
ଗୁମ୍ମା/ରାୟଗଡ଼/ପାରଳାଖେମୁଣ୍ଡି,୨୪।୧୨(ଡି.ଏନ.ଏ/ସ୍ବ.ପ୍ର)
ବଡଦିନ ତଥା କ୍ରିସମାସ ପାଇଁ ଗଜପତି ଜିଲାର ଗୁମ୍ମା, ରାୟଗଡ଼, ନୂଆଗଡ, ମୋହନା, ଆର୍. ଉଦୟଗିରି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଲାଣି। ଏବେଠୁ ବିଭିନ୍ନ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଭାବେ ସାଜସଜ୍ଜ୍ା କରାଗଲାଣି। ରଙ୍ଗିନ ଆଲୋକମାଲାରେ ଚର୍ଚ୍ଚଗୁଡ଼ିକ ଝଲସି ଉଠିଲାଣି। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଲାଗପଡିଛନ୍ତି କର୍ମକର୍ତ୍ତାମାନେ। ଗୁମ୍ମା ବ୍ଲକର ୭୦ଭାଗ ଲୋକ ଖ୍ରୀଷ୍ଟିୟାନ ସଂପ୍ରଦାୟ ହୋଇଥିବା ବେଳେ ବଡଦିନ ତଥା ଖ୍ରୀଷ୍ଟ ଜୟନ୍ତୀ ହିଁ ସେମାନଙ୍କର ବଡପର୍ବ । ତେଣୁ ଘରଠାରୁ ଆରମ୍ଭ କରି ଚର୍ଚ୍ଚ, ପ୍ରାର୍ଥନା ଗୃହ, ସାହିଗୁଡ଼ିକୁ ସଜେଇବାରେ ସମସ୍ତେ ଲାଗିପଡ଼ିଛନ୍ତି। ହଷ୍ଟେଲ, ବିଭିନ୍ନ ଅନୁଷ୍ଠାନ ୟୁଥକ୍ଲବ ଗୁଡିକ ବର୍ତ୍ତମାନଠାରୁ ପ୍ରି-କ୍ରିସମାସ ପାଳନ କରି କେକ କାଟି ଭୋଜି ଭାତର ଆସର ସହ ସାନ୍ତାକ୍ଲଜ ଡ୍ରେସ ପିନ୍ଧି ପିଲାଙ୍କୁ ଉପହାର ବଣ୍ଟନ କରୁଛନ୍ତି। ନିଜ ଆତ୍ମୀୟ ତଥା ପରିବାର ସହ ବଡଦିନ ପାଳନ ପାଇଁ ଦୂରରେ ଥିବା ଲୋକେ ଗ୍ରାମକୁ ଫେରୁଛନ୍ତି। ଘର ସୁସଜ୍ଜିତ କରିବା, ଉପହାର, ମିଷ୍ଟାନ୍ନ ଓ ନୂଆ ପୋଷାକ କିଣାକିଣି ପାଇଁ ବଜାରରେ ମଧ୍ୟ ଭିଡ ଦେଖିବାକୁ ମିଳିଛି। ବୁରୁଡିଙ୍ଗ ଏରିଆ ପାଳକ ତୁରୁମେନ ଗମାଙ୍ଗ କହିଛନ୍ତି ଯେ, ଖ୍ରୀଷ୍ଟ ଜୟନ୍ତୀ ଆମ୍ଭମାନଙ୍କର ଏକ ବଡପର୍ବ। ଏଥିସହ ନୂତନ ବର୍ଷକୁ ଆମେ ଅଭିନନ୍ଦନ ଜଣାଉ। ତେଣୁ ସମସ୍ତ ଗ୍ରାମ, ମଣ୍ଡଳିଠାରେ ସମୂହ ପ୍ରାର୍ଥନା ସହ ବିଭିନ୍ନ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ଶିଶୁମାନଙ୍କ ମଧ୍ୟରେ ନାଚଗୀତ ଆୟୋଜନ ସହ ପାଳକମାନଙ୍କ ହିତବାଣି ସମସ୍ତେ ଯେପରି ଶୁଣିପାରିବେ ଓ ଦେଖିପାରିବେ ତାହାର ବନ୍ଦୋବସ୍ତ କରାଯାଉଛି। ସେରଙ୍ଗ ପାଳକ ପାଷ୍ଟର ରେଭ ସବୁଲୋନ ପାଣି କହିଛନ୍ତି ଯେ, ଚଳିତବର୍ଷ ସରକାରଙ୍କ ବିମୁଦ୍ରୀକରଣ ଓ ଜିଏସଟି ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ବହୁ ଅସୁବିଧାରେ ପକାଇଥିଲା । ତେଣୁ ସାଜସଜା ଓ ପୋଷାକପତ୍ର କିଣିବାରେ ଟିକେ ଡେରି ହୋଇଗଲା। ବଡଦିନ, ନୂତନ ବର୍ଷ ସହିତ ଆସନ୍ତାବର୍ଷ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଆମ ମଣ୍ଡଳୀ ତରଫରୁ ବଡ ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଲାଗି ସ୍ଥିର ହୋଇଛି । ଖ୍ରୀଷ୍ଟଜୟନ୍ତୀ ଓ ନୂତନ ବର୍ଷ ପାଇଁ ସମୂହ ପ୍ରାର୍ଥନା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ବିଜେଡି ସଂଖ୍ୟାଲଘୁ ସେଲ ସମ୍ପାଦକ ତଥା ରେଭ ପଲ୍ଳବ ଲିମ୍ମା କହିଛନ୍ତି ଯେ, ବହୁ ବର୍ଷ ହେଲା ବାହାର ଲୋକଙ୍କ ସହିତ ଖ୍ରୀଷ୍ଟଜୟନ୍ତୀ ପାଳନ କରୁଥିଲି। କିନ୍ତୁ ଏଥର ନିଜ ଗ୍ରାମରେ ପାଳନ ପାଇଁ ସ୍ଥିର କରିଛି। ବନ୍ଧୁବାନ୍ଧବ ଓ ସାଙ୍ଗଙ୍କ ସହ ଭୋଜିଭାତ କରି ବହୁତ ଆନନ୍ଦ ମିଳୁଛି। ବଡଦିନ ମାନବ ସମାଜ ନିମନ୍ତେ ଉଦାରତା, ପ୍ରେମ, କଲ୍ୟାଣ, ମୈତ୍ରୀ, ଶାନ୍ତି, ଦୟା, ପରୋପକାର, ସଦଭାବନାର ଗୁରୁତ୍ୱ ଦର୍ଶାଇଥାଏ। ପ୍ରଭୁ ଯୀଶୁ ସମସ୍ତଙ୍କ ଜୀବନରେ ଆଶାର ଆଲୋକ ଆଣନ୍ତି। ବଡଦିନ ଉପଲକ୍ଷେ ରାୟଗଡ ବ୍ଲକର ରାୟଗଡ, ମାର୍ଲବା, କୁମୁଲସିଂ, ନାରାୟଣପୁର, ଗଣ୍ଡାହାତୀ, ଜିରାଙ୍ଗ, ଖାରିସାହି, ସରଗଲ, ଜଲାଙ୍ଗ, ତାରବସିଂ, ବୁରୁଜାଙ୍ଗ, ନୂଆସାହି, ଡମ୍ବାଳ, ତାଳମଣ୍ଡା, ବିକ୍ରମପୁର, ବାଲିପୁର, ପେକଟ, ଲିମରସିଂସ୍ଥିତ ଚର୍ଚ୍ଚଗୁଡ଼ିକୁ ସୁସଜ୍ଜ୍ିତ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଲାଗି ପ୍ରସ୍ତୁତି ଚାଲିଛି। ଏବେ ପ୍ରି- କ୍ରିସମାସ ପାଳନ କରାଯାଉଥବବା ରାୟଗଡ ଚର୍ଚ୍ଚର ପାଷ୍ଟର ଗିଦିୟନ ମିଶାଲ କହିଛନ୍ତି। ସେହିପରି ପାରଳାଖେମୁଣ୍ଡି ସହରସ୍ଥ କଲେଜ ଛକ ଓ ଫ୍ରେଣ୍ଡସ କଲୋନୀରେ ରହିଥିବା ଚର୍ଚ୍ଚ ସଜାଯିବା ସହ ପ୍ରାର୍ଥନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।