବସରରେ କୁକ୍ ଓ୍ବେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ୍ ଲାରା (୧୧,୯୫୩ ରନ)ଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିବା ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି। ସେହିଭଳି ଜଣେ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ମେଲବର୍ନରେ ସର୍ବୋଚ୍ଚ ରନ କରିବାର ରେକର୍ଡ ମଧ୍ୟ କୁକ୍ଙ୍କ ନାମରେ ହୋଇଛି। ଓ୍ବେଷ୍ଟଇଣ୍ଡିଜ ଭିଭି ରିଚାଡର୍ସ (୨୦୮ ରନ)ଙ୍କ ନାମରେ ଥିବା ରେକର୍ଡକୁ କୁକ୍ ଭଙ୍ଗ କରିଛନ୍ତି।