
ଜଗତ୍ସିଂହପୁର ଅଫିସ,୨୬।୧୨
ବିରିଡ଼ି ବ୍ଲକ ସଢ଼େଇ ଶାସନ ଅନନ୍ତବଡ଼ସ୍ଥିତ ଅଳକା ମହାବିଦ୍ୟାଳୟ ଜଗତ୍ସିଂହପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଏହି ମହାବିଦ୍ୟାଳୟର ଯୁକ୍ତ ୨ ଓ ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟରେ ପାଖାପାଖି ୨ ହଜାର ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି। କିନ୍ତୁ ରାଜନୈତିକ ବିବାଦରୁ ଏହି ଶିକ୍ଷାନୁଷ୍ଠାନର ଅଧୋଗତି ହେବାରେ ଲାଗିଛି। ବିଶେଷ କରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଓ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟରେ ବିବାଦ ଯୋଗୁ ପରିଚାଳନା କମିଟି ଗଠନରେ ବିଳମ୍ବ ଘଟୁଥିବା କୁହାଯାଉଛି। ଏଥିଯୋଗୁ କଲେଜର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଦୀର୍ଘ ଅଢେଇ ବର୍ଷ ହେଲା ପରିଚାଳନା କମିଟି ଭାଙ୍ଗିଥିଲେ ସୁଦ୍ଧା ନୂଆ ଗଠନ ହୋଇପାରୁନି। ୧୯୭୯ରେ ମହାବିଦ୍ୟାଳୟ ଗଠନ କରାଯାଇଥିଲା। ୧୯୮୦ରେ ଅନୁମୋଦନ ଲାଭ କରିଥିଲା। ସମ୍ପ୍ରତି ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନରେ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି। କଳାରେ ୨୫୬, ବିଜ୍ଞାନ ୧୨୮ ଓ ବାଣିଜ୍ୟରେ ୬୪ ସିଟ୍ ରହିଛି। ସେହିପରି ଯୁକ୍ତ ୩ କଳାରେ ପୂର୍ବରୁ ଥିବା ୧୯୨ ସିଟ୍ ବୃଦ୍ଧି କରାଯାଇ ୨୫୬ରେ ପହଞ୍ଚତ୍ଛି। ସମସ୍ତ ଛାତ୍ରୀଛାତ୍ର ସମ୍ମାନରେ ଶିକ୍ଷାଲାଭ କରିପାରୁଛନ୍ତି। ସମ୍ମାନ ବିଷୟ ମଧ୍ୟ ଅନୁରୂପ ଭାବେ ୫ରୁ ୮କୁ ବୃଦ୍ଧି ପାଇଛି। ବିଜ୍ଞାନରେ ଥିବା ୯୬ଟି ସିଟ୍ ମଧ୍ୟରୁ ପ୍ରତ୍ୟେକଙ୍କୁ ସମ୍ମାନରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ରସାୟନ, ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନରେ ସମ୍ମାନ ଥିଲା। କିନ୍ତୁ ଏବେ ପଦାର୍ଥ ବିଜ୍ଞାନ ଓ ଗଣିତରେ ସମ୍ମାନ ଶ୍ରେଣୀ ଖୋଲିଛି। ରସାୟନ ବିଜ୍ଞାନ ସମ୍ମାନ ସିଟ୍ ସଂଖ୍ୟା ୧୬ରୁ ୩୨କୁ ବୃଦ୍ଧି କରାଯିବା ସମ୍ଭବ ହୋଇଛି। ପ୍ରଥମଥର ପାଇଁ ବାଣିଜ୍ୟ ପାଠ୍ୟକ୍ରମରେ ୬୪ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି ଏବଂ ପ୍ରତ୍ୟେକ ସମ୍ମାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଆକାଉଣ୍ଟାସିରେ ୩୨ ଓ ମ୍ୟାନେଜମେଣ୍ଟ ୩୨ ସିଟ୍ ପୂରଣ ହୋଇପାରିଛି। ୟୁଜିସି ଅନୁଦାନରେ ମହାବିଦ୍ୟାଳୟ ନବୀକରଣ ଚାଲିଛି। ସ୍ବଚ୍ଛତା ଆଣିବା ପାଇଁ ସବୁ ଟ୍ରାନ୍ଜାକ୍ସନ୍ କ୍ୟାସଲେସ୍ କରାଯାଇଛି।
ଏସବୁ ସତ୍ତ୍ବେ ଅନେକ ଅବ୍ୟବସ୍ଥା ରହିଛି। ବିଶେଷକରି ୨୦୧୫ ଜୁନ୍ରେ ପରିଚାଳନା କମିଟି କାର୍ଯ୍ୟକାଳ ସରିବା ପରେ ନୂଆ ଗଠନ ହେଉନି। ପୂର୍ବରୁ ବିଷ୍ଣୁ ଦାସ ପରିଚାଳନା କମିଟି ସଭାପତି ଥିଲେ। ସେତେବେଳେ ମହାବିଦ୍ୟାଳୟ ଜଗତ୍ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଯାଉଥିଲା। ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଏହି ଅଞ୍ଚଳ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀକୁ ଯାଇଛି। କେବଳ ନିର୍ବାଚନମଣ୍ଡଳୀ ନୁହେଁ, ଏବେ ଥାନା, ବ୍ଲକ, ମେଡିକାଲ ଓ ତହସିଲ ମଧ୍ୟ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯାଉଛି। ଏହି ହିସାବରେ ଏବେ ବିଧାୟିକା ମଲ୍ଲିକ ସଭାପତି ପଦବୀ ପାଇଁ ଦାବିଦାର ବୋଲି କହୁଛନ୍ତି। କିନ୍ତୁ ଦାସ ପଦବୀ ଛାଡିବାକୁ ରାଜି ନୁହନ୍ତି। ଉଭୟଙ୍କ ବିବାଦ ଯୋଗୁ ନୂଆ ପରିଚାଳନା କମିଟି ଗଠନରେ ବାଧା ଉପୁଜିଛି। ବିଧାୟକଙ୍କୁ ପରିଚାଳନା କମିଟି ସଭାପତି କରାଯିବା ବ୍ୟବସ୍ଥା ଥିବାରୁ ପ୍ରଥମେ ଦାସ ଏହି ପଦ ଅଳଙ୍କୃତ କରିଥିଲେ। ତାଙ୍କ ପରେ ରବିନ୍ଦ୍ର ନାଥ ଭୋଇ ବିଧାୟକ ହୋଇଥିଲେ । ହେଲେ ଭୋଇଙ୍କ ସହ ଦାସଙ୍କ ସୁସମ୍ପର୍କ ଥିବାରୁ ବିବାଦ ସୃଷ୍ଟି ହୋଇ ନ ଥିଲା। ଭୋଇ ଯୁକ୍ତ ୨ ଓ ତାଙ୍କ ଇଛାରେ ଦାସଙ୍କୁ ପୁନର୍ବାର ଯୁକ୍ତ ୩ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦବୀରେ ରହିବାକୁ ସୁଯୋଗ ଦେଇଥିଲେ। ଏହି କମିଟି ଭାଙ୍ଗିଗଲା ପରେ ନୂଆ ଗଠନ ପାଇଁ ମହାବିଦ୍ୟାଳୟ ତରଫରୁ ଏକାଧିକ ବାର ଆଞ୍ଚଳିକ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଉପଜିଲାପାଳଙ୍କୁ ସ୍ବତନ୍ତ୍ର ଅଧିକାରୀ ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ଅଧ୍ୟକ୍ଷ ସ୍ବର୍ଣ୍ଣପ୍ରଭା ନନ୍ଦ ମହାବିଦ୍ୟାଳୟ ଉନ୍ନତି ପାଇଁ ସେଭଳି କିଛି ପଦକ୍ଷେପ ନେବା କଷ୍ଟକର ହୋଇପଡିଛି। ଏହାବାଦ୍ ମହାବିଦ୍ୟାଳୟରେ ୨ ଗୋଷ୍ଠୀ ଥିବାରୁ ଉତ୍ତମ ପରିବେଶ ରହୁନି। ପୂର୍ବରୁ ଜନୈକ ଅଧ୍ୟାପକଙ୍କୁ ଅଧ୍ୟକ୍ଷ କରାଯାଇଥିଲା। କିନ୍ତୁ ଏହି ପଦବୀ ପାଇଁ ସେ ଯୋଗ୍ୟ ନୁହନ୍ତି, ବୋଲି କହି ପ୍ରାଧ୍ୟାପିକା ସ୍ବର୍ଣ୍ଣପ୍ରଭା ନନ୍ଦଙ୍କୁ ଏହି ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ନନ୍ଦ ଅଧ୍ୟକ୍ଷ ପଦବୀରେ ରହିଛନ୍ତି। ଏହି କାରଣରୁ ୨ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଛି। ଅନ୍ୟ ଏକ ସମସ୍ୟା ହେଲା ପୂର୍ବରୁ ଅନୁମୋଦିତ ପଦବୀଠାରୁ ପରିଚାଳନା କମିଟି ଅଧିକ ୪୮ ଜଣଙ୍କୁ ନିଯୁକ୍ତି ଦେଇଥିଲା। ଏବେ ଏହି ସଂଖ୍ୟା କମି ୩୯ରେ ପହଞ୍ଚତ୍ଛି। ଯେହେତୁ ଏହି ୩୯ କର୍ମଚାରୀଙ୍କ ଚାକିରି ଅସ୍ଥାୟୀ, ତାହା ଅନ୍ୟ ଅସୁବିଧା ସୃଷ୍ଟି କରିଛି। ତେଣୁ ଯଥାଶୀଘ୍ର ନୂଆ ପରିଚାଳନା କମିଟି ଗଠନ କରାଯାଉ ବୋଲି ଅଧ୍ୟକ୍ଷା ଦାବି କରିଛନ୍ତି। ଅନ୍ୟପକ୍ଷରେ ମହାବିଦ୍ୟାଳୟରେ ରାଜନୈତିକ କନ୍ଦଳ ଯୋଗୁ ଶୈକ୍ଷିକ ପରିବେଶ ନଷ୍ଟ ହେଉଛି। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଏଭଳି ଖେଳାଯିବା ଉଚିତ ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।