
ଯାଜପୁର ରୋଡ,୨୬।୧୨- ଦୀର୍ଘ ଦେଢ ବର୍ଷ ପରେ ବ୍ୟାସ ନଗର ପୌର ପରିଷଦ କାଉନସିଲର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ପରିମଳ ବ୍ୟବସ୍ଥାରେ ଠିକା କମ୍ପାନୀର ମନମୁଖୀ କାର୍ଯ୍ୟକୁ କାଉନସିଲରମାନେ ବିରୋଧ କରିଥିଲେ। ଏହାଛଡା ବ୍ୟାସ ସରୋବର ମହୋତ୍ସବ ଓ ସହରର ଆଲୋକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ପୌର ପରିଷଦର ଅଧ୍ୟକ୍ଷା ସବିତା ରାଉତ ଅଧ୍ୟକ୍ଷତା କରିଥିବା ବେଳେ ଉପ ନଗରପାଳ ସୁବାଷ ଚନ୍ଦ୍ର ବଳ ଯୋଗଦେଇଥିଲେ। ପୌରପରିଷଦ ଅଧୀନରେ ଥିବା ୨୬ ଓ୍ବାର୍ଡରୁ ୨୪ ଜଣ କାଉନସିଲର ଏହି ବୈଠକରେ ଯୋଗଦେଇଥିଲେ। ପ୍ରକାଶ ଯେ, ଅଧ୍ୟକ୍ଷକଙ୍କୁ ବିରୋଧ କରି କାଉନସିଲରମାନେ ଦେଢ ବର୍ଷ ହେବ ବୈଠକକୁ ଆସୁ ନଥିଲେ। ବାରମ୍ବାର ଏଥିଯୋଗୁ କାଉନସିଲ ବୈଠକ ସ୍ଥଗିତ ରହୁଥିଲା। ଫଳରେ ପୌରପରିଷଦର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା।