
ନୂଆଦିଲ୍ଲୀ, ୨୮।୧୨(ପି.ଟି.)- ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ଅନ୍ୟତମ ଫ୍ରାଞ୍ଚାଇଜ୍ ଏଫ୍ସି ପୁଣେ ସିଟିର କୋଚ୍ ରାଙ୍କୋ ପୋପୋଭିକ୍ଙ୍କୁ ୪ଟି ମ୍ୟାଚ୍ ଲାଗି ବାସନ୍ଦାଦେଶ ଜାରି କରାଯାଇଛି। ଗତ ୨୩ ତାରିଖରେ ଅନୁଷ୍ଠିତ ଏଫ୍ସି ଗୋଆ ବିପକ୍ଷ ଲିଗ୍ ମ୍ୟାଚ୍ ପରେ ପରିଚାଳକଙ୍କ ପ୍ରତି ଅନାବଶ୍ୟକ ଅଭିଯୋଗ କରିଥିଲେ। ଏହି କାରଣରୁୁ ତାଙ୍କୁ ବାସନ୍ଦାଦେଶ ଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। ଏଥିସହ ତାଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ। ”ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ର ଶୃଙ୍ଖଳାଗତ କମିଟି ୫୦ତମ ଧାରା ଅନୁଯାୟୀ ମ୍ୟାଚ୍ ପରିଚାଳକଙ୍କ ପ୍ରତି ଅନାବଶ୍ୟକ ଅଭିଯୋଗ ଓ ଧାରା ୫୮ ଅନୁଯାୟୀ ଦାୟିତ୍ୱହୀନ ବ୍ୟବହାର ପ୍ରଦର୍ଶନ କରିବା ଯୋଗୁ ଏଫ୍ସି ପୁଣେ ସିଟି କୋଚ୍ ପୋପୋଭିକ୍ଙ୍କୁ ଦଣ୍ଡିତ କରାଯାଇଛି। ତାଙ୍କୁ ୪ଟି ମ୍ୟାଚ୍ରୁ ବାସନ୍ଦ କରାଯିବା ସହ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି। ଜରିମାନା ବାବଦ ଅର୍ଥରାଶି ଆଗାମୀ ୧୦ ଦିନ ମଧ୍ୟରେ ଏଆଇଏଫ୍ଏଫ୍ ନିକଟରେ ପୈଠ କରିବାକୁ ପଡ଼ିବ। ନଚେତ୍ ବାସନ୍ଦାଦେଶର ସମୟସୀମା ୪ଟି ମ୍ୟାଚ୍ରୁ ବୃଦ୍ଧି ପାଇପାରେ“ ବୋଲି ଏଆଇଏଫ୍ଏଫ୍ର ଶୃଙ୍ଖଳାଗତ କମିଟି ଏଫ୍ସି ସିଟି ପୁଣେ ଦଳକୁ ଜଣାଇଛି। ଲିଗ୍ରେ ଏବେ ସୁଦ୍ଧା ପୁଣେ ଦଳ ୭ଟି ମ୍ୟାଚ୍ରୁ ୧୨ ପଏଣ୍ଟ ଅର୍ଜନ କରିଛି।