
ଧମା, ୨୧।୧୨ (ଡି.ଏନ.ଏ.)
ମାନେଶ୍ୱର ବ୍ଲକରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ୧୫ ପ୍ରତିଶତର ପିସି କାରବାର ଚାଲିଛି। ଏହାକୁ ଖୋଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓ ପ୍ରୋତ୍ସାହନ ଦେଉଛନ୍ତି। ଏହି ପରି ଏକ ଗୁରୁତର ଅଭିଯୋଗ ଆସିଛି ମାନେଶ୍ୱର ବିଡିଓ ପଙ୍କଜ ପଧାନଙ୍କ ନାଁରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ବିଡିଓ ତାଙ୍କ ଅଧସ୍ତନ କର୍ମଚାରୀଙ୍କ ଜରିଆରେ ପ୍ରୋତ୍ସାହନ ରାଶି ପାଇଁ ପିସି ଦେବାକୁ ବାଧ୍ୟ କରି ହଇରାଣ ହରକତ କରୁଛନ୍ତି। ପିସି ନ ଦେଲେ ବିଲ୍ ପ୍ରଦାନ କରାଯିବ ନାହଁ ବୋଲି ରୋକଠୋକ୍ କୁହାଯାଉଛି। ଏ ବାବଦରେ ବିଭିନ୍ନ ସମୟରେ ହିତାଧିକାରୀମାନେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ହେଁ ତଦନ୍ତ ଆଳରେ ନିଜର ଅଧସ୍ତନ କର୍ମଚାରୀଙ୍କୁ ବିଡିଓ ଘଣ୍ଟ ଘୋଡାଉଥିବା ହିତାଧିକାରୀମାନେ ଅଭିଯୋଗ କରନ୍ତି। ଏହିପରି ଆଉ ୪ଟି ଅଭିଯୋଗ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଥରେ ପହଞ୍ଚିଛି। ଶାସକ ବିଜେଡି ଦଳର କର୍ମୀ ଶିବ ସାହୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ସାହାସପୁର ଗ୍ରାମର ପାର୍ବତୀ ଭୋଇ, ତପସ୍ବିନୀ ଭୋଇ, ସଚିତା ନାଏକ, ପିପଲିକାନି ଗ୍ରାମର ଦମୟନ୍ତି ମାଝି ପ୍ରମୁଖ ପିସି ନ ଦେଇପାରି ବିଡିଓଙ୍କ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ହଇରାଣ ହରକତ ହେଉଛନ୍ତି। ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ବିଡିଓ ପ୍ରଧାନ କହିଛନ୍ତି ଯେ, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର କୌଣସି ସତ୍ୟାସତ୍ୟ ନାହିଁ। କେବଳ ତାଙ୍କୁ ବଦନାମ କରିବାକୁ ଏହା ଉଦ୍ଦେଶ୍ୟ ପ୍ରଣୋଦିତ। ସେ କାହାକୁ ପିସି ମାଗନ୍ତି ନାହିଁ କିମ୍ବା ଅଧସ୍ତନ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି ନାହିଁ। ଯଦି କେହି ଏଭଳି ଅଭିଯୋଗ କରୁଛନ୍ତି ତେବେ ସେ ସ୍ବାଗତ କରିବା ସହ ପ୍ରମାଣ ସହ ଅଭିଯୋଗ କରିବାକୁ ଆହ୍ବାନ କରିଛନ୍ତି। ଯଦି ସେ ପିସି ନେଉଥିବା ପ୍ରମାଣିତ ହୁଏ ତେବେ ଆଇନ ଅନୁସାରେ ଯାହା ଦଣ୍ଡ ଦିଆଯିବ ତାହାକୁ ସେ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।