
ନୂଆଦିଲ୍ଲୀ, ୨୧।୧୨(ପି.ଟି.)- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଗୁରୁବାର ରାଜ୍ୟ ସଭାରେ ନିଜ ମତ ରଖିବାରେ ବିଫଳ ହୋଇଛନ୍ତି। ଏମ୍ପି ଭାବେ ପ୍ରଥମଥର ନିଜ ମତ ରଖିବା ପାଇଁ ସୁଯୋଗ ପାଇଥିବା ସଚିନଙ୍କୁ ବିରୋଧୀ କଂଗ୍ରେସ ଦଳର ପ୍ରତିବାଦ ଆଗରେ ହାର ମାନିବାକୁ ପଡ଼ିଛି। ଅପରାହ୍ନ ୨ଟା ବେଳେ ଆରମ୍ଭ ହୋଇଥିବା ସଦନରେ କଂଗ୍ରେସ ଦଳର ଏମ୍ପିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷମାପ୍ରାର୍ଥନା ପାଇଁ ପ୍ରବଳ ହଟଗୋଳ କରିଥିଲେ। ଏହାପରେ ‘ଭାରତ ରତ୍ନ’ ସମ୍ମାନଧାରୀ ସଚିନଙ୍କୁ କହିବାର ସୁଯୋଗ ଦେବା ଲାଗି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ହଟଗୋଳକାରୀଙ୍କୁ ନିବେଦନ କରିଥିଲେ। ଏହାସତ୍ତ୍ୱେ ପ୍ରତିବାଦ୍ ଜାରି ରହିବାରୁ ଗୃହକୁ ମୁଲତବି କରାଯାଇଥିଲା। ଉଲ୍ଲେଖଥାଉ କି, ନିକଟରେ ଗୁଜରାଟ ନିର୍ବାଚନୀ ପ୍ରଚାରରେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।