
ପୁରୀ ଅଫିସ, ୨୮।୧୨: ଗୁରୁବାର ପବିତ୍ର ଶାମ୍ବ ଦଶମୀ। ପୁରୀର ପ୍ରାୟ ପ୍ରତିଟି ପରିବାରର ମହିଳା ନିଜ ସନ୍ତାନସନ୍ତତିଙ୍କ ଆରୋଗ୍ୟ ଓ ମଙ୍ଗଳ କାମନା କରି ଶାମ୍ବ ଦଶମୀ ପୂଜା କରିଛନ୍ତି। ସକାଳେ, ମଧ୍ୟାହ୍ନରେ ଏବଂ ସନ୍ଧ୍ୟାରେ ଭଗବାନ ସୂର୍ଯ୍ୟଦେବଙ୍କୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଛନ୍ତି। ମୁଅଁା, ମକରଚାଉଳ, ପିଠା, ଫଳମୂଳ, ଖେଚୁଡି, ଡାଲମା, ଖିରି ଇତ୍ୟାଦି ସୂର୍ଯ୍ୟଙ୍କୁ ଭୋଗ କରାଯାଇଛି। ଏ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ପୌଷମାସ ଶୁକ୍ଳପକ୍ଷ ଦଶମୀକୁ ଶାମ୍ବ ଦଶମୀ ବା ଶମ୍ବର ଦଶମୀ କୁହାଯାଏ। ଜାମ୍ବବତୀଙ୍କ ଗର୍ଭଜାତ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ଏହିଦିନ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ଅନତିଦୂରରେ ଅବସ୍ଥିତ ଅର୍କକ୍ଷେତ୍ର କୋଣାର୍କରେ ଭଗବାନ ସୂର୍ଯ୍ୟଙ୍କୁ ଆରାଧନା କରି ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ ମୁକ୍ତ ହୋଇଥିଲେ। ଏହି ପର୍ବର ଆରାଧ୍ୟ ଦେବତା ସୂର୍ଯ୍ୟଦେବ। ପଞ୍ଚମହାଭୂତରେ ଗଠିତ ସକଳ ଜୀବଜଗତ ସୂର୍ଯ୍ୟ ତାପ ବିନା ବଞ୍ଚତ୍ରହିବା ଅସମ୍ଭବ। ସୂର୍ଯ୍ୟଙ୍କ ରଶ୍ମିରେ ସମସ୍ତ ରୋଗ ନିବାରଣ ଶକ୍ତି ନିହିତ। ଏଣୁ ହିନ୍ଦୁ ରମଣୀମାନେ ନିଜ ସନ୍ତାନସନ୍ତତିଙ୍କର ଆରୋଗ୍ୟ କାମନା କରି ଏହିଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ପାରମ୍ପରିକ ରୀତିରେ ପୂଜା କରିଥାନ୍ତି। ଏହି ପବିତ୍ର ତିଥିରେ ସୂର୍ଯ୍ୟଙ୍କ ନିକଟରେ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ତିନିଧୂପ କରି ପୂଜା କରାଯାଏ। ପ୍ରଥମ ଧୂପଟି ବ୍ରାହ୍ମମୁହୂର୍ତ୍ତରେ ହୋଇଥାଏ। ଏହି ଧୂପରେ ମୁଅଁା, ମକରଚାଉଳ, ଘିଅପିଠା ଓ ଫଳମୂଳ ଆଦି ଭୋଗ କରାଯାଏ। ମଧ୍ୟାହ୍ନ ସମୟରେ ଦ୍ୱିତୀୟ ଧୂପରେ ଖେଚୁଡି, ଡାଲ୍ମା, ଖିରି, ଚକୁଳିପିଠା ଇତ୍ୟାଦି ଭୋଗ କରାଯାଏ। ତୃତୀୟ ଧୂପଟି ସୂର୍ଯ୍ୟାସ୍ତ ବା ଗୋଧୂଳି ବେଳାରେ ଅନୁଷ୍ଠିତ ହୁଏ। ବିଲୁଆ ନ ଭୁକିବା ପୂର୍ବରୁ ଏହି ଭୋଗ ସମ୍ପନ୍ନ ହେବାର ବିଧି ରହିଛି। ଏଥିରେ ଦୋପୁରିଆ ଚକୁଳି ସହ ସୁସ୍ବାଦୁ ତରକାରି କରାଯାଏ। ବିଭିନ୍ନ ପନିପରିବା ପଡି ପ୍ରସ୍ତୁତ ହୋଇଥିବା ଏହି ତରକାରିକୁୁ ଘଡ଼ଘଡିଆ ତରକାରି ବୋଲି କୁହାଯାଏ। ଓଡ଼ିଶାର ପ୍ରାୟ ପ୍ରତି ପରିବାରରେ ମାନସିକ କରି ଏହି ବ୍ରତ ପାଳନ କରାଯାଇଥାଏ।