
ଗିରୀଶ ଚନ୍ଦ୍ର ତ୍ରିପାଠୀ
ଧରାପୃଷ୍ଠରେ ଅନେକ ଲୋକ ଜନ୍ମ ଗ୍ରହଣ କରନ୍ତି। କିନ୍ତୁ ସମସ୍ତଙ୍କୁ ଲୋକେ ମନେରଖନ୍ତି ନାହିଁ। ସେହିମାନେ ଆମର ପ୍ରାତଃସ୍ମରଣୀୟ ହୋଇ ରହନ୍ତି, ଯେଉଁମାନେ ନିଜର ବିଶେଷ ପ୍ରତିଭା ଓ ସାଧନା ଦ୍ୱାରା ଜଗତର ଅଶେଷ କଲ୍ୟାଣ ସାଧନ କରିଥାନ୍ତି। ସେହିଭଳି ଜଣେ ଅସାଧାରଣ ବ୍ୟକ୍ତିତ୍ୱ ହେଲେ ପୃଥିବୀ ବିଖ୍ୟାତ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍। ସେ ଜନ୍ମଗ୍ରହଣ କରିଥିଲେ ତାମିଲନାଡୁର ଇରୋଡ ସହରରେ ୧୮୮୭ ମସିହା ଡିସେମ୍ବର ୨୨ ତାରିଖରେ। ତାଙ୍କ ମାତାଙ୍କ ନାମ ଥିଲା କୋମଳତମ୍ମାଲ ଏବଂ ପିତାଙ୍କ ନାମ ଶ୍ରୀନିବାସ ଆୟାଙ୍ଗାର। ତାଙ୍କ ପିତା କୁଚାକୋଣମ୍ର ଏକ ପାଟ ବ୍ୟବସାୟୀଙ୍କ ପାଖରେ ମାସିକ ୨୦ ଟଙ୍କା ଦରମାରେ ଗୁମାସ୍ତା କାମ କରୁଥିଲେ। ମା’ ତାଙ୍କର ଏକ ମନ୍ଦିରରେ ଭଜନ ଗାୟିକା ଭାବେ ସ୍ବଳ୍ପ କିଛି ଅର୍ଥ ଉପାର୍ଜନ କରୁଥିଲେ। ତାମିଲନାଡୁର ତାଞ୍ଜିଭୁରୁ ଜିଲାର କୁମ୍ଭକୋଣମ୍ ସହରରେ ବିଶ୍ୱପ୍ରସିଦ୍ଧ ଗାଣିତିକ ରାମାନୁଜନ୍ଙ୍କ ଶୈଶବ କଟିଥିଲା। ସପ୍ତମ ଶ୍ରେଣୀରେ ତାଙ୍କର ଗାଣିତିକ ପ୍ରତିଭାର ପରିଚୟ ମିଳିଥିଲା। ଗଣିତ ବିଷୟରେ ବିଭିନ୍ନ ଜଟିଳ ପ୍ରଶ୍ନର ସମାଧାନ ପାଇଁ କେବଳ ଛାତ୍ର ନୁହନ୍ତି, ଶିକ୍ଷକମାନେ ମଧ୍ୟ ତାଙ୍କର ସାହାଯ୍ୟ ନେଉଥିଲେ। ଶ୍ରେଣୀଗୃହରେ ଶିକ୍ଷାଦାନ ଚାଲିଥିବା ବେଳର ଏକ ଘଟଣା। ଗଣିତ ଶିକ୍ଷକ ରାମାନୁଜନ୍ ପଢୁଥିବା ଶ୍ରେଣୀରେ ଗଣିତ ପଢାଉଥାନ୍ତି। ଶିକ୍ଷକ କୌଣସି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଭାଗକଲେ ଭାଗଫଳ ୧ ହେବ, ଏହା ବିଭିନ୍ନ ଉଦାହରଣ ଦେଇ ବୁଝାଉଥାନ୍ତି। ଏହି ସମୟରେ ହଠାତ୍ ରାମାନୁଜନ୍ ଛିଡା ହୋଇ ଶିକ୍ଷକଙ୍କୁ ପଚାରିଲେ, ”ଗୁରୁଜୀ! ‘୦’କୁ ‘୦’ ଦ୍ୱାରା ଭାଗକଲେ, ଭାଗଫଳ କ’ଣ ୧ ହେବ?“ ଏହି ଘଟଣାରୁ ରାମାନୁଜନ୍ଙ୍କର ଗାଣିତିକ ପ୍ରତିଭାର ପରିଚୟ ମିଳିଥିଲା। ବାସ୍ତବିକ କୌଣସି ସଂଖ୍ୟାକୁ ‘୦’ ଦ୍ୱାରା ଭାଗ କରାଯାଇପାରିବ ନାହିଁ। କଲେଜରେ ପଢାଯାଉଥିବା ଗଣିତର ଅନେକ ବିଷୟ ସେ ବିଦ୍ୟାଳୟ ସ୍ତରରେ ହିଁ ଆୟତ୍ତ କରିନେଇଥିଲେ। ପାଇ ଓ ଇ (e) ପରି ଅପରିମେୟ ସଂଖ୍ୟାଗୁଡିକର ମୂଲ୍ୟ ବହୁ ଦଶମିକ ସ୍ଥାନ ପର୍ଯ୍ୟନ୍ତ ସେ କହିପାରୁଥିଲେ। ୧୯୦୪ ମସିହାରେ ରାମାନୁଜନ୍ଙ୍କୁ ଗଣିତରେ କେ. ରଙ୍ଗନାଥ ରାଓ ପୁରସ୍କାର ଦେଲାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନ୍ତବ୍ୟ ଦେଇଥିଲେ ଯେ ୧୦୦ରୁ ୧୦୦ ନମ୍ବରଦେଇ ରାମାନୁଜନ୍ଙ୍କ ପ୍ରତିଭାର ଠିକ୍ କଳନା କରିବା ସମ୍ଭବ ନୁହେଁ। ରାମାନୁଜନ୍ ସଂଖ୍ୟାଗୁଡିକୁ ନେଇ ଖେଳ ଖେଳିବାକୁ ଭଲ ପାଉଥିଲେ। ପ୍ରତ୍ୟେକଟି ପରିମେୟ ସଂଖ୍ୟା ତାଙ୍କର ବ୍ୟକ୍ତିଗତ ସଂଖ୍ୟା ଥିଲେ। ୧ରୁ ୧୦୦୦୦୦୦୦ ମଧ୍ୟରେ ଥିବା ମୌଳିକ ସଂଖ୍ୟାଗୁଡିକ ତାଙ୍କ ଜିଭ ଅଗରେ ଥିଲା। କେବଳ ଗଣିତ ବିଷୟ ପ୍ରତି ଅତ୍ୟଧିକ ଆଗ୍ରହ ହେତୁ ସେ ୧୯୦୪ରୁ ୧୯୦୯ ମଧ୍ୟରେ ମହାବିଦ୍ୟାଳୟ ପରୀକ୍ଷାରେ ବାରମ୍ବାର ଅକୃତକାର୍ଯ୍ୟ ହୋଇ ଏକ ଡିଗ୍ରୀ ହାସଲ କରିପାରି ନ ଥିଲେ ସତ, କିନ୍ତୁ ତାଙ୍କ ଟିପା ଖାତାରେ ସାଇତା ହୋଇ ରହିଥିବା ଗବେଷଣାଲବ୍ଧ ଗାଣିତିକ ତଥ୍ୟ ତାଙ୍କ ମୃତ୍ୟୁର ବହୁ ବର୍ଷ ପରେ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ବହୁଳ ଭାବେ ବ୍ୟବହୃତ ହେଉଛି। ପୃଥିବୀର ଗଣିତପ୍ରେମୀ ଜନସାଧାରଣଙ୍କ ପାଇଁ ରାମାନୁଜନ୍ଙ୍କ ଟିପା ଖାତା ହେଉଛି ଏକ ଅମୂଲ୍ୟ ସମ୍ପଦ। ରାମାନୁଜନ୍ଙ୍କ ଗାଣିତିକ ପ୍ରତିଭାର ବିକାଶରେ ମୁଖ୍ୟ ପୁରୋଧା ଥିଲେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗଣିତଜ୍ଞ ଜି.ଏଚ୍. ହାର୍ଡି। ଇଂଲଣ୍ଡର ବିଖ୍ୟାତ ଟ୍ରିନିଟି କଲେଜର ଅଧ୍ୟାପକ ନେଭିଲ ଓ ହାର୍ଡିଙ୍କ ଆନ୍ତରିକ ଉଦ୍ୟମ ଫଳରେ ସେ ଗଣିତ ବିଷୟରେ ଅଧିକ ଗବେଷଣା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ଇଂଲଣ୍ଡରେ ତାଙ୍କର ୪ବର୍ଷ ରହଣି ଭିତରେ ପ୍ରାୟ ୨୦ଟି ଅତି ଉଚ୍ଚକୋଟୀର ନିବନ୍ଧ ଭଲ ଭଲ ଜର୍ନାଲରେ ଛପାଇ ପାରିଥିଲେ ଓ ମ୍ୟାଥ୍ମେଟିକାଲ ସୋସାଇଟି, କେମ୍ବ୍ରିଜ ଫିଲୋସଫିକାଲ ସୋସାଇଟି, ଟ୍ରିନିଟି ଓ ରୟାଲ ସୋସାଇଟିର ଫେଲୋ ହୋଇଥିଲେ। ସେ ସମୟରେ କୌଣସି ଭାରତୀୟ ଏ ପ୍ରକାର ବିରଳ ସମ୍ମାନର ଅଧିକାରୀ ହୋଇ ନ ଥିଲେ। ଇଂଲଣ୍ଡରେ ଅସୁସ୍ଥ ହୋଇ ଥରେ ଏକ ନର୍ସିଂ ହୋମ୍ରେ ଚିକିତ୍ସିତ ହେଉଥିବାବେଳେ ବିଖ୍ୟାତ ଗଣିତଜ୍ଞ ହାର୍ଡି ତାଙ୍କୁ ଦେଖିବାକୁ ଯାଇଥିଲେ। କଥା ପ୍ରସଙ୍ଗରେ ରାମାନୁଜନ୍ ତାଙ୍କ ଟ୍ୟାକ୍ସିର ନମ୍ବରଟି ପଚାରିଲେ। ହାର୍ଡି କହିଲେ ୧୭୨୯। ରାମାନୁଜନ୍ ତାଙ୍କ ସହିତ ଏକମତ ନ ହୋଇ କହିଲେ ତାହା ଦୁଇଟି ଭିନ୍ନ ପ୍ରକାରର ଦୁଇଟି ସଂଖ୍ୟାର ତୃତୀୟ ଘାତର ଯୋଗଫଳ ହେବାରେ ନିମ୍ନତମ ଗଣନ ସଂଖ୍ୟା। ୧୭୨୯କୁ ରାମାନୁଜନ୍ ସଂଖ୍ୟା କୁହାଯାଏ। ହାର୍ଡିଙ୍କର କୌତୂହଳ ମେଣ୍ଟାଇବାକୁ ସେ ବୁଝାଇ ଦେଇଥିଲେ ୧୭୨୯ ହେଉଛି ୯ ଓ ୧୦ର ତୃତୀୟଘାତ କିମ୍ବା ୧୨ ଓ ୧ର ତୃତୀୟ ଘାତଗୁଡିକର ଯୋଗଫଳ। (୧୭୨୯= ୯୩+୧୦୩ ବା ୧୭୨୯ =୧୨୩+୧୩) ଇଂଲଣ୍ଡରେ ତାଙ୍କର ରହଣିର ଶେଷ ଆଡକୁ ସେ ଯକ୍ଷ୍ମାରୋଗରେ ପୀଡିତ ହୋଇ ୧୯୧୯ ମସିହା ମାର୍ଚ୍ଚରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅସୁସ୍ଥ ଥିବାରୁ ବିଶ୍ରାମ ନେଉଥିଲେ ମଧ୍ୟ ନୂତନ ଗାଣିତିକ ସୂତ୍ର କାଗଜରେ ଲେଖିବା କାମ ବନ୍ଦ କରି ନ ଥିଲେ। ୧୯୨୦ ଏପ୍ରିଲ ୨୦ରେ ଏହି ମହାନ୍ ଗଣିତଜ୍ଞଙ୍କର ୩୨ ବର୍ଷ ୪ ମାସ ବୟସରେ ଦେହାନ୍ତ ହୋଇଥିଲା। ତାଙ୍କର ଜନ୍ମଦିନ ଡିସେମ୍ବର ୨୨ ତାରିଖକୁ ଜାତୀୟ ଗଣିତ ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଉଛି। ସ୍ବଳ୍ପ ଜୀବନକାଳ ମଧ୍ୟରେ ଗଣିତ କ୍ଷେତ୍ରରେ ରଖିଥିବା ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିଥିବ।
(୨୨ା୧୨ ଜାତୀୟ ଗଣିତ ଦିବସ ଉପଲକ୍ଷେ)
ଝାରସୁଗୁଡା, ମୋ-୯୪୩୭୮୦୭୫୯୨