ନୂଆଦିଲ୍ଲୀ,୨୮।୧୨(ସ୍ବ.ପ୍ର.)ଲୋକ ସଭାରେ ଗୁରୁବାର ଆଇନ ଏବଂ ନ୍ୟାୟମନ୍ତ୍ରୀ ରବିଶଙ୍କର ପ୍ରସାଦ (ମୁସଲମାନ ମହିଳା ବିବାହ ସମ୍ପର୍କିତ ଅଧିକାର ସୁରକ୍ଷା)- ବିଲ୍ ୨୦୧୭ ଉପସ୍ଥାପନ କରିବା ପରେ ଏ ନେଇ ଆଲୋଚନା ହୋଇଥିଲା। ବିଜେଡି ପକ୍ଷରୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଦଳର ଲୋକ ସଭାର ମୁଖ୍ୟସଚେତକ ତଥାଗତ ସତପଥୀ। ତଥାଗତ ନିଜ କଥା ଓଡ଼ିଆରେ ଆରମ୍ଭ କରିଥିଲେ ମଧ୍ୟ ଅନୁବାଦକ ନ ଥିବାରୁ ସେ ଇଂଲିଶରେ କହିଥିଲେ। ସେ କହିଥିଲେ, ବିଜେଡି ଏହି ବିଲ୍କୁ ବିରୋଧ କରୁନି କିନ୍ତୁ ବିଲ୍ରେ ଥିବା କେତେକ ଧାରା ବିଶେଷକରି ଏଥିରେ ଥିବା ଆପରାଧିକ ବ୍ୟବସ୍ଥାକୁ ବିରୋଧ କରୁଛି। ସେ କହିଥିଲେ, ଏହି ବିଲ୍ ଏକପ୍ରକାର ଛାଡ଼ପତ୍ର ଆଇନ ସହ ସମାନ। ପ୍ରସ୍ତାବିତ ବିଲ୍ ଅନୁଯାୟୀ ୩ ଥର ତଲାକ କହିଲେ ସ୍ବାମୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ମିଳିବ ଏବଂ ତାହା ପୁଣି ଜାମିନବିହୀନ ଅପରାଧ। ବିଲ୍ ଆଇନରେ ପରିଣତ ହେଲାପରେ ସାମାଜିକ ବିଧିବ୍ୟବସ୍ଥା ଏବଂ ପାରିବାରିକ ସହାବସ୍ଥାନ ଭୁଶୁଡ଼ିଯିବାର ଆଶଙ୍କା ଥିବା ତଥାଗତ କହିଥିଲେ। ସେ କହିଥିଲେ କୌଣସି ବି ଧର୍ମ ବା ଜାତିର ସ୍ବାମୀ ସ୍ତ୍ରୀ ମଧ୍ୟରେ ଛାଡପତ୍ର ପରେ ପୂରା ପରିବାର ଧୂଳିସାତ୍ ହୋଇଯାଇଥାଏ। ପିଲାମାନେ ନାହିଁ ନ ଥିବା କଷଣ ଭୋଗ କରନ୍ତି। ସ୍ବାମୀ ପରିତ୍ୟକ୍ତା ମହିଳାଜଣକ ଅନେକ ଅସୁବିଧା ଏବଂ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଛାଡପତ୍ର କୌଣସି ଏକ ସୁସ୍ଥ ସମାଜର ବ୍ୟବସ୍ଥା ହୋଇ ନ ପାରେ। ଏହି ଆଇନ ଦ୍ୱାରା ଗରିବ ଶ୍ରେଣୀର ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେବେ କାରଣ ଏହି ଆଇନର କାର୍ଯ୍ୟକାରିତା ଅନେକ ସମୟରେ ଭୟାବହ ପରିଣତି ଆଣିବ ବୋଲି ତଥାଗତ ଆଶଙ୍କା ପ୍ରକାଶ କରିଥିଲେ। ସରକାର ଏହି ବିଲ୍ରେ ଯେଉଁ ଆପରାଧିକ ଦିଗ ଉପରେ ଉଲ୍ଲେଖ କରିଛନ୍ତି ତାହା ଚିନ୍ତାଜନକ। ଚିଠା ପ୍ରସ୍ତୁତ କରିବା ପୂର୍ବରୁ ଏଥିପ୍ରତି ବ୍ୟାପକ ଭାବେ ଚିନ୍ତା କରିବାର ଆବଶ୍ୟକତା ଥିଲା। ତଥାଗତ କହିଥିଲେ, ଟ୍ରିପଲ ତଲାକ ମାଧ୍ୟମରେ ଯେପରି ବିବାହ ବିଚ୍ଛେଦ ହେଉଛି ତାହା ଚିନ୍ତାଜନକ। ସୁପ୍ରିମକୋର୍ଟ ମଧ୍ୟ ଏହାକୁ ମହିଳାଙ୍କ ଅଧିକାରର ଅଂଶବିଶେଷ ବୋଲି ବିବେଚନା କରିଛନ୍ତି। ବିଲ୍ର ଭାବନାକୁ ବିଜେଡି ସମର୍ଥନ କରୁଛି କିନ୍ତୁ ଏଥିରେ ଥିବା କେତେକ ଧାରାକୁ ବିରୋଧ କରୁଥିବା ସେ ସ୍ପଷ୍ଟ କରିଥିଲେ। ବିଲ୍ ଉପସ୍ଥାପନ ପୂର୍ବରୁ ବିଜେଡିର ଲୋକ ସଭାର ନେତା ଭର୍ତ୍ତୃହରି ମହତାବ ମଧ୍ୟ ବିଲ୍ର ଧାରା ୩, ୪, ୬, ୭କୁ ବିରୋଧ କରିବା ସହ ଏହା ପରସ୍ପର ମଧ୍ୟରେ ଅସଙ୍ଗତି ସୃଷ୍ଟି କରୁଛି ବୋଲି କହିଥିଲେ। ଭର୍ତ୍ତୃହରି କହିଥିଲେ, ବିଜେଡି ମହିଳାମାନଙ୍କ ଅଧିକାର ପ୍ରତି ସଜାଗ ଅଛି ଏବଂ ମହିଳାମାନଙ୍କ ସଶକ୍ତୀକରଣ ପ୍ରତି ଗୁରୁତ୍ୱ ଦେଉଛି। କିନ୍ତୁ ଏହି ବିଲ୍ର କେତୋଟି ଧାରା ବିଶେଷକରି ଆପରାଧିକ ଦିଗ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ସେ ବିରୋଧ କରୁଛନ୍ତି। ଏହା ଉପରେ ସମୀକ୍ଷା କରି ପୁନଃ ଉପସ୍ଥାପନ କରିବାକୁ ଭର୍ତ୍ତୃହରି କହିଥିଲେ।