
କାଲିମେଳା,୨୬।୧୨(ଡି.ଏନ.ଏ)
କାଲିମେଳା ଥାନା ପକ୍ଷରୁ ଏକ କଣ୍ଟେନର ଉପରେ ଚଢାଉ କରି ତେଲେଙ୍ଗାନା ରାଜ୍ୟକୁ ଚାଲାଣ କରାଯାଉଥିବା ୨୬ବସ୍ତା ଗଞ୍ଜେଇ ବସ୍ତାକୁ ଜବତ କରାଯାଇଛି । କାଲିମେଳା ଅଞ୍ଚଳରୁ ତେଲେଙ୍ଗାନାର ସିକନ୍ଦରାବାଦକୁ ଏକ କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପରେ ମଙ୍ଗଳବାର ଭୋର ସମୟରେ କାଲିମେଳା ପଡିଆ ମୁଖ୍ୟରାସ୍ତାର ପୁଶୁଗୁଡା ନିକଟରେ ଚଢାଉ କରି ଗଞ୍ଜେଇ ଜବତ କରିଥିଲା । ଓଜନ କରିବା ପରେ ୬.୧୪କୁଇଣ୍ଟାଲ ଗଞ୍ଜେଇ ରହିଥିବା ଜଣାପଡିବା ସହ ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କାଲିମେଳା ଥାନା ଅଧିକାରୀ ରାମପ୍ରସାଦ ନାୟକ କହିଛନ୍ତି । ତେବେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ କାଲିମେଳା ପୋଲିିସ ଡ୍ରାଇଭର ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରେ ତହସିଲଦାର ସନତ କୁମାର ନାୟକ ଉପସ୍ଥିତ ଥିଲେ । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଏମଭି-୭୦ ଗ୍ରାମର ଶଙ୍କର ଦାସ(୫୦) ରହିଥିବା ବେଳେ ଅନ୍ୟ ୩ ଜଣ ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦର ମହମ୍ମଦ ସରିଫ(୩୫), ସହିଦ ଖଦର ବସା(୩୭) ଓ ମହମ୍ମଦ ଘୋଷ ବୋଲି ଜଣାପଡିଛି । ଗାଡିଟି କାଲିମେଳାରୁ ଗଞ୍ଜେଇ ନେଇ ପଡିଆ ଦର୍ନାପାଲ ବ୍ରିଜ ଦେଇ ସିକନ୍ଦରାବାଦ ଯାଇଥାନ୍ତା । ଏତେ ପରିମାଣରେ ଗଞ୍ଜେଇ କେଉଁଠୁ ଆସିଲା ପୋଲିସ ତାହାର ତଦନ୍ତ କରୁଥିବାବେଳେ ଏହି ଗଞ୍ଜେଇ ଚାଲାଣ ର଼୍ୟାକେଟ କେତେଦୂର ଲମ୍ବିଛି ତାହାର ଅନୁସନ୍ଧାନ ଚଳାଇଛି । ଏମାନଙ୍କ ବିରୋଧରେ କାଲିମେଳା ଥାନାରେ କେସ୍ ନଂ ୮୫/୧୭ରେ ଏକ ମାମଲା ଦାଏର କରାଯାଇଥିବା ବେଳେ ବୁଧବାର ଏମାନଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଚଢାଉରେ ଏସଆଇ ଶମ୍ଭୁନାଥ ନାୟକ, ରୁଦ୍ର ମାଧବ ମୁଦୁଲିଙ୍କ ସମେତ ଅନ୍ୟ ଥାନା କର୍ମଚାରୀ ସାମିଲ ହୋଇଥିଲେ ।