
ବଡ଼ଗଁା,୨୮।୧୨(ଡି.ଏନ୍.ଏ.)- ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରୁ ଦେଢ଼ କିଲୋମିଟର ଦୂରରେ ଭୋଇପାଲି ଗ୍ରାମ ଅବସ୍ଥିତ। ଏଠାରେ ଅଛି ଜଂଘା ବଡ଼ଦେଓଙ୍କ ସର୍ବପୁରାତନ ଆସ୍ଥାନ। ଏହାକୁ ଗୋଁଡ଼ ସମାଜର ଆରାଧ୍ୟା ଦେବତା ଜଂଘା ବଡ଼ଦେଓଙ୍କ ଧାମଭାବେ ମାନ୍ୟତା ମିଳିଛି। ଭାରତରେ ଏହା ଏକମାତ୍ର ଗୋଁଡ଼ ସମାଜର ଧାମ। ପ୍ରତିବର୍ଷ ଶାମ୍ବ ଦଶମୀ ଦିନ ଜଂଘାଙ୍କ ବାର୍ଷିକ ପୂଜା ଓ ସମାଜ କର୍ମକର୍ତ୍ତା, ଶ୍ରଦ୍ଧାଳୁ, ଭକ୍ତଙ୍କ ସମାବେଶ ହୋଇଥାଏ। ଚଳିତବର୍ଷ ଶାମ୍ବ ଦଶମୀ ଗୁରୁବାର ପ୍ରାତଃରେ ପାରମ୍ପରିକ ରୀତି ଅନୁସାରେ କଳସଯାତ୍ରା ପରେ ଭକ୍ତଙ୍କ ଦର୍ଶନ ଲାଗି ପ୍ରଭୁ ଜଂଘା ବଡ଼ଦେଓଙ୍କୁ ମୁକ୍ତ ମଣ୍ଡପରେ ଆସୀନ କରାଯାଇଥିଲା। ମୁଖ୍ୟଅତିଥିଭାବେ କୁଚିଣ୍ଡା ବିଧାୟକ ତଥା ସମାଜର କର୍ମକର୍ତ୍ତା ରବି ନାରାୟଣ ନାଏକ ଯୋଗଦେଇ ସାମାଜିକ ପତାକା ଉତ୍ତୋଳନ କରିଥିଲେ। ସମାଜର ଜିଲା ସଭାପତି ଗୋବିନ୍ଦ ଚନ୍ଦ୍ର ଭୋଇ, ସମାଜର ଝାଡ଼ଖଣ୍ଡ ରାଜ୍ୟ ସଭାପତି ଦିଲୀପ ପ୍ରଧାନ, ପୂର୍ବତନ ତେଲକୋଇ ବିଧାୟକ ପ୍ରାଣ ବଲ୍ଲଭ ନାୟକ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଜୟପାଳ ନାଏକ, ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ନାଏକ, ନୂଆପଡ଼ା ଜିଲାର ନିର୍ବାହୀ ଯନ୍ତ୍ରୀ ହୋମ ସିଂ ମାଝି, ସୁନ୍ଦରଗଡ଼ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଏକ, ସମାଜର ଜିଲା ସମ୍ପାଦକ ଦୁର୍ଯ୍ୟୋଧନ ଭୋଇ, ରାଉରକେଲାର ସମାଜ ମହିଳା ପ୍ରମୁଖ ଭାରତୀ ନାଏକ, ଗୋଁଣ୍ଡଓ୍ବାନା ଗୋଁଡ଼ ମହାସଭା ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଏକ, ଓଡ଼ିଶା ପ୍ରଦେଶ ସଚିବ ମଧୁସୂଦନ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ସମାଜ ସଂସ୍କାର, ଶିକ୍ଷା, ସଚେତନତା ଓ ଏକତା ଉପରେ ଆଲୋଚନା କରିଥିଲେ। ସେବତ ରାମ କୁମୁରା, ପ୍ରସନ୍ନ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। କର୍ଣ୍ଣ ନାଏକ, କେଶବ ନାଏକ, ବଦ୍ୟୈଶ୍ୱର ମାଝି, ସୁଦର୍ଶନ ନାଏକ, କୁଶମଣି ନାଏକ, ରବିନ ନାଏକ, ରାଜୁ ନାଏକ, ବୃଷଭ ନାଏକ, ସୁବ୍ରତ କୁମାର ଦଣ୍ଡପାଟ, କୋଦଣ୍ଡ ଭୋଇ, ଜଗନ୍ନାଥ ନାଏକ, ପ୍ରେମଲତା ଧରୁଆ ପ୍ରମୁଖ ବିଭିନ୍ନ କାର୍ଯ୍ୟ ତୁଲାଇଥିଲେ। ବାର୍ଷିକ ପୂଜା ଅବସରରେ ଭଜନ, ନୃତ୍ୟ, ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋଁଡ଼ ସମାଜର ବରିଷ୍ଠ କର୍ମକର୍ତ୍ତାଙ୍କଠାରୁ ଜଣାପଡ଼େ, ମୋଗଲ ଶାସକମାନଙ୍କ ଦ୍ୱାରା ହିନ୍ଦୁ ଦେବୀଦେବତାଙ୍କ ମନ୍ଦିର ଉପରେ ଆକ୍ରମଣ, ଲୁଣ୍ଠନ ଯୋଗୁ ଛତିଶଗଡ଼ ରାଜ୍ୟ ଫୁଲଝର ଜମିଦାର ଘଞ୍ଚ ଜଙ୍ଗଲ ଦେଇ ପ୍ରଭୁ ଜଂଘା ବଡ଼ଦେଓଙ୍କୁ ଲୁଚାଇ ଏଠାକୁ ନେଇ ଆସିଥିଲେ। ସେ ସମୟରୁ ଭୋଇପାଲିର ସ୍ବର୍ଗତ ବ୍ରଜମୋହନ ଗଡ଼ତିଆଙ୍କ ଘରେ ପ୍ରଭୁଙ୍କୁ ପୂଜା କରାଯାଉଥିଲା। ପରେ ମନ୍ଦିର ନିର୍ମାଣ ହୋଇଛି। ଜନଶ୍ରୁତି ଅନୁଯାୟୀ, ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ଦେହାବଶେଷକୁ ନଦୀତଟରେ ଦାହ କରି ଭସାଇ ଦେଇଥିଲେ। ଗୋଁଡ଼ ସମାଜର ଜଣେ ବୟସ୍କ ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ କ୍ରମେ ସେ ନଦୀରୁ ଜଂଘ ସଦୃଶ୍ୟ ଏକ ଗଣ୍ଡି ପାଇଥିଲେ ଯାହାକି ଜଂଘା ବଡ଼ଦେଓ ବୋଲି ଆସ୍ଥା ରହିଛି। ଏହା ଶ୍ରୀକୃଷ୍ଣଙ୍କ ଅଂଶବିଶେଷ ଓ ପ୍ରଭୁ ଜଗନ୍ନାଥଙ୍କ ଏକ ବିଶେଷ ରୂପ ବୋଲି ଗୋଁଡ଼ ସମାଜରେ ବିଶ୍ୱାସ କରାଯାଏ।