
ଧର୍ମଶାଳା,୨୩।୧୨(ଡିଏନ୍ଏ)
ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୩ଟି ସମବାୟ ସମିତି ଜରିଆରେ ଚାଷୀମାନଙ୍କ ଠାରୁ ଧାନ କିଣା ପାଇଁ ଶନିବାର ଦିନ ଶୁଭାରମ୍ଭ ହୋଇଛି। ୪ଟି ସମବାୟ ସମିତିରୁ ଧାନ କିଣାପାଇଁ ଶନିବାର ଧାର୍ଯ୍ୟ ହୋଇଥିଲେ ହେଁ ଗୋଟିଏ ସମବାୟରୁ ମାତ୍ର ୩ଜଣ ଚାଷୀଙ୍କଠାରୁ ୧୦୮କୁଇଣ୍ଟାଲ ୪୫କି.ଗ୍ରା ଧାନ କିଣା ଯାଇଥିବା ଜଣାଯାଇଛି। ଏହି ବ୍ଲକ ଅଧିନସ୍ଥ ଅଭୟପୁର, ଅରେଇକଣା, ଦେଓଦା, ଗଡ଼ମଧୁପୁର ସମବାୟ ସମିତିର ଅନ୍ଲାଇନରେ ଆବେଦନ କରିଥିବା ଚାଷୀଙ୍କ ଠାରୁ ଧାନ କିଣା ଯିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଅଭୟପୁର ସମବାୟ ସମିତିର ୩ ଜଣ ଚାଷୀଙ୍କ ଠାରୁ ଧାନ କିଣାକୁ ଶୁଭାରମ୍ଭା ହୋଇଛି। ଏହି ଉପଲକ୍ଷେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଧର୍ମଶାଳା ପରିଚାଳକ ପଦ୍ମଲୋଚନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଧାନ କିଣା ଶୁଭାରମ୍ଭ କରିଥିଲେ।ଏହି ଶୁଭାରମ୍ଭ ଉସତ୍ବରେ ସମବାୟ ସମିତି ସଭାପତି କିଶୋର କାନ୍ତ ରାଉତ, କାର୍ଯ୍ୟନିର୍ବାହୀ କୈଳାସ ନାୟକ ଧାନ କିଣାରେ ସହଯୋଗ କରିଥିଲେ। ମହାବଳୀ ମଡର୍ଣ୍ଣ ରାଇସମିଲର ଚାଷୀଙ୍କ ଠାରୁ ଧାନ କିଣିଥିଲେ। ତେବେ ଶନିବାର ଅନ୍ୟ ୩ଟି ସମବାୟ ସମିତିର ଧାନ କିଣା ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ହେଁ ରାଇସମିଲ କର୍ମଚାରୀମାନେ ନ ଆସିବାରୁ ସେଠାରେ ଧାନ କିଣା ସମ୍ଭବପର ହୋଇପାରି ନାହିଁ। ଚାଷୀ ଧାନ କିଣି ବିକିବା ପାଇଁ ସମବାୟ ସମିତି ଆଣି ପୁଣି ଫେରାଇ ନେଇଥିବା ଜଣାଯାଇଛି। ଏନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।