
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ମଣିଷ ସବୁବେଳେ ପ୍ରାଣୀମାନଙ୍କ ଶକ୍ତି ଦେଖି ଈର୍ଷା କରିଆସିଛି। ପୁରାଣଶାସ୍ତ୍ରରେ ମଣିଷ କିପରି ପ୍ରାଣୀମାନଙ୍କ ସମକକ୍ଷ ହୋଇ ମହାଶକ୍ତିଶାଳୀ ହେବା ପାଇଁ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଆସିଛି, ତାହାର ବର୍ଣ୍ଣନା ଅଛି। ଦେବଦୂତ, ପରୀ, ଗ୍ରୀକ୍ ଡ୍ରାକେନା, ମଥ୍ମେନ୍, ସେରାଫ୍ (ଦେବଦୂତ ବିଶେଷ), ନର୍ସ ଭାଲ୍କିରି, ଆସିରିଆର ଡେଣାଯୁକ୍ତ ଜିନି - ଏ ସମସ୍ତେ ଡେଣାଯୁକ୍ତ ମଣିଷ। ପୁରାଣ ଓ ଲୋକକଥାରେ ପ୍ରାଣୀ-ମଣିଷ ବର୍ଣ୍ଣସଙ୍କରଙ୍କ ବିଷୟରେ ଅନେକ କାହାଣୀ ରହିଛି। ଅଧିକାଂଶ କ୍ଷେତ୍ରରେ ଏମାନଙ୍କୁ ଦେବତା ବା ରାକ୍ଷସର ମାନ୍ୟତା ଦିଆଯାଇଛି। ଖ୍ରୀଷ୍ଟିଆନ ଚିତ୍ରକଳାରେ ସଇତାନକୁ ମଣିଷ ଶରୀର, ଛେଳି ଓ ମେଣ୍ଢାର ଶିଙ୍ଗ, ଛେଳିର ଲୋମ ଓ ଆଖି ଏବଂ ଘୁଷୁରିର ନାକ ଓ ଶ୍ୱାନଦାନ୍ତ ଦିଆଯାଇଛି। ପ୍ରାଚୀନ ମେସୋପଟାମିଆ ସଭ୍ୟତାରେ ପାଜୁଜୁ ହେଉଛନ୍ତି ଜଣେ ଅସୁର ରାଜା, ଯେ କି ଦକ୍ଷିଣପଶ୍ଚିମ ବାୟୁର ପ୍ରତିନିଧି ଏବଂ ତାଙ୍କଦ୍ୱାରା ଝଡ଼ବାତ୍ୟା ଓ ମରୁଡ଼ି ହୋଇଥାଏ। ତାଙ୍କର ଶରୀରଟି ମଣିଷର, ମୁଣ୍ଡଟି ସିଂହ ବା କୁକୁରର, ପଞ୍ଝା ଇଗଲର ଏବଂ ଲାଞ୍ଜ କଙ୍କଡ଼ାବିଛାର। ତାଙ୍କର ଦୁଇ ଯୋଡ଼ା ଡେଣା ଥିବାର ବର୍ଣ୍ଣନା ଅଛି। ମାତ୍ର ଯେହେତୁ ପାଜୁଜୁ ଏକ ଅସତ୍ ଶକ୍ତି, ସେ ଅନ୍ୟ ଅସତ୍ ଶକ୍ତି ଓ ଅସତ୍ ଆତ୍ମାମାନଙ୍କୁ ଭୟଭୀତ କରି ତଡ଼ିଦିଅନ୍ତି ଏବଂ ମଣିଷମାନଙ୍କୁ ବିପର୍ଯ୍ୟୟ ଓ ଦୁର୍ଭାଗ୍ୟ ହାତରୁ ରକ୍ଷା କରନ୍ତି। ହଜାର ହଜାର ବର୍ଷ ତଳର ଗୁମ୍ଫା ଚିତ୍ରରେ ମଣିଷ ବର୍ଣ୍ଣସଙ୍କରଙ୍କୁ ଦେଖିବାକୁ ମିଳେ। ବିଶେଷତଃ ଗୁଣିଆ ବା ତାନ୍ତ୍ରିକମାନେ କିପରି ପଶୁପକ୍ଷୀଙ୍କଠାରୁ ମାନସିକ ଓ ଆତ୍ମିକ ଶକ୍ତି ହାସଲ କରୁଥିଲେ ତାହା ଏହି ଚିତ୍ର ମାଧ୍ୟମରେ ବୁଝାଇ ଦିଆଯାଇଛି। ଭାରତରେ ମଣିଷ-ପ୍ରାଣୀଙ୍କ ସଂଯୋଗ ଦେଖିବାକୁ ମିଳେ ଗଣେଶଙ୍କଠାରେ। କିନ୍ତୁ ଅନ୍ୟ ସଂସ୍କୃତି ଭଳି ଆମ ପୁରାଣରେ ପୂଜା କରିବା ପାଇଁ ପ୍ରାଣୀ-ମଣିଷର ମିଶ୍ରଣ କରାଯାଇ ନାହିଁ। ଆମ ପୁରାଣରେ କେବଳ ପ୍ରାଣୀଙ୍କ ଭିତରେ ବି ଦିବ୍ୟତ୍ୱ ଆରୋପ କରାଯାଇଛି, ଯେପରି କୂର୍ମ ଅବତାର ବା କଇଁଛ, ମତ୍ସ୍ୟ ଅବତାର ବା ମାଛ, ଗରୁଡ଼ ବା ବାଜପକ୍ଷୀ, ଜାମ୍ବବାନ ବା ଭାଲୁ, କାମଧେନୁ ବା ଗାଈ (ଯାହାକୁ ପରବର୍ତ୍ତୀ ସମୟରେ ମଣିଷର ମୁଣ୍ଡ, ଗାଈର ଦେହ, ମୟୂରର ଡେଣା ଓ ଲାଞ୍ଜ ଦିଆଯାଇଛି), ଶେଷଦେବ ବା ନାଗ (ଯେ କି ମଣିଷ ଅବତାର ଧାରଣ କରିପାରନ୍ତି, ଯେପରି ବଳରାମ) ଇତ୍ୟାଦି। ପୁରାଣରେ ଅଛି ଶେଷଦେବ ଜଣେ ସନ୍ନ୍ୟାସୀ ଥିଲେ। ତାଙ୍କ ତପସ୍ୟାରେ ପ୍ରୀତ ହୋଇ ବ୍ରହ୍ମା ତାଙ୍କୁ ପୃଥିବୀକୁ ଧାରଣ କରିବା ପରି ଗୁରୁଭାର ବହନ କରିବାର ଦାୟିତ୍ୱ ଦେଲେ। ତା’ପରେ ଶେଷଦେବ ଏକ ସର୍ପ ରୂପ ଧାରଣ କରି ମାଟି ଭିତରେ ପଶି ପୃଥିବୀର ତଳଦେଶକୁ ଚାଲିଗଲେ ଯେଉଁଠି ସେ ପୃଥିବୀକୁ ନିଜ ମୁଣ୍ଡ ଉପରେ ଧାରଣ କଲେ। ଅନ୍ୟ ପୁରାଣ, ବିଶେଷତଃ ଗ୍ରୀକ୍, ରୋମାନ୍, ମିଶରୀୟ, ମେସୋପଟାମୀୟ, ଚାଇନିଜ୍ ଓ ଜାପାନୀ ପୁରାଣରେ ମଣିଷ-ପ୍ରାଣୀଙ୍କ ମିଶ୍ରିତ ରୂପ ହିଁ ତାଙ୍କୁ ଦେବତ୍ୱ ପ୍ରଦାନ କରିଥାଏ। ଗ୍ରୀକ୍ ପୁରାଣରେ ପ୍ୟାନ୍ ହେଉଛନ୍ତି ଜଣେ ଦେବତା ଯାହାଙ୍କ ଗଣ୍ଡିଟି ମଣିଷର ଏବଂ ପଛଭାଗ, ଗୋଡ଼ ଓ ଶିଙ୍ଗ ହେଉଛି ଛେଳିର। ସେ ହେଉଛନ୍ତି ବଣ, କ୍ଷେତ, ସମାଧିସ୍ଥଳ, ଉପବନ, ଛେଳି, ମେଣ୍ଢା ଆଦିଙ୍କ ଗୋଠ, ପ୍ରକୃତି ଓ ଗ୍ରାମ୍ୟ ସଂଗୀତର ଦେବତା। ସେ ଉର୍ବରତା ଓ ବସନ୍ତ ଋତୁର ପ୍ରତିନିଧି। ଇଂଲିଶ୍ର ‘ପ୍ୟାନିକ’ ଶବ୍ଦଟି ତାଙ୍କରି ନାମରୁ ଆସିଛି। ତାଙ୍କୁ କେହି ବିରକ୍ତ କଲେ ସେ ଏପରି ଚିତ୍କାର କରନ୍ତି, ଯାହାଦ୍ୱାରା ସମସ୍ତେ ଭୟଭୀତ ହୋଇପଡ଼ନ୍ତି। ଯେତେବେଳେ ଟାଇଟାନ୍ ନାମକ ରାକ୍ଷସମାନେ ଗ୍ରୀକ୍ ଦେବତାମାନଙ୍କ ଆବାସସ୍ଥଳ ଅଲିମ୍ପସ୍ ଉପରେ ଆକ୍ରମଣ କଲେ ସେ ଏପରି ଚିତ୍କାର କରି ରାକ୍ଷସମାନଙ୍କୁ ଭୟଭୀତ କରି ଘଉଡ଼ାଇ ଦେଇଥିଲେ। ଆଉ ଏକ ଶବ୍ଦ ‘କମ୍ପାନିୟନ’ ବି ‘ପ୍ୟାନ୍’ରୁ ଆସିଛି, ମୋ ପାଇଁ ଯାହାର ଅର୍ଥ ଏକ ସ୍ବର୍ଗ ପରି ସ୍ଥାନ, ଯେଉଁଠି ମଣିଷ ଓ ପ୍ରାଣୀ ବନ୍ଧୁ ପରି ଏକତ୍ର ବାସ କରନ୍ତି। ଗ୍ରୀକ୍ ସ୍ୟାଟର ହେଉଛନ୍ତି ଅଧା ମଣିଷ ଓ ଅଧା ଛେଳି ଶରୀର ବିଶିଷ୍ଟ ବନଦେବତା ଯେ କି ଆନନ୍ଦ ଉପଭୋଗର ପ୍ରତିନିଧି। ତାଙ୍କର ରୋମୀୟ ସାଥୀ ହେଉଛନ୍ତି ଫନ୍, ଯିଏ କାହାର କ୍ଷତି କରନ୍ତି ନାହିଁ। ମର୍ମେଡ୍ ବା ମତ୍ସ୍ୟକନ୍ୟା ତ ସବୁ ପୁରାଣରେ ଅଛନ୍ତି, କିନ୍ତୁ ସଂସ୍କୃତି ଭେଦରେ କିଛି ପ୍ରଭେଦ ଅଛି। ଜେଙ୍ଗୁ ହେଉଛି କାମେରୁନ୍ର ଜଳୀୟ ଭୂତ ବା ଜଳପରୀ, ଯାହାଙ୍କ ଶରୀରର ଊର୍ଦ୍ଧ୍ୱାଂଶ ମଣିଷର ଏବଂ ନିମ୍ନଭାଗ ମାଛର। ତାଙ୍କର ଲମ୍ବା କେଶ ଓ ଛଡ଼ା ଛଡ଼ା ଦାନ୍ତ ଅଛି। ଯିଏ ତାଙ୍କର ପୂଜା କରନ୍ତି, ସେ ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ଓ ସୌଭାଗ୍ୟ ଆଣି ଦିଅନ୍ତି। ସିରେନା ଓ ସିରେନୋ ହେଉଛନ୍ତି ଫିଲିପାଇନ୍ସ ଲୋକକଥାରେ ଜଳକନ୍ୟା ଓ ଜଳକୁମାର, ଯେ କି ଜଳଭାଗକୁ ରକ୍ଷା କରନ୍ତି। ସିରେନାଙ୍କ ବିମୋହକ କଣ୍ଠସ୍ବର ଶୁଣି ନାବିକ ଓ ମାଛଧରାଳିମାନେ ଅନ୍ୟମନସ୍କ ହୋଇ ଜାହାଜ ବା ନୌକା ଉପରୁ ନିୟନ୍ତ୍ରଣ ହରାନ୍ତି ଓ ବିପଦର ସମ୍ମୁଖୀନ ହୁଅନ୍ତି। ଡାଗନ ହେଉଛନ୍ତି ମେସୋପଟାମିଆ ଓ ଆସିରିଆର ଜଳକୁମାର, ଯାହାଙ୍କୁ ଉର୍ବରତା ବା ଜନନକ୍ଷମତାର ଦେବତା ଭାବେ ପୂଜା କରାଯାଏ। ଜାପାନର ଲୋକକଥାରେ ସିସିଲିଆ ହେଉଛନ୍ତି ୟାଜୁ ହ୍ରଦରେ ବାସ କରୁଥିବା ସମୁଦ୍ର ଡାହାଣୀ, ଯାହାଙ୍କ ଉପରିଭାଗ ମଣିଷର ଏବଂ ତଳଭାଗ ଅକ୍ଟୋପସ୍ର। କୁକ୍ ଦ୍ୱୀପପୁଞ୍ଜରେ ଆଭାଟିଆ ନାମରେ ଜଣେ ଦେବତା ଅଛନ୍ତି, ଯାହାଙ୍କ ଦେହର ଡାହାଣ ଅଂଶ ମଣିଷର ଏବଂ ବାମଭାଗ ମାଛର। ସେ ଦେବତା ଓ ମଣିଷମାନଙ୍କର ପିତା। ତାଙ୍କର ଦୁଇ ଆଖି ହେଉଛି ସୂର୍ଯ୍ୟ ଓ ଚନ୍ଦ୍ର ଏବଂ ସେ ଆଲୋକର ଦେବତା। ହାର୍ପି ହେଉଛନ୍ତି ଗ୍ରୀକ୍ ଓ ରୋମାନ୍ ପୁରାଣରେ ବର୍ଣ୍ଣିତ ଏକ ପ୍ରାଣୀ, ଯାହାଙ୍କ ଶରୀରର ନିମ୍ନ ଅଂଶ, ଡେଣା ଓ ପଞ୍ଝା ଏକ ପକ୍ଷୀର ଏବଂ ଛାତି ଓ ମୁଣ୍ଡ ହେଉଛି ଜଣେ ନାରୀର। ସେମାନେ ଉଗ୍ର ସ୍ବଭାବବିଶିଷ୍ଟ ଏବଂ ଅପରିଚ୍ଛନ୍ନ ରହିବାକୁ ଭଲ ପାଆନ୍ତି। ସେମାନେ ପବନ ଓ ପାତାଳପୁର ସହ ସମ୍ବନ୍ଧିତ। ସେମାନଙ୍କୁ ପଠାଯାଏ ସେହି ମଣିଷମାନଙ୍କୁ ଆଣିବା ପାଇଁ ଯେଉଁମାନେ ମରିବାକୁ ଚାହାନ୍ତି ନାହିଁ। ଲିଲିଟସ ହେଉଛନ୍ତି ଚଢ଼େଇଙ୍କ ଗୋଡ଼ ଓ ଡେଣା ଥିବା ଗ୍ରୀକ୍ ମହିଳା ଓ ରାକ୍ଷସୀ। ସେମାନେ ଗୁପ୍ତରେ ଏମିତି କାମ କରନ୍ତି, ଯାହାଦ୍ୱାରା ଲୋକମାନେ ପାପକାମ କରିବେ ଓ ସମାଜ ନଷ୍ଟ ଆଡ଼କୁ ଗତି କରିବ। ରୁଷିଆର ଆଲ୍କୋନଷ୍ଟଙ୍କ ମୁଣ୍ଡଟି ନାରୀର ଓ ଦେହଟି ପକ୍ଷୀର। ସେମାନେ ଏପରି ଶବ୍ଦ କରନ୍ତି ଯେ ଶୁଣିବାବାଲା ସବୁକିଛି ଭୁଲିଯାଏ ଓ ଆଉ କିଛି ଚାହେଁ ନାହିଁ। ସେ ପାତାଳରେ ରହେ ତା’ର ସାଥୀ ସିରିନ୍ ସହ। ସେ ସମୁଦ୍ରକୂଳରେ ଅଣ୍ଡା ଦେଇ ଅଣ୍ଡାକୁ ସମୁଦ୍ର ଭିତରକୁ ଗଡ଼ାଇଦିଏ। ଯେତେବେଳେ ଅଣ୍ଡା ଫୁଟେ ସେତେବେଳେ ଘଡ଼ଘଡ଼ି ସହ ଝଡ଼ବାତ୍ୟା ହୁଏ ଏବଂ ସମୁଦ୍ର ଏପରି ଅଶାନ୍ତ ହୋଇଯାଏ ଯେ ସେଥିରେ ଯାତ୍ରା କରିବା ଅସମ୍ଭବ ହୋଇପଡ଼େ। ସିରିନ୍ ହେଉଛନ୍ତି ଅଧା ପେଚା ଓ ଅଧା ମଣିଷ। ସେମାନେ ଗୀତ ଗାଇ ଲୋକଙ୍କୁ ଭବିଷ୍ୟତର ସୁଖ-ଆନନ୍ଦ ବିଷୟରେ ସୂଚନା ଦିଅନ୍ତି। ଯେଉଁମାନେ ତାହା ଶୁଣନ୍ତି, ସେମାନେ ସବୁକିଛି ଭୁଲି ତାକୁ ଅନୁସରଣ କରି ଶେଷରେ ମୃତ୍ୟୁବରଣ କରନ୍ତି। ଲୋକମାନେ ବଡ଼ ପାଟି କରି ଚଢ଼େଇମାନଙ୍କୁ ଘଉନେଇ ଦେବା ଭିତରଦେଇ ସିରିନ୍ମାନଙ୍କଠାରୁ ନିଜକୁ ରକ୍ଷା କରନ୍ତି। ପର୍ସିଆରେ ସିରିନ୍ମାନେ ହେଉଛନ୍ତି ଚିରନ୍ତନ ଆନନ୍ଦ ଓ ସ୍ବର୍ଗସୁଖର ପ୍ରତୀକ। ଗାମାୟୁନ୍ ମଧ୍ୟ ରୁଷିଆର ଏକ ଅଧା ମଣିଷ ଓ ଅଧା ପକ୍ଷୀର ପ୍ରାଣୀ। ସେ ଭବିଷ୍ୟ ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକ। ଗ୍ରୀକ୍ ପୁରାଣରେ ସାଇରନ୍ମାନେ ହେଉଛନ୍ତି ନାରୀର ମୁଣ୍ଡ ଏବଂ ଚଢ଼େଇର ପର ଓ କାତିଯୁକ୍ତ ପାଦର ପ୍ରାଣୀ। ସେମାନେ ତାଙ୍କର ସୁନ୍ଦର କଣ୍ଠସ୍ବରରେ ପୁରୁଷମାନଙ୍କୁ ଯୌନଭାବରେ ଆକର୍ଷିତ କରି ହତ୍ୟା କରନ୍ତି। ଜାତକକଥାରେ ଅଛି କିନ୍ନରମାନେ ହେଉଛନ୍ତି ଅଧା ମଣିଷ ଓ ଅଧା ପକ୍ଷୀ। ସେମାନେ ଗୀତବାଦ୍ୟକୁ ଭଲ ପାଆନ୍ତି। ପରବର୍ତ୍ତୀ ସମୟରେ ପୁରାଣରେ ସେମାନଙ୍କୁ ସ୍ବର୍ଗର ସଂଗୀତଜ୍ଞ ଓ ମଣିଷମାନଙ୍କ ରକ୍ଷାକାରୀ ଭାବେ ବର୍ଣ୍ଣନା କରାଗଲା।
Email: gandhim@nic.in