
ବ୍ରହ୍ମପୁର ଅଫିସ,୨୦।୧୨-ପୁନର୍ଗଠିତ ଗଞ୍ଜାମ ଯୁବ ଓ ଛାତ୍ର ବିଜେଡିର ମିଳିତ ଜିଲା ସମ୍ମିଳନୀ ବୁଧବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ମୋଦି ସରକାରଙ୍କ ଜନ ବିରୋଧୀ ନୀତି ଯୋଗୁ ଦେଶବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଭାଜପା ହତୋତ୍ସାହ ହୋଇଯାଇଛି ଏବଂ ବ୍ୟାପକ ପ୍ରଚାର ତଥା ପ୍ରସାର ଦ୍ୱାରା ଜନସାଧାରଣଙ୍କ ନିକଟତର ହେବାକୁ ସୋସିଆଲ ମିଡିଆକୁ ମାଧ୍ୟମ କରିଛି। ଯୁବ ଓ ଛାତ୍ର ବିଜେଡି ଏହାକୁ ଟକ୍କର ଦେବା ପାଇଁ ପ୍ରତି ପଞ୍ଚାୟତ ସ୍ତରରୁ ସୋସିଆଲ ମିଡିଆ ଉପଯୋଗ କରିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଶାସନ କ୍ଷମତା ଦଖଲ ନିମନ୍ତେ ଭାଜପା ତେଲ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରି ଦିବା ସ୍ବପ୍ନ ଦେଖୁଛି। ତେବେ ଭାଜପାର ଏହି ଚାଲ ସମ୍ପୂର୍ଣ୍ଣ ବିଫଳ ହେବ ଏବଂ ସମଗ୍ର ରାଜ୍ୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ହାୱା ବୋହୁଥିବାରୁ ଆଗାମୀ ନିର୍ବାଚନରେ ବିଜେଡି ବହୁମତ ପାଇ ପଞ୍ଚମଥର ପାଇଁ ସରକାର ଗଠନ କରିବ ବୋଲି ଯୁବ ବିଜେଡି ଭବିଷ୍ୟ ବାଣୀ ଶୁଣାଇଛି। ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଥିରେ ଯୋଗ ଦେଇ କହିଥିଲେ, ବହୁବର୍ଷ ଧରି ବିଜୟଧାରା ବଜାୟ ରହିଥିବାରୁ ଦେଶର ପ୍ରଥମ ଆଞ୍ଚଳିକ ଦଳ ଭାବେ ବିଜେଡି ପ୍ରତିଷ୍ଠିତ ହୋଇପାରିଛି। ଏଥିରେ ଅସହିଷ୍ଣୁ ହୋଇ ବିରୋଧୀ ଦଳ ମୁଖ୍ୟତଃ ଭାଜପା ରାଜ୍ୟ ସରକାରଙ୍କ ବିରୋଧରେ ମନଗଢ଼ା ଅପପ୍ରଚାର ଚଳାଇଛି। କୁହାଳିଆ ଦଳର ଏହି ଅପପ୍ରଚାରକୁ ଦଳର ଯୁବବାହିନୀ ତଥା ବିଜୁ ସେନା ଠିକଣା ଭାବରେ ମୁକାବିଲା କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆରୁଖ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ଯୁବ ଓ ଛାତ୍ର ଗୋଷ୍ଠୀ ବିଜେଡିର ସମ୍ପତ୍ତି ହୋଇଥିବା ଦର୍ଶାଇଥିଲେ। ଜିଲାର ପୁରପଲ୍ଲୀରେ ବିଜେଡିର ସଂଗଠନକୁ ଅଧିକ ମଜଭୁତ କରିବା ଲାଗି ଯୁବ ଗୋଷ୍ଠୀଙ୍କୁ ସେ ପରାମର୍ଶ ଦେଇଥିଲେ। ଗଞ୍ଜାମ ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଭାଷଣ ପ୍ରସଙ୍ଗରେ ଯାହାଙ୍କ ନାମରେ ଦଳ ଗଠନ ହୋଇଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ଯୁବଗୋଷ୍ଠୀ ଦୁଃସାହସିକ ଓ ନିର୍ଭୀକ ହୋଇ ବିଜେଡିକୁ ବିରୋଧ କରୁଥିବା ଦଳକୁ କଡ଼ା ଟକ୍କର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମରେ ଭାଜପା ପଶିପାରିବ ନାହିଁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଜିଲା ଯୁବ ବିଜେଡି ସଭାପତି ଏନ. ଧନଞ୍ଜୟ ରାଓ ଏବଂ ଛାତ୍ର ବିଜେଡି ଜିଲା ସଭାପତି ପ୍ରଶାନ୍ତ ପଣ୍ଡା ସମ୍ମିଳନୀ ସଂଯୋଜନା କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ଓ ପ୍ରିୟାଂଶୁ ପ୍ରଧାନ ଉଦ୍ବୋଧନ ଦେଇଥିଲେ। ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମିଳନୀରେ ଯୋଗ ଦେଇଥିବା ଜିଲାର ବହୁ ସଂଖ୍ୟକ ଦଳର ଛାତ୍ର ଓ ଯୁବକଙ୍କୁ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଗୁରୁମନ୍ତ୍ର ଦେଇଥିଲେ। ବିଜେଡିର ପ୍ରଥମ କରି ହୋଇଥିବା ୪ ଦିନିଆ ବ୍ଲକ, ଏନ୍ଏସି, ମହିଳା ସଂଗଠନ ଓ ଜିଲା କମିଟି କର୍ମକର୍ତ୍ତା ଓ କର୍ମୀ ଏବଂ ଯୁବ ଛାତ୍ର ଗୋଷ୍ଠୀଙ୍କୁ ପାଣିଗ୍ରାହୀ ସଂଗଠିତ କରାଇଥିଲେ। ଛାତ୍ର ଓ ଯୁବ ଗୋଷ୍ଠୀ ବିଜେଡିର ଭବିଷ୍ୟତ ହୋଇଥିବାରୁ ସେମାନେ ନିଷ୍ଠାର ସହିତ ସଂଗଠନକୁ ସୁଦୃଢ଼ କରିବାକୁ ସେ ସଚେତନ କରାଇଥିଲେ। ଯୁବ ବିଜେଡିର ଦକ୍ଷିଣାଞ୍ଚଳ ଜୋନ ସଭାପତି ଏମ. ଧନଞ୍ଜୟ ରେଡ୍ଡୀଙ୍କ ସମେତ ବିଭିନ୍ନ ବ୍ଲକ ଓ ସହରାଞ୍ଚଳର ଅନେକ ଯୁବ ଓ ଛାତ୍ର ନେତା ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଉପସ୍ଥିତ ଥିଲେ।
ପଞ୍ଚାୟତ ଓ ପୌର ନିର୍ବାଚନରେ ରାଜ୍ୟ ସରକାର ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଯୁବ ଗୋଷ୍ଠୀଙ୍କ ନିମନ୍ତେ ମଧ୍ୟ ଅନୁରୂପ ସ୍ଥାନ ସଂରକ୍ଷଣ ଲାଗି ସମ୍ମିଳନୀରେ ଛାତ୍ର ଓ ଯୁବ ସଂଗଠନର ମୁଖିଆମାନେ ଦାବି କରିଥିଲେ। ଯୁବ ବିଜେଡି ରାଜ୍ୟ ସହ ଉପଦେଷ୍ଟା କୈଳାସ ରଣା, ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଜଗଦୀଶ ସାବତ, ମହାନଗର ଯୁବ ସଂଗଠକ ସଭାପତି ମୁକୁନ୍ଦ ଗୌଡ଼, ଜିଲା ବିଜେଡି ଉପସଭାପତି ଉମା ଚରଣ ନାୟକ, ବିଏମ୍ସି ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ମହିଳା ବିଜେଡି ଜିଲା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ସମେତ ଅନିଲ ସାହୁ, ଜଗନ୍ନାଥ ସାବତ ପ୍ରମୁଖ ଯୋଗ ଦେଇଥିଲେ।