
ଜୀବନକୁ ସରଳ ଓ ସୁସ୍ଥ ରଖିବାକୁ ପ୍ରକୃତି ପାଖରେ ରହିଛି ଅନେକ ଉପହାର। ବିଶେଷକରି ଶୀତ ଋତୁରେ ଶରୀରକୁ ସୁସ୍ଥ ରଖିବାକୁ ସୂର୍ଯ୍ୟକିରଣରେ ରହିଛି ଅନେକ ଉପାଦାନ। ଏହା ଶରୀରକୁ ଉଷୁମ ରଖିବା ସହ ଶୀତଦିନେ ହେଉଥିବା ଅନେକ ରୋଗରୁ ମଧ୍ୟ ଆମକୁ ଦୂରେଇ ରଖିଥାଏ। ଏଥିରୁ ଭରପୂର ପୋଷକତତ୍ତ୍ୱ ମିଳିଥାଏ। ବିଶେଷ କରି ସକାଳ ସୂର୍ଯ୍ୟ କିରଣରୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ଡି ମିଳିଥାଏ, ଯାହା ଶରୀରରେ ଭିଟାମିନ୍ ଡି’ର ପରିମାଣକୁ ସନ୍ତୁଳିତ ରଖିବା ସହ ଅସ୍ଥି ମଜଭୁତ ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ। ଶୀତଦିନେ ଆମେ ସୁସ୍ଥ ରହିବାକୁ ଚାହୁଁଥିଲେ ନିୟମିତ ସକାଳୁ ସୂର୍ଯ୍ୟକିରଣରେ କିଛି ସମୟ ବୁଲାବୁଲି କରିବା ଭଲ। ସକାଳୁ ସୂର୍ଯ୍ୟକିରଣରେ ସାମାନ୍ୟ ଦ୍ରୁତ ଗତିରେ ଚାଲିଲେ ଅଣ୍ଟା ବା ଜଙ୍ଘରେ ଜମା ହୋଇଥିବା ଚର୍ବି କମିଯାଇଥାଏ। ଏହାସହ ସକାଳର ଥଣ୍ଡା ସାଙ୍ଗକୁ ସୂର୍ଯ୍ୟ କିରଣର ସାମାନ୍ୟ ଉଷୁମ ପରଶ ମନକୁ ହାଲୁକା କରିଥାଏ। ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ। ସକାଳ ସୂର୍ଯ୍ୟକିରଣରେ ବୁଲିଲେ ଭଲ ନିଦ ହୋଇଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହି ଦିନେ ହେଉଥିବା ଫଙ୍ଗାଲ୍ ଇନ୍ଫେକଶନ୍ ପାଇଁ ଏହା ଭଲ କାମ ଦେଇଥାଏ। ସବୁଠାରୁ ଜରୁରୀ ହେଲା ଏହା ପୋଲିଓ ଠାରୁ ଆପଣଙ୍କ ଆଗାମୀ ପିଢିକୁ ରକ୍ଷା କରିବା। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ କରିବାରେ ସହାୟକ ହୋଇଥାଏ।