
କାମାକ୍ଷାନଗର, ୨୨ା୧୨(ଡି.ଏନ୍.ଏ.)- ୨୦୦୩ ଡିସେମ୍ବର ୨୨। ଅନ୍ୟମାନଙ୍କ ପାଇଁ ସାଧାରଣ ଲାଗୁଥିବା ଏହି ଦିବସ ଆଦିବାସୀଙ୍କ ପାଇଁ କିନ୍ତୁ ବେଶ୍ ଖାସ୍। ଏହିଦିନ ଆଦିବାସୀଙ୍କ ଆଲ୍ଚିକ୍ ଭାଷାକୁ ମିଳିଥିଲା ସମ୍ବିଧାନରେ ସ୍ବୀକୃତି। ଏହି ସ୍ମୃତିକୁ ଉଜ୍ଜୀବିତ କରିବାକୁ ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ପାଳିତ ହୋଇଛି ଭାଷା ବିଜୟ ଦିବସ। ଏଥିରେ ନିଜକୁ ସାମିଲ କରିଥିଲା କାମାକ୍ଷାନଗର। ପାରମ୍ପରିକ ବାଦ୍ୟ, ନୃତ୍ୟ ସଙ୍ଗୀତ ମାଧ୍ୟମରେ ଶତାଧିକ ଆଦିବାସୀ ମସ୍ଗୁଲ ହେବାସହ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରିଥିଲେ।
ବାବା ତିଳକ ଆଦିବାସୀ ସଂଘ ଏବଂ ମାଝି ପ୍ରଗଣା ମହଲ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଦିବାସୀ ସଙ୍ଗଠନ ସାମିଲ ହୋଇଥିଲେ। ବିଶିଷ୍ଟ ଆଦିବାସୀ ନେତା ମାଧବାନନ୍ଦ ମାରାଣ୍ଡି ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ନାଲ୍କୋ ଜିଏମ୍ ସ୍ବରୂପ ବାସ୍କେ, ମୁଖ୍ୟବକ୍ତା ଅନୁଗୋଳ ଅତିରିକ୍ତ ଏସ୍ପି ଯଦୁନାଥ ହାଁସଦା, ଭୁବନେଶ୍ୱର ସ୍ବତନ୍ତ୍ର ଗୋଇନ୍ଦା ବିଭାଗର ରାଇସେନ ମୁର୍ମୁ, ଡାକ୍ତର ଚନ୍ଦନ ମୁର୍ମୁ, ଡାକ୍ତର ଅନନ୍ତ ଚନ୍ଦ୍ର ବେସ୍ରା, ଏମ୍ସିଏଲ୍ ଜିଏମ୍ ଅନାଦି ବାସ୍କେ, ଓୟୁଏଟିର ସହକାରୀ ପ୍ରଫେସର ସୁଭାଶିଷ ସୋରେନ୍, ଶିବୁ ହଁାସଦା, ଅର୍ଜୁନ ବେସ୍ରା, ସହକାରୀ ଯନ୍ତ୍ରୀ ସଦାଶିବ ସୋରେନ୍, ବୀରେନ ଡୁଟୁ, ରମେଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ ହନୁମାନ ମନ୍ଦିରରୁ ଆଦିବାସୀମାନେ ନୃତ୍ୟଗୀତର ଏକ ପଟୁଆରରେ ସହର ପରିକ୍ରମା କରି ରେଙ୍ଗାଳି ପଡ଼ିଆରେ ପହଞ୍ଚତ୍ ଭାଷା ବିଜୟ ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ। ଆଦିବାସୀ ନୃତ୍ୟ ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ଅଞ୍ଚଳ କମ୍ପି ଉଠିଥିଲା। ଆଦିବାସୀ ନେତା ପ୍ରତାପ ମାରାଣ୍ଡି, ପୀତାମ୍ବର ମାରାଣ୍ଡି, ସମାଜବାଦୀ ନେତା ପ୍ରେମାନନ୍ଦ ସାହୁଙ୍କ ସମେତ ବହୁ ଆଦିବାସୀ ନେତା ଉପସ୍ଥିତ ଥିଲେ।